Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

କଲସୀୟ 1

ଅଭିବାଦନ

ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, କଲସୀୟ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଭ୍ରାତୃବୃନ୍ଦଙ୍କ ନିକଟକୁ ପତ୍ର ଆଉ ଭ୍ରାତା ତୀମଥିଙ୍କ ଅଭିବାଦନ; ଆମ୍ଭମାନଙ୍କ ପିତା ଈଶ୍ବରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

ଧନ୍ୟବାଦାର୍ଥକ ପ୍ରାର୍ଥନା

ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଈଶ୍ବରଙ୍କୁ ସର୍ବଦା ଧନ୍ୟବାଦ ଦେଉଅଛୁ। କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଏବଂ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ରଖାଯାଇଥିବା ଭରସା ସକାଶେ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଅଛୁ। ସେହି ଭରସା ବିଷୟରେ ତୁମ୍ଭେମାନେ ସୁସମାଚାରର ସତ୍ୟ ବାକ୍ୟ ଦ୍ୱାରା ପୂର୍ବେ ଶୁଣିଅଛ। ସେହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି, ତାହା ଯେପରି ସମସ୍ତ ଜଗତରେ ଫଳବନ୍ତ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମ୍ଭେମାନେ ଯେଉଁ ଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ବରଙ୍କ ଅନୁଗ୍ରହର ବୋଧ ପାଇଲ, ସେହି ଦିନଠାରୁ ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି। ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ; ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ; ସେ ମଧ୍ୟ ଆତ୍ମାରେ ତୁମ୍ଭମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି। ଏଣୁ ତାହା ଶୁଣିବା ଦିନଠାରୁ ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ କ୍ଷାନ୍ତ ହେଉ ନାହୁଁ, ଯେପରି ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ବରଙ୍କ ଅଭିମତ ଜ୍ଞାତ ହୋଇ ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍‍, ଈଶ୍ବରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ଉତ୍ତମକର୍ମର ଫଳରେ ଫଳବାନ ହୁଅ ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ, ପୁଣି, ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ। ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି; ଯୀଶୁଙ୍କଠାରେ ଆମ୍ଭେମାନେ ମୁକ୍ତି, ଅର୍ଥାତ୍‍, ପାପ କ୍ଷମା ପାଇଅଛୁ।

ଖ୍ରୀଷ୍ଟଙ୍କର ଶ୍ରେଷ୍ଠତା

ସେ ଅଦୃଶ୍ୟ ଈଶ୍ବରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ, କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି; ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି। ଆଉ, ସେ ମଣ୍ଡଳୀରୂପ ଶରୀରର ମସ୍ତକ ସ୍ୱରୂପ, ସେ ଆଦି, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି। କାରଣ ଈଶ୍ବରଙ୍କ ସନ୍ତୋଷ ହେଲା ଯେ, ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ, ପୁଣି, ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି, ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ବରଙ୍କଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ, କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି; ତୁମ୍ଭେମାନେ ଯେବେ ବିଶ୍ୱାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ, ତାହାହେଲେ ନିଶ୍ଚୟ ଏହିସବୁ ଫଳ ପାଇବ; ସେହି ସୁସମାଚାର ତୁମ୍ଭେମାନେ ତ ଶୁଣିଅଛ; ତାହା ଆକାଶମଣ୍ଡଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ ପ୍ରଚାରିତ ହୋଇଅଛି, ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି।

ମଣ୍ଡଳୀ ନିମନ୍ତେ ପାଉଲଙ୍କ ସେବାକାର୍ଯ୍ୟ

ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି; ଈଶ୍ବର ମୋତେ ଯେଉଁ ଭଣ୍ଡାରଘରିଆ ପଦ ତୁମ୍ଭମାନଙ୍କ ନିମନ୍ତେ ଦେଇଅଛନ୍ତି, ତଦନୁସାରେ ମୁଁ ସେହି ମଣ୍ଡଳୀର ଜଣେ ସେବକ ହୋଇଅଛି, ଯେପରି ମୁଁ ଈଶ୍ବରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଚାର କରେ। ସେହି ନିଗୂଢ଼ତତ୍ତ୍ୱ ପ୍ରାଚୀନକାଳ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି। ଅଣଯିହୁଦୀମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ୱର ଗୌରବରୂପ ଧନ ଯେ କଅଣ, ତାହା ଈଶ୍ବର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ ସେହି ନିଗୂଢ଼ତତ୍ତ୍ୱ ଏହି, ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟ, ସେ ଗୌରବର ଭରସା ସ୍ୱରୂପ; ତାହାଙ୍କୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି, ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ; ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋʼ ଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.