Skip to content
BibleKenya

Biblica® Open Odia Contemporary Bible

ପ୍ରକାଶିତ ବାକ୍ୟ 16

ଈଶ୍ୱରଙ୍କ କ୍ରୋଧପୂର୍ଣ୍ଣ ସପ୍ତ ପାତ୍ର

ଏଉତ୍ତାରେ ମୁଁ ମନ୍ଦିର ମଧ୍ୟରୁ ଏକ ଉଚ୍ଚ ସ୍ଵର ସପ୍ତ ଦୂତଙ୍କୁ ଏହା କହିବାର ଶୁଣିଲି, “ଯାଅ, ସପ୍ତ ପାତ୍ରରେ ଥିବା ଈଶ୍ୱରଙ୍କ କୋପ ପୃଥିବୀ ଉପରେ ଢାଳି ଦିଅ।”

ତହୁଁ ପ୍ରଥମ ଦୂତ ଯାଇ ସ୍ଥଳ ଉପରେ ନିଜ ପାତ୍ରକୁ ଅଜାଡ଼ି ଦେଲେ, ଏବଂ ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକଙ୍କ ଶରୀରରେ ଜଘନ୍ୟ ଓ ଯନ୍ତ୍ରଣାଦାୟକ ବିସ୍ଫୋଟକ ବାହାରିଲା।

ଦ୍ୱିତୀୟ ଦୂତ ସାଗର ଉପରେ ନିଜ ପାତ୍ରକୁ ଅଜାଡ଼ି ଦେଲେ, ଏବଂ ସାଗର ଜଳ ମୃତ୍ୟୁ ଲୋକର ରକ୍ତ ପରି ହୋଇଗଲା ଓ ସମୁଦ୍ରସ୍ଥ ସମସ୍ତ ପ୍ରାଣୀ ମଲେ।

ତୃତୀୟ ଦୂତ ନଦନଦୀ ଓ ଝରଣାଗୁଡ଼ିକ ଉପରେ ନିଜ ପାତ୍ରକୁ ଅଜାଡ଼ି ଦେଲେ ଏବଂ ସେଗୁଡ଼ିକ ରକ୍ତ ପାଲଟିଗଲା। ତତ୍ପରେ ଜଳସମୂହର ଦାୟିତ୍ଵରେ ଥିବା ଦୂତଙ୍କୁ ଏହା କହିବାର ମୁଁ ଶୁଣିଲି,

“ହେ ପବିତ୍ର ଜନ, ତୁମ୍ଭେ ବର୍ତ୍ତମାନ ଓ ଅତୀତ,

ତୁମ୍ଭେ ଏହି ପ୍ରକାରେ ଦଣ୍ଡବିଧାନ କରିଥିବାରୁ ତୁମ୍ଭର ସମସ୍ତ ବିଚାରରେ ତୁମ୍ଭେ ନ୍ୟାୟବାନ୍ ଅଟ;

ସେମାନେ ତୁମ୍ଭର ସାଧୁବୃନ୍ଦ ଓ ଭାବବାଦୀମାନଙ୍କର ରକ୍ତପାତ କରିଥିବାରୁ,

ତୁମ୍ଭେ ସେମାନଙ୍କୁ ପାନ କରିବାକୁ ରକ୍ତ ଦେଇଅଛ ଏହା ହିଁ ସେମାନଙ୍କର ପ୍ରାପ୍ୟ।”

ସେତେବେଳେ ବେଦି ଏହି ଉତ୍ତର ଦେବାର ମୁଁ ଶୁଣିଲି:

“ହିଁ, ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର,

ତୁମ୍ଭର ବିଚାର ସବୁ ଯଥାର୍ଥ ଓ ନ୍ୟାୟସଙ୍ଗତ।”

ତତ୍ପରେ ଚତୁର୍ଥ ଦୂତ ସୂର୍ଯ୍ୟ ଉପରେ ନିଜର ପାତ୍ରକୁ ଅଜାଡ଼ି ଦେଲେ, ଏବଂ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍‌ଧ କରିବା ପାଇଁ ସୂର୍ଯ୍ୟକୁ କ୍ଷମତା ଦିଆଗଲା। ପ୍ରଚଣ୍ଡ ଉତ୍ତାପରେ ସେମାନେ ଜଳିଗଲେ ଏବଂ ଏହିସମସ୍ତ ମହାମାରୀ ଉପରେ ଯାହାଙ୍କର କ୍ଷମତା ଅଛି, ସେହି ଈଶ୍ୱରଙ୍କ ନାମର ନିନ୍ଦା କଲେ, କିନ୍ତୁ ସେମାନେ ଅନୁତାପ କଲେ ନାହିଁ କି ତାହାଙ୍କୁ ଗୌରବ ଦେଲେ ନାହିଁ।

ପଞ୍ଚମ ଦୂତ ପଶୁର ସିଂହାସନ ଉପରେ ନିଜର ପାତ୍ରକୁ ଅଜାଡ଼ି ଦେଲେ, ଏବଂ ତାହାର ରାଜ୍ୟ ଅନ୍ଧକାରାଚ୍ଛନ୍ନ ହେଲା। ଲୋକେ ଯନ୍ତ୍ରଣାରେ ନିଜ ନିଜର ଜିଭ କାମୁଡ଼ିଲେ ଏବଂ ସେମାନଙ୍କ କଷ୍ଟ ଓ ବିସ୍ଫୋଟକ ହେତୁ ସ୍ଵର୍ଗସ୍ଥ ଈଶ୍ୱରଙ୍କର ନିନ୍ଦା କଲେ, କିନ୍ତୁ ନିଜର କର୍ମ ସକାଶେ ଅନୁତାପ କଲେ ନାହିଁ।

