Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 5

ଆମର ସ୍ଵର୍ଗୀୟ ନିବାସ

କାରଣ ଆମେ ଜାଣୁ ଯେ ଆମର ଏହି ପାର୍ଥିବ ତମ୍ବୁ ଗୃହ ଯଦି ବିନଷ୍ଟ ହୁଏ, ତେବେ ଈଶ୍ୱରଙ୍କଠାରୁ ଆମ ପାଇଁ ଏକ ବାସସ୍ଥାନ, ଅର୍ଥାତ୍ ମନୁଷ୍ୟ ହସ୍ତ ଦ୍ଵାରା ନିର୍ମିତ ହୋଇ ନ ଥିବା, ଏକ ଚିରସ୍ଥାୟୀ ନିବାସ ସ୍ଵର୍ଗରେ ଅଛି। ଆମେ ଏବେ ଆର୍ତ୍ତନାଦ କରୁଛୁ, ଓ ଆମର ସ୍ଵର୍ଗୀୟ ନିବାସକୁ ବସ୍ତ୍ର ତୁଲ୍ୟ ପରିଧାନ କରିବା ଆକାଂକ୍ଷାରେ ରହିଛୁ, ଏହିରୂପେ ପରିହିତ ହେଲେ, ଆମେ ଉଲଙ୍ଗ ଦେଖାଯିବା ନାହିଁ। କାରଣ ଆମେ ଏହି ତମ୍ବୁରେ ଥିବା ବେଳେ, ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଛୁ, ଆମେ ଯେ ବସ୍ତ୍ରହୀନ ହୋଇ ରହିବାକୁ ଇଚ୍ଛା କରୁ ତା ନୁହେଁ ମାତ୍ର ସ୍ଵର୍ଗୀୟ ନିବାସ ରୂପ ବସ୍ତ୍ର ପରିଧାନ କରିବାକୁ ଇଚ୍ଛା କରୁଅଛୁ, ଯେପରି ଯାହା ମରଣଶିଳ ତାହାକୁ ଜୀବନ ଗ୍ରାସ କରିବ। ସ୍ଵୟଂ ଈଶ୍ୱର ଏଥିପାଇଁ ଆମକୁ ପ୍ରସ୍ତୁତ କରିଅଛନ୍ତି, ଏବଂ ସେ ଯାହାସବୁ ଦେବେ, ତାହାର ଅଗ୍ରୀମ ଦାନ ସ୍ଵରୂପେ ପବିତ୍ରଆତ୍ମଙ୍କୁ ଦେଇଛନ୍ତି।

ସେଥିପାଇଁ ଆମର ସର୍ବଦା ଏହି ଭରସା ଅଛି ଆମେ ଜାଣୁ ଯେ ଯେପର୍ଯ୍ୟନ୍ତ ଏହି ଶରୀରରୂପ ନିବାସରେ ରହିଛୁ ସେପର୍ଯ୍ୟନ୍ତ ପ୍ରଭୁଙ୍କଠାରୁ ଦୂରରେ ରହିଛୁ। ଆମେ ଦୃଶ୍ୟ ବିଷୟ ଦ୍ଵାରା ନୁହେ, ବିଶ୍ୱାସ ଦ୍ଵାରା ଜୀବନଯାପନ କରୁଛୁ। ଆମର ନିଶ୍ଚିତ ଭରସା ରହିଛି, ଏବଂ ଆମେ ଶରୀରଠାରୁ ଦୂରରେ ରହି ପ୍ରଭୁଙ୍କ ସହିତ ବାସ କରିବା ଅଧିକ ବାଞ୍ଚ୍ଥନୀୟ ବୋଲି ମନେ କରୁଛୁ। ଅତଏବ ଆମେ ଏହି ଶରୀରରୂପ ନିବାସରେ ଥାଉ କିମ୍ବା ତହିଁରୁ ଦୂରରେ ଥାଉ, ତାହାଙ୍କୁ ସନ୍ତୁଷ୍ଟ କରିବା ହିଁ ଆମର ଲକ୍ଷ୍ୟ। କାରଣ ଏହି ଶରୀରରେ ଥାଇ ଆମେ ଭଲ ବା ମନ୍ଦ, ଯାହାକିଛି କରିଅଛୁ, ତାହାର ପ୍ରାପ୍ୟ ଫଳ ପାଇବା ପାଇଁ ଆମ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ବିଚାରାସନ ସମ୍ମୁଖରେ ଉପସ୍ଥିତ ହେବାକୁ ପଡ଼ିବ।

