Biblica® Open Odia Contemporary Bible
ଦ୍ୱିତୀୟ ତୀମଥି 4
ମୁଁ ଈଶ୍ୱରଙ୍କ ସାକ୍ଷାତରେ ଏବଂ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତମାନଙ୍କର ବିଚାର କରିବେ, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କର ଆବିର୍ଭାବ ଓ ରାଜ୍ୟ ସ୍ଥାପନକୁ ଦୃଷ୍ଟି ଆଗରେ ରଖି ତୁମକୁ ଦୃଢ଼ ଆଦେଶ ଦେଉଅଛି: ବାକ୍ୟ ପ୍ରଚାର କର, ସମୟରେ ହେଉ କି ଅସମୟରେ ହେଉ ପ୍ରସ୍ତୁତ ଥାଅ, ଅତ୍ୟନ୍ତ ଧୈର୍ଯ୍ୟ ସହକାରେ ଯତ୍ନରେ ଶିକ୍ଷା ଦେଇ ଲୋକମାନଙ୍କୁ ସଂଶୋଧନ ଭତ୍ସନା ଓ ଉତ୍ସାହ ପ୍ରଦାନ କର। କାରଣ ସମୟ ଆସିବ, ଯେତେବେଳେ ଲୋକେ ହିତଜନକ ଶିକ୍ଷା ଗ୍ରହଣ କରିବେ ନାହିଁ। ତା ପରିବର୍ତ୍ତେ, ସେମାନେ ନିଜ ନିଜ ଅଭିଳାଷର ବଶବର୍ତ୍ତୀ ହୋଇ ସେମାନଙ୍କ କର୍ଣ୍ଣକୁ ପ୍ରୀତିକର ହେଲା ଭଳି କଥାଗୁଡ଼ିକ ଶୁଣିବାକୁ ଅନେକ ଗୁରୁଙ୍କୁ ନିଜ ପାଖରେ ସଂଗ୍ରହ କରିବେ। ସେମାନେ ସତ୍ୟ ବାକ୍ୟରେ କାନ ନ ଦେଇ ମନଗଢ଼ା ଗଳ୍ପ ଆଦିରେ ମନ ଦେବେ। କିନ୍ତୁ ତୁମେ, ସବୁ ପରିସ୍ଥିତିରେ ସ୍ଥିରଚିତ୍ତ ହୋଇ ରୁହ, କଷ୍ଟ ସହ୍ୟ କର, ପ୍ରଚାର କର କାର୍ଯ୍ୟ ସମ୍ପନ୍ନ କର, ତୁମର ସେବାକାର୍ଯ୍ୟର ସମସ୍ତ କର୍ତ୍ତବ୍ୟ ପାଳନ କର।
କାରଣ ମୋର ପ୍ରାଣ ଆହୁତି ପରି ଏବେ ଢଳା ଯାଉଅଛି, ଏବଂ ମୋର ମହା ପ୍ରୟାଣର ସମୟ ଆସିଲାଣି। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣେ ଲଢ଼ିଅଛି, ମୁଁ ଦୌଡ଼ ଶେଷ କରିଅଛି, ବିଶ୍ୱାସ ରକ୍ଷା କରିଅଛି। ଏବେ ମୋ ପାଇଁ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହା ଦିବସରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ, ପୁରସ୍କାର ରୂପେ ମୋତେ ଦେବେ ଏବଂ କେବଳ ମୋତେ ନୁହେଁ, ମାତ୍ର ଯେତେଜଣ ତାହାଙ୍କ ଆଗମନକୁ ଉତ୍କଣ୍ଠା ସହ ଅପେକ୍ଷା କରୁଅଛନ୍ତି, ସେସମସ୍ତଙ୍କୁ ଦେବେ।
