Biblica® Open Odia Contemporary Bible
ଏବ୍ରୀ 1
ଈଶ୍ୱରପୁତ୍ର ସର୍ବଶ୍ରେଷ୍ଠ
ଅତୀତରେ ଈଶ୍ୱର ଆମର ପିତୃପୁରୁଷମାନଙ୍କୁ ବିଭିନ୍ନ ସମୟରେ ଓ ବିଭିନ୍ନ ଭାବରେ ଭାବବାଦୀମାନଙ୍କ ମାଧ୍ୟମରେ କଥା କହିଥିଲେ, କିନ୍ତୁ ସେ ଏହି ଶେଷକାଳରେ ଆପଣା ପୁତ୍ରଙ୍କ ଦ୍ଵାରା ଆମ୍ଭମାନଙ୍କୁ କଥା କହିଅଛନ୍ତି, ତାହାଙ୍କୁ ସେ ସର୍ବ ବିଷୟର ଅଧିକାରୀ ହେବାକୁ ମନୋନୀତ କରିଅଛନ୍ତି, ଏବଂ ତାହାଙ୍କ ଦ୍ଵାରା ହିଁ ସମଗ୍ର ବିଶ୍ୱଜଗତକୁ ସୃଷ୍ଟି କରିଅଛନ୍ତି। ପୁତ୍ର ହେଉଛନ୍ତି ଈଶ୍ୱରଙ୍କ ମହିମାର ତେଜ ଏବଂ ତାହାଙ୍କ ସ୍ଵରୂପର ପୂର୍ଣ୍ଣ ପରିପ୍ରକାଶ, ସେ ନିଜର ଶକ୍ତିଶାଳୀ ବାକ୍ୟ ଦ୍ଵାରା ସମସ୍ତ ବିଷୟ ଧାରଣ କରିଅଛନ୍ତି। ସେ ପାପ ଦୂରୀକରଣ କରିବାପରେ, ସ୍ଵର୍ଗରେ ମହାମହିମଙ୍କ ଦକ୍ଷିଣପାର୍ଶ୍ୱରେ ଉପବେଶନ କରିଅଛନ୍ତି। ଅତଏବ ସେ ଯେଉଁ ନାମର ଅଧିକାରୀ ହୋଇଅଛନ୍ତି ତାହା ସ୍ଵର୍ଗଦୂତମାନଙ୍କ ନାମ ଅପେକ୍ଷା ଯେପରି ଶ୍ରେଷ୍ଠତର ସେହିପରି ସେ ସ୍ଵର୍ଗଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠତର ହୋଇଅଛନ୍ତି।
କାରଣ ସ୍ଵର୍ଗଦୂତମାନଙ୍କ ମଧ୍ୟରୁ ଈଶ୍ୱର କଅଣ କାହାକୁ କେବେ ଏହା କହିଛନ୍ତି,
“ତୁମ୍ଭେ ମୋହର ପୁତ୍ର;
ଆଜି ମୁଁ ତୁମ୍ଭର ପିତା ହେଲି”?
କିମ୍ବା ପୁନଶ୍ଚ,
“ମୁଁ ତାଙ୍କର ପିତା ହେବି,
ଓ ସେ ମୋର ପୁତ୍ର ହେବେ”?
ଆହୁରି ମଧ୍ୟ, ଈଶ୍ୱର ଆପଣାର ପ୍ରଥମଜାତଙ୍କୁ ଜଗତକୁ ଆଣିବା ବେଳେ, ଏହା କହନ୍ତି,
“ଈଶ୍ୱରଙ୍କ ସମସ୍ତ ଦୂତ ତାହାଙ୍କର ଆରାଧନା କରନ୍ତୁ।”
ସ୍ଵର୍ଗଦୂତମାନଙ୍କ ସମ୍ବନ୍ଧରେ ସେ କହନ୍ତି,
“ସେ ତାହାଙ୍କର ଦୂତମାନଙ୍କୁ ପବନ ସ୍ଵରୂପ,
ତାହାଙ୍କର ସେବକମାନଙ୍କୁ ଅଗ୍ମିଶିଖା ସ୍ଵରୂପ କରନ୍ତି।”
କିନ୍ତୁ ପୁତ୍ରଙ୍କ ସମ୍ବନ୍ଧରେ ସେ କହନ୍ତି,
“ହେ ଈଶ୍ୱର, ତୁମ୍ଭର ସିଂହାସନ, ଚିରକାଳ ସ୍ଥାୟୀ ଅଟେ;
ଏବଂ ଧାର୍ମିକତା ତୁମ୍ଭର ରାଜଦଣ୍ଡ ହେବ।
ତୁମ୍ଭେ ଧାର୍ମିକତା ଭଲ ପାଇଅଛ ଓ ଅଧର୍ମକୁ ଘୃଣା କରିଅଛ;
ସେଥିପାଇଁ ଈଶ୍ୱର, ତୁମ୍ଭର ଈଶ୍ୱର, ତୁମ୍ଭଙ୍କୁ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରି
ତୁମ୍ଭ ମିତ୍ରଗଣଙ୍କ ଅପେକ୍ଷା ଉନ୍ନତ କରିଅଛନ୍ତି।”
ସେ ଆହୁରି ମଧ୍ୟ କହନ୍ତି,
“ହେ ପ୍ରଭୁ, ଆଦ୍ୟରେ ତୁମ୍ଭେ, ପୃଥିବୀର ଭିତ୍ତି ସ୍ଥାପନ କଲ,
ଏବଂ ଗଗନମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ।
ସେହିସବୁ ଲୋପ ପାଇବ, କିନ୍ତୁ ତୁମ୍ଭେ ନିତ୍ୟ ରହିଥିବ;
ସେହିସବୁ ବସ୍ତ୍ର ଭଳି ଜୀର୍ଣ୍ଣଶୀର୍ଣ୍ଣ ହେବ।
ପୋଷାକ ପରି ସେହିସବୁକୁ ତୁମ୍ଭେ ଗୁଡ଼ାଇଦେବ;
ବସ୍ତ୍ର ପରି ସେଗୁଡ଼ିକ ପରିବର୍ତ୍ତନ କରାଯିବ।
କିନ୍ତୁ ତୁମ୍ଭେ ଅପରିବର୍ତ୍ତନୀୟ,
ଏବଂ ତୁମ୍ଭ ବର୍ଷ ସକଳର ଶେଷ ନାହିଁ।”
ସ୍ଵର୍ଗଦୂତମାନଙ୍କ ମଧ୍ୟରୁ ଈଶ୍ୱର କାହାକୁ କେବେ ଏହା କହିଛନ୍ତି,
“ମୁଁ ତୁମ୍ଭ ଶତ୍ରୁମାନଙ୍କୁ
ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ
ମୋର ଦକ୍ଷିଣପାର୍ଶ୍ୱରେ ବସିଥାଅ”?
ସ୍ଵର୍ଗଦୂତ ସମସ୍ତେ କଅଣ ସେବାକାରୀ ଆତ୍ମା ନୁହନ୍ତି, ପରିତ୍ରାଣର ଅଧିକାରୀମାନଙ୍କ ସେବା ପାଇଁ ଏମାନେ କଅଣ ପ୍ରେରିତ ହୁଅନ୍ତି ନାହିଁ?
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.