Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 6

ଈଶ୍ୱରଙ୍କ ସହକର୍ମୀ ଭାବରେ ଆମେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ ଈଶ୍ୱରଙ୍କ ଅନୁଗ୍ରହ ବୃଥାରେ ଗ୍ରହଣ କର ନାହିଁ। କାରଣ ସେ କହନ୍ତି,

“ମୁଁ ଅନୁକୂଳ ସମୟରେ ତୁମର ପ୍ରାର୍ଥନା ଶୁଣିଲି,

ଏବଂ ପରିତ୍ରାଣ କରିବା ଦିନ ତୁମକୁ ସାହାଯ୍ୟ କଲି।”

ମୁଁ ତୁମ୍ଭମାନଙ୍କୁ କହୁଛି, ବର୍ତ୍ତମାନ ହିଁ ଈଶ୍ୱରଙ୍କ ଅନୁଗ୍ରହର ସମୟ, ବର୍ତ୍ତମାନ ହିଁ ପରିତ୍ରାଣର ଦିବସ।

ପାଉଲଙ୍କ ଦୁଃଖକଷ୍ଟ

ଆମର ସେବାକାର୍ଯ୍ୟ ଯେପରି ନିନ୍ଦିତ ନ ହୁଏ, ଏଥିପାଇଁ ଆମେ କାହାରି ପଥରେ ପ୍ରତିବନ୍ଧକ ରଖି ନାହୁଁ। ବରଞ୍ଚ, ଈଶ୍ୱରଙ୍କ ସେବକ ରୂପେ ଏହିସମସ୍ତ ଅବସ୍ଥାରେ ନିଜର ଯୋଗ୍ୟତା ପ୍ରତିପାଦନ କରୁଛୁ: ଅଶେଷ ସହିଷ୍ଣୁତାରେ; କ୍ଳେଶ, ଦୁର୍ଦ୍ଦଶା ଓ ସଂକଟରେ; ପ୍ରହାର, କାରାବାସ ଓ ଦଙ୍ଗାହାଙ୍ଗାମାରେ; କଠିନ ପରିଶ୍ରମ, ଅନିଦ୍ରା ରାତ୍ରିଯାପନ ଓ ଅନାହାରରେ; ପବିତ୍ରତାରେ, ଜ୍ଞାନରେ, ଧୈର୍ଯ୍ୟରେ ଓ ଦୟାରେ; ପବିତ୍ରଆତ୍ମାଙ୍କଠାରେ ଓ ଆନ୍ତରିକ ପ୍ରେମରେ; ସତ୍ୟବାଦୀତାରେ ଓ ଈଶ୍ୱରଙ୍କ ଶକ୍ତିରେ; ଦକ୍ଷିଣ ଓ ବାମ ହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଧାରଣ କରି; ସମ୍ମାନ ଓ ଅପମାନରେ, ଦୁର୍ନାମ ଓ ସୁନାମରେ; ଅକପଟ ହୋଇ ସୁଦ୍ଧା ପ୍ରତାରକ ବିବେଚିତ ହୋଇ; ପରିଚିତ, ଅଥଚ ଅପରିଚିତ ରୂପେ ଗଣ୍ୟ ହୋଇ; ମୃତପ୍ରାୟ, ଅଥଚ ଜୀବିତ ଥାଇ; ପ୍ରହାରିତ, ଅଥଚ ନିହତ ନ ହୋଇ; ଦୁଃଖିତ, ଅଥଚ ସଦା ଉଲ୍ଲସିତ ରହି; ଧନହୀନ, ଅଥଚ ଅନେକଙ୍କୁ ଧନବାନ କରି; ନିଃସ୍ଵ, ଅଥଚ ସବୁ କିଛିର ଅଧିକାରୀ ହୋଇ ନିଜର ଯୋଗ୍ୟତା ପ୍ରତିପାଦନ କରୁଅଛୁ।

