Skip to content
BibleKenya

Biblica® Open Odia Contemporary Bible

ପ୍ରକାଶିତ ବାକ୍ୟ 18

ବାବିଲୋନର ପତନ

ଏଉତ୍ତାରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ସେ ମହାକ୍ଷମତାପନ୍ନ ଥିଲେ, ଏବଂ ତାଙ୍କର ତେଜରେ ପୃଥିବୀ ଉଦ୍ଭାସିତ ହେଲା। ସେ ଉଚ୍ଚସ୍ଵରରେ କହିଲେ:

“ ‘ପତନ ହେଲା! ମହାନଗରୀ ବାବିଲୋନର ପତନ ହେଲା!’

ତାହା ପିଶାଚମାନଙ୍କର ବାସସ୍ଥଳୀ

ଓ ମନ୍ଦ ଆତ୍ମାଗୁଡ଼ାକର ଏବଂ

ସବୁ ଅଶୁଚି ଓ ଘୃଣ୍ୟ ପକ୍ଷୀ,

ମାନଙ୍କର ଆଡ୍‌ଡାସ୍ଥଳୀ ହୋଇଅଛି।

କାରଣ ସବୁ ଜାତି ତାହାର ବ୍ୟଭିଚାର

ରୂପ ଉତ୍ତେଜକ ସୁରା ପାନ କରିଅଛନ୍ତି।

ପୃଥିବୀର ରାଜାମାନେ ତା ସହିତ ବ୍ୟଭିଚାର କରିଅଛନ୍ତି,

ଓ ପୃଥିବୀର ବଣିକମାନେ ତାହାର ବିପୁଳ ବିଳାସ ସାମଗ୍ରୀ ଦ୍ଵାରା ଧନବାନ୍ ହୋଇଅଛନ୍ତି।”

ତହୁଁ ମୁଁ ଆଉ ଏକ ସ୍ଵର ସ୍ଵର୍ଗରୁ ଏହା କହିବାର ଶୁଣିଲି,

“ ‘ହେ ମୋହର ଲୋକମାନେ, ତା ମଧ୍ୟରୁ ବାହାରି ଆସ,’

ତା ହେଲେ ତୁମ୍ଭେମାନେ ତାହାର ପାପରେ ଭାଗୀ ହେବ ନାହିଁ,

ତୁମ୍ଭେମାନେ ତାହାର ମହାମାରୀ ଭୋଗ କରିବ ନାହିଁ;

କାରଣ ତାହାର ପାପରାଶି ଆକାଶ ପର୍ଯ୍ୟନ୍ତ ସ୍ତୂପୀକୃତ ହୋଇଅଛି,

ଓ ଈଶ୍ୱର ତାହାର ଅପରାଧସବୁ ସ୍ମରଣ କରିଅଛନ୍ତି।

ସେ ଯେପରି ଦେଇଅଛି ତାକୁ ସେହି ପରିମାଣରେ ଫେରାଇ ଦିଅ;

ସେ କରିଥିବା କର୍ମର ଦ୍ୱିଗୁଣ ପ୍ରତିଫଳ ଦିଅ।

ତା ନିଜ ପାତ୍ରରେ ସେ ଅନ୍ୟମାନଙ୍କ ପାଇଁ ଯେଉଁ ସୁରା ମିଶ୍ରିତ କରିଥିଲା ସେଥିରେ ତା ପାଇଁ ଦ୍ୱିଗୁଣ ସୁରା ମିଶ୍ରିତ କର।

ସେ ନିଜକୁ ଯେତିକି ଗୌରବ ଦେଇଅଛି ଓ ଯେତିକି ଭୋଗବିଳାସରେ କାଳ କାଟିଅଛି

ତାକୁ ସେହି ପରିମାଣରେ ଯନ୍ତ୍ରଣା ଓ ଦୁଃଖ ଦିଅ।

ସେ ମନେ ମନେ ଗର୍ବ କରି କହେ,

‘ମୁଁ ରାଣୀ ପରି ବସିଅଛି।

ମୁଁ ବିଧବା ନୁହେଁ;

ଏବଂ ମୁଁ କେବେ ଶୋକ କରିବି ନାହିଁ।’

