Biblica® Open Odia Contemporary Bible
ଲୂକ 7
ଶତସେନାପତିଙ୍କ ଅସାଧାରଣ ବିଶ୍ୱାସ
ଯୀଶୁ ଲୋକଙ୍କ ପାଖରେ ଏହିସମସ୍ତ କଥା କହିସାରିବା ପରେ, କଫର୍ନାହୁମରେ ପ୍ରବେଶ କଲେ। ସେଠାରେ ଥିବା ଜଣେ ଶତସେନାପତିଙ୍କ ଦାସ, ପୀଡ଼ିତ ହୋଇ ମୃତପ୍ରାୟ ଥିଲା, ଏହି ଦାସ ତାହାର ମୁନିବର ଅତ୍ୟନ୍ତ ପ୍ରିୟପାତ୍ର ଥିଲା। ଶତସେନାପତି ଯୀଶୁଙ୍କ ବିଷୟ ଶୁଣିଲେ ଏବଂ ସେ ଯେପରି ଆସି ତାଙ୍କ ଦାସକୁ ସୁସ୍ଥ କରନ୍ତି, ଏହା ଅନୁରୋଧ କରିବାକୁ ଯିହୁଦୀମାନଙ୍କର କେତେକ କୁଳବୃଦ୍ଧଙ୍କୁ ତାହାଙ୍କ ନିକଟକୁ ପଠାଇଲେ। ସେମାନେ ଯୀଶୁଙ୍କ ନିକଟକୁ ଯାଇ ବିନୀତ ଅନୁରୋଧ କରି କହିଲେ, “ସେ ଆପଣଙ୍କ ସାହାଯ୍ୟ ପାଇବାକୁ ଯୋଗ୍ୟ। କାରଣ ସେ ଆମ ଜାତିକୁ ଭଲ ପାଆନ୍ତି ଏବଂ ଆମର ଉପାସନାଗୃହ ନିର୍ମାଣ କରି ଦେଇଅଛନ୍ତି।” ତେଣୁ ଯୀଶୁ ସେମାନଙ୍କ ସହିତ ଗଲେ।
ଘରେ ପହଞ୍ଚିବାକୁ ବେଶୀ ଦୂର ନ ଥିଲା, ଏପରି ସମୟରେ ଶତସେନାପତି ତାଙ୍କୁ ଏହି କଥା କହିବାକୁ କେତେକ ବନ୍ଧୁଙ୍କୁ ପଠାଇଲେ “ପ୍ରଭୁ, ଆପଣ କଷ୍ଟ କରନ୍ତୁ ନାହିଁ, କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ ଏପରି ଯୋଗ୍ୟତା ମୋର ନାହିଁ। ସେଥିପାଇଁ ମୁଁ ଆପଣଙ୍କ ନିକଟକୁ ଯିବା ପାଇଁ ନିଜକୁ ଯୋଗ୍ୟ ମଣିଲି ନାହିଁ। ପଦେ କଥା କହିଦେଲେ, ମୋର ଦାସ ସୁସ୍ଥ ହେବ। କାରଣ ମୁଁ ନିଜେ ଶାସନାଧୀନ, ଏବଂ ମୋ ଅଧୀନରେ ସୈନିକମାନେ ଅଛନ୍ତି। ମୁଁ ଜଣକୁ, ‘ଯାଅ,’ ବୋଲି ଆଜ୍ଞା କଲେ ସେ ଯାଏ; ଓ ଅନ୍ୟଜଣକୁ, ‘ଆସ,’ ବୋଲି ଆଜ୍ଞା କଲେ ସେ ଆସେ। ପୁଣି ମୋର କ୍ରୀତଦାସକୁ, ‘ଏହା କର୍,’ ବୋଲି କହିଲେ ସେ ତାହା କରେ।”
ଏହା ଶୁଣି, ଯୀଶୁ ଆଶ୍ଚର୍ଯ୍ୟ ହେଲେ, ଏବଂ ସେ ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କ ଆଡ଼କୁ ବୁଲିପଡ଼ି, କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଏପ୍ରକାର ପ୍ରଗାଢ଼ ବିଶ୍ୱାସ ମୁଁ ଇସ୍ରାଏଲରେ ସୁଦ୍ଧା ଦେଖିନାହିଁ।” ଯେଉଁମାନଙ୍କୁ ପଠାଯାଇଥିଲା ସେହି ଲୋକମାନେ ଗୃହକୁ ଫେରିଯାଇ ସେହି ଦାସକୁ ସୁସ୍ଥ ଦେଖିଲେ।
