Biblica® Open Odia Contemporary Bible
ଲୂକ 8
ବିହନ ବୁଣାଳିର ଦୃଷ୍ଟାନ୍ତ ଗଳ୍ପ
ଏହାପରେ, ଯୀଶୁ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ବୁଲି, ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଘୋଷଣା କରିବାକୁ ଲାଗିଲେ। ତାଙ୍କର ଦ୍ଵାଦଶ ଶିଷ୍ୟ ତାହାଙ୍କ ସଙ୍ଗରେ ଥିଲେ, ସେ ଯେଉଁମାନଙ୍କଠାରୁ ଭୂତ ଛଡ଼ାଇଥିଲେ ଏବଂ ଯେଉଁମାନଙ୍କୁ ରୋଗରୁ ସୁସ୍ଥ କରିଥିଲେ ଏପରି କେତେକ ସ୍ତ୍ରୀଲୋକ ମଧ୍ୟ ତାହାଙ୍କ ସଙ୍ଗରେ ଥିଲେ ଏମାନଙ୍କ ମଧ୍ୟରେ ଥିଲେ ମଗ୍ଦଲିନୀ ନାମରେ ପରିଚିତା ମରିୟମ ଯାହାଙ୍କଠାରୁ ସାତ ଭୂତାତ୍ମା ବାହାରିଥିଲେ; ହେରୋଦଙ୍କ ଗୃହାଧ୍ୟକ୍ଷ; ଖୁଜାଙ୍କର ସ୍ତ୍ରୀ ଯୋହାନା, ଶୁଶାନା; ଓ ଆହୁରି ଅନେକ ଜଣ। ଏହି ସ୍ତ୍ରୀଲୋକମାନେ ନିଜ ନିଜ ସମ୍ୱଳରୁ ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସାହାଯ୍ୟ କରୁଥିଲେ।
ଯେତେବେଳେ ବହୁଲୋକଙ୍କର ସମାଗମ ହେବାକୁ ଲାଗିଲା ଓ ଲୋକମାନେ ବିଭିନ୍ନ ସହରରୁ ଆସିବାକୁ ଲାଗିଲେ, ଯୀଶୁ ଏହି ଦୃଷ୍ଟାନ୍ତ-ଗକ୍ପଟି କହିଲେ: “ଜଣେ କୃଷକ ବିହନ ବୁଣିବାକୁ ବାହାରିଲା। ସେ ବିହନ ବୁଣୁଥିବା ସମୟରେ, ସେଥିରୁ କେତେକ ରାସ୍ତାକଡ଼ରେ ପଡ଼ିଲା; ସେଗୁଡ଼ିକ ପାଦରେ ଦଳି ହୋଇଗଲା, ଓ ଆକାଶର ପକ୍ଷୀମାନେ ଖୁଣ୍ଟି ଖାଇଦେଲେ। ଅନ୍ୟ କେତେକ ବିହନ ପଥର ଉପରେ ପଡ଼ିଲା, ଏହା ଅଙ୍କୁରିତ ହେବାମାତ୍ରେ ଶୁଖିଗଲା, କାରଣ ସେଥିରେ ଆର୍ଦ୍ରତା ନ ଥିଲା। ଆଉ କେତେକ ବିହନ କଣ୍ଟାବୁଦା ମଧ୍ୟରେ ପଡ଼ିଲା, ଏବଂ କଣ୍ଟାଗଛ ଚାରାଗଛ ସହିତ ବଢ଼ି ସେଗୁଡ଼ିକୁ ଚାପି ପକାଇଲା। ଆହୁରି କେତେକ ବିହନ ଭଲ ମାଟିରେ ପଡ଼ିଲା। ଅଙ୍କୁରିତ ହେଲା ଓ ବୁଣା ହୋଇଥିବା ବିହନର ଶଏଗୁଣ, ଅଧିକ ଶସ୍ୟ ଫଳିଲା।”