ସେଥିପାଇଁ ଦିନକ ମଧ୍ୟରେ ଏହିସବୁ ବିପତ୍ତି

ଅର୍ଥାତ୍ ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ତାହା ପ୍ରତି ଘଟିବ।

ସେ ଅଗ୍ନିରେ ଭସ୍ମସାତ୍ ହେବ,

କାରଣ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ୱର ଶକ୍ତିମାନ ଅଟନ୍ତି।

“ତାହା ସହିତ ବ୍ୟଭିଚାର କରିଥିବା ଓ ତାହାର ଭୋଗବିଳାସରେ ଅଂଶୀ ହୋଇଥିବା ପୃଥିବୀର ରାଜାଗଣ ତାହାର ଦହନର ଧୂମ ଦେଖି, ତାହା ପାଇଁ କ୍ରନ୍ଦନ ଓ ବିଳାପ କରିବେ। ସେମାନେ ତାର ଯନ୍ତ୍ରଣାରେ ଆତଙ୍କିତ ହୋଇ ଦୂରରେ ଠିଆ ହେବେ ଓ ଚିତ୍କାର କରି କହିବେ:

“ ‘ହାୟ! ହାୟରେ ମହାନଗରୀ,

ହେ ଶକ୍ତିଶାଳୀ ନଗରୀ ବାବିଲୋନ!

ଘଣ୍ଟାକ ମଧ୍ୟରେ ତୋ ଉପରେ ସର୍ବନାଶ ଆସିଗଲା!’

“ପୃଥିବୀର ବଣିକମାନେ ତା ପାଇଁ କ୍ରନ୍ଦନ ଓ ବିଳାପ କରିବେ, କାରଣ ସେମାନଙ୍କ ପଣ୍ୟ ଦ୍ରବ୍ୟ ଆଉ କେହି କିଣିବେ ନାହିଁ: ପଣ୍ୟ ଦ୍ରବ୍ୟସବୁ ଏହା ଅଟେ ସୁନା, ରୂପା, ମଣିମାଣିକ୍ୟ ଓ ମୁକ୍ତା, ସୂକ୍ଷ୍ମ ବସ୍ତ୍ର, ବାଇଗଣି ରଙ୍ଗର ରେଶମ ଓ ଗାଢ଼ ଲୋହିତବର୍ଣ୍ଣର ବସ୍ତ୍ରସୁବାସଯୁକ୍ତ ସମସ୍ତ ପ୍ରକାର କାଷ୍ଠ, ହସ୍ତୀଦନ୍ତ ନିର୍ମିତ ସମସ୍ତ ସାମଗ୍ରୀ, ସବୁପ୍ରକାର ମୂଲ୍ୟବାନ୍ କାଷ୍ଠ, କନସା, ଲୌହ ଏବଂ ମର୍ମର ପ୍ରସ୍ତର ନିର୍ମିତ ସାମଗ୍ରୀ; ଦାଳଚିନି, ମସଲା, ଧୂପ, ଗୁଗୁଳ, ଗନ୍ଧରସ, ସୁରା, ଅଲିଭ ତୈଳ, ଉତ୍କୃଷ୍ଟ ମଇଦା, ଗହମ; ଗୋରୁ ଓ ମେଷ, ଅଶ୍ୱ ଓ ରଥ; କ୍ରୀତଦାସ ଓ ମନୁଷ୍ୟମାନଙ୍କର ପ୍ରାଣ।

“ସେମାନେ କହିବେ, ‘ଯେଉଁ ଫଳ ତୁ ଲାଭ କରିବୁ ବୋଲି ଇଛା କରିଥିଲୁ, ତାହା ତୋ ଠାରୁ ଅପସାରିତ ହୋଇଅଛି। ତୋର ସମସ୍ତ ଧନଦ୍ରବ୍ୟ ଓ ଆଡ଼ମ୍ବର ଲୋପ ପାଇଅଛି, ତାହା ଆଉ କେବେ ଫେରି ଆସିବ ନାହିଁ।’ ଯେଉଁ ବଣିକମାନେ ଏହିସବୁ ପଣ୍ୟ ଦ୍ରବ୍ୟ କିଣାବିକା କରି ତାହାଠାରୁ ଧନଲାଭ କରୁଥିଲେ, ସେମାନେ ତାହାର ଯନ୍ତ୍ରଣାରେ ଆତଙ୍କିତ ହୋଇ ଦୂରରେ ଠିଆ ହେବେ। ସେମାନେ କ୍ରନ୍ଦନ ଓ ବିଳାପ କରିବେ ଏବଂ ଚିତ୍କାର କରି କହିବେ:

“ ‘ହାୟ! ହାୟରେ ମହାନଗରୀ,

ତୁ ବାଇଗଣି ଓ ଲୋହିତବର୍ଣ୍ଣର ସୂକ୍ଷ୍ମ ବସ୍ତ୍ର ପରିହିତା,

ଏବଂ ସୁବର୍ଣ୍ଣ, ମଣିମାଣିକ୍ୟ ଓ ମୁକ୍ତାରେ ସୁଶୋଭିତା ଥିଲୁ!

