Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଫିଲୀମୋନ 1

ଅଭିବାଦନ

ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଏବଂ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନଙ୍କୁ, ପୁଣି, ଭଉଣୀ ଆପ୍ପିୟା ଏବଂ ଆମ୍ଭମାନଙ୍କ ସହ-ସୈନିକ ଆର୍ଖିପ୍ପ ଓ ତୁମ୍ଭ ଗୃହସ୍ଥିତ ମଣ୍ଡଳୀ ନିକଟକୁ ପତ୍ର ଆଉ ଭ୍ରାତା ତୀମଥିଙ୍କ ଅଭିବାଦନ; ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

ଫିଲୀମୋନଙ୍କ ପ୍ରେମ ଓ ବିଶ୍ୱାସ

ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ବିଷୟ ଶୁଣି ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି, ଯେପରି ତୁମ୍ଭ ବିଶ୍ୱାସର ସହଭାଗିତା, ଆମ୍ଭମାନଙ୍କୁ ଦିଆଯାଇଥିବା ସମସ୍ତ ଉତ୍ତମ ବିଷୟ ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ଖ୍ରୀଷ୍ଟଙ୍କ ପକ୍ଷରେ କାର୍ଯ୍ୟସାଧକ ହୁଏ। କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି।

ଅନୀସିମଙ୍କ ପାଇଁ ପାଉଲଙ୍କ ଅନୁରୋଧ

ଅତଏବ ଯାହା ଉପଯୁକ୍ତ, ସେ ସମ୍ବନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି, ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ, ମୋହର ଏପରି ବନ୍ଧନ ଅବସ୍ଥାରେ ମୋହର ଆତ୍ମିକ ବତ୍ସ ଅନୀସିମ ନିମନ୍ତେ ତୁମ୍ଭକୁ ଅନୁରୋଧ କରୁଅଛି: ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମଣ୍ୟ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇଅଛି, ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି। ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା, କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ, ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବାଧ୍ୟ ବାଧକତାରେ କଲା ପରି ନ ହୋଇ ସ୍ୱଚ୍ଛନ୍ଦ ମନରେ ହେବ। କାରଣ ହୋଇପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍‍, ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଅନନ୍ତକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା; ବିଶେଷ ଭାବରେ ସେ ମୋହର ଜଣେ ପ୍ରିୟ ଭାଇ, ଅତଏବ, ପ୍ରଭୁଙ୍କଠାରେ ଓ ଶାରୀରିକ ଭାବରେ ସେ ତୁମ୍ଭ ଓ ମୋ ପ୍ରତି କେତେ ଅଧିକ ପ୍ରିୟ ନ ହେବ। ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲା ପରି ତାହାକୁ ଗ୍ରହଣ କର। ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ କିମ୍ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖିରଖ; ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି। ତୁମ୍ଭେ ନିଜେ ଯେ ମୋʼ ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ। ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ। ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତାʼ ଠାରୁ ଅଧିକ ମଧ୍ୟ କରିବ। ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି।

ଶେଷ ଶୁଭେଚ୍ଛା

ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା ଏବଂ ମୋହର ସହକର୍ମୀମାନେ ଯେ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ। ଆମେନ୍।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.