ସେ ଏହା କହିଲା ପରେ, ଡାକି କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
ତାହାଙ୍କ ଶିଷ୍ୟମାନେ ଏହି ଦୃଷ୍ଟାନ୍ତ-ଗଳ୍ପର ଅର୍ଥ କଣ ବୋଲି ପଚାରିଲେ। ସେ କହିଲେ, “ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱସବୁ ବୁଝିବାକୁ ତୁମ୍ଭମାନଙ୍କୁ ଜ୍ଞାନ ଦିଆଯାଇଛି, କିନ୍ତୁ ଅନ୍ୟମାନଙ୍କୁ ମୁଁ ଦୃଷ୍ଟାନ୍ତ ଗକ୍ପରେ କଥା କହେ, ଯେପରିକି,
“ ‘ସେମାନେ ଚାହିଁ ରହିଥିଲେ, ମଧ୍ୟ ଦେଖିପାରିବେ ନାହିଁ;
ଶୁଣୁଥିଲେ ମଧ୍ୟ, ବୁଝିପାରିବେ ନାହିଁ।’
“ଦୃଷ୍ଟାନ୍ତ-ଗଳ୍ପର ଅର୍ଥ ଏହି: ବିହନ ହେଉଛି ଈଶ୍ୱରଙ୍କ ବାକ୍ୟ। ବାଟ ପାଖରେ ପଡ଼ିଥିବା ବିହନ ସେହିମାନଙ୍କୁ ବୁଝାଏ ଯେଉଁମାନେ ଶୁଣନ୍ତି, କିନ୍ତୁ ଶୟତାନ ଆସି ସେମାନଙ୍କ ହୃଦୟରୁ ସେହି ବାକ୍ୟ ହରଣ କରିନିଏ, ଯଦ୍ଦ୍ୱାରା ସେମାନେ ବିଶ୍ୱାସ କରି ପରିତ୍ରାଣ ଲାଭ କରିପାରନ୍ତି ନାହିଁ। ପଥର ଉପରେ ପଡ଼ିଥିବା ବିହନ ସେହିମାନଙ୍କୁ ବୁଝାଏ ଯେଉଁମାନେ ବାକ୍ୟ ଶୁଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, ମାତ୍ର ସେମାନଙ୍କ ଚେର ନ ଥିବାରୁ, କ୍ଷଣକାଳ ପାଇଁ ବିଶ୍ୱାସ କରନ୍ତି, କିନ୍ତୁ ପରୀକ୍ଷା ଆସିଲେ ସେମାନେ ପଛଘୁଞ୍ଚା ଦିଅନ୍ତି। କଣ୍ଟା ବୁଦାରେ ପଡ଼ିଥିବା ବିହନ ସେହିମାନଙ୍କୁ ବୁଝାଏ ଯେଉଁମାନେ ଶୁଣନ୍ତି, କିନ୍ତୁ ଜୀବନ ଯାତ୍ରା ପଥରେ ସଂସାରର ଜଞ୍ଜାଳ, ଧନସମ୍ପଦ ଓ ଭୋଗବିଳାସ ସେମାନଙ୍କୁ ଚାପି ଦିଏ, ସେହି କାରଣରୁ ସେମାନେ ପୂର୍ଣ୍ଣତା ଲାଭ କରିପାରନ୍ତି ନାହିଁ। କିନ୍ତୁ ଭଲ ମାଟିରେ ପଡ଼ିଥିବା ବିହନ ସେହିମାନଙ୍କୁ ବୁଝାଏ ଯେଉଁମାନେ ଉଦାର, ଓ ସରଳ ହୃଦୟରେ ବାକ୍ୟ ଶୁଣନ୍ତି, ଧରି ରଖନ୍ତି, ଏବଂ ଧୈର୍ଯ୍ୟ ସହକାରେ ଫଳ ଉତ୍ପନ୍ନ କରନ୍ତି।
