Skip to content
BibleKenya

Biblica® Open Odia Contemporary Bible

ପ୍ରକାଶିତ ବାକ୍ୟ 15

ସପ୍ତ ମହାମାରୀ ସହ ସପ୍ତ ଦୂତ

ଅନନ୍ତର ମୁଁ ସ୍ଵର୍ଗରେ ଆଉ ଏକ ଅତିଶୟ ଅପୂର୍ବ ଲକ୍ଷଣ ଦେଖିଲି, ଶେଷ ସାତ ମହାମାରୀ ସହ ସାତ ଦୂତ ଏହିଗୁଡ଼ିକ ଶେଷ, କାରଣ ଏତଦ୍ଦ୍ୱାରା ଈଶ୍ୱରଙ୍କ କ୍ରୋଧର ପରିସମାପ୍ତି ଘଟୁଅଛି। ପୁଣି ମୁଁ ଯାହା ଦେଖିଲି ତାହା ଅଗ୍ନି ମିଶ୍ରିତ କାଚର ଏକ ସମୁଦ୍ର ପରି ଦିଶୁଥିଲା, ମୁଁ ଦେଖିଲି ଯେଉଁମାନେ ପଶୁ ଉପରେ, ତାହାର ପ୍ରତିମା ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନେ ସମୁଦ୍ର ତୀରରେ ଠିଆ ହୋଇଅଛନ୍ତି। ସେମାନେ ଈଶ୍ୱରପ୍ରଦତ୍ତ ବୀଣା ଧରିଅଛନ୍ତି ପୁଣି ସେମାନେ ଈଶ୍ୱରଙ୍କ ସେବକ ମୋଶାଙ୍କ ଗୀତ ଏବଂ ମେଷଶାବକଙ୍କ ଗୀତ ଗାନ କରୁଅଛନ୍ତି:

“ହେ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର,

ତୁମ୍ଭର କର୍ମସକଳ ମହତ୍ ଓ ଅପୂର୍ବ।

ହେ ଜାତିଗଣର ରାଜା,

ତୁମ୍ଭର ସଂକଳ୍ପସବୁ ନ୍ୟାୟସଙ୍ଗତ ଓ ସତ୍ୟ।

ହେ ପ୍ରଭୁ, କିଏ ତୁମ୍ଭଙ୍କୁ ଭୟ ନ କରିବ,

ଓ କିଏ ତୁମ୍ଭ ନାମକୁ ଗୌରବ ନ ଦେବ?

କାରଣ କେବଳ ତୁମ୍ଭେ ହିଁ ପବିତ୍ର।

ଜାତିସମୂହ ତୁମ୍ଭ ନିକଟକୁ ଆସି

ତୁମ୍ଭର ଆରାଧନା କରିବେ,

କାରଣ ତୁମ୍ଭର ନ୍ୟାୟସଙ୍ଗତ କର୍ମସକଳ ପ୍ରକାଶିତ ହୋଇଅଛି।”

ଏଉତ୍ତାରେ ମୁଁ ଚାହିଁ ଦେଖିଲି, ସ୍ଵର୍ଗରେ ସାକ୍ଷ୍ୟତମ୍ୱର ମନ୍ଦିର ଉନ୍ମୁକ୍ତ ହେଲା। ମନ୍ଦିର ମଧ୍ୟରୁ ସପ୍ତ ମହାମାରୀ ସହ ସପ୍ତ ଦୂତ ବାହାରି ଆସିଲେ। ସେମାନେ ପରିଷ୍କୃତ, ଉଜ୍ଜ୍ୱଳ ରେଶମୀ ବସ୍ତ୍ର ପରିହିତ ଥିଲେ ଏବଂ ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। ଏହାପରେ ଚାରି ଜୀବନ୍ତ ପ୍ରାଣୀଙ୍କ ମଧ୍ୟରୁ ଜଣେ ସପ୍ତ ଦୂତଙ୍କୁ ସପ୍ତ ସୁବର୍ଣ୍ଣପାତ୍ର ଦେଲେ, ଏଗୁଡ଼ିକ ନିତ୍ୟଜୀବୀ ଈଶ୍ୱରଙ୍କ କୋପରେ ପରିପୂର୍ଣ୍ଣ ଥିଲା। ପୁଣି ଈଶ୍ୱରଙ୍କ ଗୌରବ ଓ ପରାକ୍ରମରୁ ଆଗତ ଧୂମରେ ମନ୍ଦିର ପୂର୍ଣ୍ଣ ହେଲା, ଏବଂ ସପ୍ତ ଦୂତଙ୍କର ସପ୍ତ ମହାମାରୀ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.