Skip to content
BibleKenya

Biblica® Open Odia Contemporary Bible

ଯିହୁଦା 1

ଯିହୁଦା, ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ଯାକୁବଙ୍କ ଭ୍ରାତା,

ଯେଉଁମାନେ ଆହୂତ, ପିତା ଈଶ୍ୱରଙ୍କ ପ୍ରିୟପାତ୍ର ଓ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ସୁରକ୍ଷିତ ସେମାନଙ୍କୁ ଏହି ପତ୍ର ଲେଖୁଅଛି:

ତୁମ୍ଭମାନଙ୍କର ପ୍ରତି ଦୟା, ଶାନ୍ତି ଓ ପ୍ରେମ ବାହୁଲ୍ୟ ରୂପେ ହେଉ।

ଅଧାର୍ମିକ ଲୋକଙ୍କ ଶେଷଦଶା

ହେ ପ୍ରିୟ ବନ୍ଧୁଗଣ, ଆମେ ଯେଉଁ ପରିତ୍ରାଣରେ ଭାଗୀ ହୋଇଅଛୁ ସେହି ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ମୁଁ ଆଗ୍ରହାନ୍ୱିତ ଥିଲି, କିନ୍ତୁ ସାଧୁମାନଙ୍କ ନିକଟରେ ଯେଉଁ ବିଶ୍ୱାସ ଚିରକାଳ ପାଇଁ ନ୍ୟସ୍ତ ହୋଇଅଛି ତାହା ସପକ୍ଷରେ ପ୍ରାଣପଣେ ଯୁଦ୍ଧ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହ ଦେଇ ଲେଖିବା ଆବଶ୍ୟକ ମନେ କଲି। କାରଣ କେତେକ ଲୋକ ଅଲକ୍ଷିତ ଭାବରେ ତୁମ୍ଭମାନଙ୍କମଧ୍ୟରେ ପ୍ରବେଶ କରିଅଛନ୍ତି ଏମାନଙ୍କ ଦଣ୍ଡବିଧାନ ବିଷୟ ବହୁ ପୁରାକାଳରୁ ଲିଖିତ ହୋଇଅଛି। ଏମାନେ ଅଧାର୍ମିକ ଲୋକ, ଏମାନେ ଆମର ଈଶ୍ୱରଙ୍କ ଅନୁଗ୍ରହକୁ ବିକୃତ ଅର୍ଥ କରି ଭ୍ରଷ୍ଟାଚରଣ ପାଇଁ ପ୍ରଣୟ ଦିଅନ୍ତି ଏବଂ ଆମର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି।

ଯଦିବା ତୁମ୍ଭେମାନେ ଏସବୁ ଜାଣିଅଛ, ତଥାପି ମୁଁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ପ୍ରଭୁ ତାହାଙ୍କ ଲୋକମାନଙ୍କୁ ମିଶର ଦେଶରୁ ଉଦ୍ଧାର କଲେ, କିନ୍ତୁ ପରେ ଅବିଶ୍ୱାସ କରୁଥିବା ଲୋକଙ୍କୁ ବିନାଶ କଲେ। ଆହୁରି ମଧ୍ୟ ଯେଉଁ ଦୂତମାନେ ନିଜ କ୍ଷମତାପଦ ରିଖିଲେ ନାହିଁ ମାତ୍ର ନିଜର ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ମହାବିଚାରର ଦିନରେ ସମ୍ମୁଖୀନ ହେବା ପର୍ଯ୍ୟନ୍ତ ସେ ଅନ୍ଧକାରମୟ ସ୍ଥାନରେ ଅନାଦିଅନନ୍ତ ପାଇଁ ଶିକୁଳି ବନ୍ଧନରେ ରିଖିଅଛନ୍ତି। ସେହିପ୍ରକାରେ, ସଦୋମ ଓ ଗମୋରା ଏବଂ ଚତୁର୍ଦିଗସ୍ଥ ସହରଗୁଡ଼ିକର ଅଧିବାସୀମାନେ ଯୌନ ଅସଦାଚରଣ ଓ ଅସ୍ଵଭାବିକ କାମୁକତାରେ ଆସକ୍ତ ହେଲେ। ତେଣୁ ଯେଉଁମାନେ ଅନିର୍ବାଣ ଅଗ୍ନିରେ ଦଣ୍ଡଭୋଗ କରନ୍ତି ଏହି ଲୋକମାନେ ସେମାନଙ୍କର ଦୃଷ୍ଟାନ୍ତସ୍ଵରୂପ ହୋଇଅଛନ୍ତି।

