Biblica® Open Odia Contemporary Bible
ଲୂକ 6
ଶାବତବାର ପାଳନ ସମ୍ବନ୍ଧରେ
ଏକଦା ଶାବତବାରରେ ଯୀଶୁ ଶସ୍ୟକ୍ଷେତ୍ର ମଧ୍ୟଦେଇ, ଯାଉଥିବା ସମୟରେ ତାଙ୍କର ଶିଷ୍ୟମାନେ ଶସ୍ୟ ଶିରା ଛିଣ୍ଡାଇ ହାତରେ ମଳି ଖାଇବାକୁ ଲାଗିଲେ। କେତେକ ଫାରୂଶୀ ପ୍ରଶ୍ନ କଲେ, “ଯାହା ଶାବତବାରରେ କରିବା ବିଧିସଙ୍ଗତ ନୁହେଁ ତାହା ତୁମେମାନେ କାହିଁକି କରୁଅଛ?”
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାଙ୍କର ସହଚରମାନେ କ୍ଷୁଧିତ ହୋଇ କଅଣ କରିଥିଲେ ତାହା କଅଣ ତୁମେମାନେ କେବେ ପଢ଼ି ନାହଁ? ସେ ମନ୍ଦିରରେ ପ୍ରବେଶ କରି ଯେଉଁ ଦର୍ଶନୀୟ ରୋଟୀ କେବଳ ଯାଜକମାନଙ୍କ ବ୍ୟତୀତ ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ ସେ ତାହା ନିଜେ ଖାଇଥିଲେ ଓ ନିଜର ସଙ୍ଗୀମାନଙ୍କୁ କିଛି ଦେଇଥିଲେ।” ତତ୍ପରେ ଯୀଶୁ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ଶାବତବାରର ପ୍ରଭୁ ଅଟନ୍ତି।”
ଅଚଳ ହାତ ସକ୍ରିୟ ହେଲା
ଆଉ ଏକ ଶାବତବାରରେ ସେ ଉପାସନାଗୃହକୁ ଯାଇ ଶିକ୍ଷା ଦେଉଥିଲେ, ସେଠାରେ ଜଣେ ଲୋକ ଥିଲା ଯାହାର ଡାହାଣ ହାତ ଶୁଖି ଯାଇଥିଲା। ଯୀଶୁ ସେହି ଲୋକକୁ ଶାବତବାରରେ ସୁସ୍ଥ କରିବେ କି ନାହିଁ ତାହା ଦେଖିବା ପାଇଁ ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ ତାଙ୍କୁ ଭଲ ରୂପେ ଲକ୍ଷ୍ୟ କରୁଥିଲେ, ଯଦ୍ଦ୍ୱାରା ସେମାନେ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଆଣିପାରିବେ। ଯୀଶୁ ସେମାନଙ୍କର ମନୋଭାବ ବୁଝିପାରି ଯେଉଁ ଲୋକର ହାତ ଶୁଖି ଯାଇଥିଲା ତାକୁ କହିଲେ, “ଉଠ ସମସ୍ତଙ୍କ ସମ୍ମୁଖରେ ଠିଆ ହୁଅ।” ତହୁଁ ସେ ଉଠି ଠିଆ ହେଲା।
ତତ୍ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ପଚାରୁଛି, ଶାବତବାରରେ କଅଣ କରିବା ବିଧିସଙ୍ଗତ: ଭଲ କରିବା ନା ମନ୍ଦ କରିବା, ଜୀବନ ରକ୍ଷା କରିବା ନା ଜୀବନ ନାଶ କରିବା?”
