Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ କରିନ୍ଥୀୟ 7

ପ୍ରିୟ ବନ୍ଧୁଗଣ, ଆମେ ଏହିସବୁ ପ୍ରତିଜ୍ଞାବାକ୍ୟ ପାଇଥିବାରୁ, ଆସ, ଯାହାକିଛି ଶରୀର ଓ ଆତ୍ମାକୁ ଅଶୁଚି କରେ, ସେଥିରୁ ନିଜ ନିଜକୁ ଶୁଚି କରିବା ଏବଂ ଈଶ୍ୱରଙ୍କୁ ଭୟଭକ୍ତି କରି ପବିତ୍ରତାରେ ସିଦ୍ଧ ହେବା।

ପାଉଲଙ୍କ ଆନନ୍ଦ

ତୁମ୍ଭମାନଙ୍କ ହୃଦୟରେ ଆମକୁ ସ୍ଥାନ ଦିଅ। ଆମେ କାହାରି ପ୍ରତି ଅନ୍ୟାୟ କରି ନାହୁଁ, କାହାକୁ ପଥଭ୍ରଷ୍ଟ କରି ନାହୁଁ, କାହାରିଠାରୁ ସୁବିଧା ହାସଲ କରି ନାହୁଁ। ମୁଁ ତୁମ୍ଭମାନଙ୍କୁ ଦୋଷ ଦେବା ଉଦ୍ଦେଶ୍ୟରେ ଏହା କହୁ ନାହିଁ; ମୁଁ ପୂର୍ବେ କହିଛି ତୁମ୍ଭେମାନେ ଆମର ହୃଦୟରେ ଏପରି ଏକ ସ୍ଥାନ ପାଇଛ ଯେ ଆମେ ତୁମ୍ଭମାନଙ୍କ ସହିତ ଏକତ୍ର ବଞ୍ଚିବା କିମ୍ବା ଏକତ୍ର ମରିବା। ତୁମ୍ଭମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ଅଛି, ତୁମ୍ଭମାନଙ୍କ ପାଇଁ ମୁଁ ଖୁବ୍ ଗର୍ବ ଅନୁଭବ କରେ। ମୁଁ ଅତ୍ୟନ୍ତ ଉତ୍ସାହିତ; ଆମର ସବୁ ଦୁଃଖକ୍ଳେଶରେ ମୋର ଆନନ୍ଦର ସୀମା ନାହିଁ।

କାରଣ ଆମେ ଯେତେବେଳେ ମାସିଦୋନିଆକୁ ଗଲୁ, ଆମର ଏହି ଶରୀର କୌଣସି ବିଶ୍ରାମ ପାଇଲା ନାହିଁ, ଆମେ ସବୁଆଡ଼ୁ ଉତ୍ପୀଡ଼ିତ ହେଲୁ, ବାହାରେ ସଂଘର୍ଷ, ଭିତରେ ଭୟ ରହିଥିଲା। କିନ୍ତୁ, ଯେଉଁ ଈଶ୍ୱର ହତୋତ୍ସାହ ଲୋକଙ୍କୁ ଉତ୍ସାହ ଦିଅନ୍ତି, ସେ ଆମକୁ ତୀତସଙ୍କ ଆଗମନ ଦ୍ଵାରା ଉତ୍ସାହ ଦେଲେ, ପୁଣି କେବଳ ତାଙ୍କର ଆଗମନ ଦ୍ଵାରା ନୁହେଁ ମାତ୍ର ତୁମ୍ଭେମାନେ ତାଙ୍କୁ ଯେଉଁ ଉତ୍ସାହ ଦେଇଥିଲ ତଦ୍ଦ୍ୱାରା ମଧ୍ୟ ଆମେ ଉତ୍ସାହ ଲାଭ କଲୁ। ମୋ ପାଇଁ ତୁମ୍ଭମାନଙ୍କର ଆଗ୍ରହ, ତୁମ୍ଭମାନଙ୍କର ଗଭୀର ଦୁଃଖ ଓ ମୋ ବିଷୟରେ ତୁମ୍ଭମାନଙ୍କର ବିଶେଷ ମନୋଯୋଗ ଏହିସମସ୍ତ କଥା ସେ ଆମ୍ଭମାନଙ୍କୁ କହିଲେ, ଫଳରେ ମୁଁ ଆହୁରି ଆନନ୍ଦ ଲାଭ କଲି।