ଦୀପରୁଖା ଉପରେ ଦୀପ
“କେହି ଦୀପଟିଏ ଜାଳି ତାକୁ ପାତ୍ର ଭିତରେ ଲୁଚାଇ ରଖେ ନାହିଁ ବା ଖଟ ତଳେ ରଖେ ନାହିଁ। ବରଂ, ସେ ଦୀପରୁଖା ଉପରେ ରଖେ, ଯେପରି ଭିତରକୁ ଆସିବା ଲୋକେ ଆଲୁଅ ଦେଖିପାରିବେ। ଯାହା ପ୍ରକାଶିତ ନ ହେବ ଏପରି ଗୁପ୍ତ ବିଷୟ କିଛି ନାହିଁ, ଏବଂ ଯାହା ଜଣା ନୋହିବ କିମ୍ବା ଲୋକଲୋଚନକୁ ନ ଆସିବ ଏପରି ଲୁକ୍କାୟିତ ବିଷୟ କିଛି ନାହିଁ। ତେଣୁ କିପରି ଶୁଣୁଅଛ ତାହା ସାବଧାନ ପୂର୍ବକ ବିବେଚନା କର। ଯାହାର ଅଛି ତାହାକୁ ଆହୁରି ଦିଆଯିବ ଯାହାର ନାହିଁ ତାହାର ଯାହାକିଛି ଅଛି ବୋଲି ସେ ମନେ କରେ, ତାହା ମଧ୍ୟ ତା ଠାରୁ କାଢ଼ି ନିଆଯିବ।”
ଯୀଶୁଙ୍କ ମା ଓ ଭାଇ
ଏହାପରେ ଯୀଶୁଙ୍କର ମାଆ ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ, କିନ୍ତୁ ଲୋକଗହଳି ଯୋଗୁଁ ତାଙ୍କ ପାଖକୁ ଯିବାକୁ ସକ୍ଷମ ହେଲେ ନାହିଁ। କେହି କେହି ତାହାଙ୍କୁ କହିଲେ, “ଆପଣଙ୍କର ମାଆ ଓ ଭାଇମାନେ ବାହାରେ ଠିଆ ହୋଇ, ଆପଣଙ୍କ ସହିତ ସାକ୍ଷାତ କରିବାକୁ ଇଚ୍ଛା କରୁଅଛନ୍ତି।”
ସେ ସେମାନଙ୍କୁ ଉତ୍ତର ଦେଲେ, “ଯେଉଁମାନେ ଈଶ୍ୱରଙ୍କ ବାର୍ତ୍ତା ଶୁଣି ପାଳନ କରନ୍ତି ସେହିମାନେ ମୋର ମା ଓ ଭାଇ।”
ଯୀଶୁଙ୍କ ଆଜ୍ଞାରେ ଝଡ଼ବତାସ ଶାନ୍ତ ହେଲା
ଦିନେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ଚାଲ ଆମେ ହ୍ରଦର ଆରପାରିକି ଯିବା।” ତେଣୁ ସେମାନେ ଏକ ନୌକାରେ ବସି ଯାତ୍ରା କଲେ। ସେମାନେ ନୌକା ବାହି ଯାଉଁ ଯାଉଁ ସେ ନିଦରେ ଶୋଇ ପଡ଼ିଲେ। ସେତେବେଳେ ହ୍ରଦରେ ଝଡ଼ ଉଠିଲା, ଫଳରେ ନୌକାଟି ଜଳପୂର୍ଣ୍ଣ ହେବାକୁ ଲାଗିଲା, ଏବଂ ସେମାନେ ମହା ବିପଦରେ ପଡ଼ିଲେ।
ଶିଷ୍ୟମାନେ ଯାଇ ତାଙ୍କୁ ନିଦରୁ ଉଠାଇ କହିଲେ, “ଗୁରୁ, ଗୁରୁ, ଆମେ ବୁଡ଼ି ଯାଉଅଛୁ!”
