Biblica® Open Odia Contemporary Bible
ପ୍ରକାଶିତ ବାକ୍ୟ 2
ଏଫିସସ୍ ମଣ୍ଡଳୀକୁ ବାର୍ତ୍ତା
“ଏଫିସସ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:
ଯେ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଅଛନ୍ତି ଏବଂ ସପ୍ତ ସୁବର୍ଣ୍ଣ ଦୀପରୁଖା ମଧ୍ୟରେ ଗମନାଗମନ କରନ୍ତି ସେ ଏହା କହନ୍ତି।
ମୁଁ ତୁମର କାର୍ଯ୍ୟ, ତୁମର କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ବିଷୟ ଜାଣେ। ତୁମେ ଯେ ଦୁରାଚାରୀ ଲୋକଙ୍କୁ ସହ୍ୟ କର ନାହିଁ ଓ ଯେଉଁମାନେ ନିଜକୁ ପ୍ରେରିତ ବୋଲାଇ ହୁଅନ୍ତି ଅଥଚ ନୁହନ୍ତି, ସେମାନଙ୍କୁ ପରୀକ୍ଷା କରି ଶଠ ବୋଲି ଚିହ୍ନିଛି ଏହା ମୁଁ ଜାଣେ। ତୁମେ ଯେ ଧୈର୍ଯ୍ୟ ଧରି ମୋ ନାମ ସକାଶେ କଷ୍ଟ ସହ୍ୟ କରିଅଛ ଓ କ୍ଳାନ୍ତ ହୋଇ ନାହଁ, ଏହା ମୁଁ ଜାଣେ।
ତଥାପି ତୁମ ବିରୁଦ୍ଧରେ ମୋର ଏହା କହିବାର ଅଛି, ପ୍ରଥମେ ତୁମର ଯେଉଁ ପ୍ରେମ ଥିଲା ତାହା ତୁମେ ପରିତ୍ୟାଗ କରିଅଛ। ତୁମର କେତେ ଅଧଃପତନ ହୋଇଅଛି ତାହା ସ୍ମରଣ କର! ଅନୁତାପ କର ଓ ପୂର୍ବ ପରି କାର୍ଯ୍ୟ କର। ଅନୁତାପ ନ କଲେ, ମୁଁ ତୁମ ନିକଟକୁ ଆସି ତୁମର ଦୀପରୁଖାକୁ ସ୍ଵସ୍ଥାନରୁ ଅନ୍ତର କରିଦେବି। କିନ୍ତୁ ତୁମଠାରେ ଏହି ଭଲ ବିଷୟ ଅଛି, ତୁମେ ନିକଲାଇତୀୟମାନଙ୍କର କାର୍ଯ୍ୟକଳାପକୁ ଘୃଣା କର, ଯାହା ମୁଁ ମଧ୍ୟ ଘୃଣା କରେ।
ମଣ୍ଡଳୀଗୁଡ଼ିକୁ ଆତ୍ମା କଅଣ କହୁଅଛନ୍ତି, ଯାହାର କାନ ଅଛି, ସେ ଶୁଣୁ। ଯେ ବିଜୟୀ ହେବ, ତାହାକୁ ମୁଁ ଈଶ୍ୱରଙ୍କ ସ୍ଵର୍ଗୋଦ୍ୟାନରେ ଥିବା ଜୀବନ ବୃକ୍ଷର ଫଳ ଭୋଜନ କରିବାର ଅଧିକାର ଦେବି।
ସ୍ମର୍ଣ୍ଣା ମଣ୍ଡଳୀକୁ ବାର୍ତ୍ତା
“ସ୍ମର୍ଣ୍ଣା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:
ଯେ ଆଦି ଓ ଅନ୍ତ, ଯେ ମୃତ ହୋଇ ପୁନର୍ବାର ଜୀବିତ ହେଲେ ସେ ଏହା କହନ୍ତି।