ଶୀଘ୍ର ମୋ ନିକଟକୁ ଆସିବା ପାଇଁ ଚେଷ୍ଟା କର। କାରଣ ଦୀମା ଏହି ଜଗତକୁ ପ୍ରିୟଜ୍ଞାନ କରି, ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକି କୁ ଚାଲି ଯାଇଅଛି। କ୍ରେସେନ୍ସ ଗାଲାତୀଆକୁ, ଓ ତୀତସ୍ ଦାଲ୍ମାତିଆକୁ ଯାଇଅଛନ୍ତି। କେବଳ ଲୂକ ମୋ ସହିତ ଅଛନ୍ତି। ମାର୍କଙ୍କୁ ଦେଖା କରି ତୁମ ସଙ୍ଗରେ ଆଣିବ, କାରଣ ମୋର ସେବାକାର୍ଯ୍ୟରେ ସେ ବିଶେଷ ସାହାଯ୍ୟକାରୀ। ମୁଁ ତୁଖିକସ୍ଙ୍କୁ ଏଫିସସ୍କୁ ପଠାଇଅଛି। ମୁଁ ତ୍ରୋୟାସ୍ରେ କାର୍ପସ୍ଙ୍କ ପାଖରେ ଯେଉଁ ପୋଷାକଟି ଛାଡ଼ିଆସିଛି, ତୁମେ ଆସିଲା ବେଳେ ତାହାକୁ ଓ ମୋର ପୁସ୍ତକଗୁଡ଼ିକୁ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକୁ ସଙ୍ଗରେ ନେଇ ଆସିବ।
କଂସାରି ଆଲେକ୍ଜାଣ୍ଡର୍ ମୋର ବହୁତ ଅନିଷ୍ଟ କରିଅଛି। ପ୍ରଭୁ ତା କାର୍ଯ୍ୟର ପ୍ରତିଫଳ ଦେବେ। ତୁମେ ମଧ୍ୟ ତା ବିଷୟରେ ସାବଧାନ ଥାଅ, କାରଣ ସେ ଆମର ବାର୍ତ୍ତାକୁ ଘୋର ବିରୋଧ କରିଥିଲା।
ମୁଁ ପ୍ରଥମ ଥର ଆତ୍ମସମର୍ଥନ କଲାବେଳେ, କେହି ମୋର ସପକ୍ଷ ହେଲେ ନାହିଁ, ସମସ୍ତେ ମୋତେ ପରିତ୍ୟାଗ କଲେ। ଏହା ସେମାନଙ୍କ ବିରୁଦ୍ଧରେ ଦୋଷ ବୋଲି ଧରା ନ ଯାଉ। କିନ୍ତୁ ପ୍ରଭୁ ମୋର ସପକ୍ଷ ହୋଇ ମୋତେ ବଳ ଦେଲେ, ଯେପରି ମୋ ଦ୍ଵାରା ସୁସମାଚାର ସଂପୂର୍ଣ୍ଣ ଭାବରେ ପ୍ରଚାରିତ ହେବ ଓ ଅଣଯିହୁଦୀମାନେ ତାହା ଶୁଣିବେ। ପୁଣି ମୁଁ ସିଂହ ମୁଖରୁ ରକ୍ଷା ପାଇଲି। ପ୍ରଭୁ ମୋତେ ସବୁ ଅନିଷ୍ଟକର ଆକ୍ରମଣରୁ ରକ୍ଷା କରି ତାହାଙ୍କର ସ୍ଵର୍ଗୀୟ ରାଜ୍ୟକୁ ନିରାପଦରେ ନେଇଯିବେ। ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ। ଆମେନ୍।
ଶେଷ ଅଭିବାଦନ
ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ଓ ଅନୀସିଫରସ୍ଙ୍କ ପରିବାରବର୍ଗଙ୍କୁ ଅଭିବାଦନ ଜଣାଇବ।
ଏରାଷ୍ଟସ୍ କରିନ୍ଥୀରେ ରହିଲେ, ଏବଂ ତ୍ରୋଫିମସ୍ଙ୍କୁ ମୁଁ ମିଲୀତସ୍ରେ ପୀଡ଼ିତାବସ୍ଥାରେ ଛାଡ଼ି ଆସିଅଛି। ଶୀତକାଳ ପୂର୍ବରୁ ଏଠାକୁ ଆସିବାକୁ ଚେଷ୍ଟା କର।
ଇଉବୁଲସ୍, ପୁଦେନସ୍, ଲୀନସ୍, କ୍ଲଦିଆ ଓ ଭାଇମାନେ ତୁମକୁ ଅଭିବାଦନ ଜଣାଉଅଛନ୍ତି।
ପ୍ରଭୁ ତୁମ ଆତ୍ମାର ସହବର୍ତ୍ତୀ ହୁଅନ୍ତୁ। ତୁମ ପ୍ରତି ଅନୁଗ୍ରହ ବିରାଜୁ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.