ତହୁଁ ସେ ଉଠି ବତାସକୁ ଓ ଉତ୍ତାଳ ତରଙ୍ଗକୁ ଧମକ ଦେଲେ; ଝଡ଼ ଥମିଗଲା, ଓ ସବୁକିଛି ଶାନ୍ତ ହୋଇଗଲା। ସେ ଶିଷ୍ୟମାନଙ୍କୁ ପଚାରିଲେ। “ତୁମମାନଙ୍କର ବିଶ୍ୱାସ କାହିଁ?”
ସେମାନେ ଭୟ ଓ ବିସ୍ମୟରେ ପରସ୍ପରକୁ ପଚାରିଲେ, “ଏ କିଏ? ସେ ବତାସ ଓ ଜଳକୁ ଆଦେଶ ଦିଅନ୍ତି ଓ ସେମାନେ ତାଙ୍କ କଥା ମାନନ୍ତି।”
ଭୂତଗ୍ରସ୍ତ ଲୋକ ଆରୋଗ୍ୟ ହେଲା
ଏହାପରେ ସେମାନେ ଗାଲିଲୀର, ଅପରପାର୍ଶ୍ୱସ୍ଥ ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ଚଲେ। ଯୀଶୁ ନୌକାରୁ ଓହ୍ଲାଇ କୂଳରେ ପାଦ ପକାଇବା ମାତ୍ରେ, ସେହି ସହରର ଜଣେ ଭୂତଗ୍ରସ୍ତ ଲୋକ ଆସି ତାଙ୍କୁ ଭେଟିଲା। ଏହି ଲୋକ ବହୁଦିନରୁ ଲୁଗା ପିନ୍ଧୁ ନ ଥିଲା କି ଘରେ ରହୁ ନ ଥିଲା, କିନ୍ତୁ କବର ସ୍ଥାନରେ ବାସ କରୁଥିଲା। ସେ ଯୀଶୁଙ୍କୁ ଦେଖିଲାକ୍ଷଣି, ଚିତ୍କାର କଲା ଓ ତାଙ୍କ ପାଦତଳେ ପଡ଼ି, ଉଚ୍ଚସ୍ଵରରେ କହିଲା, “ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର, ଯୀଶୁ, ମୋ ସହିତ ତୁମର କଅଣ ଅଛି? ତୁମକୁ ବିନତି କରୁଛି, ମୋତେ ଯନ୍ତ୍ରଣା ଦିଅ ନାହିଁ!” କାରଣ ସେତେବେଳକୁ ଯୀଶୁ ସେହି ଭୂତାତ୍ମାକୁ ସେହି ଲୋକଠାରୁ ବାହାରି ଯିବାକୁ ଆଦେଶ ଦେଇ ସାରିଥିଲେ। ଏହି ଭୂତାତ୍ମା ଲୋକଟିକୁ ବହୁବାର ଆୟତ୍ତ କରୁଥିଲା, ଏବଂ ଲୋକଟିର ହାତଗୋଡ଼ ଶିକୁଳି ଓ ବେଡ଼ିରେ ବନ୍ଧା ହୋଇ ଲୋକେ ତାକୁ ଜଗି ରହିଲେ ମଧ୍ୟ, ସେ ବନ୍ଧନ ଛିଣ୍ଡାଇ ଭୂତାତ୍ମା ଦ୍ଵାରା ଚାଳିତ ହୋଇ ନିର୍ଜନ ସ୍ଥାନକୁ ପଳାଇ ଯାଉଥିଲା।
ଯୀଶୁ ତାହାକୁ ପଚାରିଲେ, “ତୋର ନାମ କଅଣ?”
