Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 4

ମାଟି ପାତ୍ରରେ ଅମୂଲ୍ୟ ଧନ

ଅତଏବ, ପ୍ରଭୁଙ୍କ ଦୟାରେ ଆମେ ଏହି ସେବାକାର୍ଯ୍ୟ ପାଇଥିବାରୁ, ନିରୁତ୍ସାହିତ ହେଉ ନାହୁଁ। ବରଞ୍ଚ, ଆମେ ଗୁପ୍ତ ଓ ଲଜ୍ଜାଜନକ ପନ୍ଥା ସବୁ ପରିହାର କରିଅଛୁ; ଆମେ କପଟାଚରଣ କରୁ ନାହୁଁ, କିମ୍ବା ଈଶ୍ୱରଙ୍କ ବାକ୍ୟ ବିକୃତ କରୁ ନାହୁଁ। ତା ପରିବର୍ତ୍ତେ, ଆମେ ସ୍ପଷ୍ଟଭାବେ ସତ୍ୟ ପ୍ରକାଶ କରି ଈଶ୍ୱରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ନିଜକୁ ସମର୍ଥନ କରୁଛୁ। ଯଦି ଆମର ସୁସମାଚାର ଆଚ୍ଛାଦିତ, ତା ହେଲେ ବିନାଶମୁଖୀ ଲୋକଙ୍କ ନିକଟରେ ତାହା ଆଚ୍ଛାଦିତ। ଯେଉଁ ଖ୍ରୀଷ୍ଟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଅବିଶ୍ୱାସୀମାନେ ଦେଖିପାରିବେ ନାହିଁ, ଏଥିପାଇଁ ଏହି ଜଗତର ଅଧିପତି ସେମାନଙ୍କର ମନଶ୍ଚକ୍ଷୁ ଅନ୍ଧ କରି ଦେଇଛି। କାରଣ ଆମେ ନିଜକୁ ପ୍ରଚାର ନ କରି, ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି, ଏବଂ ଯୀଶୁଙ୍କ ସକାଶେ ଆମ୍ଭେମାନେ ତୁମ୍ଭମାନଙ୍କର ସେବକ ବୋଲି ପ୍ରଚାର କରୁଅଛୁ। କାରଣ ଈଶ୍ୱର, ଯେ କି କହିଥିଲେ, “ଅନ୍ଧକାରରୁ ଆଲୋକ ପ୍ରକାଶିତ ହେଉ,” ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବର ଜ୍ଞାନାଲୋକ ଆମକୁ ଦେବା ପାଇଁ ଆମର ହୃଦୟ ଆଲୋକିତ କରିଅଛନ୍ତି।

କିନ୍ତୁ ଏହି ଅପୂର୍ବ ଶକ୍ତି ଯେ ଆମଠାରୁ ନୁହେଁ ମାତ୍ର ଈଶ୍ୱରଙ୍କଠାରୁ ଆଗତ ଏହା ପ୍ରକାଶ କରିବାକୁ ଆମେ ଏହି ଅମୂଲ୍ୟ ଧନ ମାଟି ପାତ୍ରରେ ପାଇଛୁ। ଆମେ ଚାରିଆଡ଼େ ଭାରଗ୍ରସ୍ତ, କିନ୍ତୁ ନିଷ୍ପେଷିତ ନୋହୁଁ; ହତବୁଦ୍ଧି ହେଉଛୁ, କିନ୍ତୁ ହତାଶ ନୋହୁଁ; ନିର୍ଯ୍ୟାତିତ, କିନ୍ତୁ ପରିତ୍ୟକ୍ତ ନୋହୁଁ; ଅଧଃପତିତ, କିନ୍ତୁ ବିନଷ୍ଟ ନୋହୁଁ। ଯୀଶୁଙ୍କର ଜୀବନ ଯେପରି ଆମ ଶରୀରରେ ପ୍ରକାଶ ପାଇବ, ଏଥିପାଇଁ ଆମେ ତାହାଙ୍କର ମୃତ୍ୟୁକୁ ଆମ ଶରୀରରେ ସର୍ବଦା ଅନୁଭବ କରୁଛୁ। ଆମ ମରଶରୀରରେ ଯୀଶୁଙ୍କର ଜୀବନ ଯେପରି ପ୍ରକାଶିତ ହୁଏ, ଏଥିପାଇଁ ଆମେ ଜୀବିତ ହେଲେ ସୁଦ୍ଧା ତାହାଙ୍କ ସକାଶେ ସର୍ବଦା ମୃତ୍ୟୁ ମୁଖରେ ସମର୍ପିତ ହେଉଛୁ। ଏହିରୂପେ, ଆମଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଛି।

ଏପରି ଲିଖିତ ଅଛି: “ମୁଁ ବିଶ୍ୱାସ କଲି; ସେଥିପାଇଁ କହିଲି।” ସେହି ବିଶ୍ୱାସର ଆତ୍ମା ଦ୍ଵାରା, ଆମେ ମଧ୍ୟ ବିଶ୍ୱାସ କରିବାରୁ କଥା କହୁଛୁ। କାରଣ ଆମେ ଜାଣୁ ପ୍ରଭୁଯୀଶୁଙ୍କୁ ଯେ ମୃତ୍ୟୁରୁ ଉଠାଇଲେ ସେ ଆମ୍ଭମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତୁମ୍ଭମାନଙ୍କ ସହିତ ଆମ୍ଭମାନଙ୍କୁ ତାହାଙ୍କ ସମ୍ମୁଖରେ ଉପସ୍ଥିତ କରାଇବେ। ଏହିସମସ୍ତ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ, ଯଦ୍ଦ୍ୱାରା ଅନୁଗ୍ରହ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ ଅଧିକତର ଧନ୍ୟବାଦ ଉଛୁଳି ଉଠିବାର କାରଣ ହେବ।

ସେଥିପାଇଁ ଆମେ ହତାଶ ହେଉ ନାହୁଁ। ବାହ୍ୟିକଭାବେ ଆମେ କ୍ଷୟ ପାଉଥିଲେ ହେଁ, ଅନ୍ତର ମଧ୍ୟରେ ଆମେ ଦିନକୁ ଦିନ ନବୀଭୂତ ହେଉଛୁ। କାରଣ ଆମର ସାମାନ୍ୟ ଓ କ୍ଷଣସ୍ଥାୟୀ ଦୁଃଖକ୍ଳେଶ ଆମ ପାଇଁ ଚିରସ୍ଥାୟୀ ଗୌରବ ସାଧନ କରୁଛି ଯାହା ତୁଳନାରେ ଦୁଃଖକ୍ଳେଶ ନଗଣ୍ୟ। ଅତଏବ ଆମର ଚକ୍ଷୁ ଦୃଶ୍ୟମାନ ବିଷୟ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ ନିବଦ୍ଧ ରହିଛି, କାରଣ ଯାହା ଦୃଶ୍ୟମାନ ତାହା କ୍ଷଣସ୍ଥାୟୀ, ମାତ୍ର ଯାହା ଅଦୃଶ୍ୟ ତାହା ଚିରସ୍ଥାୟୀ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.