ମୁଁ ତୁମର କ୍ଳେଶ ଓ ଦରିଦ୍ରତା ଜାଣେ ତଥାପି ତୁମେ ଧନବାନ୍! ଯେଉଁମାନେ ନିଜକୁ ଯିହୁଦୀ ବୋଲାନ୍ତି, ଅଥଚ ନୁହନ୍ତି କିନ୍ତୁ ଶୟତାନର ମଣ୍ଡଳୀ ସେମାନେ ଯେଉଁ ନିନ୍ଦା କରନ୍ତି ତାହା ମୁଁ ଜାଣେ। ତୁମେ ଯେଉଁ ଦୁଃଖଭୋଗ କରିବାକୁ ଯାଉଅଛ ସେହିସବୁକୁ ଭୟ କର ନାହିଁ। ମୁଁ ତୁମକୁ କହୁଅଛି, ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଶୟତାନ ତୁମ ମଧ୍ୟରୁ କେତେକଙ୍କୁ କାରାଗାରରେ ପକାଇବ, ଏବଂ ତୁମ୍ଭେମାନେ ଦଶ ଦିନ ନିର୍ଯ୍ୟାତନା ଭୋଗ କରିବ। ମୃତ୍ୟୁର ସମ୍ମୁଖୀନ ହେଲେ ସୁଦ୍ଧା ବିଶ୍ୱସ୍ତ ଥାଅ ଏବଂ ମୁଁ ତୁମକୁ ଜୀବନମୁକୁଟ ଦେବି।
ମଣ୍ଡଳୀଗୁଡ଼ିକୁ ଆତ୍ମା କଅଣ କହୁଅଛନ୍ତି, ଯାହାର କାନ ଅଛି ସେ ଶୁଣୁ। ସେ ବିଜୟୀ ହେବ ଦ୍ୱିତୀୟ ମୃତ୍ୟୁ ତାହାର କୌଣସି ଅନିଷ୍ଟ କରିବ ନାହିଁ।
ପର୍ଗାମମ୍ ମଣ୍ଡଳୀକୁ ବାର୍ତ୍ତା
“ପର୍ଗାମମ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:
ଯାହାଙ୍କର ଦ୍ୱିଧାର ଖଡ଼୍ଗ ଅଛି, ସେ ଏହା କହନ୍ତି।
ଯେଉଁଠାରେ ଶୟତାନର ସିଂହାସନ ଅଛି, ସେହିଠାରେ ତୁମେ ବାସ କରୁଅଛ ବୋଲି ମୁଁ ଜାଣେ। ତଥାପି ତୁମେ ମୋ ନାମ ପ୍ରତି ବିଶ୍ୱସ୍ତ ରହିଅଛ। ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାସ୍ଙ୍କୁ ଯେତେବେଳେ ଶୟତାନର ବାସସ୍ଥାନରେ, ଅର୍ଥାତ୍ ତୁମ ନଗରରେ ହତ୍ୟା କରାଗଲା, ସେତେବେଳେ ସୁଦ୍ଧା ତୁମେ ମୋ ଠାରେ ତୁମର ବିଶ୍ୱାସ ହରାଇ ନ ଥିଲ।
ଏହାସତ୍ତ୍ୱେ, ତୁମ ବିରୁଦ୍ଧରେ ମୋର କେତୋଟି କଥା ଅଛି ଯେଉଁ ବାଲାମ୍ ଇସ୍ରାଏଲୀୟମାନଙ୍କୁ ଦେବପ୍ରସାଦ ଭୋଜନ ଓ ଯୌନ ଅସଦାଚରଣ ରୂପକ ଫାନ୍ଦରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାରି ମତାବଲମ୍ୱୀ କେତେଜଣ ତୁମ୍ଭମାନଙ୍କମଧ୍ୟରେ ରହିଅଛନ୍ତି। ସେହିପରି, ତୁମ୍ଭମାନଙ୍କମଧ୍ୟରେ ନିକଲାଇତୀୟ ମତାବଲମ୍ୱୀ ଲୋକମାନେ ମଧ୍ୟ ଅଛନ୍ତି। ସେଥିପାଇଁ ଅନୁତାପ କର! ନଚେତ୍, ମୁଁ ଶୀଘ୍ର ତୁମ୍ଭମାନଙ୍କ ନିକଟକୁ ଆସି ମୋର ମୁଖନିଃସୃତ ଖଡ଼୍ଗ ଦ୍ଵାରା ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।
