Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 3

ଆମେ କଅଣ ପୁନର୍ବାର ଆମପ୍ରଶଂସା କରିବାକୁ ଆରମ୍ଭ କରିଛୁ? ଅଥବା କେତେକ, ଲୋକଙ୍କପରି ତୁମ୍ଭମାନଙ୍କ ନିକଟକୁ, କିମ୍ବା ତୁମ୍ଭମାନଙ୍କ ନିକଟରୁ ଆମର କଅଣ ପ୍ରଶଂସା ପତ୍ରର ଆବଶ୍ୟକତା ଅଛି? ତୁମ୍ଭେମାନେ ନିଜେ ତ ଆମ ହୃଦୟ ଫଳକରେ ଲିଖିତ, ସମସ୍ତଙ୍କ ଜ୍ଞାତ ଓ ପଠିତ ଆମର ପତ୍ର ସ୍ଵରୂପ। ତୁମ୍ଭେମାନେ ଯେ ଆମ ସେବାକାର୍ଯ୍ୟର ଫଳ ସ୍ଵରୂପେ ଖ୍ରୀଷ୍ଟଙ୍କଠାରୁ, ଆଗତ ଏକ ପତ୍ର ତାହା ପ୍ରକାଶ କରୁଛ, ଏହି ପତ୍ର କାଳିରେ ଲିଖିତ ନ ହୋଇ ନିତ୍ୟଜୀବୀ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ଵାରା ଲିଖିତ, ପ୍ରସ୍ତରଫଳକ ଉପରେ ଲିଖିତ ନ ହୋଇ ମନୁଷ୍ୟମାନଙ୍କ ହୃଦୟଫଳକ ଉପରେ ଲିଖିତ ହୋଇଛି।

ଈଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମର ଏପ୍ରକାର ଭରସା ଅଛି। ଆମର କୌଣସି ସାମର୍ଥ୍ୟ ଯେ ଆମ ନିଜଠାରୁ ଆଗତ ଏହା ଆମେ ଦାବୀ କରିପାରିବୁ ନାହିଁ, ମାତ୍ର ଆମର ସାମର୍ଥ୍ୟ ଈଶ୍ୱରଙ୍କଠାରୁ ଆଗତ। ସେ ତ ଆମ୍ଭମାନଙ୍କୁ ଅକ୍ଷରର ଅର୍ଥାତ୍ ଲିଖିତ ବିଧିବ୍ୟବସ୍ଥାର ସେବକ କରିନାହାନ୍ତି ମାତ୍ର ଆତ୍ମାଙ୍କର; ଅର୍ଥାତ୍ ଏକ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଛନ୍ତି କାରଣ ଅକ୍ଷର ଅର୍ଥାତ୍ ଲିଖିତ ବିଧିବ୍ୟବସ୍ଥା ମୃତ୍ୟୁ ଘଟାଏ, ମାତ୍ର ଆତ୍ମା ଜୀବନ ଦାନ କରନ୍ତି।

