Biblica® Open Odia Contemporary Bible
ତୀତସ୍ 2
ବିଭିନ୍ନ ଲୋକଙ୍କ ପାଇଁ ଉପଦେଶ
ଯାହାକିଛି ଅଭ୍ରାନ୍ତ, ଧର୍ମତତ୍ତ୍ୱସମ୍ମତ, ତାହା ତୁମର ଶିକ୍ଷା ଦେବା ଉଚିତ। ବୟୋଜ୍ୟେଷ୍ଠମାନେ ମିତାଚାରୀ, ସମ୍ମାନାସ୍ପଦ, ଆତ୍ମସଂଯମୀ ହେବାକୁ ଏବଂ ବିଶ୍ୱାସରେ, ପ୍ରେମରେ, ସହିଷ୍ଣୁତାରେ ଦୃଢ଼ ରହିବାକୁ ଶିକ୍ଷା ଦିଅ।
ସେହିପରି, ବୟୋଜ୍ୟେଷ୍ଠା ସ୍ତ୍ରୀମାନେ ଆଚରଣରେ ଭକ୍ତିପରାୟଣା ହେବାକୁ ଶିକ୍ଷା ଦିଅ, ସେମାନେ କୁତ୍ସାରଟନାକାରିଣୀ କିମ୍ବା ମଦ୍ୟପାନରେ ଆସକ୍ତ ନ ହୁଅନ୍ତୁ, ମାତ୍ର ଯାହା ସତ୍ ତାହା ଶିକ୍ଷା ଦିଅନ୍ତୁ। ତା ହେଲେ ସେମାନେ କନିଷ୍ଠାମାନଙ୍କୁ ପତିବ୍ରତା ଓ ସନ୍ତାନବତ୍ସଳା ହେବାକୁ ଶିକ୍ଷା ଦେଇ ପାରିବେ, ଈଶ୍ୱରଙ୍କ ବାକ୍ୟକୁ କେହି ଯେପରି ନିନ୍ଦା ନ କରେ, ଏଥିପାଇଁ ସେମାନେ ଆତ୍ମସଂଯମୀ, ଶୁଦ୍ଧଚିତ୍ତ, ସୁଗୃହିଣୀ, ଦୟା ଶୀଳା ଏବଂ ସ୍ୱାମୀର ବଶୀଭୂତା ହେବାକୁ ଶିକ୍ଷା ଦିଅନ୍ତୁ।
ସେହିପରି, ଯୁବକମାନଙ୍କୁ ଆତ୍ମସଂଯମୀ ହେବାକୁ ଉତ୍ସାହିତ କର। ସତ୍କାର୍ଯ୍ୟ କରି ତୁମେ ସବୁ ବିଷୟରେ ସେମାନଙ୍କୁ ଆଦର୍ଶ ଦେଖାଅ। ତୁମର ଶିକ୍ଷାରେ ସାଧୁତା, ଓ ଗାମ୍ଭୀର୍ଯ୍ୟ ପ୍ରକାଶ କର ଏବଂ ତୁମର ବାକ୍ୟ ଏପରି ଦୋଷଶୂନ୍ୟ ହେଉ, ଯାହା କେହି ନିନ୍ଦା କରିପାରିବ ନାହିଁ ତା ହେଲେ ତୁମର ବିରୋଧୀମାନେ ଆମ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ନିଜେ ଲଜ୍ଜିତ ହେବେ।
ହେ ଦାସମାନେ ସବୁ ବିଷୟରେ, ନିଜ ନିଜ କର୍ତ୍ତାମାନଙ୍କ ବଶୀଭୂତ ହେବାକୁ, ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଓ ଜବାବ ନ ଦେବାକୁ ଶିକ୍ଷା ଦିଅ, ଏବଂ ସେମାନଙ୍କର କିଛି ଚୋରି ନ କରି, ବରଂ ସେମାନେ ଯେ ବିଶ୍ୱାସଯୋଗ୍ୟ ଏହା ଦର୍ଶାଉ, ଯଦ୍ଦ୍ୱାରା ଆମର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାକୁ ସେମାନେ ସବୁ ବିଷୟରେ ଆକର୍ଷଣୀୟ କରିପାରିବେ।
କାରଣ ସବୁ ମନୁଷ୍ୟଙ୍କ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି। ଅଧର୍ମ ଓ ଜାଗତିକ ଅଭିଳାଷ “ପରିହାର” କରି ଏହି ଯୁଗରେ ଆତ୍ମସଂଯମୀ, ସଦାଚାରୀ ଓ ଧର୍ମପରାୟଣ ହୋଇ, ଜୀବନଯାପନ କରିବାକୁ ଏହା ଆମକୁ ଶିକ୍ଷା ଦିଏ, ଏହି ସମୟରେ ଆମେ ସେହି ଆନନ୍ଦମୟ ଭରସାରେ ଅର୍ଥାତ୍ ଆମର ମହାନ୍ ଈଶ୍ୱର ଓ ତ୍ରାଣକର୍ତ୍ତା, ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରକାଶନର ଅପେକ୍ଷାରେ ରହିଅଛୁ, ସେ ତ ଆମକୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଏବଂ ଆମକୁ ସତ୍କର୍ମରେ ଉଦ୍ଯୋଗୀ କରି ତାହାଙ୍କ ନିଜସ୍ଵ ଲୋକଭାବେ, ଶୁଦ୍ଧପୂତ କରିବାକୁ ଆମ ନିମନ୍ତେ ନିଜକୁ ସମର୍ପି ଦେଲେ।
ଏହିସମସ୍ତ ବିଷୟ ହିଁ, ତୁମର ଶିକ୍ଷା ଦେବା ଉଚିତ। ପୂର୍ଣ୍ଣ କ୍ଷମତା ସହିତ ଉତ୍ସାହ ଓ ଧମକ ଦିଅ। କେହି ତୁମକୁ ତୁଚ୍ଛଜ୍ଞାନ ନ କରୁ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.