ଘଣ୍ଟାକ ମଧ୍ୟରେ ଏହି ବିପୁଳ ଧନସମ୍ପଦ ଧ୍ୱଂସ ପାଇଗଲା!’

“ସବୁ ଜାହାଜ ଚାଳକ, ଓ ଜାହାଜ ଯାତ୍ରୀମାନେ, ନାବିକମାନେ, ଓ ସମୁଦ୍ରରେ ବ୍ୟବସାୟ କରୁଥିବା ଲୋକ, ସମସ୍ତେ ଦୂରରେ ଠିଆ ହେବେ। ସେମାନେ ତାହାର ଦହନର ଧୂମ ଦେଖି, ଚିତ୍କାର କରି କହିବେ, ଏହି ମହାନଗରୀ ସଦୃଶ ଆଉ କୌଣସି ନଗର କେବେ ଥିଲା କି? ସେମାନେ ମୁଣ୍ଡରେ ଧୂଳି ପକାଇ, କ୍ରନ୍ଦନ ଓ ବିଳାପ କରୁ କରୁ ଚିତ୍କାର କରି କହିବେ,

“ ‘ହାୟ! ହାୟରେ ମହାନଗରୀ,

ଏହିଠାରେ ସମୁଦ୍ରଗାମୀ ଜାହାଜର ମାଲିକମାନେ

ତାହାର ସମ୍ପଦରେ ଧନବାନ୍ ହୋଇଥିଲେ!

ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ପାଇଗଲା!’

“ହେ ସ୍ଵର୍ଗ, ତା ଉପରେ ବିଜୟଉଲ୍ଲାସ କର!

ହେ ସାଧୁବୃନ୍ଦ ଓ ପ୍ରେରିତଶିଷ୍ୟଗଣ

ଏବଂ ଭାବବାଦୀମାନେ ଆନନ୍ଦୋଲ୍ଲାସ କର!

ସେ ତୁମ୍ଭମାନଙ୍କ ପ୍ରତି ଯେଉଁ ପ୍ରକାର ବ୍ୟବହାର କରିଥିଲା

ଈଶ୍ୱର ତାହାକୁ ସମୁଚିତ ଦଣ୍ଡ ଦେଇଅଛନ୍ତି।”

ତତ୍ପରେ ଜଣେ ପରାକ୍ରମୀ ଦୂତ ବୃହତ୍ ଚକିପଥର ପରି ଏକ ପଥର ଉଠାଇଲେ ଓ ସମୁଦ୍ରରେ ନିକ୍ଷେପ କରି କହିଲେ,

“ମହାନଗରୀ ବାବିଲୋନ

ଏହିପରି ଭୟାନକଭାବେ ତଳେ ନିକ୍ଷିପ୍ତ ହେବ,

ଆଉ କେବେ ତାହାର ସନ୍ଧାନ ମିଳିବ ନାହିଁ।

ବଂଶୀବାଦକ, ବାଦ୍ୟକାର, ବଂଶୀବାଦକ ଓ ତୂରୀବାଦକମାନଙ୍କର

ସୁମଧୁର ଧ୍ୱନି ତୋ ମଧ୍ୟରେ ଆଉ କେବେ ଶୁଣାଯିବ ନାହିଁ।

କୌଣସି ବ୍ୟବସାୟର ଶିଳ୍ପି

ତୋ ମଧ୍ୟରେ ଆଉ କେବେ ଦେଖାଯିବେ ନାହିଁ।

ଚକିରେ ପେଷିବା ଶଦ୍ଦ

ତୋ ମଧ୍ୟରେ ଆଉ କେବେ ଶୁଣାଯିବ ନାହିଁ।

ପ୍ରଦୀପର ଆଲୋକ

ଆଉ କେବେ ତୋ ମଧ୍ୟରେ ଜଳିବ ନାହିଁ।

ବର ଓ କନ୍ୟାର ସ୍ଵର

ତୋ ମଧ୍ୟରେ ଆଉ ଶୁଭିବ ନାହିଁ।

ତୋର ବଣିକମାନେ ଜଗତର ବିଖ୍ୟାତ ଲୋକ ଥିଲେ।

ତୋର ମୋହିନୀଶକ୍ତିରେ ତୁ ସବୁ ଜାତିଙ୍କୁ ବିପଥଗାମୀ କରିଥିଲୁ।

ଆହୁରି ମଧ୍ୟ ତାହା ମଧ୍ୟରେ ଭାବବାଦୀମାନଙ୍କର ଓ ସାଧୁବୃନ୍ଦଙ୍କର,

ପୁଣି ପୃଥିବୀରେ ନିହତ ହୋଇଥିବା ସମସ୍ତଙ୍କ ରକ୍ତ ଦେଖିବାକୁ ମିଳିଥିଲା।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.