Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 64

ସୁରକ୍ଷା ପାଇଁ ପ୍ରାର୍ଥନା

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

ହେ ପରମେଶ୍ୱର, ମୋʼ କାକୂକ୍ତିର ରବ ଶ୍ରବଣ କର;

ଶତ୍ରୁ ଭୟରୁ ମୋʼ ଜୀବନ ରକ୍ଷା କର।

କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ,

ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ;

ସେମାନେ ଖଡ୍ଗ ପରି ଆପଣା ଜିହ୍ୱା ଶାଣିତ କରିଅଛନ୍ତି

ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି;

ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ;

ସେମାନେ ହଠାତ୍‍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ।

ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି;

ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି;

ସେମାନେ କହନ୍ତି, “ଆମ୍ଭମାନଙ୍କୁ1 କିଏ ଦେଖିବ?”

ସେମାନେ ଅଧର୍ମ କଳ୍ପନା କରନ୍ତି;

“ଆମ୍ଭେମାନେ ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ” ବୋଲି ସେମାନେ କହନ୍ତି;

ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର।

ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ତୀର ନିକ୍ଷେପ କରିବେ;

ସେଥିରେ ସେମାନେ ହଠାତ୍‍ ଆହତ ହେବେ।

ଏହିରୂପେ ସେମାନେ ନିପାତିତ ହେବେ,

ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ;

ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ;

ପୁଣି, ସକଳ ମନୁଷ୍ୟ ଭୟ କରିବେ,

ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ

ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ।

ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ

ଓ ତାହାଙ୍କର ଶରଣାଗତ ହେବ।

ପୁଣି, ସରଳାନ୍ତଃକରଣ ସମସ୍ତେ ସଦାପ୍ରଭୁଙ୍କଠାରେ ପ୍ରଶଂସା କରିବେ।

Source notes (1)
  1. Footnote ଆମ୍ଭମାନଙ୍କୁ ସେମାନଙ୍କୁ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.