Skip to content
BibleKenya

Biblica® Open Odia Contemporary Bible

ପ୍ରକାଶିତ ବାକ୍ୟ 17

ପଶୁ ଉପରେ ଉପବିଷ୍ଟା ନାରୀ

ସପ୍ତପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ମୋ ନିକଟକୁ ଆସି କହିଲେ, “ଆସ, ବହୁନଦନଦୀ ଉପରେ ଉପବିଷ୍ଟା ସେହି ମହାବେଶ୍ୟା କି ଦଣ୍ଡ ପାଇବ, ତାହା ମୁଁ ତୁମକୁ ଦେଖାଇବି। ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କଲେ, ଏବଂ ପୃଥିବୀନିବାସୀମାନେ ତାହାର ବ୍ୟଭିଚାରରୂପ ସୁରାରେ ମତ୍ତ ହେଲେ।”

ଏହାପରେ ଦୂତ ମୋତେ ଆତ୍ମାରେ ଏକ ମରୁଅଞ୍ଚଳକୁ ନେଇଗଲେ। ସେଠାରେ ମୁଁ ଜଣେ ନାରୀକୁ ଏକ ଲୋହିତବର୍ଣ୍ଣର ପଶୁ ଉପରେ ବସିଥିବାର ଦେଖିଲି ସେହି ପଶୁର ସର୍ବାଙ୍ଗ ଈଶ୍ୱର-ନିନ୍ଦାସୂଚକ ନାମରେ ପୂର୍ଣ୍ଣ ଥିଲା ଓ ତାହାର ସାତ ମସ୍ତକ ଓ ଦଶ ଶୃଙ୍ଗ ଥିଲା। ସେହି ନାରୀ ବାଇଗଣିଆ ଓ ନାଲି ରଙ୍ଗର ଲୁଗା ପିନ୍ଧିଥିଲା, ଏବଂ ସୁବର୍ଣ୍ଣ ଓ ମଣିମୁକ୍ତାରେ ବିଭୂଷିତା ଥିଲା। ତାହାର ହାତରେ ଥିଲା ଏକ ସୁବର୍ଣ୍ଣପାତ୍ର, ଯାହାକି ଘୃଣ୍ୟ ବସ୍ତୁରେ ଏବଂ ତାହାର ବ୍ୟଭିଚାରର ଅଶୁଚିତାରେ ପୂର୍ଣ୍ଣ। ତାହାର କପାଳରେ ଏହିଗୂଢ଼ ରହସ୍ୟ ଉପାଧି ଲିଖିତ ଥିଲା:

ମହାନଗରୀ ବାବିଲୋନ

ବେଶ୍ୟାମାନଙ୍କର ଏବଂ

ପୃଥିବୀର ଘୃଣ୍ୟ ବିଷୟସବୁର ଜନନୀ।

ମୁଁ ଦେଖିଲି ସେହି ନାରୀ ସାଧୁମାନଙ୍କ ରକ୍ତ, ଓ ଯୀଶୁଙ୍କର ସାକ୍ଷୀମାନଙ୍କର ରକ୍ତ ପାନ କରି ମତ୍ତ ହୋଇଅଛି।

ମୁଁ ତାହାକୁ ଦେଖି ଅତିଶୟ ଆଚମ୍ବିତ ହେଲି। ତହୁଁ ଦୂତ ମୋତେ କହିଲେ, କାହିଁକି ତୁମେ ଆଚମ୍ବିତ ହେଉଅଛ? ସେହି ନାରୀର ଏବଂ ତାହାର ବାହନ, ସପ୍ତ ମସ୍ତକ ଓ ଦଶ ଶୃଙ୍ଗବିଶିଷ୍ଟ ପଶୁର ଗୂଢ଼ ରହସ୍ୟ ମୁଁ ତୁମକୁ ବୁଝାଇ ଦେବି। ତୁମେ ଯେଉଁ ପଶୁକୁ ଦେଖିଲ, ସେ ଏକଦା ଥିଲା, ଏବେ ନାହିଁ ଏବଂ ଅତଳସ୍ପର୍ଶୀ ଗହ୍ଵରରୁ ଉଠି ବିନାଶପ୍ରାପ୍ତ ହେବ। ଜଗତର ସୃଷ୍ଟି କାଳରୁ ଯେତେ ଲୋକଙ୍କର ନାମ ଜୀବନପୁସ୍ତକରେ ଲିଖିତ ନାହିଁ, ସେମାନେ ପଶୁକୁ ଦେଖି ଆଚମ୍ବିତ ହେବେ, କାରଣ ସେ ଏକଦା ଥିଲା, ଏବେ ନାହିଁ, ତଥାପି ପରେ ଆସିବ।