ସେ ଚାରିଆଡ଼େ ସମସ୍ତଙ୍କୁ ନିରୀକ୍ଷଣ କଲାପରେ, ସେହି ଲୋକକୁ କହିଲେ, “ତୁମର ହାତ ବଢ଼ାଅ।” ସେ ତାହା କଲା, ଓ ତାହାର ହାତ ସଂପୂର୍ଣ୍ଣ ସୁସ୍ଥ ହେଲା। ଏହା ଦେଖି ଫାରୂଶୀମାନେ କ୍ରୋଧାନ୍ଧ ହୋଇ ଯୀଶୁଙ୍କ ପ୍ରତି କଅଣ କରିବେ ସେବିଷୟରେ ପରସ୍ପର ସହିତ ଆଲୋଚନା କଲେ।
ଯୀଶୁଙ୍କର ଦ୍ଵାଦଶ ଶିଷ୍ୟ
ସେହି ସମୟରେ ଦିନେ ଯୀଶୁ ପ୍ରାର୍ଥନା କରିବାକୁ ପାହାଡ଼ ଉପରକୁ ଗଲେ, ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ରାତ୍ରିକ୍ଷେପଣ କଲେ। ପ୍ରଭାତ ହେଲାପରେ, ସେ ତାଙ୍କର ଶିଷ୍ୟମାନଙ୍କୁ ନିଜ ପାଖକୁ ଡାକିଲେ ଏବଂ ବାରଜଣଙ୍କୁ ମନୋନୀତ କରି, ସେମାନଙ୍କୁ ପ୍ରେରିତଶିଷ୍ୟ ଆଖ୍ୟା ଦେଲେ ସେମାନେ ହେଉଛନ୍ତି:
ଶିମୋନ ଯାହାଙ୍କୁ ସେ ପିତର ନାମ ଦେଲେ ଏବଂ ତାଙ୍କ ଭାଇ ଆନ୍ଦ୍ରିୟ,
ପୁଣି ଯାକୁବ,
ଯୋହନ,
ଫିଲିପ,
ବାର୍ଥଲୋମୀ,
ମାଥିଉ,
ଥୋମା,
ଆଲଫିୟସଙ୍କ ପୁତ୍ର ଯାକୁବ,
ସ୍ଵଦେଶପ୍ରେମୀ ନାମରେ ପରିଚିତ ଶିମୋନ,
ଯାକୁବଙ୍କ ପୁତ୍ର ଯିହୁଦା,
ଓ ଇଷ୍କାରିୟୋଥ ଯିହୁଦା, ଯେ ବିଶ୍ୱାସଘାତକତା କଲା।
ଯୀଶୁଙ୍କ ଶିକ୍ଷା ଏବଂ ସୁସ୍ଥତା
ଯୀଶୁ ଏମାନଙ୍କ ସହିତ ପାହାଡ଼ରୁ ଓହ୍ଲାଇ ଏକ ସମତଳ ଭୂମିକୁ ଆସି ଠିଆ ହେଲେ। ସେଠାରେ ତାହାଙ୍କର ବହୁସଂଖ୍ୟକ ଶିଷ୍ୟ ଉପସ୍ଥିତ ଥିଲେ ପୁଣି, ଅନେକ ଲୋକ ସମଗ୍ର ଯିହୁଦା ପ୍ରଦେଶରୁ, ଯିରୂଶାଲମରୁ, ଓ ସମୁଦ୍ରକୂଳସ୍ଥିତ ସୋର ଓ ସୀଦୋନରୁ ଆସିଥିଲେ, ଏମାନେ ତାହାଙ୍କ କଥା ଶୁଣିବାକୁ ଓ ନାନାଦି ରୋଗରୁ ସୁସ୍ଥ ହେବାକୁ ଆସିଥିଲେ। ଯେଉଁମାନେ ଭୂତାତ୍ମାଗୁଡ଼ିକ ଦ୍ଵାରା କଷ୍ଟ ପାଉଥିଲେ ସେମାନେ ଆରୋଗ୍ୟ ଲାଭ କଲେ, ସମସ୍ତେ ତାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କଠାରୁ ଶକ୍ତି ନିର୍ଗତ ହୋଇ ସମସ୍ତଙ୍କୁ ସୁସ୍ଥ କରୁଥିଲା।
ସେ ଶିଷ୍ୟମାନଙ୍କୁ ଅନାଇ, କହିଲେ:
“ତୁମେ ଯେଉଁମାନେ ଦୀନହୀନ ତୁମ୍ଭେମାନେ ଧନ୍ୟ,
କାରଣ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର।
ତୁମେ ଯେଉଁମାନେ ଏବେ କ୍ଷୁଧିତ ତୁମ୍ଭେମାନେ ଧନ୍ୟ,
କାରଣ ତୁମ୍ଭେମାନେ ପରିତୃପ୍ତ ହେବ।