ନୂତନ ନିୟମର ଗୌରବ

ପ୍ରସ୍ତର ଉପରେ ଅକ୍ଷରରେ ଖୋଦିତ ବିଧିବ୍ୟବସ୍ଥାର ଯେଉଁ ସେବାକାର୍ଯ୍ୟ ମୃତ୍ୟୁ ଆଣିଲା, ତାହା ଯଦି ଏତେ ଗୌରବୋଜ୍ଜ୍ୱଳ ଥିଲା ଯେ, ମ୍ଲାନ ହୋଇ ଆସୁଥିଲେ ମଧ୍ୟ, ସେହି ଉଜ୍ଜ୍ୱଳତା ହେତୁ, ଇସ୍ରାଏଲୀୟମାନେ ମୋଶାଙ୍କ ମୁଖକୁ ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ, ତେବେ ଆତ୍ମାଙ୍କର ସେବାକାର୍ଯ୍ୟ କେତେ ଅଧିକ ଗୌରବୋଜ୍ଜ୍ୱଳ ନ ହେବ? ଯେଉଁ ସେବାକାର୍ଯ୍ୟ ମନୁଷ୍ୟମାନଙ୍କୁ ଦଣ୍ଡିତ କରେ ତାହା ଯଦି ଗୌରବମୟ ଥିଲା, ତେବେ ଯେଉଁ ସେବାକାର୍ଯ୍ୟ ଧାର୍ମିକତା ଆଣେ ତାହା କେତେ ଅଧିକ ଗୌରବମୟ ନ ହେବ! ଯାହା ଏକଦା ଗୌରବମୟ ଥିଲା ବର୍ତ୍ତମାନ ତାହା ଅଧିକତର ଗୌରବମୟ ବିଷୟର ତୁଳନାରେ ଗୌରବବିହୀନ ହୋଇଛି। ଯାହା ମ୍ଲାନ ହୋଇ ଆସୁଥିଲା ତାହା ଯଦି ଗୌରବରେ ଆସିଲା, ତେବେ ଯାହା ଚିରସ୍ଥାୟୀ ତାହାର ଗୌରବ କେତେ ଅଧିକତର ନ ହେବ!

ତେଣୁ, ଆମର ଏହିପରି ଭରସା ଥିବାରୁ, ଆମେ ଅତ୍ୟନ୍ତ ନିର୍ଭୀକ। ଇସ୍ରାଏଲୀୟମାନେ ମୋଶାଙ୍କ ମୁଖର ଉଜ୍ଜ୍ୱଳତା ମ୍ଲାନ ହୋଇ ଆସୁଥିବାର ଦୃଶ୍ୟ ଯେପରି ଦେଖି ନ ପାରନ୍ତି, ଏଥିପାଇଁ ସେ ଯେପରି ମୁଖରେ ଓଢ଼ଣା ଦେଇଥିଲେ ଆମେ ସେପରି କରୁ ନାହୁଁ। କିନ୍ତୁ ସେମାନଙ୍କ ମନ ଜଡ଼ କରାଯାଇଥିଲା, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପଠିତ ହେଲାବେଳେ ସେହି ଓଢ଼ଣା ରହିଛି। ତାହା ହୋଇନାହିଁ, କାରଣ କେବଳ ଖ୍ରୀଷ୍ଟଙ୍କଠାରେ ତାହା ଅପସାରିତ ହୁଏ। ଆଜି ପର୍ଯ୍ୟନ୍ତ ସୁଦ୍ଧା ମୋଶାଙ୍କ ପୁସ୍ତକ ପଠିତ ହେଲାବେଳେ, ଏକ ଓଢ଼ଣା ସେମାନଙ୍କ ହୃଦୟକୁ ଆଚ୍ଛାଦନ କରୁଛି। ମାତ୍ର କେହି ଯେତେବେଳେ ପ୍ରଭୁଙ୍କ ନିକଟକୁ ଫେରି ଆସେ, ସେତେବେଳେ ସେହି ଓଢ଼ଣା ଅପସାରିତ ହୁଏ। ପ୍ରଭୁ ଆତ୍ମା ଅଟନ୍ତି, ଏବଂ ଯେଉଁଠାରେ ପ୍ରଭୁଙ୍କର ଆତ୍ମା, ସେହିଠାରେ ହିଁ ସ୍ୱାଧୀନତା। ପୁଣି ଆମେ ଅନାଚ୍ଛାଦିତ ମୁଖରେ ପ୍ରଭୁଙ୍କର ଗୌରବ ପ୍ରତିଫଳିତ କରୁ କରୁ, ଅଧିକରୁ ଅଧିକତର ଗୌରବରେ ତାହାଙ୍କ ସାଦୃଶ୍ୟରେ ରୂପାନ୍ତରିତ ହେଉଛୁ, କାରଣ ଯେଉଁ ପ୍ରଭୁଙ୍କଠାରୁ ଏହା ଆସେ, ସେ ଆତ୍ମା ଅଟନ୍ତି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.