ବିଧବାର ମୃତ ପୁତ୍ର ଜୀବନ ପାଇଲା
ଏହାପରେ ପରେ, ଯୀଶୁ ନାଇନ ସହରକୁ ଗଲେ, ଏବଂ ତାଙ୍କ ଶିଷ୍ୟମାନେ ଓ ଏକ ବିରାଟ ଜନତା ତାଙ୍କ ସହିତ ଗଲେ। ସେ ନଗରଦ୍ଵାର ନିକଟବର୍ତ୍ତୀ ହେଲା ବେଳକୁ, ଲୋକେ ଏକ ମୃତବ୍ୟକ୍ତିକୁ ବାହାରକୁ ବହି ଆଣୁଥିଲେ ମୃତ ବ୍ୟକ୍ତି ତାହାର ମାତାର ଏକମାତ୍ର ପୁତ୍ର ଥିଲା, ଓ ସେହି ସ୍ତ୍ରୀଟି ବିଧବା ଥିଲା। ସହରର ଅନେକ ଲୋକ ସେହି ବିଧବା ସହିତ ଯାଉଥିଲେ। ସେହି ବିଧବାକୁ ଦେଖି, ପ୍ରଭୁଙ୍କର ହୃଦୟ ତା ପ୍ରତି ଦୟାରେ ବିଗଳିତ ହେଲା। ଓ ସେ ତାକୁ କହିଲେ, “କାନ୍ଦ ନାହିଁ।”
ତତ୍ପରେ ସେ ପାଖକୁ ଯାଇ ଶବାଧାରକୁ ସ୍ପର୍ଶ କଲେ, ଏବଂ ଶବାଧାର ବାହକମାନେ ସ୍ଥିର ହୋଇ ଠିଆ ହୋଇଗଲେ। ସେ କହିଲେ, “ହେ ଯୁବକ, ମୁଁ ତୁମକୁ କହୁଛି, ଉଠ!” ମୃତ ବ୍ୟକ୍ତିଟି ଉଠି ବସିଲା ଓ କଥା କହିବାକୁ ଲାଗିଲା, ଯୀଶୁ ତାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ।
ଲୋକମାନେ ଭୟ ବିସ୍ମୟରେ ବିହ୍ଵଳିତ ହୋଇ ଈଶ୍ୱରଙ୍କର ସ୍ତୁତି କରି କହିଲେ। “ଆମ ମଧ୍ୟରେ ଜଣେ ମହାନ୍ ଭାବବାଦୀ ଆବିର୍ଭୂତ ହୋଇଛନ୍ତି, ଈଶ୍ୱର ଆପଣା ଲୋକଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି।” ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମଗ୍ର ଯିହୁଦା ଦେଶରେ ଓ ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ବ୍ୟାପିଗଲା।
ଯୀଶୁ ଓ ଡୁବକ ଯୋହନ
ଯୋହନଙ୍କ ଶିଷ୍ୟମାନେ ଏହିସମସ୍ତ କଥା ତାଙ୍କୁ ଜଣାଇଲେ। ଯୋହନ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଡାକି, ପ୍ରଭୁଙ୍କୁ ଏହି କଥା ପଚାରିବାକୁ ପଠାଇଲେ, “ଯାହାଙ୍କର ଆସିବାର ଥିଲା ଆପଣ କଣ ସେହି, ନା ଆମେ ଅନ୍ୟଜଣଙ୍କ ଅପେକ୍ଷାରେ ରହିବୁ?”