ହେ କରିନ୍ଥୀୟମାନେ, ଆମେ ତୁମ୍ଭମାନଙ୍କୁ ଖୋଲାଖୋଲି ଭାବରେ କହିଅଛୁ, ଓ ତୁମ୍ଭମାନଙ୍କ ନିକଟରେ ଆମର ହୃଦୟ ପୂର୍ଣ୍ଣ ଭାବରେ ଖୋଲି ଦେଇଛୁ। ଆମେ ତୁମ ପ୍ରତି ଆମର ସ୍ନେହ ରୁଦ୍ଧ କରୁ ନାହୁଁ, ମାତ୍ର ତୁମ୍ଭେମାନେ ଆମ ପ୍ରତି ତୁମର ସ୍ନେହ ରୁଦ୍ଧ କରିଛ। ମୋର ସନ୍ତାନମାନଙ୍କୁ କହିଲା ପରି ମୁଁ କହୁଛି ଉପଯୁକ୍ତ ପ୍ରତିଦାନ ସ୍ଵରୂପେ ତୁମ୍ଭେମାନେ ମଧ୍ୟ ତୁମର ହୃଦୟ ପୂର୍ଣ୍ଣ ଭାବରେ ଖୋଲି ଦିଅ।

ଅବିଶ୍ୱାସୀମାନଙ୍କ ସହିତ ବନ୍ଧନଯୁକ୍ତ ନ ହୁଅ

ଅବିଶ୍ୱାସୀମାନଙ୍କ ସହିତ ଅନୁପଯୁକ୍ତ ଯୁଆଳିରେ ଯୋଚା ନ ହୁଅ। କାରଣ ଧାର୍ମିକତା ଓ ଅଧର୍ମ ମଧ୍ୟରେ କି ସାମଞ୍ଜସ୍ୟ ଅଛି? କିମ୍ବା ଅନ୍ଧକାର ସହିତ ଆଲୋକର କି ସହଭାଗିତା ଅଛି? ଖ୍ରୀଷ୍ଟ ଓ ବିଲିୟାର ମଧ୍ୟରେ କି ମେଳ ଥାଇପାରେ? ଅବିଶ୍ୱାସୀ ସହିତ ବିଶ୍ୱାସୀର କି ସମତା ଅଛି? ଈଶ୍ୱରଙ୍କ ମନ୍ଦିର ଓ ପ୍ରତିମାଗୁଡ଼ିକ ମଧ୍ୟରେ କି ସମ୍ବନ୍ଧ ଅଛି? କାରଣ ଆମେ ହେଉଛୁ ନିତ୍ୟଜୀବୀ ଈଶ୍ୱରଙ୍କ ମନ୍ଦିର। ଈଶ୍ୱର ଏହିପରି କହିଅଛନ୍ତି:

“ମୁଁ ସେମାନଙ୍କ ସହିତ ବାସ କରିବି

ଏବଂ ସେମାନଙ୍କ ମଧ୍ୟରେ ଯାତାୟାତ କରିବି,

ମୁଁ ସେମାନଙ୍କର ଈଶ୍ୱର ହେବି,

ଓ ସେମାନେ ମୋର ଲୋକ ହେବେ।”

ତେଣୁ,

“ପ୍ରଭୁ କହୁଛନ୍ତି।

ସେମାନଙ୍କ ମଧ୍ୟରୁ ବାହାରି ଆସ

ଓ ପୃଥକ ହୁଅ,

କୌଣସି ଅଶୁଚି ବିଷୟ ସ୍ପର୍ଶ କର ନାହିଁ।

ଏବଂ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି।”

ଓ,

“ମୁଁ ତୁମ୍ଭମାନଙ୍କର ପିତା ହେବି,

ଓ ତୁମ୍ଭେମାନେ ମୋର ପୁତ୍ରକନ୍ୟା ହେବ,

ଏହା ସର୍ବଶକ୍ତିମାନ ପ୍ରଭୁ କହୁଅଛନ୍ତି।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.