ପୁନର୍ମିଳନର କାର୍ଯ୍ୟ

ପ୍ରଭୁଙ୍କୁ ଭୟ କରିବା ଯେ କଅଣ, ତାହା ଆମେ ଜାଣିଥିବାରୁ, ମନୁଷ୍ୟମାନଙ୍କୁ ଅନୁଯୋଗ କରିବାକୁ ଚେଷ୍ଟା କରୁଛୁ। ଆମେ କି ପ୍ରକାର ମନୁଷ୍ୟ, ତାହା ଈଶ୍ୱରଙ୍କ ନିକଟରେ ସୁସ୍ପଷ୍ଟ ଏବଂ ମୋର ଆଶା ତାହା ତୁମ୍ଭମାନଙ୍କ ବିବେକ ନିକଟରେ ମଧ୍ୟ ସୁସ୍ପଷ୍ଟ। ଆମେ ତୁମ୍ଭମାନଙ୍କ ନିକଟରେ ପୁନର୍ବାର ଆମପ୍ରଶଂସା କରିବାକୁ ଚେଷ୍ଟା କରୁ ନାହୁଁ, ମାତ୍ର ତୁମ୍ଭମାନଙ୍କୁ ଆମ ବିଷୟରେ ଦର୍ପ କରିବାକୁ ସୁଯୋଗ ଦେଉଛ, ତା ହେଲେ ଯାହା ହୃଦୟ ମଧ୍ୟରେ ଅଛି ସେବିଷୟରେ ଯେଉଁମାନେ ଦର୍ପ ନ କରି ଦୃଶ୍ୟମାନ ବିଷୟରେ ଦର୍ପ କରନ୍ତି ସେମାନଙ୍କୁ ତୁମ୍ଭେମାନେ ଉତ୍ତର ଦେଇ ପାରିବ। ଆମେ ଯଦି, “ମତିଭ୍ରଷ୍ଟ,” ତେବେ, ତାହା ଈଶ୍ୱରଙ୍କ ନିମନ୍ତେ; ଆମେ ଯଦି ସୁବୋଧ, ତେବେ ତାହା ତୁମ୍ଭମାନଙ୍କନିମନ୍ତେ। ଯେହେତୁ ଖ୍ରୀଷ୍ଟଙ୍କ ପ୍ରେମ ଆମକୁ ଅଧିକାର କରି ଚାଳିତ କରୁଛି, କାରଣ ଆମେ ଦୃଢ଼ ନିଶ୍ଚିତ ଯେ ଜଣେ ସମସ୍ତଙ୍କ ପାଇଁ ମୃତ୍ୟୁବରଣ କରିଥିବାରୁ, ସମସ୍ତେ ମୃତ ହେଲେ। ଯେଉଁମାନେ ଜୀବିତ ସେମାନେ ଯେପରି ଆଉ ନିଜ ନିମନ୍ତେ ନ ବଞ୍ଚି ଯେ ସେମାନଙ୍କ ପାଇଁ ମୃତ୍ୟୁବରଣ କଲେ ଓ ପୁନରୁ ଉତ୍ଥିତ ହେଲେ ତାହାଙ୍କ ନିମନ୍ତେ ବଞ୍ଚିବେ, ଏଥିପାଇଁ ସେସମସ୍ତଙ୍କ ନିମନ୍ତେ ମଲେ।

ଅତଏବ ଆମେ ଏବେଠାରୁ ଜାଗତିକ ଦୃଷ୍ଟିକୋଣରୁ କାହାରିକୁ ଦେଖୁ ନାହୁଁ। ଯଦିବା ଆମେ ଏକଦା ଖ୍ରୀଷ୍ଟଙ୍କୁ ଏହି ଭାବରେ ଦେଖୁଥିଲୁ, ଏବେ ଆଉ ସେପରି ଦେଖୁ ନାହୁଁ। ସେଥିପାଇଁ, କେହି ଯଦି ଖ୍ରୀଷ୍ଟଙ୍କଠାରେ ଥାଏ, ତେବେ ସେ ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟ ଲୋପ ପାଇଅଛି, ସବୁ ନୂତନ ବିଷୟ ହୋଇଛି! ଏହିସମସ୍ତ ଈଶ୍ୱରଙ୍କଠାରୁ ଆଗତ, ସେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମକୁ ତାହାଙ୍କ ସହିତ ପୁନର୍ମିଳିତ କରିଅଛନ୍ତି ଏବଂ ଆମକୁ ପୁନର୍ମିଳନର କାର୍ଯ୍ୟଭାର ଦେଇଛନ୍ତି: ଈଶ୍ୱର ମନୁଷ୍ୟମାନଙ୍କର ପାପ ସେମାନଙ୍କ ବିରୁଦ୍ଧରେ ଗଣନା ନ କରି, ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ପୁନର୍ମିଳିତ କରୁଥିଲେ। ଏବଂ ପୁନର୍ମିଳନର ବାର୍ତ୍ତା ଆମ ଉପରେ ନ୍ୟସ୍ତ କରିଅଛନ୍ତି। ତେଣୁ ଆମେ ହେଉଛୁ ଖ୍ରୀଷ୍ଟଙ୍କର ରାଜଦୂତ, ସତେ ଯେପରି ଈଶ୍ୱର ଆମ ଦ୍ଵାରା ଆହ୍ଵାନ କରୁଛନ୍ତି। ଖ୍ରୀଷ୍ଟଙ୍କ ପକ୍ଷରୁ ଆମେ ତୁମ୍ଭମାନଙ୍କୁ ବିନତି କରୁଅଛୁ ଈଶ୍ୱରଙ୍କ ସହିତ ପୁନର୍ମିଳିତ ହୁଅ। ଯାହାଙ୍କଠାରେ ପାପର ଲେଶ ନ ଥିଲା ଈଶ୍ୱର ତାହାଙ୍କୁ ଆମ ପାଇଁ ପାପ ସ୍ଵରୂପ କଲେ, ଯେପରିକି ଆମେ ତାହାଙ୍କଠାରେ ଈଶ୍ୱରଙ୍କ ଧାର୍ମିକତା ସ୍ଵରୂପ ହେବୁ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.