ସେ ଉତ୍ତର ଦେଲା, “ବାହିନୀ,” କାରଣ ସେହି ଲୋକ ମଧ୍ୟରେ ଅନେକ ଭୂତାତ୍ମା ପ୍ରବେଶ କରିଥିଲେ। ଯୀଶୁ ଯେପରି ସେମାନଙ୍କୁ ଅତଳସ୍ପର୍ଶୀ ଗହ୍ଵରକୁ ଯିବା ପାଇଁ ଆଦେଶ ନ ଦିଅନ୍ତି ଏଥିପାଇଁ ସେମାନେ ଯୀଶୁଙ୍କୁ ଥରକୁ ଥର ବିନତି କରିବାକୁ ଲାଗିଲେ।
ସେହି ସ୍ଥାନରେ ଥିବା ଏକ ପାହାଡ଼ କଡ଼ରେ ବଡ଼ ଘୁଷୁରି ପଲଟିଏ ଚରୁଥିଲା। ଭୂତାତ୍ମାମାନେ ସେହି ଘୁଷୁରିମାନଙ୍କ ମଧ୍ୟରେ ପ୍ରବେଶ କରିବାକୁ ଯୀଶୁଙ୍କୁ ବିନତି କଲେ, ଏବଂ ସେ ସେମାନଙ୍କୁ ଅନୁମତି ଦେଲେ। ସେହି ଭୂତାତ୍ମାମାନେ ସେହି ଲୋକ ମଧ୍ୟରୁ ବାହାରି ଆସି, ଘୁଷୁରିମାନଙ୍କ ମଧ୍ୟରେ ପ୍ରବେଶ କଲେ, ଏବଂ ପଲଟାଯାକ ଘୁଷୁରି ତିଖତଟରୁ ଅତି ବେଗରେ ଦୈଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ିମଲେ।
ଘୁଷୁରି ଜଗୁଆଳମାନେ ଏହି ଘଟନା ଦେଖି ଦୈଡ଼ିଗଲେ ଏବଂ ନଗର ଓ ଗ୍ରାମଗୁଡ଼ିକରେ ଏହି ଖବର ଜଣାଇଲେ। ପୁଣି କଣ ଘଟିଛି ତାହା ଦେଖିବାକୁ ଲୋକେ ବାହାରି ଆସିଲେ। ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ଲୋକଠାରୁ ଭୂତାତ୍ମାଗୁଡ଼ିକ ବାହାରି ଯାଇଥିଲେ, ତାକୁ ଲୁଗାପଟା ପିନ୍ଧି ଭଲ ମନରେ ଯୀଶୁଙ୍କ ଚରଣ, ନିକଟରେ ବସିଥିବାର ଦେଖ ଭୀତ ହେଲେ। ସେହି ଭୂତଗ୍ରସ୍ତ ଲୋକଟି କିପରି ସୁସ୍ଥ ହେଲା ତାହା ଯେଉଁମାନେ ଦେଖିଥିଲେ ସେମାନେ ସେ ବିଷୟ ଲୋକମାନଙ୍କୁ କହିଲେ। ତତ୍ପରେ ଗରାଶୀୟମାନଙ୍କ ଅଞ୍ଚଳରୁ ସମସ୍ତେ ଆସି ସେମାନଙ୍କୁ ଛାଡ଼ି ଚାଲିଯିବା ପାଇଁ ଯୀଶୁଙ୍କୁ ଅନୁରୋଧ କଲେ, କାରଣ ସେମାନେ ଭୟବିହ୍ଵଳ ହୋଇ ପଡ଼ିଥିଲେ, ତେଣୁ ଯୀଶୁ ନୌକାରେ ବସି ପ୍ରସ୍ଥାନ କଲେ।