ଷଷ୍ଠ ଦୂତ ମହାନଦୀ ଇଉଫ୍ରେଟିସ୍ ଉପରେ ନିଜର ପାତ୍ରକୁ ଅଜାଡ଼ି ଦେଲେ, ଏବଂ ପୂର୍ବଦିଗରୁ ରାଜାମାନଙ୍କ ପାଇଁ ପଥ ପ୍ରସ୍ତୁତ କରିବାକୁ ନଦୀଜଳ ଶୁଷ୍କ ହେଲା। ଏହାପରେ ମୁଁ ବେଙ୍ଗରୂପୀ ତିନୋଟି ମନ୍ଦ ଆତ୍ମା ଦେଖିଲି; ସେଗୁଡ଼ିକ ସେହି ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ଡ ଭବିଷ୍ୟଦ୍‌ବକ୍ତାର ମୁଖରୁ ବାହାରିଲେ। ଏମାନେ ଆଶ୍ଚର୍ଯ୍ୟ କର୍ମ କରୁଥିବା ପୈଶାଚିକ ଆତ୍ମା, ଏବଂ ଏମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ମହା ଦିବସରେ ଯୁଦ୍ଧ ନିମନ୍ତେ, ସମଗ୍ର ଜଗତର ରାଜାମାନଙ୍କୁ ଏକତ୍ର କରିବାକୁ ବାହାରି ଯାଆନ୍ତି।

“ଦେଖ, ମୁଁ ଚୋର ପରି ଆସୁଅଛି! ଯେ ଜାଗ୍ରତ ରହିଥିବ ଓ ନିଜର ବସ୍ତ୍ରାଦି ପ୍ରସ୍ତୁତ ରଖିଥିବ, ସେ ଧନ୍ୟ ତା ହେଲେ, ସେ ଉଲଗ୍ନ ହୋଇ ବାହାରି ଯିବ ନାହିଁ ଓ ତାହାର ଲଜ୍ଜା ପ୍ରକାଶ ପାଇବ ନାହିଁ।”

ତତ୍ପରେ ସେହି ମନ୍ଦ ଆତ୍ମାଗୁଡ଼ିକ ହିବ୍ରୁ ଭାଷାରେ ଯାହାକୁ ଆର୍ମାଗିଦ୍ଦୋନ କହନ୍ତି, ସେହି ସ୍ଥାନରେ ରାଜାମାନଙ୍କୁ ସମବେତ କଲେ।

ସପ୍ତମ ଦୂତ ବାୟୁମଣ୍ଡଳ ମଧ୍ୟରେ ନିଜର ପାତ୍ରକୁ ଅଜାଡ଼ି ଦେଲେ, ଏବଂ ମନ୍ଦିର ମଧ୍ୟରୁ ସିଂହାସନ ନିକଟରୁ ଏକ ଉଚ୍ଚ ସ୍ଵର ଏହା କହିଲା, “ଏହା ସାଧିତ ହେଲା!” ଏଉତ୍ତାରେ ବିଦ୍ୟୁତାଲୋକ ଝଲସି ଉଠିଲା, ଗୁରୁଗମ୍ଭୀର ଶଦ୍ଦ, ବଜ୍ରନାଦ ଓ ଭୟାବହ ଭୂମିକମ୍ପ ହେଲା। ସେହି ଭୂକମ୍ପନ ଏଡ଼େ ଭୟଙ୍କର ଥିଲା ଯେ, ପୃଥିବୀରେ ମନୁଷ୍ୟ ସୃଷ୍ଟି ହେବା କାଳରୁ ସେପରି ଭୂମିକମ୍ପ କେବେ ହୋଇନାହିଁ। ମହାନଗରୀ ତିନି ଭାଗରେ ବିଭକ୍ତ ହୋଇଗଲା, ଜାତିସମୂହର ନଗରଗୁଡ଼ିକ ଭୂମିସାତ୍ ହେଲା। ମହାନଗରୀ ବାବିଲୋନ୍‌କୁ ଈଶ୍ୱର ସ୍ମରଣ କଲେ ଏବଂ ତାହାଙ୍କର ପ୍ରଚଣ୍ଡ କୋପରୂପ ସୁରାରେ ପୂର୍ଣ୍ଣ ପାତ୍ରରୁ ସଂପୂର୍ଣ୍ଣ ରୂପେ ପାନ କରିବାକୁ ତାକୁ ଦେଲେ। ପ୍ରତ୍ୟେକ ଦ୍ୱୀପ ଅଦୃଶ୍ୟ ହେଲା ଓ ପାହାଡ଼ପର୍ବତ ଆଉ ଦେଖାଗଲା ନାହିଁ। ମନୁଷ୍ୟମାନଙ୍କ ଉପରେ ଆକାଶରୁ ଶିଳାବୃଷ୍ଟି ହେଲା, ପ୍ରତ୍ୟେକଟିର ଓଜନ ପ୍ରାୟ କିଲୋଗ୍ରାମ ଥିଲା। ଶିଳାବୃଷ୍ଟିଜନିତ ବିପତ୍ତି ଯୋଗୁ ଲୋକେ ଈଶ୍ୱରଙ୍କର ନିନ୍ଦା କଲେ, କାରଣ ସେହି ବିପତ୍ତି ଅତି ଭୟଙ୍କର ଥିଲା।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.