Skip to content
BibleKenya

Biblica® Open Odia Contemporary Bible

ପ୍ରକାଶିତ ବାକ୍ୟ 1

ଏହା ଯୀଶୁଖ୍ରୀଷ୍ଟଙ୍କଠାରୁ ପ୍ରକାଶିତ ବାକ୍ୟ, ଯାହା ଘଟିବାକୁ ଯାଉଅଛି ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାଇବେ ଏଥିପାଇଁ ଈଶ୍ୱର ତାହାଙ୍କୁ ଏହା ଦେଇଥିଲେ। ସେ ଆପଣାର ଦୂତଙ୍କୁ ପଠାଇ ନିଜର ଦାସ ଯୋହନଙ୍କୁ ଏହା ଜଣାଇଲେ, ସେହି ଯୋହନ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ ଯାହା ଯାହା ଦର୍ଶନ କଲେ, ସେହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି। ଯେ ଏହି ଭବିଷ୍ୟଦ୍‌ବାଣୀସମୂହ ପାଠ କରେ ସେ ଧନ୍ୟ ଏବଂ ଯେଉଁମାନେ ଏହା ଶ୍ରବଣ କରନ୍ତି ଓ ଏଥିରେ ଲିଖିତ ବିଷୟଗୁଡ଼ିକରେ ମନୋନିବେଶ କରନ୍ତି ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ।

ଯୋହନଙ୍କର,

ଏସିଆ ପ୍ରଦେଶରେ ଥିବା ସପ୍ତ ମଣ୍ଡଳୀକୁ ଅଭିବାଦନ:

ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ୍ ତାହାଙ୍କଠାରୁ ଏବଂ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ, ପୁଣି ଯେଉଁ ଯୀଶୁ ଖ୍ରୀଷ୍ଟ, ବିଶ୍ୱସ୍ତ ସାକ୍ଷୀ ଏବଂ ମୃତଲୋକଙ୍କ ମଧ୍ୟରେ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କର ଅଧୀଶ୍ୱର ଅଟନ୍ତି ତାହାଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

ଯେ ଆମ୍ଭମାନଙ୍କୁ ପ୍ରେମ କରନ୍ତି ନିଜ ରକ୍ତ ଦେଇ ଆମ୍ଭମାନଙ୍କୁ ପାପରୁ ମୁକୁଳାଇଅଛନ୍ତି, ଏବଂ ଆମ୍ଭମାନଙ୍କୁ ଏକ ରାଜକୁଳ କରି ତାହାଙ୍କ ଈଶ୍ୱର ଓ ପିତାଙ୍କର ସେବା କରିବାକୁ ଯାଜକ ରୂପେ ନିଯୁକ୍ତ କରିଅଛନ୍ତି ତାହାଙ୍କର ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ! ଆମେନ୍।

“ଦେଖ, ସେ ମେଘମାଳାରେ ଆସୁଅଛନ୍ତି,”

ଏବଂ “ସମସ୍ତଙ୍କ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ,

ଏପରିକି ଯେଉଁମାନେ ତାହାଙ୍କୁ ବିଦ୍ଧ କରିଥିଲେ”;

ସେମାନେ ମଧ୍ୟ ଦର୍ଶନ କରିବେ ପୁଣି ପୃଥିବୀର ସବୁ ଜାତି “ତାହାଙ୍କ ସକାଶେ ବିଳାପ କରିବେ।”

ଏହା ଅବଶ୍ୟ ଘଟିବ! ଆମେନ୍।

ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ୍, ସେହି ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର କହନ୍ତି, “ମୁଁ ଆଦି ଓ ଅନ୍ତ।”

ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଦିବ୍ୟଦର୍ଶନ

ତୁମ୍ଭମାନଙ୍କର ଭ୍ରାତା ଓ ଯୀଶୁଙ୍କ ସକାଶେ କ୍ଲେଶରେ, ରାଜ୍ୟପ୍ରାପ୍ତିରେ ଏବଂ ସହନଶୀଳତାରେ ତୁମ୍ଭମାନଙ୍କ ସହଚର ମୁଁ, ଯୋହନ, ଈଶ୍ୱରଙ୍କ ବାକ୍ୟ ପାଇଁ ଓ ଯୀଶୁଙ୍କ ସମ୍ବନ୍ଧରେ ସାକ୍ଷ୍ୟ ପାଇଁ ପାଟମସ୍ ଦ୍ୱୀପରେ ନିର୍ବାସିତ ଥିଲି। ପ୍ରଭୁଙ୍କ ଦିବସରେ ମୁଁ ଆତ୍ମାରେ ଆବିଷ୍ଟ ଥିଲି, ଏବଂ ମୋର ପଶ୍ଚାତ୍‌ରେ ତୂରୀଧ୍ୱନି ପରି ଏକ ଉଚ୍ଚ ସ୍ଵର ଶୁଣିଲି, ସେହି ସ୍ଵର କହିଲେ: “ଯାହା ଦେଖୁଅଛ ତାହା ଏକ ପୁସ୍ତକରେ ଲେଖିରଖ ଏବଂ ସପ୍ତ ମଣ୍ଡଳୀକୁ ଅର୍ଥାତ୍ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥୁୟାତିରା, ସାର୍ଦ୍ଦିସ୍, ଫିଲାଦେଲଫିଆ ଓ ଲାଓଦିକିଆକୁ ପଠାଅ।”