“ଏଥିପାଇଁ ଜ୍ଞାନବିଶିଷ୍ଟ ମନ ଥିବା ଆବଶ୍ୟକ। ସାତ ମସ୍ତକ ସାତ ପାହାଡ଼କୁ ବୁଝାଏ ଯାହା ଉପରେ ନାରୀ ଉପବିଷ୍ଟା ଏଗୁଡ଼ିକ ସାତ ରାଜାଙ୍କୁ ମଧ୍ୟ ବୁଝାଏ। ପାଞ୍ଚ ଜଣଙ୍କର ପତନ ହୋଇ ସାରିଲାଣି, ଜଣେ ଅଛି ଓ ଅନ୍ୟ ଜଣକ ଏ ଯାଏ ଆସି ନାହିଁ; କିନ୍ତୁ ଯେତେବେଳେ ଆସିବ, ସେ ଅଳ୍ପକାଳ ପାଇଁ ରହିବ। ଯେଉଁ ପଶୁ ଏକଦା ଥିଲା, କିନ୍ତୁ ବର୍ତ୍ତମାନ ନାହିଁ, ସେ ହେଉଛି ଅଷ୍ଟମ ରାଜା। କିନ୍ତୁ ସେ ସପ୍ତ ରାଜାଙ୍କ ମଧ୍ୟରେ ଅନ୍ୟତମ ଏବଂ ବିନାଶପ୍ରାପ୍ତ ହେବ।

“ତୁମେ ଯେଉଁ ଦଶ ଶୃଙ୍ଗ ଦେଖିଲ ସେଗୁଡ଼ିକ ଦଶ ରାଜାଙ୍କୁ ବୁଝାଏ ଯେଉଁମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇ ନାହାନ୍ତି, ମାତ୍ର ଏମାନେ ଏକ ଘଣ୍ଟା ପାଇଁ ପଶୁ ସହିତ ରାଜା ରୂପେ କ୍ଷମତା ପାଇବେ। ସେମାନଙ୍କର ଉଦ୍ଦେଶ୍ୟ ଏକ ଏବଂ ସେମାନେ ନିଜ ନିଜର ଶକ୍ତି ଓ କର୍ତ୍ତୃତ୍ଵ ପଶୁକୁ ସମର୍ପଣ କରିଦେବେ। ସେମାନେ ମେଷଶାବକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଏବଂ ରାଜାମାନଙ୍କର ରାଜା ତାହାଙ୍କ ସଙ୍ଗରେ ରହିଥିବେ, ତାହାଙ୍କ ଆହୂତ ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନେ।”

ଏଉତ୍ତାରେ ସ୍ଵର୍ଗଦୂତ ମୋତେ କହିଲେ, “ବେଶ୍ୟା ବସିଥିବା ଯେଉଁ ଜଳରାଶି ତୁମେ ଦେଖିଲ, ତାହା ବହୁ ଜାତି, ଜନସମାଜ, ଦେଶବାସୀ ଓ ଭାଷାବାଦୀ ଙ୍କୁ ବୁଝାଏ। ତୁମେ ଯେଉଁ ଦଶଟି ଶୃଙ୍ଗ ଓ ପଶୁକୁ ଦେଖିଲ ସେମାନେ ବେଶ୍ୟାକୁ ଘୃଣା କରିବେ। ସେମାନେ ତାହାର ସର୍ବନାଶ କରି ତାକୁ ବିବସ୍ତ୍ର କରି ଛାଡ଼ି ଦେବେ; ସେମାନେ ତାହାର ମାଂସ ଭକ୍ଷଣ କରି ତାକୁ ଅଗ୍ନିରେ ଦଗ୍‌ଧ କରିବେ। କାରଣ ଈଶ୍ୱରଙ୍କ ବାକ୍ୟସବୁ ସଫଳ ନ ହେବା ପର୍ଯ୍ୟନ୍ତ ଈଶ୍ୱର ସେମାନଙ୍କ ହୃଦୟରେ ଏପରି ପ୍ରବୃତ୍ତି ଦେଇଅଛନ୍ତି, ଯଦ୍ଦ୍ୱାରା ସେମାନେ ନିଜର ଶାସନାଧିକାର ପଶୁକୁ ସମର୍ପଣ କରିବାକୁ ଏକମତ ହେବେ ଓ ଏହା ଦ୍ଵାରା ଈଶ୍ୱରଙ୍କ ଅଭୀପ୍ରାୟ ସାଧିତ ହେବ। ତୁମେ ଯେଉଁ ନାରୀକୁ ଦେଖିଲ ସେ ପୃଥିବୀର ରାଜାମାନଙ୍କ ଉପରେ ଶାସନ କରୁଥିବା ସେହି ମହା ନଗରୀକୁ ବୁଝାଏ।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.