ଠିକ ସେହିପରି, ସ୍ଵପ୍ନରାଜ୍ୟରେ ବିଚରଣ କରୁଥିବା ଏହି ଲୋକମାନେ ନିଜ ନିଜ ଶରିରକୁ କଳୁଷିତ କରନ୍ତି, କର୍ତ୍ତୃତ୍ଵ ଉପେକ୍ଷା କରନ୍ତି ଓ ସ୍ଵର୍ଗୀୟ ପ୍ରାଣୀମାନଙ୍କର ନିନ୍ଦା କରନ୍ତି। କିନ୍ତୁ ପ୍ରଧାନ ଦୂତ ମୀଖାଏଲ ସୁଦ୍ଧା ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କଲାବେଳେ, ତା ବିରୁଦ୍ଧରେ ନିନ୍ଦାଜନକ ଅଭିଯୋଗ ଆଣିବାକୁ ସାହସ କରି ନ ଥିଲେ କେବଳ ଏତିକି କହିଥିଲେ, “ପ୍ରଭୁ ତୁମକୁ ଧମକ ଦିଅନ୍ତୁ!” ଅଥଚ ଏହି ଲୋକମାନେ ଯାହା ବୁଝନ୍ତି ନାହିଁ, ଏପରି ବିଷୟମାନଙ୍କର ନିନ୍ଦା କରି କଥା କହନ୍ତି ପୁଣି ବିଚାର ବୁଦ୍ଧିହୀନ ପଶୁମାନଙ୍କ ପରି ସହଜାତ ପ୍ରବୃତ୍ତି ଦ୍ଵାରା ଯେତିକି ବୁଝନ୍ତି, ସେହିସବୁ ଦ୍ଵାରା ସେମାନେ ବିନଷ୍ଟ ହୁଅନ୍ତି।

ଏମାନଙ୍କୁ ଧିକ୍ ଅଟେ! ଏମାନେ କୟିନର ପଥ ଅବଲମ୍ବନ କରିଅଛନ୍ତି; ଲୋଭ ଆଶାରେ ଧାବିତ ହୋଇ ବାଲାମର ଭ୍ରାନ୍ତିରେ ପତିତ ହୋଇଅଛନ୍ତି; କୋରହର ବିଦ୍ରୋହରେ ଧ୍ୱଂସ ପାଇଅଛନ୍ତି।

ଏମାନେ ତୁମ୍ଭମାନଙ୍କର ପ୍ରୀତିଭୋଜରେ କଳଙ୍କ ସ୍ଵରୂପ, ଏମାନେ କୌଣସି ଦ୍ୱିଧା ନ କରି ତୁମ୍ଭମାନଙ୍କ ସହିତ ଭୋଜନ କରନ୍ତି ଏମାନେ କେବଳ ନିଜର ଉଦର ପୂର୍ଣ୍ଣ କରୁଥିବା ମେଷପାଳକମାନଙ୍କ ପରି। ଏମାନେ ପବନରେ ତାଡ଼ିତ ଜଳଶୂନ୍ୟ ମେଘ ପରି, ଏମାନେ ଶରତ କାଳରେ ଫଳହୀନ ବୃକ୍ଷ ପରି, ଚେରମୂଳ ସହିତ ଉତ୍ପାଟିତ ଦୁଇଥର ମୃତ। ଏମାନେ ସମୁଦ୍ରର ଉତ୍ତାଳ ତରଙ୍ଗ ସଦୃଶ, ଲଜ୍ଜା ରୂପ ଫେଣ ଉଦ୍‌ଗାର କରନ୍ତି; ଏମାନେ ନିଜ କକ୍ଷତ୍ୟାଗ କରି ବୁଲୁଥିବା ନକ୍ଷେତ୍ର ସଦୃଶ, ଏମାନଙ୍କ ପାଇଁ ଘୋର ଅନ୍ଧକାର ଚିରକାଳ ପାଇଁ ନିରୂପିତ ହୋଇଅଛି।