ସେହି ଲୋକମାନେ ଯୀଶୁଙ୍କ ନିକଟକୁ ଯାଇ, କହିଲେ, “ଡୁବକ ଯୋହନ ଆମକୁ ଆପଣଙ୍କ ନିକଟକୁ ଏହି କଥା ପଚାରିବାକୁ ପଠାଇଛନ୍ତି, ‘ଯାହାଙ୍କର ଆସିବାର ଥିଲା ଆପଣ କଣ ସେହି, ନା ଆମେ ଅନ୍ୟଜଣଙ୍କ ଅପେକ୍ଷାରେ ରହିବୁ?’ ”
ଠିକ ସେହି ସମୟରେ ଯୀଶୁ ଅନେକ ରୋଗୀ, ପୀଡ଼ିତ ଓ ଭୂତଗ୍ରସ୍ତ ଲୋକଙ୍କୁ ସୁସ୍ଥ କଲେ, ଏବଂ ଅନେକ ଅନ୍ଧଲୋକଙ୍କୁ ଦୃଷ୍ଟିଶକ୍ତି ଦେଲେ। ତେଣୁ ସେ ବାର୍ତ୍ତାବହମାନଙ୍କୁ ଉତ୍ତର ଦେଲେ, “ଯୋହନଙ୍କ ନିକଟକୁ ଫେରିଯାଇ ଯାହା ଯାହା ଦେଖିଲ ଓ ଶୁଣିଲ: ସେହିସବୁ ତାଙ୍କୁ ଜଣାଅ-ଅନ୍ଧମାନେ ଦୃଷ୍ଟି ପାଉଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି, କୁଷ୍ଠରୋଗୀମାନେ ସୁସ୍ଥ ହେଉଅଛନ୍ତି, ବଧିରମାନେ ଶୁଣୁଅଛୁନ୍ତି, ମୃତଲୋକେ ବଞ୍ଚି ଉଠୁଅଛନ୍ତି, ଓ ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହେଉଅଛି। ଯେଉଁ ମନୁଷ୍ୟ ମୋ ସକାଶେ ଝୁଣ୍ଟି ପଡ଼େ ନାହିଁ ସେ ଧନ୍ୟ।”
ଯୋହନଙ୍କ ବାର୍ତ୍ତାବହମାନେ ଫେରିଯିବା ପରେ, ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଲାଗିଲେ, “ତୁମେମାନେ କଅଣ ଦେଖିବାକୁ ମରୁପ୍ରାନ୍ତରକୁ ଯାଇଥିଲ? କଅଣ ପବନରେ ଦୋହଲୁଥିବା ନଳ ତୃଣଟିଏ? ଯଦି ତା ନୁହେଁ, ତା ହେଲେ କଅଣ ଦେଖିବାକୁ ଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ନା, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧି ଭୋଗବିଳାସରେ କାଳ କାଟନ୍ତି ସେମାନେ ତ ରାଜ ପ୍ରାସାଦରେ ରହନ୍ତି। ତେବେ କଅଣ ଦେଖିବାକୁ ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ଠିକ କଥା, ମୁଁ କହେ, ସେ ଭାବବାଦୀଙ୍କ ଅପେକ୍ଷା ଶ୍ରେଷ୍ଠ। ଏହାଙ୍କ ବିଷୟରେ ଏପରି ଲେଖାଅଛି:
“ ‘ମୁଁ ତୁମ ଆଗେ ମୋର ବାର୍ତ୍ତାବହଙ୍କୁ ପଠାଇବି,
ସେ ତୁମ୍ଭ ଆଗେ ଯାଇ ପଥ ପ୍ରସ୍ତୁତ କରିବେ।’
ମୁଁ ତୁମ୍ଭମାନଙ୍କୁ କହୁଛି, ନାରୀ ଗର୍ଭଜାତ ମନୁଷ୍ୟମାନଙ୍କ ମଧ୍ୟରେ ଯୋହନଙ୍କ ଅପେକ୍ଷା ଅଧିକ ମହାନ୍ ଆଉ କେହି ନାହିଁ; ତଥାପି ଈଶ୍ୱରଙ୍କ ରାଜ୍ୟରେ ଯେ ନଗଣ୍ୟତମ ସେ ତାଙ୍କ ଅପେକ୍ଷା ମହାନ୍।”
