Biblica® Open Odia Contemporary Bible
ଫିଲୀମୋନ 1
ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ପାଉଲ, ଏବଂ ଆମର ଭ୍ରାତା ତୀମଥିଙ୍କ,
ନିକଟରୁ ଆମର ପ୍ରିୟ ବନ୍ଧୁ ଓ ସହକର୍ମୀ ଫିଲୀମୋନଙ୍କୁ ଆମର ଭଗିନୀ ଆଫିଆଙ୍କୁ ଆମର ସହସୈନିକ ଆର୍କିପ୍ପସ୍ଙ୍କୁ ଏବଂ ତୁମ ଗୃହରେ ସମବେତ ହେଉଥିବା ମଣ୍ଡଳୀକୁ ଅଭିବାଦନ ଜଣାଉଛୁ।
ଆମର ପିତା ଈଶ୍ୱର ତଥା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ବିରାଜୁ।
ଧନ୍ୟବାଦ ଓ ପ୍ରାର୍ଥନା
ମୁଁ ମୋର ପ୍ରାର୍ଥନାରେ ତୁମକୁ ସ୍ମରଣ କରି ସର୍ବଦା ମୋର ଈଶ୍ୱରଙ୍କର ଧନ୍ୟବାଦ କରିଥାଏ, କାରଣ ପ୍ରଭୁ ଯୀଶୁଙ୍କଠାରେ ତୁମର ବିଶ୍ୱାସ ଏବଂ ସାଧୁବୃନ୍ଦଙ୍କ ନିମନ୍ତେ ତୁମର ପ୍ରେମ ବିଷୟ ମୁଁ ଶୁଣିଅଛି। ମୁଁ ପ୍ରାର୍ଥନା କରେ ଯେ ତୁମେ ତୁମର ବିଶ୍ୱାସରେ ଅନ୍ୟମାନଙ୍କୁ ଭାଗୀ କରାଇବାକୁ ତତ୍ପର ହେବ ତା ହେଲେ ଖ୍ରୀଷ୍ଟଙ୍କ ହେତୁ ଆମେ ଯେଉଁସବୁ ଉତ୍ତମ ବିଷୟ ଲାଭ କରିଅଛୁ, ତାହାର ସଂପୂର୍ଣ୍ଣ ଧାରଣା ତୁମେ ପାଇପାରିବ। ହେ ଭାଇ, ତୁମର ପ୍ରେମ ମୋତେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହ ଦେଇଅଛି, କାରଣ, ତୁମେ ସାଧୁମାନଙ୍କର ହୃଦୟ ସତେଜ କରିଅଛ।
ତେଣୁ, ଖ୍ରୀଷ୍ଟଙ୍କ ସେବକ ରୂପେ ତୁମର କର୍ତ୍ତବ୍ୟ ସମ୍ବନ୍ଧରେ ଆଦେଶ ଦେବାକୁ ମୋର ସତ୍ସାହସ ଅଛି, ତଥାପି ପ୍ରେମ ହେତୁ ମୁଁ ତୁମକୁ ଅନୁରୋଧ କରୁଅଛି। ମୋର ବନ୍ଦି ଅବସ୍ଥାରେ ଯାହାକୁ ମୁଁ ପୁତ୍ରତୁଲ୍ୟ ଲାଭ କଲି ମୋର ସେହି ପୁତ୍ର ଅନୀସିମସ୍ ପାଇଁ ମୁଁ ବୃଦ୍ଧ ପାଉଲ, ଯେ କି ଏବେ ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ବନ୍ଦୀ ଅବସ୍ଥାରେ ମଧ୍ୟ ଅଛି, ସେ ତୁମକୁ ଅନୁରୋଧ କରୁଅଛି। ପୂର୍ବେ ଅନୀସିମସ୍ ତୁମ ପାଇଁ ଅନୁପଯୋଗିୀ ଥିଲା ମାତ୍ର ଏବେ ସେ ତୁମର ତଥା ମୋର, ଉଭୟଙ୍କ ପାଇଁ ଉପଯୋଗୀ ହୋଇଅଛି।