ତୁମେ ଯେଉଁମାନେ ଏବେ କ୍ରନ୍ଦନ କରୁଛ ତୁମ୍ଭେମାନେ ଧନ୍ୟ,
କାରଣ ତୁମ୍ଭେମାନେ ହସିବ।
ମନୁଷ୍ୟପୁତ୍ରଙ୍କ ସକାଶେ ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି
ତୁମ୍ଭମାନଙ୍କୁ ଅଲଗା କରନ୍ତି ଓ ଅପମାନିତ କରନ୍ତି,
ପୁଣି ତୁମ୍ଭମାନଙ୍କ ନାମକୁ
ଅମଙ୍ଗଳଜନକ ବୋଲି ପ୍ରତ୍ୟାଖ୍ୟାନ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ।
“ସେହିଦିନ ଉଲ୍ଲାସ କର ଓ ଆନନ୍ଦରେ ନାଚ, ଯେହେତୁ ସ୍ଵର୍ଗରେ ତୁମ୍ଭମାନଙ୍କନିମନ୍ତେ ମହାପୁରସ୍କାର ରହିଅଛି। କାରଣ ସେମାନଙ୍କ ପିତୃପୁରୁଷମାନେ ଭାବବାଦୀମାନଙ୍କ ପ୍ରତି ମଧ୍ୟ ସେହିପରି ବ୍ୟବହାର କରିଥିଲେ।
“କିନ୍ତୁ ତୁମେ ଯେଉଁମାନେ ଧନୀ ତୁମ୍ଭମାନଙ୍କୁ ଧିକ୍,
କାରଣ ତୁମେ ନିଜର ସବୁ ସୁଖଭୋଗ କରି ସାରିଲଣି।
ତୁମେ ଯେଉଁମାନେ ଏବେ ପରିତୃପ୍ତ ତୁମ୍ଭମାନଙ୍କୁ ଧିକ୍,
କାରଣ ତୁମେ କ୍ଷୁଧାରେ ରହିବ।
ତୁମେ, ଯେଉଁମାନେ ଏବେ ହସୁଅଛ ତୁମ୍ଭମାନଙ୍କୁ ଧିକ୍,
କାରଣ ତୁମ୍ଭେମାନେ ବିଳାପ ଓ କ୍ରନ୍ଦନ କରିବ।
ସମସ୍ତେ ଯେବେ ତୁମର ପ୍ରଶଂସା କରନ୍ତି ତେବେ ତୁମ୍ଭମାନଙ୍କୁ ଧିକ୍,
କାରଣ ସେମାନଙ୍କର ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କୁ ସେହିପରି କରିଥିଲେ।
ଶତ୍ରୁକୁ ପ୍ରେମ କର
“କିନ୍ତୁ ମୋ କଥା ଯେଉଁମାନେ ଶୁଣୁଛ ମୁଁ ତୁମ୍ଭମାନଙ୍କୁ କହୁଅଛି ତୁମ ଶତ୍ରୁକୁ ପ୍ରେମ କର, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସେମାନଙ୍କର ମଙ୍ଗଳ କର, ଯେଉଁମାନେ ତୁମ୍ଭମାନଙ୍କୁ ଅଭୀଶାପ ଦିଅନ୍ତି ସେମାନଙ୍କୁ ଆଶୀର୍ବାଦ କର, ଯେଉଁମାନେ ଦୁର୍ବ୍ୟବହାର କରନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କର। କେହି ଯେବେ ତୁମକୁ ଗୋଟିଏ ଗାଲରେ ଚାପୁଡ଼ା ମାରେ, ତାକୁ ଅନ୍ୟ ଗାଲ ମଧ୍ୟ ଦେଖାଇ ଦିଅ। କେହି ଯେବେ ତୁମର କୋଟ୍ ନେଇଯାଏ, ତେବେ ତାକୁ ତୁମର ଜାମା ମଧ୍ୟ ନେବାକୁ ବାଧା ଦିଅ ନାହିଁ। ଯେକେହି ତୁମ୍ଭକୁ କିଛି ମାଗେ ତାକୁ ଦିଅ, କେହି ଯଦି ତୁମ୍ଭର ଜିନିଷ ନେଇଯାଏ, ତାହା ଫେରାଇ ଦେବାକୁ ଦାବୀ କର ନାହିଁ। ଅନ୍ୟମାନେ ତୁମ୍ଭପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ତୁମେ ଇଚ୍ଛା କର ସେହିପ୍ରକାର କର।
