Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 66

ପ୍ରଶଂସା ଓ ଧନ୍ୟବାଦର ଗୀତ

ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।

ହେ ସମୁଦାୟ ପୃଥିବୀ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।

ତାହାଙ୍କ ନାମର ମହିମା କୀର୍ତ୍ତନ କର;

ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର।

ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର!

ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।

ସମୁଦାୟ ପୃଥିବୀ ତୁମ୍ଭଙ୍କୁ ପ୍ରଣାମ କରିବେ

ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ;

ସେମାନେ ତୁମ୍ଭ ନାମ କୀର୍ତ୍ତନ କରିବେ।”

ଆସ ଓ ପରମେଶ୍ୱରଙ୍କ କ୍ରିୟାସକଳ ଦେଖ;

ମନୁଷ୍ୟ-ସନ୍ତାନଗଣ ପ୍ରତି ଆପଣା କ୍ରିୟାରେ ସେ ଭୟଙ୍କର ଅଟନ୍ତି।

ସେ ସମୁଦ୍ରକୁ ଶୁଷ୍କ ଭୂମି କଲେ;

ଲୋକମାନେ ନଦୀ ମଧ୍ୟଦେଇ ପାଦରେ ଗମନ କଲେ;

ସେହି ସ୍ଥାନରେ ଆମ୍ଭେମାନେ ତାହାଙ୍କଠାରେ ଆନନ୍ଦ କଲୁ।

ସେ ଆପଣା ପରାକ୍ରମରେ ଅନନ୍ତକାଳ କର୍ତ୍ତୃତ୍ୱ କରନ୍ତି;

ତାହାଙ୍କ ଚକ୍ଷୁ ଗୋଷ୍ଠୀସମୂହକୁ ନିରୀକ୍ଷଣ କରେ;

ବିଦ୍ରୋହୀମାନେ ଆପଣାମାନଙ୍କୁ ଉନ୍ନତ ନ କରନ୍ତୁ। [ସେଲା]

ହେ ଜନବୃନ୍ଦ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର

ଓ ତାହାଙ୍କ ପ୍ରଶଂସାର ଧ୍ୱନି ଶୁଣାଅ;

ସେ ଆମ୍ଭମାନଙ୍କ ପ୍ରାଣକୁ ଜୀବଦ୍ଦଶାରେ ରଖନ୍ତି

ଓ ଆମ୍ଭମାନଙ୍କ ଚରଣକୁ ବିଚଳିତ ହେବାକୁ ଦିଅନ୍ତି ନାହିଁ।

କାରଣ ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପରୀକ୍ଷା କରିଅଛ;

ରୂପା ପରଖିଲା ପରି ତୁମ୍ଭେ ଆମ୍ଭମାନଙ୍କୁ ପରଖିଅଛ।

ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ,

ତୁମ୍ଭେ ଆମ୍ଭମାନଙ୍କ କଟିଦେଶରେ ଭାରୀ ବୋଝ ଥୋଇଅଛ।

ତୁମ୍ଭେ ଆମ୍ଭମାନଙ୍କ ମସ୍ତକ ଉପରେ ଲୋକମାନଙ୍କୁ ଚଢ଼ିବାକୁ ଦେଇଅଛ;

ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟଦେଇ ଗମନ କଲୁ;

ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ।

ମୁଁ ହୋମବଳି ନେଇ ତୁମ୍ଭ ଗୃହକୁ ଆସିବି,

ମୁଁ ସଙ୍କଟରେ ଥିଲା ବେଳେ

ମୋʼ ଓଷ୍ଠାଧର ଯାହା ଉଚ୍ଚାରଣ କରିଅଛି

ଓ ମୋʼ ମୁଖ ଯାହା କହିଅଛି,

ମୋହର ସେହି ସବୁ ମାନତ ତୁମ୍ଭ ଉଦ୍ଦେଶ୍ୟରେ ପୂର୍ଣ୍ଣ କରିବି।

ମୁଁ ତୁମ୍ଭ ଉଦ୍ଦେଶ୍ୟରେ ମେଷରୂପ ଧୂପ ସହିତ

ହୃଷ୍ଟପୁଷ୍ଟ ହୋମବଳି ଉତ୍ସର୍ଗ କରିବି;

ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। [ସେଲା]

ହେ ପରମେଶ୍ୱରଙ୍କ ଭୟକାରୀ ସମସ୍ତେ, ଆସ ଶୁଣ,

ଆଉ ସେ ଆମ୍ଭ ପ୍ରାଣ ପାଇଁ ଯାହା କରିଅଛନ୍ତି, ତାହା ମୁଁ ବର୍ଣ୍ଣନା କରିବି।

ମୁଁ ଆପଣା ମୁଖରେ ତାହାଙ୍କୁ ଡାକିଲି

ଓ ମୋʼ ଜିହ୍ୱା ଦ୍ୱାରା ସେ ପ୍ରତିଷ୍ଠିତ ହେଲେ।

ଯଦି ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ,

ତେବେ ପ୍ରଭୁ ମୋʼ କଥା ଶୁଣିବେ ନାହିଁ;

ମାତ୍ର ନିଶ୍ଚୟ ପରମେଶ୍ୱର ମୋʼ କଥା ଶୁଣିଅଛନ୍ତି,

ସେ ମୋʼ ପ୍ରାର୍ଥନାର ରବରେ ମନୋଯୋଗ କରିଅଛନ୍ତି।

ପରମେଶ୍ୱର ଧନ୍ୟ ହେଉନ୍ତୁ,

ସେ ମୋହର ପ୍ରାର୍ଥନା କିଅବା

ମୋʼ ଠାରୁ ଆପଣା ଦୟା ଦୂର କରି ନାହାନ୍ତି।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.