Biblica® Open Odia Contemporary Bible
ତୀତସ୍ 3
ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର କର୍ତ୍ତବ୍ୟ
ଶାସକ ଓ କର୍ତ୍ତୃପକ୍ଷଙ୍କର ବଶୀଭୂତ ହୋଇ ସେମାନଙ୍କର ବାଧ୍ୟ ହେବାକୁ ଏବଂ ସମସ୍ତ ସତ୍କାର୍ଯ୍ୟରେ ବ୍ରତୀ ହେବାକୁ, ଶାନ୍ତିକାମୀ ଓ ସହାନୁଭୂତିଶୀଳ ହେବାକୁ, କାହାରି ନିନ୍ଦା ନ କରିବାକୁ ଏବଂ ସବୁ ଲୋକଙ୍କ ପ୍ରତି ସଂପୂର୍ଣ୍ଣ ଭଦ୍ର ବ୍ୟବହାର ଦର୍ଶାଇବାକୁ ଲୋକମାନଙ୍କୁ ସ୍ମରଣ କରାଅ।
ଆମେ ମଧ୍ୟ ଏକଦା ନିର୍ବୋଧ, ଅବାଧ୍ୟ, ସବୁପ୍ରକାର କାମନା ଓ ଭୋଗବିଳାସ ଦ୍ଵାରା ପ୍ରତାରିତ ହୋଇ ଦାସତ୍ଵ ବନ୍ଧନରେ ଥିଲୁ। ଆମେ ବିଦ୍ୱେଷରେ ଓ ଈର୍ଷାରେ ଜୀବନ କାଟୁଥିଲୁ, ଏବଂ ପରସ୍ପରକୁ ଘୃଣା କରି ସେମାନଙ୍କ ଦ୍ଵାରା ଘୃଣିତ ହେଉଥିଲୁ। କିନ୍ତୁ ଯେତେବେଳେ ଆମର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୟା ଓ ପ୍ରେମ ପ୍ରକାଶିତ ହେଲା, ସେତେବେଳେ ସେ ଆମର କୃତ ଧର୍ମକର୍ମ ସକାଶେ ନ କରି, ତାହାଙ୍କର ଦୟା ହେତୁ ଆମକୁ ପରିତ୍ରାଣ କଲେ। ସେ ଆମକୁ ନୂତନ ଜନ୍ମର ପ୍ରକ୍ଷାଳନ ଏବଂ ପବିତ୍ରଆତ୍ମାଙ୍କ ନୂତନୀକରଣ ଦ୍ଵାରା ପରିତ୍ରାଣ କଲେ, ସେ ଆମର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ପବିତ୍ରଆତ୍ମଙ୍କୁ ଆମ ଉପରେ ଅକାତରେ ବର୍ଷଣ କଲେ, ଯଦ୍ଦ୍ୱାରା, ଆମେ ତାହାଙ୍କର ଅନୁଗ୍ରହରେ ଧାର୍ମିକ ଗଣ୍ୟ ହୋଇ, ଭରସାନୁସାରେ ଅନନ୍ତଜୀବନର ଅଧିକାରୀ ହୋଇପାରିବୁ। ଏହା ଏକ ବିଶ୍ୱାସଯୋଗ୍ୟ ଉକ୍ତି। ତୁମେ ଏହିସବୁ ବିଷୟ ଉପରେ ଗୁରୁତ୍ଵ ଦିଅ ବୋଲି ମୋର ଇଚ୍ଛା, ତାହାହେଲେ ଈଶ୍ୱରଙ୍କଠାରେ ଭରସା ରଖିଥିବା ଲୋକେ ସତ୍କର୍ମରେ ବ୍ରତୀ ହେବାକୁ ଯତ୍ନଶୀଳ ହେବେ। ଏହିସବୁ ସମସ୍ତଙ୍କ ନିମନ୍ତେ ଅତ୍ୟୁତ୍ତମ ଓ ଲାଭଜନକ ବିଷୟ।
କିନ୍ତୁ ତୁମେ ନାନାଦି ବୁଦ୍ଧିହୀନ ବାଦପ୍ରତିବାଦ ବଂଶାବଳୀ ଯୁକ୍ତିତର୍କ ଏବଂ ବିଧିବ୍ୟବସ୍ଥା ସମ୍ଭନ୍ଧୀୟ କଳହରୁ ଦୂରରେ ରୁହ, କାରଣ ଏହିସବୁ କ୍ଷତିକାରକ ଓ ଅସାର ଅଟେ। ବିଭେଦ ସୃଷ୍ଟି କରୁଥିବା ବ୍ୟକ୍ତିକୁ ଥରେ, ତା ପରେ ଦ୍ୱିତୀୟ ଥର ସତର୍କ କରାଇ ଦିଅ। ତା ପରେ ସେ ନ ଶୁଣିଲେ ତା ସହିତ କୌଣସି ସମ୍ପର୍କ ରଖ ନାହିଁ। ସେପରି ଲୋକ ଯେ ଭ୍ରଷ୍ଟଚିତ୍ତ ଓ ପାପିଷ୍ଠ ଏହା ତୁମେ ଅବଶ୍ୟ ଜାଣ; ସେ ନିଜକୁ ଦଣ୍ଡ ଯୋଗ୍ୟ କରିଅଛି।
ଉପସଂହାର
ମୁଁ ତୁମ ନିକଟକୁ ଆର୍ତ୍ତେମାସ୍ କିମ୍ବା ତୀକିଖସଙ୍କୁ ପଠାଇବାମାତ୍ରେ, ତୁମେ ନୀକପଲିସ୍ରେ ମୋ ନିକଟକୁ ଆସିବା ପାଇଁ ଚେଷ୍ଟା କର, କାରଣ ସେଠାରେ ଶୀତକାଳ କ୍ଷେପଣ କରିବାକୁ ମୁଁ ସ୍ଥିର କରିଅଛି। ବିଧିବ୍ୟବସ୍ଥା ବିଶାରଦ ଜୀନାସ୍ ଓ ଆପଲ୍ଲଙ୍କୁ ଯାତ୍ରା ପଥରେ ଯଥାସାଧ୍ୟ ସାହାଯ୍ୟ କର ଏବଂ ସେମାନଙ୍କର ଯାହାକିଛି ପ୍ରୟୋଜନ ତାହା ଯୋଗାଇ ଦିଅ।
ଆମର ଲୋକମାନେ ଉତ୍ତମ କର୍ମରେ ବ୍ରତୀ ହେବାକୁ ଶିଖିବା ଉଚିତ୍, ଯଦ୍ଦ୍ୱାରା ସେମାନେ ପ୍ରୟୋଜନୀୟ ବିଷୟଗୁଡ଼ିକର ଅଭାବ ଦୂର କରିବେ ଏବଂ ନିଷ୍ଫଳ ଜୀବନ କାଟିବେ ନାହିଁ।
ମୋ ସଙ୍ଗରେ ଥିବା ସମସ୍ତେ ତୁମକୁ ଅଭିବାଦନ ଜଣାଉଅଛନ୍ତି।
ବିଶ୍ୱାସର ସହଭାଗିତା ହେତୁ ଯେଉଁମାନେ ଆମ୍ଭମାନଙ୍କୁ ସ୍ନେହ କରନ୍ତି ସେମାନଙ୍କୁ ଅଭିବାଦନ ଜଣାଅ।
ତୁମ ସମସ୍ତଙ୍କ ପ୍ରତି ଅନୁଗ୍ରହ ବିରାଜୁ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.