Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 65

ପ୍ରଶଂସା ଓ ଧନ୍ୟବାଦ

ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ।

ହେ ପରମେଶ୍ୱର, ସିୟୋନରେ ପ୍ରଶଂସା ତୁମ୍ଭର ଅପେକ୍ଷା କରେ

ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ।

ଆହେ, ପ୍ରାର୍ଥନା ଶ୍ରବଣକାରୀ ଯେ ତୁମ୍ଭେ,

ତୁମ୍ଭ ନିକଟକୁ ସକଳ ପ୍ରାଣୀ ଆସିବେ।

ଅପରାଧ ମୋʼ ଉପରେ ପ୍ରବଳ ହୁଏ;

ତୁମ୍ଭେ ଆମ୍ଭମାନଙ୍କ ଅଧର୍ମ ମାର୍ଜନା କରିବ।

ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର

ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ;

ଆମ୍ଭେମାନେ ତୁମ୍ଭ ଗୃହର, ଅର୍ଥାତ୍‍,

ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା।

ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର,

ତୁମ୍ଭେ ଭୟାନକ କ୍ରିୟା ଦ୍ୱାରା ଧର୍ମରେ ଆମ୍ଭମାନଙ୍କୁ ଉତ୍ତର ଦେବ;

ତୁମ୍ଭେ ପୃଥିବୀର ପ୍ରାନ୍ତନିବାସୀ ଓ ଦୂରବର୍ତ୍ତୀ ସମୁଦ୍ରବାସୀ

ସମସ୍ତଙ୍କର ବିଶ୍ୱାସଭୂମି ଅଟ।

ତୁମ୍ଭେ ପରାକ୍ରମରେ କଟି ବାନ୍ଧି ସ୍ୱଶକ୍ତିରେ

ପର୍ବତଗଣକୁ ଦୃଢ଼ ରୂପେ ସ୍ଥାପନ କରିଥାଅ;

ତୁମ୍ଭେ ସମୁଦ୍ରସମୂହର ଗର୍ଜ୍ଜନ, ତହିଁର ତରଙ୍ଗମାଳାର

ଗର୍ଜ୍ଜନ ଓ ଗୋଷ୍ଠୀୟମାନଙ୍କର କଳହ ଶାନ୍ତ କରିଥାଅ।

ଆହୁରି, ପ୍ରାନ୍ତଭାଗ-ନିବାସୀଗଣ ତୁମ୍ଭ ଚିହ୍ନ ଦେଖି ଭୀତ ହୁଅନ୍ତି;

ତୁମ୍ଭେ ସନ୍ଧ୍ୟାକାଳ ଓ ପ୍ରାତଃକାଳର ଉଦ୍ଗମକୁ ଆନନ୍ଦମୟ କରିଥାଅ।

ତୁମ୍ଭେ ପୃଥିବୀର ତତ୍ତ୍ୱାବଧାନ କରି ତହିଁରେ ଜଳ ସେଚନ କରିଥାଅ,

ତୁମ୍ଭେ ତାହାକୁ ଅତିଶୟ ଧନାଢ଼୍ୟ କରିଥାଅ;

ପରମେଶ୍ୱରଙ୍କ ନଦୀ ଜଳରେ ପରିପୂର୍ଣ୍ଣ;

ତୁମ୍ଭେ ପୃଥିବୀକୁ ପ୍ରସ୍ତୁତ କଲା ଉତ୍ତାରେ ସେମାନଙ୍କୁ ଶସ୍ୟ ଯୋଗାଇ ଦେଇଥାଅ।

ତୁମ୍ଭେ ବହୁଳ ରୂପେ ତାହାର ଶିଆରରେ ଜଳ ସେଚନ କରିଥାଅ;

ତୁମ୍ଭେ ତହିଁର ହିଡ଼ସବୁ ସ୍ଥିର କରିଥାଅ;

ତୁମ୍ଭେ ବୃଷ୍ଟିରେ ତାହାକୁ କୋମଳ କରିଥାଅ;

ତୁମ୍ଭେ ତହିଁର ଅଙ୍କୁରକୁ ଆଶୀର୍ବାଦ କରିଥାଅ;

ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ ପିନ୍ଧାଇ ଥାଅ

ଓ ତୁମ୍ଭ ପଥସବୁ ପୁଷ୍ଟତା କ୍ଷରଣ କରେ।

ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ

ଓ ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି।

ଚରାସ୍ଥାନସବୁ ମେଷପଲରେ ଭୂଷିତ ହୁଅନ୍ତି;

ମଧ୍ୟ ଉପତ୍ୟକାସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି;

ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.