ଆଦମଙ୍କ ସପ୍ତମ ପୁରୁଷ ହନୋକ, ଏହି ଲୋକମାନଙ୍କ ବିଷୟରେ ଭବିଷ୍ୟଦ୍‌ବାଣୀ କରି କହିଥିଲେ: “ଦେଖ, ପ୍ରଭୁ ତାହାଙ୍କର ସହସ୍ର ସହସ୍ର ପବିତ୍ରଜନଙ୍କ ସହିତ ଆସୁଅଛନ୍ତି ସେ ସମସ୍ତଙ୍କର ବିଚାର କରିବେ ଓ ଯେଉଁ ଅଧାର୍ମିକମାନେ ଧର୍ମରହିତ ହୋଇ ଅଧର୍ମାଚରଣ କରିଅଛନ୍ତି ଏବଂ ଧର୍ମଭ୍ରଷ୍ଟ ପାପୀମାନେ ତାହାଙ୍କ ବିରୁଦ୍ଧରେ ଯେଉଁସବୁ କଟୁ କଥା କହିଅଛନ୍ତି ସେହିସବୁର ଦଣ୍ଡ ଦେବେ।” ଏହି ଲୋକମାନେ ଅସନ୍ତୁଷ୍ଟମନା ଛିଦ୍ରାନ୍ୱେଷୀ; ନିଜର କୁଅଭିଳାଷରେ ଚାଳିତ; ଆମପ୍ରଶଂସା କରନ୍ତି ଓ ସ୍ୱାର୍ଥସିଦ୍ଧି ପାଇଁ ଅନ୍ୟମାନଙ୍କର ଚାଟୁବାଦ କରନ୍ତି।

କିନ୍ତୁ, ପ୍ରିୟ ବନ୍ଧୁଗଣ, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ଶିଷ୍ୟମାନେ ଯେଉଁସବୁ ଭବିଷ୍ୟତ୍ କଥା କହିଅଛନ୍ତି ତାହା ସ୍ମରଣ କର। ସେମାନେ ତୁମ୍ଭମାନଙ୍କୁ କହିଥିଲେ, “ଶେଷକାଳରେ ନିଜର କୁଅଭିଳାଷରେ ଚାଳିତ ନିନ୍ଦୁକମାନେ ବାହାରିବେ।” ଏହି ଲୋକମାନେ ହିଁ ତୁମ୍ଭମାନଙ୍କମଧ୍ୟରେ ଦଳଭେଦ ସୃଷ୍ଟି କରନ୍ତି, ଏମାନେ କେବଳ ସ୍ୱାଭାବିକ ପ୍ରବୃତ୍ତିର ବଶବର୍ତ୍ତୀ ଓ ଏମାନଙ୍କ ଠାରେ ଆତ୍ମା ନାହାନ୍ତି।

କିନ୍ତୁ, ପ୍ରିୟ ବନ୍ଧୁଗଣ, ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଅତି ପବିତ୍ର ତାହାରି ଉପରେ ନିଜ ଜୀବନକୁ ଗଠନ କର ଏବଂ ପବିତ୍ରଆତ୍ମରେ ପ୍ରାର୍ଥନା କର, ତୁମ୍ଭମାନଙ୍କୁ ଅନନ୍ତ ଜୀବନରେ ପ୍ରବେଶ କରାଇବାକୁ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ଦୟାପ୍ରଦର୍ଶନ କରିଅଛନ୍ତି ତାହାରି ଅପେକ୍ଷାରେ ଥିଲାବେଳେ ଈଶ୍ୱରଙ୍କ ପ୍ରେମରେ ଅଟଳ ରହିଥାଅ।

ଯେଉଁମାନେ ସନ୍ଦେହରେ ପଡ଼ିଅଛନ୍ତି ସେମାନଙ୍କ ବିଶ୍ୱାସ ଜାତ କର; ଅନ୍ୟ କେତେକଙ୍କୁ ଅଗ୍ନି ମଧ୍ୟରୁ କାଢ଼ିଲା ପରି ଉଦ୍ଧାର କର; ଶାରୀରିକ ଭ୍ରଷ୍ଟାଚରଣରେ କଳୁଷିତ ବସ୍ତ୍ରକୁ ସୁଦ୍ଧା ଘୃଣା କରି ଆଉ କେତେକଙ୍କୁ ଭୟମିଶ୍ରିତ ଦୟାପ୍ରଦର୍ଶନ କର।

ଈଶ୍ୱର ବନ୍ଦନା

ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରି ନିର୍ଦ୍ଦୋଷ ରୂପେ ଓ ଆନନ୍ଦୋଲ୍ଲାସ ସହକାରେ ତାହାଙ୍କର ମହିମାମୟ ଛାମୁରେ ଉପସ୍ଥିତ କରିବାକୁ ସମର୍ଥ, ଆମ୍ଭମାନଙ୍କର ସେହି ତ୍ରାଣକର୍ତ୍ତା ଏକମାତ୍ର ଈଶ୍ୱରଙ୍କ ଗୌରବ, ପ୍ରତାପ, ପରାକ୍ରମ ଓ ପ୍ରଭୁତ୍ଵ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ, ଅନାଦିକାଳରୁ ଇହକାଳ ଓ ଚିରକାଳ ରହିଥାଉ! ଆମେନ୍।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.