ଯେଉଁ ଲୋକଠାରୁ ଭୂତଗୁଡ଼ିକ ବାହାରି ଯାଇଥିଲେ ସେ ଯୀଶୁଙ୍କ ସଙ୍ଗେ ଯିବା ପାଇଁ ବିନତି କଲା, ମାତ୍ର ଯୀଶୁ ତାକୁ ବିଦାୟ କରି କହିଲେ, “ଘରକୁ ଫେରି ଯାଅ ଓ ଈଶ୍ୱର ତୁମ ପାଇଁ ଯେଉଁ ମହତ୍ କାର୍ଯ୍ୟ କରିଛନ୍ତି ତାହା ଘୋଷଣା କର।” ଅତଏବ ସେହି ଲୋକ ଚାଲିଯାଇ ଯୀଶୁ ଯେଉଁ ମହତ୍ କର୍ମ ତା ନିମନ୍ତେ କରିଥିଲେ ତାହା ସହର ସାରା ଘୋଷଣା କଲା।
ଯାଇରସଙ୍କ କନ୍ୟା ଓ ପ୍ରଦର ରୋଗଗ୍ରସ୍ତା ସ୍ତ୍ରୀ
ଯୀଶୁ ଗାଲିଲୀକୁ ଫେରି ଆସିବା ପରେ, ଲୋକସମୂହ ତାଙ୍କୁ ସ୍ୱାଗତ କଲେ, କାରଣ ସେମାନେ ତାଙ୍କ ଅପେକ୍ଷାରେ ଥିଲେ। ସେତେବେଳେ ଯାଇରସ ନାମକ ଜଣେବ୍ୟକ୍ତି, ଯେ କି ଉପାସନାଗୃହର ଜଣେ ଅଧ୍ୟକ୍ଷ ଥିଲେ, ସେ ଆସିଲେ ଓ ତାଙ୍କ ଗୃହକୁ ଯିବା ପାଇଁ ଯୀଶୁଙ୍କ ପାଦତଳେ ପଡ଼ି ବିନତି କଲେ କାରଣ ପ୍ରାୟ ବାର ବର୍ଷ ବୟସ୍କା, ତାଙ୍କର ଏକମାତ୍ର କନ୍ୟା, ମୃତପ୍ରାୟ ଥିଲା।
ଯୀଶୁ ଯାଉଥିବା ବେଳେ, ଲୋକସମୂହ ତାଙ୍କ ଉପରେ ମାଡ଼ି ପଡ଼ୁଥିଲେ। ସେଠାରେ ଜଣେ ସ୍ତ୍ରୀଲୋକ ଥିଲା ଯେ କି ବାର ବର୍ଷ ଧରି ରକ୍ତସ୍ରାବ ରୋଗ ଭୋଗୁଥିଲା, ଓ କେହି ତାକୁ ସୁସ୍ଥ କରିପାରି ନ ଥିଲେ ଯଦ୍ୟପି ସେ ତାହାର ସର୍ବସ୍ଵ ଚିକିତ୍ସକଙ୍କ ପଛରେ ଖର୍ଚ୍ଚ କରିଥିଲା। ସେ ପଛ ଆଡୁ ଆସି ଯୀଶୁଙ୍କର ପୋଷାକର ଧଡ଼ିକୁ ଛୁଇଁଲା, ତତ୍କ୍ଷଣାତ୍ ତାହାର ରକ୍ତସ୍ରାବ ବନ୍ଦ ହୋଇଗଲା।
ଯୀଶୁ ପଚାରିଲେ। “କିଏ ମୋତେ ଛୁଇଁଲା?”