ଯୀଶୁଙ୍କର କଥା ଶୁଣି ଲୋକମାନେ, ଏପରିକି କରଆଦାୟକାରୀମାନେ ସୁଦ୍ଧା, ଈଶ୍ୱରଙ୍କ ମାର୍ଗ ଯଥାର୍ଥ ବୋଲି ସ୍ୱୀକାର କଲେ, କାରଣ ସେମାନେ ଯୋହନଙ୍କ ଦ୍ଵାରା ଡୁବନ ଗ୍ରହଣ କରିଥିଲେ। କିନ୍ତୁ ଫାରୂଶୀ ଓ ବ୍ୟବସ୍ଥାଶାସ୍ତ୍ର ବିଶାରଦମାନେ ଯୋହନଙ୍କ ଦ୍ଵାରା, ଡୁବନ ଗ୍ରହଣ ନ କରିବା ଦ୍ଵାରା ନିଜ ନିମନ୍ତେ ଈଶ୍ୱରଙ୍କ ସଙ୍କଳ୍ପକୁ ଅଗ୍ରାହ୍ୟ କରିଥିଲେ।
ଯୀଶୁ ପ୍ରଶ୍ନ କଲେ, “ତା ହେଲେ, ଏହି ଯୁଗର ଲୋକମାନଙ୍କୁ, ମୁଁ କାହା ସଙ୍ଗରେ ତୁଳନା କରିବି? ସେମାନେ କାହା ପରି? ଏମାନେ ହାଟବଜାରରେ ଖେଳୁଥିବା ପିଲାଙ୍କ ପରି ଯେଉଁମାନେ ପରସ୍ପରକୁ ଡାକି କହନ୍ତି:
“ ‘ଆମେ ତୁମ ପାଇଁ ବଂଶୀ ବଜାଇଲୁ,
ଅଥଚ ତୁମେମାନେ ନାଚିଲ ନାହିଁ;
ଆମେ ବିଳାପ ଗୀତ ବୋଲିଲୁ,
ଅଥଚ ତୁମେମାନେ କାନ୍ଦିଲ ନାହିଁ।’
କାରଣ ଡୁବକ ଯୋହନ ସାଧାରଣ ଲୋକଙ୍କପରି ରୋଟୀ ଭୋଜନ କଲେ ନାହିଁ କିମ୍ବା ସୁରା ପାନ କଲେ ନାହିଁ, ଅଥଚ ତୁମ୍ଭେମାନେ କହୁଛ, ‘ତାକୁ ଭୂତ ଧରିଛି।’ ମନୁଷ୍ୟପୁତ୍ର ଆସି ସାଧାରଣ ଲୋକଙ୍କପରି ଭୋଜନ ଓ ପାନ କଲେ, ଅଥଚ ତୁମ୍ଭେମାନେ କହୁଛ, ‘ସେ ପେଟୁକ ଓ ମଦ୍ୟପ, ଏବଂ କରଆଦାୟକାରୀ ଓ ପାପୀମାନଙ୍କ ବନ୍ଧୁ।’ କିନ୍ତୁ ଜ୍ଞାନ ନିଜର ସନ୍ତାନମାନଙ୍କ ଦ୍ଵାରା ହିଁ ଯଥାର୍ଥ ବୋଲି ପ୍ରମାଣିତ ହୁଏ।”
ପାପିଷ୍ଠା ନାରୀ ଯୀଶୁଙ୍କୁ ତୈଳାଭିଷିକ୍ତ କଲା
ଫାରୂଶୀମାନଙ୍କ ମଧ୍ୟରୁ ଜଣେ ରାତ୍ର ଭୋଜନ ପାଇଁ ଯୀଶୁଙ୍କୁ ନିମନ୍ତ୍ରଣ କଲେ, ଯୀଶୁ ତାଙ୍କ ଗୃହକୁ ଯାଇ ଭୋଜନରେ ବସିଲେ। ସେହି ସହରରେ ଥିବା ଜଣେ ପାପିଷ୍ଠା ନାରୀ ଯୀଶୁ ଫାରୂଶୀ ଗୃହରେ ଭୋଜନ କରୁଛନ୍ତି ବୋଲି ଯେତେବେଳେ ଶୁଣିଲା, ସେ ଏକ ପଥର ଫରୁଆରେ ସୁଗନ୍ଧତୈଳ ନେଇ ଆସିଲା। ସେ ଯୀଶୁଙ୍କ ପଛଆଡ଼େ ଠିଆ ହୋଇ କାନ୍ଦୁ କାନ୍ଦୁ, ଲୋତକରେ ତାଙ୍କର ପାଦ ସିକ୍ତ କଲା। ପୁଣି ନିଜ କେଶରେ ପାଦ ଦୁଇଟିକୁ ପୋଛି, ଚୁମ୍ୱନ କଲା ଓ ପାଦ ଉପରେ ସୁଗନ୍ଧତୈଳ ଢାଳି ଦେଲା।