ମୁଁ ତାହାକୁ ତୁମ ପାଖକୁ ଯିବା ପାଇଁ ପଠାଇ ଦେଉଅଛି ସେ ତ ମୋର ପ୍ରାଣସ୍ୱରୁପ। ସୁସମାଚାର ସକାଶେ ମୋର ବନ୍ଦୀତ୍ୱରେ ତୁମ ସ୍ଥାନରେ ମୋତେ ସାହାଯ୍ୟ କରିବାକୁ ତାହାକୁ ମୋ ପାଖେ ରଖିବାକୁ ମୋର ଇଚ୍ଛା ହେଉଥିଲା। କିନ୍ତୁ ତୁମର ବିନା ସମ୍ମତିରେ କିଛି କରିବାକୁ ମୁଁ ଚାହିଁ ନ ଥିଲି, ଯେପରି ତୁମର ଅନୁଗ୍ରହ ବାଧ୍ୟବାଧକତାରେ ନ ହୋଇ ସ୍ୱଚ୍ଛାପ୍ରଣୋଦିତ ହେବ। ସମ୍ଭବତଃ ତୁମେ ଯେପରି ତାକୁ ସବୁକାଳ ପାଇଁ ଫେରି ପାଇବ ଏଥିନିମନ୍ତେ ସେ ଅଳ୍ପକାଳ ପାଇଁ ତୁମ ନିକଟରୁ ଅନ୍ତର ହୋଇଥିଲା। ଏଣିକି ଆଉ କ୍ରୀତଦାସ ରୂପେ ନୁହେଁ, ମାତ୍ର କ୍ରୀତଦାସ ଅପେକ୍ଷା ଉତ୍ତମ, ଅର୍ଥାତ୍ ଜଣେ ପ୍ରିୟ ଭାଇ ରୂପେ ତାକୁ ପାଇପାରିବ। ସେ ମୋର ଅତି ପ୍ରିୟ କିନ୍ତୁ ଜଣେ ମନୁଷ୍ୟ ଭାବରେ ଓ ପ୍ରଭୁଙ୍କଠାରେ ଜଣେ ଭାଇ ହିସାବରେ ସେ ତୁମର କେତେ ଅଧିକ ପ୍ରିୟ ନ ହେବ।
ଅତଏବ ତୁମେ ଯଦି ମୋତେ ତୁମର ଜଣେ ସହଯୋଗୀ ବୋଲି ମନେ କରୁଥାଅ, ତେବେ ମୋତେ ଯେପରି ସ୍ୱାଗତ କରନ୍ତ ତାକୁ ସେହିପରି ସ୍ୱାଗତ କର। ସେ ଯଦି ତୁମର କିଛି କ୍ଷତି କରିଥାଏ କିମ୍ବା ତାହାଠାରୁ ତୁମର ଯଦି କିଛି ପାଉଣା ଥାଏ ତେବେ ତାହା ମୋର ହିସାବରେ ଲେଖିଦିଅ। ମୁଁ ପାଉଲ, ନିଜ ହାତରେ ଏହା ଲେଖି ଦେଉଛି ଯେ। ମୁଁ ତାହା ପରିଶୋଧ କରିବି, କିନ୍ତୁ ତୁମେ ସ୍ୱୟଂ ଯେ ମୋ ନିକଟରେ କେତେ ଋଣି ଏ ବିଷୟରେ ମୁଁ କିଛି ଉଲ୍ଲେଖ କରୁ ନାହିଁ। ହିଁ ଭାଇ, ପ୍ରଭୁଙ୍କ ହେତୁ, ମୁଁ ତୁମଠାରୁ କିଛି ଉପକାର ପାଏ ବୋଲି ମୋର ଇଚ୍ଛା; ଖ୍ରୀଷ୍ଟଙ୍କ ସକାଶେ ମୋର ହୃଦୟକୁ ସତେଜ କର। ତୁମର ଆଜ୍ଞାବହତାରେ ମୋର ଦୃଢ଼ ବିଶ୍ୱାସ ଥିବାରୁ ମୁଁ ତୁମକୁ ଲେଖୁଅଛି, ମୁଁ ଜାଣେ ଯେ ମୁଁ ଯାହା ମାଗୁଅଛି, ତା ଅପେକ୍ଷା ତୁମେ ଆହୁରି ଅଧିକ କରିବ।
ଆଉ ଗୋଟିଏ କଥା, ମୋ ପାଇଁ ଗୋଟିଏ ଅତିଥି ପ୍ରକୋଷ୍ଠ ପ୍ରସ୍ତୁତ କରିଥିବ, କାରଣ ମୁଁ ଆଶା କରୁଛି ଯେ ତୁମର ପ୍ରାର୍ଥନାର ଉତ୍ତର ସ୍ୱରୂପେ ତୁମ ନିକଟକୁ ଫେରିଯାଇ ପାରିବି।
ଖ୍ରୀଷ୍ଟ ଯିଶୁଙ୍କ ହେତୁ, ମୋ ସହିତ ବନ୍ଦୀ ଏପାଫ୍ରାସ୍ ଅଭିବାଦନ ଜଣାଉଅଛନ୍ତି।
ଆହୁରି ମଧ୍ୟ, ମୋର ସହକର୍ମୀ ମାର୍କ, ଆରିସ୍ତାର୍ଖସ୍, ଦୀମା ଓ ଲୂକ ଅଭିବାଦନ ଜଣାଉଅଛନ୍ତି।
ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.