ଯେତେବେଳେ ସମସ୍ତେ ନାସ୍ତି କଲେ, ପିତର କହିଲେ, “ଗୁରୁ, ଲୋକେ ତ ଘେରି ରହି ଆପଣଙ୍କ ଉପରେ ମାଡ଼ି ପଡ଼ୁଛନ୍ତି।”
କିନ୍ତୁ ଯୀଶୁ କହିଲେ, “କେହି ଜଣେ ମୋତେ ସ୍ପର୍ଶ କଲା; କାରଣ ମୁଁ ଜାଣେ ଯେ ମୋ ଠାରୁ ଶକ୍ତି ନିର୍ଗତ ହେଲା।”
ସେହି ସ୍ତ୍ରୀ, ଯେତେବେଳେ ଜାଣିଲା ଯେ ସେ ଆଉ ଲୁଚି ରହିପାରିବ ନାହିଁ, ସେତେବେଳେ ସେ ଥରି ଥରି ତାଙ୍କ ପାଖକୁ ଆସି ପାଦତଳେ ପଡ଼ିଲା। ସେ କେଉଁ କାରଣରୁ ତାଙ୍କୁ ସ୍ପର୍ଶ କଲା, ଓ ସ୍ପର୍ଶ କରି କିପରି ତତ୍କ୍ଷଣାତ୍ ସୁସ୍ଥ ହେଲା ତାହା ସମସ୍ତଙ୍କ ସମ୍ମୁଖରେ ଜଣାଇଲା। ସେ ତାକୁ କହିଲେ, “ଝିଅ, ତୋର ବିଶ୍ୱାସ ତୋତେ ସୁସ୍ଥ କରିଅଛି। ଶାନ୍ତିରେ ଯାଅ।”
ଯୀଶୁ କଥା କହୁଥିବା ସମୟରେ, ଉପାସନାଗୃହର ଅଧ୍ୟକ୍ଷ ଯାଇରସଙ୍କ ଘରୁ ଜଣେ ଲୋକ ଆସି କହିଲା। ଆପଣଙ୍କ ଝିଅ ମରିଗଲା, “ଗୁରୁଙ୍କୁ ଆଉ ହଇରାଣ କରନ୍ତୁ ନାହିଁ।”
ଯୀଶୁ ସେ କଥା ଶୁଣି ଯାଇରସଙ୍କୁ କହିଲେ, “ଭୟ କର ନାହିଁ; କେବଳ ବିଶ୍ୱାସ କର, ତୁମର ଝିଅ ସୁସ୍ଥ ହେବ।”
ସେ ଯେତେବେଳେ ଯାଇରସଙ୍କ ଘରେ ପହଞ୍ଚିଲେ, ପିତର, ଯାକୁବ, ଯୋହନ ଓ ବାଳିକାର ପିତାମାତା ବ୍ୟତୀତ, ନିଜ ସହିତ ଆଉ କାହାକୁ ଭିତରକୁ ଯିବା ପାଇଁ ଦେଲେ ନାହିଁ। ଇତିମଧ୍ୟରେ, ଲୋକସମସ୍ତେ ଝିଅଟି ପାଇଁ ବାହୁନି ବାହୁନି କାନ୍ଦୁଥିଲେ। ଯୀଶୁ କହିଲେ। କନ୍ଦାକଟା ବନ୍ଦ କର, “ସେ ମରି ନାହିଁ ଶୋଇପଡ଼ିଛି।”
ତାହା ଶୁଣି ଲୋକେ ତାଙ୍କୁ ଥଟ୍ଟା କଲେ, ଯେହେତୁ ସେ ଯେ ମରିଯାଇଥିଲା ତାହା ଜାଣିଥିଲେ। କିନ୍ତୁ ଯୀଶୁ ବାଳିକାର ହାତ ଧରି କହିଲେ, “ହେ ଝିଅ ଉଠ୍!” ତାହାର ଆତ୍ମା ଫେରି ଆସିଲା, ଓ ସେ ସେହିକ୍ଷଣି ଉଠି ଠିଆ ହେଲା। ତତ୍ପରେ ତାକୁ କିଛି ଖାଇବାକୁ ଦେବା ପାଇଁ ଯୀଶୁ ସେମାନଙ୍କୁ କହିଲେ। ବାଳିକାର ପିତାମାତା ଆଚମ୍ବିତ ହେଲେ, କିନ୍ତୁ ଯୀଶୁ ସେହି ଘଟନା ବିଷୟ କାହାକୁ ନ କହିବା ପାଇଁ ସେମାନଙ୍କୁ ଆଦେଶ ଦେଲେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.