ମୋର ପତ୍ର ଦ୍ଵାରା ଯଦିବା ତୁମ୍ଭମାନଙ୍କୁ ଦୁଃଖ ଦେଲି, ମୁଁ ସେଥିପାଇଁ ମନସ୍ତାପ କରୁ ନାହିଁ। ଯଦ୍ୟପି ମୁଁ ମନସ୍ତାପ କରିଥିଲି, ତଥାପି ମୁଁ ଦେଖିଲି ମୋର ପତ୍ର ତୁମ୍ଭମାନଙ୍କ ମନରେ ଅତି ଅଳ୍ପକାଳ ପାଇଁ ଆଘାତ ଦେଲା। କିନ୍ତୁ ଏବେ ମୁଁ ଆନନ୍ଦିତ, ତୁମ୍ଭେମାନେ ଦୁଃଖିତ ହେଲ ବୋଲି ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଅନୁତାପର କାରଣ ହେଲା। ଯେହେତୁ ଈଶ୍ୱରଙ୍କ ଅଭିମତ ଅନୁସାରେ ତୁମ୍ଭେମାନେ ଦୁଃଖ ଅନୁଭବ କଲ ସେହିହେତୁ ଆମ ଦ୍ଵାରା କୌଣସିମତେ କ୍ଷେତିଗ୍ରସ୍ତ ହେଲ ନାହିଁ। ଯେଉଁ ଦୁଃଖ ଈଶ୍ୱରଙ୍କ ଇଚ୍ଛାନୁମୋଦିତ ତାହା ଅନୁତାପ ଆଣେ ଓ ପରିତ୍ରାଣ ପଥରେ କଢ଼ାଇ ନିଏ ପୁଣି ସେଥିରେ କୌଣସି ମନସ୍ତାପ ନ ଥାଏ, କିନ୍ତୁ ଯେଉଁ ଦୁଃଖ ଜାଗତିକ ତାହା ମୃତ୍ୟୁ ଘଟାଏ। ଦେଖ ଈଶ୍ୱର ଅନୁମୋଦିତ ଏହି ଦୁଃଖ ତୁମ୍ଭମାନଙ୍କଠାରେ କେତେ ନିଷ୍ଠାପରତା, ଦୋଷମୁକ୍ତ ହେବାକୁ କେତେ ଆଗ୍ରହ, କେତେ କ୍ରୋଧ, କେତେ ଭୟ, କେତେ ଉତ୍କଣ୍ଠା, କେତେ ଉଦ୍‌ଯୋଗ, ନ୍ୟାୟ ପ୍ରତିଷ୍ଠା ପାଇଁ କେତେ ତତ୍ପରତା ଉତ୍ପନ୍ନ ନ କରିଛି। ତୁମ୍ଭେମାନେ ପ୍ରତ୍ୟେକ ପଦକ୍ଷେପରେ ଏହି ବିଷୟରେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିଛ। ଅତଏବ ଯଦିବା ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଥିଲି, ତାହା ଅନ୍ୟାୟ କରିଥିବା କିମ୍ବା ଅନ୍ୟାୟ ସହିଥିବା ଲୋକ ସକାଶେ ଲେଖି ନ ଥିଲି, ବରଂ ଆମ ପ୍ରତି ତୁମ୍ଭମାନଙ୍କର ଅନୁରାଗ କେତେ ତାହା ଈଶ୍ୱରଙ୍କ ସାକ୍ଷାତରେ ତୁମ୍ଭେମାନେ ନିଜେ ଦେଖ ବୋଲି ଲେଖିଥିଲି। ତେଣୁ ଏହିସମସ୍ତ ବିଷୟ ଦ୍ଵାରା ଆମ୍ଭେମାନେ ଉତ୍ସାହ ଲାଭ କରିଛୁ।

ଆମେ ଉତ୍ସାହିତ ହେବା ସଙ୍ଗେସଙ୍ଗେ, ତୀତସ କେତେ ସୁଖୀ ହୋଇଛନ୍ତି ତାହା ଦେଖି ଆମେ ବିଶେଷ ଆହ୍ଲାଦିତ ହୋଇଅଛୁ, କାରଣ ତୁମ ସମସ୍ତଙ୍କ ଦ୍ଵାରା ତାଙ୍କର ଆତ୍ମା ସତେଜ ହୋଇଛି। ମୁଁ ତାଙ୍କ ନିକଟରେ ତୁମ ବିଷୟରେ ଦର୍ପ କରିଥିଲି, ଓ ତୁମ୍ଭେମାନେ ମୋତେ ନିରାଶ କରି ନାହଁ। କିନ୍ତୁ ତୁମ୍ଭମାନଙ୍କୁ ଆମେ ଯାହା ଯାହା କହିଥିଲୁ ସେହିସବୁ ଯେପରି ସତ୍ୟ ପ୍ରମାଣିତ ହୋଇଛି, ତୀତସଙ୍କ ନିକଟରେ ତୁମ୍ଭମାନଙ୍କ ବିଷୟରେ ଆମର ଦର୍ପ ମଧ୍ୟ ଠିକ ସେହିପରି ସତ୍ୟ ପ୍ରମାଣିତ ହୋଇଅଛି। ତୁମ୍ଭେମାନେ କିପରି ଭୟ ଓ କମ୍ପରେ ତାଙ୍କୁ ସ୍ୱାଗତ କରି ତାଙ୍କର ବାଧ୍ୟ ହେଲ, ତାହା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାଙ୍କର ସ୍ନେହ ଆହୁରି ଅଧିକ ହୋଇଛି। ତୁମ୍ଭମାନଙ୍କ ଉପରେ ମୁଁ ପୂର୍ଣ୍ଣ ଭରସା ରଖିପାରେ ବୋଲି ମୁଁ ଆନନ୍ଦିତ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.