କିଏ ମୋ ସହିତ କଥା କହୁଅଛନ୍ତି ତାହା ଦେଖିବାକୁ ମୁଁ ବୁଲି ପଡ଼ିଲି। ପୁଣି ମୁଁ ବୁଲିପଡ଼ି ସାତୋଟି ସୁବର୍ଣ୍ଣ ଦୀପରୁଖା ଦେଖିଲି, ଏବଂ ଦୀପରୁଖାଗୁଡ଼ିକ ମଧ୍ୟରେ ମନୁଷ୍ୟପୁତ୍ରଙ୍କ ପରି ଜଣଙ୍କୁ ଦେଖିଲି, ସେ ଆପାଦଲମ୍ବ ଏକ ପୋଷାକ ପିନ୍ଧିଥିଲେ ଏବଂ ତାହାଙ୍କ ବକ୍ଷକୁ ବେଷ୍ଟନ କରିଥିଲା ଏକ ସୁବର୍ଣ୍ଣ ବନ୍ଧନୀ। ତାହାଙ୍କ ମସ୍ତକ ଓ କେଶ ଥିଲା ପଶମ ପରି ଶୁକ୍ଳବର୍ଣ୍ଣ, ତୁଷାର ପରି ଶୁଭ୍ର, ଏବଂ ତାହାଙ୍କ ଚକ୍ଷୁଦ୍ଵୟ ଜ୍ୱଳନ୍ତ ଅଗ୍ମିଶିଖା ସଦୃଶ। ତାହାଙ୍କର ପାଦଦ୍ଵୟ ଭାଟିର ନିଆଁରେ ପରିଶୁଦ୍ଧ ଉଜ୍ଜ୍ୱଳ ବ୍ରୋଞ୍ଜ ତୁଲ୍ୟ ଥିଲା, ଆହୁରି ମଧ୍ୟ ତାହାଙ୍କର ସ୍ଵର ଖର ଜଳ ସ୍ରୋତର ଶଦ୍ଦ ପରି ଥିଲା। ସେ ନିଜର ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ଏବଂ ତାଙ୍କ ମୁଖରୁ ଦ୍ୱିଧାର ତୀକ୍ଷ୍‌ଣ ଖଡ଼୍‌ଗ ନିସୃତ ହେଉଥିଲା। ତାହାଙ୍କର ମୁଖ ପୂର୍ଣ୍ଣ ତେଜରେ ଦୀପ୍ତିମାନ ସୂର୍ଯ୍ୟ ତୁଲ୍ୟ ଥିଲା।

ତାହାଙ୍କୁ ଦର୍ଶନ କରି, ମୁଁ ତାଙ୍କ ପାଦତଳେ ମୃତ ପରି ପଡ଼ିଗଲି। ତତ୍ପରେ ସେ ଆପଣାର ଦକ୍ଷିଣ ହସ୍ତ ମୋ ଉପରେ ରଖି କହିଲେ: “ଭୟ କର ନାହିଁ। ମୁଁ ଆଦି ଓ ଅନ୍ତ। ମୁଁ ନିତ୍ୟଜୀବୀ, ମୁଁ ମୃତ ହୋଇଥିଲି ଓ ଦେଖ, ମୁଁ ଚିରକାଳ ଜୀବିତ! ପୁଣି ମୋ ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି।

“ଅତଏବ, ଯାହାସବୁ ତୁମେ ଦେଖିଅଛ ଓ ପରେ ଘଟିବ ସେସମସ୍ତେ ଲିପିବଦ୍ଧ କର। ମୋର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ ଏବଂ ସପ୍ତ ସୁବର୍ଣ୍ଣ ଦୀପରୁଖା ଦେଖିଲ ତାହାର ନିଗୂଢ଼ ଅର୍ଥ ଏହା ସପ୍ତ ନକ୍ଷତ୍ର ହେଉଛନ୍ତି ସପ୍ତ ମଣ୍ଡଳୀର ଦୂତ, ଏବଂ ସପ୍ତ ଦୀପରୁଖା ହେଉଛି ସପ୍ତ ମଣ୍ଡଳୀ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.