Biblica® Open Odia Contemporary Bible
ତୀତସ୍ 1
ଈଶ୍ୱରଙ୍କ ମନୋନୀତ ଲୋକଙ୍କ ବିଶ୍ୱାସ ନିମନ୍ତେ ଏବଂ ଈଶ୍ୱରପରାୟଣତାଜନକ ସତ୍ୟଜ୍ଞାନରେ ବୃଦ୍ଧି ଲାଭ ନିମନ୍ତେ ମୁଁ ପାଉଲ, ଈଶ୍ୱରଙ୍କର ଜଣେ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ଏହି ବିଶ୍ୱାସ ଓ ଜ୍ଞାନ, ଅନନ୍ତଜୀବନର ଭରସା ଉପରେ ଆଧାରିତ, ଯେଉଁ ଈଶ୍ୱର କଦାପି ମିଥ୍ୟା କହନ୍ତି ନାହିଁ, ସେ ଅନାଦିକାଳରୁ ଏହି ଅନନ୍ତଜୀବନ ସମ୍ବନ୍ଧରେ ପ୍ରତିଜ୍ଞା କରିଥିଲେ, ଆମର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଆଦେଶାନୁସାରେ ମୋ ଉପରେ ନ୍ୟସ୍ତ ହୋଇଥିବା ପ୍ରଚାର କାର୍ଯ୍ୟ ଦ୍ଵାରା ସେ ତାହାଙ୍କର ନିରୂପିତ ସମୟରେ ନିଜର ଏହି ବାକ୍ୟ ପ୍ରକାଶ କଲେ,
ବିଶ୍ୱାସର ସହଭାଗିତାରେ ମୋର ଧର୍ମପୁତ୍ର ତୀତସଙ୍କୁ, ପାଉଲଙ୍କର ଅଭିବାଦନ:
ପିତା ଈଶ୍ୱରଙ୍କଠାରୁ ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭପ୍ରତି ଅନୁଗ୍ରହ ଓ ଶାନ୍ତି ବିରାଜୁ।
ଭଲ କଥାକୁ ଭଲପାଉଥିବା ପ୍ରାଚୀନମାନଙ୍କୁ ନିଯୁକ୍ତ କରିବା
ତୁମେ ଯେପରି ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବ ଏବଂ ମୋର ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ସହରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବ, ଏହି କାରଣରୁ ମୁଁ ତୁମକୁ କ୍ରୀତୀରେ ଛାଡ଼ି ଆସିଲି। ପ୍ରାଚୀନମାନେ ଦୋଷଶୂନ୍ୟ, ଏକପତ୍ନୀକ ହେବା ଉଚିତ୍, ତାଙ୍କର ସନ୍ତାନମାନେ ବିଶ୍ୱାସୀ ହୋଇଥିବେ ଏବଂ ଉଚ୍ଛୃଙ୍ଖଳ ଓ ଅବାଧ୍ୟ ବୋଲି ସେମାନଙ୍କର ଦୁର୍ନାମ ନ ଥିବ। ଧର୍ମାଧ୍ୟକ୍ଷ ଙ୍କ ଉପରେ ଈଶ୍ୱରଙ୍କ କାର୍ଯ୍ୟର ଦାୟିତ୍ଵ ନ୍ୟସ୍ତ ହୋଇଥିବାରୁ ସେ ଦୋଷଶୂନ୍ୟ ହେବା ଉଚିତ୍, ସେ ଉଦ୍ଧତ, କ୍ଷଣକୋପୀ, ମଦ୍ୟପାନରେ ଆସକ୍ତ, ଉଗ୍ରପ୍ରକୃତିକ, ଅଧର୍ମ ଧନ ପାଇଁ ଲାଳାୟିତ ହେବା ଉଚିତ ନୁହେଁ। ବରଞ୍ଚ, ସେ ଅତିଥିପରାୟଣ, ସତ୍ ବିଷୟର ଅନୁରାଗୀ, ଆତ୍ମସଂଯମୀ, ସଦାଚାରୀ, ପବିତ୍ର ଏବଂ ଶୃଙ୍ଖଳିତ ଳିତ ସ୍ଵଭାବବିଶିଷ୍ଟ ହେବା ଉଚିତ। ସେ ଯେପରି ଅନ୍ୟମାନଙ୍କୁ ଅଭ୍ରାନ୍ତ ଧର୍ମତତ୍ତ୍ୱ ଦ୍ଵାରା ଉତ୍ସାହ ଦେଇ ପାରିବେ ଏବଂ ଏହାର ବିରୋଧ କରୁଥିବା ଲୋକଙ୍କ କଥାକୁ ଖଣ୍ଡନ କରିପାରିବେ, ଏଥିପାଇଁ ପାଇଥିବା ଶିକ୍ଷାନୁସାରେ ବିଶ୍ୱାସଯୋଗ୍ୟ ବାକ୍ୟକୁ ସେ ଦୃଢ଼ଭାବେ ଧରି ରଖିବା ଉଚିତ୍।
କାରଣ ଅନେକ ବିଦ୍ରୋହଚାରୀ ଲୋକ ଅଛନ୍ତି, ବିଶେଷତଃ ସୁନ୍ନତ ସପକ୍ଷବାଦୀମାନଙ୍କର ମଧ୍ୟରେ ଅଛନ୍ତି, ଏମାନେ କେବଳ ବାକ୍ପଟୁ ଓ ପ୍ରବଞ୍ଚକ। ସେମାନଙ୍କୁ ନିରୁତ୍ତର କରିବା ଆବଶ୍ୟକ, କାରଣ ଯାହା ଶିକ୍ଷା ଦେବା ଅନୁଚିତ୍ ତାହା ଶିକ୍ଷା ଦେଇ ସେମାନେ ପୂରା ପରିବାରଗୁଡ଼ିକର ସର୍ବନାଶ କରୁଅଛନ୍ତି ପୁଣି ଅଧର୍ମ ଧନଲାଭ ପାଇଁ ଏହା କରୁଅଛନ୍ତି। ଏପରିକି, ସେମାନଙ୍କର ଜଣେ ଭବିଷ୍ୟଦ୍ବକ୍ତା କହିଅଛନ୍ତି, “କ୍ରୀତୀୟ ମାନେ ସଦା ମିଥ୍ୟାବାଦୀ, ହିଂସ୍ର ପଶୁବତ୍ ଓ ଅଳସୁଆ ପେଟୁକ।” ଏହି ଉକ୍ତି ସତ୍ୟ। ସେଥିପାଇଁ ସେମାନଙ୍କୁ କଠୋର ଭତ୍ସନା କର, ତାହାହେଲେ ସେମାନେ ବିଶ୍ୱାସରେ ଦୃଢ଼ ରହିବେ ପୁଣି ଯିହୁଦୀୟ ମନଗଢ଼ା କାହାଣୀ ଓ ସତ୍ୟକୁ ପ୍ରତ୍ୟାଖ୍ୟାନ କରୁଥିବା ଲୋକଙ୍କର ଆଜ୍ଞାଗୁଡ଼ିକ ପ୍ରତି ମନ ଦେବେ ନାହିଁ। ଶୁଦ୍ଧଚିତ୍ତ ଲୋକଙ୍କ ପ୍ରତି, ସବୁକିଛି ଶୁଦ୍ଧ, କିନ୍ତୁ ଯେଉଁମାନେ ଭ୍ରଷ୍ଟାଚାରୀ ଓ ଅବିଶ୍ୱାସୀ, ସେମାନଙ୍କ ପ୍ରତି କୌଣସି ବିଷୟ ପ୍ରକୃତରେ ଶୁଦ୍ଧ ନୁହେଁ। ସେମାନଙ୍କ ମନ ଓ ବିବେକ, ଉଭୟେ ତ ଭ୍ରଷ୍ଟ ହୋଇଅଛି। ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ଦାବୀ କରନ୍ତି, ମାତ୍ର ସେମାନଙ୍କ କାର୍ଯ୍ୟକଳାପ ଦ୍ଵାରା ତାହାଙ୍କୁ ଅସ୍ୱୀକାର କରନ୍ତି। ସେମାନେ ଘୃଣାଯୋଗ୍ୟ, ଅବାଧ୍ୟ ଏବଂ କୌଣସି ସତ୍କର୍ମ କରିବାକୁ ଯୋଗ୍ୟ ନୁହନ୍ତି।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.