“ଯେଉଁମାନେ ତୁମ୍ଭମାନଙ୍କୁ ଭଲ ପାଆନ୍ତି କେବଳ ସେହିମାନଙ୍କୁ ଭଲ ପାଇଲେ, ସେଥିରେ ତୁମର କି କୃତିତ୍ଵ ଅଛି? ପାପୀ ଲୋକେ ସୁଦ୍ଧା ସେମାନଙ୍କୁ ଭଲ ପାଉଥିବା ଲୋକମାନଙ୍କୁ ଭଲ ପାଆନ୍ତି। ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି କେବଳ ସେହିମାନଙ୍କର ମଙ୍ଗଳ କଲେ, ସେଥିରେ ତୁମର କି କୃତିତ୍ଵ ଅଛି? ପାପୀ ଲୋକେ ସୁଦ୍ଧା ତଦ୍ରୂପ କରିଥାଆନ୍ତି। ଯେଉଁମାନେ ପରିଶୋଧ କରିପାରିବେ ବୋଲି ତୁମେ ଆଶା କର କେବଳ ଏପରି ଲୋକଙ୍କୁ ଉଧାର ଦେଲେ, ସେଥିରେ ତୁମର କି କୃତିତ୍ଵ ଅଛି? ପାପୀ ଲୋକେ ମଧ୍ୟ ପୂର୍ଣ୍ଣମାତ୍ରାରେ ପରିଶୋଧର ଆଶା ରଖି ପାପୀମାନଙ୍କୁ ଋଣ ଦେଇଥାନ୍ତି। କିନ୍ତୁ ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ସେମାନଙ୍କର ମଙ୍ଗଳ କର, ପରିଶୋଧର ଆଶା ନ ରଖି ଋଣ ଦିଅ। ତା ହେଲେ ତୁମ୍ଭେମାନେ ମହାପୁରସ୍କାର ପାଇବ, ଏବଂ ସର୍ବୋପରିସ୍ଥଙ୍କ ସନ୍ତାନ ହେବ, କାରଣ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ସେ ଦୟାଳୁ ଅଟନ୍ତି। ତୁମ୍ଭମାନଙ୍କର ପିତା ଯେପରି ଦୟାଳୁ, ତୁମ୍ଭେମାନେ ମଧ୍ୟ ସେହିପରି ଦୟାଳୁ ହୁଅ।
ଅନ୍ୟର ସମାଲୋଚନା କର ନାହିଁ
“ତୁମେ ବିଚାର କର ନାହିଁ, ତା ହେଲେ ତୁମେ ବିଚାରିତ ହେବ ନାହିଁ। ଦୋଷୀ କର ନାହିଁ, ତା ହେଲେ ତୁମକୁ ଦୋଷୀ କରାଯିବ ନାହିଁ। କ୍ଷମା କର, ତା ହେଲେ ତୁମକୁ କ୍ଷମା ଦିଆଯିବ। ଦାନ କର, ତା ହେଲେ ତୁମକୁ ଦିଆଯିବ। ମାପିବା ପାତ୍ରକୁ ପୂର୍ଣ୍ଣ କରି, ଚାପି, ହଲାଇ ଓ ଉଛୁଳାଇ, ତୁମ ଅଣ୍ଟିରେ ଅଜାଡ଼ି ଦିଆଯିବ। କାରଣ ଯେଉଁ ମାପରେ ତୁମେ ମାପୁଛ, ସେହି ମାପରେ ତୁମକୁ ମାପି ଦିଆଯିବ।”
ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତଟି ମଧ୍ୟ କହିଲେ “ଅନ୍ଧ କଣ ଅନ୍ଧକୁ ବାଟ କଢ଼ାଇପାରେ? ଉଭୟେ କଣ ଗାତରେ ପଡ଼ିବେ ନାହିଁ? ଶିଷ୍ୟ ଆପଣା ଗୁରୁଠାରୁ ଶ୍ରେଷ୍ଠ ନୁହେଁ। କିନ୍ତୁ ଯେକେହି ଶିକ୍ଷାରେ ସିଦ୍ଧିଲାଭ କରେ, ସେ ଗୁରୁ ତୁଲ୍ୟ ହେବ।