ଯେଉଁ ଫାରୂଶୀ ତାଙ୍କୁ ନିମନ୍ତ୍ରଣ କରିଥିଲେ ସେ ଏହା ଦେଖି, ମନେ ମନେ କହିଲେ, “ଏହି ବ୍ୟକ୍ତି ଯଦି ଭାବବାଦୀ ହୋଇଥାନ୍ତେ, ତେବେ ତାଙ୍କୁ ଯିଏ ସ୍ପର୍ଶ କରୁଛି ସେ କିଏ ଓ କି ପ୍ରକାର ନାରୀ ତାହା ସେ ଜାଣି ପାରିଥାନ୍ତେ କାରଣ ସେ ଜଣେ ପାପୀଷ୍ଠା ଥିଲା।”
ଯୀଶୁ ସେହି ଫାରୂଶୀଙ୍କୁ କହିଲେ, “ଶିମୋନ, ତୁମକୁ ମୋର କିଛି କହିବାର ଅଛି।”
ଶିମୋନ ଉତ୍ତର ଦେଲେ, “ଗୁରୁ, କହନ୍ତୁ।”
ଯୀଶୁ କହିଲେ। “ଜଣେ ମହାଜନର ଦୁଇଜଣ ଦେଶାଦାର ଥିଲେ। ଜଣେ ପାଞ୍ଚ ଶହ ଦୀନାର ଧାରିଥିଲା, ଓ ଅନ୍ୟ ଜଣକ ପଚାଶ ଦୀନାର। ପରିଶୋଧ କରିବାକୁ କିଛି ନ ଥିବାରୁ, ମହାଜନ ଉଭୟଙ୍କର ଋଣ ଛାଡ଼ କରିଦେଲେ। ଅତଏବ ସେମାନଙ୍କ ମଧ୍ୟରୁ କିଏ ତାଙ୍କୁ ଅଧିକ ଭଲ ପାଇବ?”
ଶିମୋନ ଉତ୍ତର ଦେଲେ, “ମୁଁ ମନେ କରୁଛି ଯାହାର ବେଶୀ ଋଣ ଛାଡ଼ କରାଗଲା ସେହି ଲୋକ।”
ଯୀଶୁ କହିଲେ, “ତୁମର ବିଚାର ଠିକ।”
ତହୁଁ ସେ ସେହି ସ୍ତ୍ରୀ ଆଡ଼କୁ ବୁଲି ଶିମୋନଙ୍କୁ କହିଲେ, “ଏହି ନାରୀକୁ ଦେଖୁଛ ତ? ମୁଁ ଯେତେବେଳେ ତୁମ ଘରକୁ ଆସିଲି। ତୁମେ ମୋର ପାଦ ଧୋଇବା ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏହି ନାରୀ ନିଜ ଲୁହରେ ରେ ମୋର ପାଦ ସିକ୍ତ କରି ଆପଣା କେଶରେ ପୋଛି ଦେଇଛି। ତୁମେ ମୋତେ ଚୁମ୍ୱନ କଲ ନାହିଁ, କିନ୍ତୁ, ମୁଁ ଭିତରକୁ ଆସିବା ସମୟଠାରୁ, ମୋର ପଦଚୁମ୍ବନ କରିବାରୁ ସେ କ୍ଷାନ୍ତ ହୋଇନାହିଁ। ତୁମେ ମୋ ମସ୍ତକରେ ତେଲ ଟିକେ ସୁଦ୍ଧା ଲଗାଇଲ ନାହିଁ, କିନ୍ତୁ ଏ ମୋର ପାଦ ଦୁଇଟିରେ ସୁଗନ୍ଧତୈଳ ମଖାଇଛି। ତେଣୁ, ମୁଁ କହୁଛି, ଏହାର ପାପ ଅନେକ ହେଲେ ସୁଦ୍ଧା କ୍ଷମା ଦିଆଯାଇଛି କାରଣ ସେ ବହୁତ ପ୍ରେମ କରିଛି। ମାତ୍ର ଯାହାର ଅଳ୍ପ ପାପକ୍ଷମା ହୋଇଛି ସେ ଅଳ୍ପ ପ୍ରେମ କରେ।”
ଏହାପରେ ଯୀଶୁ ସେହି ନାରୀକୁ କହିଲେ, “ତୁମର ପାପସବୁ କ୍ଷମା ହୋଇଛି।”
ଏହା ଶୁଣି ଖାଇବାକୁ ବସିଥିବା ଲୋକମାନେ ପରସ୍ପରକୁ କହିବାକୁ ଲାଗିଲେ, “ଏ କିଏ ଯେ ପାପ ସୁଦ୍ଧା କ୍ଷମା କରୁଛନ୍ତି?”
ଯୀଶୁ ସେହି ସ୍ତ୍ରୀକୁ କହିଲେ, “ତୁମର ବିଶ୍ୱାସ ତୁମକୁ ପରିତ୍ରାଣ କରିଅଛି; ଶାନ୍ତିରେ ଯାଅ।”
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.