“ତୁମ ନିଜ ଆଖିରେ କାଠ ପଟାଟିଏ ଥାଉଁ ଥାଉଁ ନିଜ ଭାଇର ଆଖିରେ କୁଟାଖିଅଟି ଦେଖୁଅଛ କାହିଁକି? ତୁମ ଆଖିରେ ଥିବା କାଠ ପଟାଟିକୁ ତୁମେ ଯେତେବେଳେ ନିଜେ ଦେଖିପାରୁ ନାହଁ? ଭାଇକୁ କିପରି କହିପାରିବ, ‘ଭାଇ, ଆସ ତୁମ ଆଖିରୁ କୁଟାଖିଅଟି କାଢ଼ି ଦିଏ,’ ଆରେ କପଟାଚାରୀ, ପ୍ରଥମେ ନିଜ ଆଖିରୁ କାଠପଟାଟା କାଢ଼, ତା ପରେ ଭାଇର ଆଖିରୁ କୁଟାଖିଅଟି କାଢ଼ିବା ପାଇଁ ସ୍ପଷ୍ଟ ରୂପେ ଦେଖିପାରିବ।
ଫଳ ଦ୍ଵାରା ଗଛ ଚିହ୍ନାଯାଏ
“ଭଲ ଗଛ ମନ୍ଦ ଫଳ ଧାରଣ କରେ ନାହିଁ, କିମ୍ବା ମନ୍ଦ ଗଛ ଭଲ ଫଳ ଧାରଣ କରେ ନାହିଁ। ପ୍ରତ୍ୟେକ ଗଛ ତାହାର ଫଳ ଦ୍ଵାରା ଚିହ୍ନାଯାଏ। କଣ୍ଟା ଗଛରୁ ଲୋକେ ଡିମ୍ବିରି ତୋଳନ୍ତି ନାହିଁ, କିମ୍ବା କାନକୋଳି ଗଛରୁ ଅଙ୍ଗୁର ତୋଳନ୍ତି ନାହିଁ। ଉତ୍ତମ ମନୁଷ୍ୟ ତା ହୃଦୟରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ବିଷୟ ବାହାର କରେ, ଏବଂ ମନ୍ଦ ମନୁଷ୍ୟ ତା ହୃଦୟରୂପ ମନ୍ଦ ଭଣ୍ଡାରରୁ ମନ୍ଦ ବିଷୟ ବାହାର କରେ। କାରଣ ହୃଦୟରେ ଯାହା ପୂର୍ଣ୍ଣ ହୋଇରହିଛି ମୁଖ ତାହା ହିଁ ଉଚ୍ଚାରଣ କରେ।
ଦୁଇ ପ୍ରକାର ଗୃହ ନିର୍ମାଣକାରୀ
“ତୁମ୍ଭେମାନେ ମୋତେ ‘ପ୍ରଭୁ, ପ୍ରଭୁ,’ ବୋଲି ସମ୍ୱୋଧନ କରୁଛ, ଅଥଚ ମୁଁ ଯାହା କହେ ତାହା ମାନୁ ନାହଁ କାହିଁକି? କିନ୍ତୁ ଯେକେହି ମୋ ନିକଟକୁ ଆସି ମୋର କଥା ଶୁଣେ ଓ ପାଳନ କରେ, ସେ କାହା ପରି ତାହା ମୁଁ ତୁମ୍ଭମାନଙ୍କୁ ଦର୍ଶାଇବି। ସେ ଗଭୀର କରି ଖୋଳି, ପଥର ଉପରେ ମୂଳଦୁଆ ଗଢ଼ି ଗୃହ ତୋଳିବା ଲୋକ ସଦୃଶ। ଯେତେବେଳେ ନଈବଢ଼ି ଆସିଲା, ଓ ଖରସ୍ରୋତ ସେହି ଗୃହକୁ ଧକ୍କା ମାରିଲା ତାହାକୁ ଟଳାଇ ପାରିଲା ନାହିଁ, କାରଣ ତାହା ଦୃଢ଼ଭାବେ ନିର୍ମିତ ହୋଇଥିଲା। କିନ୍ତୁ ଯେ ମୋର କଥାସବୁ ଶୁଣି ପାଳନ କରେ ନାହିଁ ସେ ମୂଳଦୁଆ ବିନା ଭୂଇଁ ଉପରେ ଘର ତୋଳିବା ଲୋକ ସଦୃଶ। ଯେଉଁ ମୁହୂର୍ତ୍ତରେ ଖରସ୍ରୋତ ସେହି ଗୃହକୁ ଧକ୍କା ମାରିଲା, ତାହା ଭୁଷୁଡ଼ି ପଡ଼ିଲା ଓ ସଂପୂର୍ଣ୍ଣ ରୂପେ ଧ୍ୱଂସ ପାଇଲା।”
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.