ମଣ୍ଡଳୀଗୁଡ଼ିକୁ ଆତ୍ମା କଅଣ କହୁଅଛନ୍ତି, ଯାହାର କାନ ଅଛି ସେ ଶୁଣୁ। ଯେ ବିଜୟୀ ହେବ, ତାହାକୁ ମୁଁ ଗୁପ୍ତ ମାନ୍ନା ଦେବି। ମୁଁ ତାହାକୁ ଏପରି ଏକ ଶ୍ୱେତ ପ୍ରସ୍ତର ଦେବି, ଯାହା ଉପରେ ଗୋଟିଏ ନୂତନ ନାମ ଲିଖିତ ହୋଇଥିବ ଓ ଗ୍ରହଣକାରୀ ବ୍ୟତୀତ ଅନ୍ୟ କାହାକୁ ଏହି ନାମ ଜଣା ନ ଥିବ।
ଥୁୟାତିରା ମଣ୍ଡଳୀକୁ ବାର୍ତ୍ତା
“ଥୁୟାତିରା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:
ଯାହାଙ୍କର ଚକ୍ଷୁ ଅଗ୍ମିଶିଖା ସଦୃଶ ଓ ପାଦଦ୍ଵୟ ଚମକୁଥିବା ଶୁଦ୍ଧ ବ୍ରୋଞ୍ଜ ସଦୃଶ, ସେହି ଈଶ୍ୱରତନୟ ଏହା କହନ୍ତି।
ତୁମର କର୍ମସକଳ, ତୁମର ପ୍ରେମ ଓ ବିଶ୍ୱାସ, ତୁମର ସେବା ଓ ଧୈର୍ଯ୍ୟ ଏବଂ ତୁମେ ଯେ ପୂର୍ବାପେକ୍ଷା ଏବେ ଅଧିକ କାର୍ଯ୍ୟ କରୁଅଛ, ଏହା ମୁଁ ଜାଣେ।
ଏହାସତ୍ତ୍ୱେ, ତୁମ ବିରୁଦ୍ଧରେ ମୋର ଏହା କହିବାର ଅଛି, ନିଜକୁ ଭାବବାଦିନୀ ବୋଲାଉଥିବା ସେହି ଯିଜେବଲ ରୂପିଣୀ ସ୍ତ୍ରୀକୁ ତୁମେ ସହ୍ୟ କରୁଅଛ। ସେ ମୋର ଦାସମାନଙ୍କୁ ଯୌନ ଅସଦାଚରଣ ଓ ଦେବପ୍ରସାଦ ଭୋଜନ ବିଷୟରେ ତାହାର ଶିକ୍ଷା ଦ୍ଵାରା ବିପଥଗାମୀ କରାଉଅଛି। ତାହାର ଭ୍ରଷ୍ଟାଚରଣ ପାଇଁ ଅନୁତାପ କରିବାକୁ ମୁଁ ତାକୁ ଅନୁମତି ଦେଇଅଛି, ମାତ୍ର ଅନୁତାପ କରିବାକୁ ସେ ଅନିଛୁକ। ଅତଏବ, ମୁଁ ତାକୁ ଦୁଃଖରୂପ ଶଯ୍ୟାରେ ପକାଇବି ଏବଂ ଯେଉଁମାନେ ତା ସହିତ ବ୍ୟଭିଚାର କରନ୍ତି, ସେମାନେ ତା ମାର୍ଗରୁ ନ ଫେରିଲେ ସେମାନଙ୍କୁ ଘୋର ଦୁଃଖଭୋଗ କରାଇବି। ମୁଁ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ମୁଖରେ ପକାଇବି। ତା ହେଲେ ମୁଁ ଯେ ହୃଦୟ ଓ ମନ ଅନୁସନ୍ଧନ କରେ, ତାହାସବୁ ମଣ୍ଡଳୀ ଜାଣିବେ ଏବଂ ମୁଁ ତୁମ ପ୍ରତ୍ୟେକଙ୍କୁ ନିଜ କର୍ମ ଅନୁସାରେ ପ୍ରତିଫଳ ଦେବି।
କିନ୍ତୁ ତୁମ୍ଭମାନଙ୍କୁ ଅର୍ଥାତ୍ ଥୁୟାତିରାରେ ଥିବା, ଯେଉଁ ଅବଶିଷ୍ଟ ଲୋକେ ଯିଜେବଲ ମତାବଲମ୍ୱୀ ନୁହନ୍ତି ଏବଂ ଶୟତାନର ତଥାକଥିତ ନିଗୂଢ଼ ବିଷୟ ଶିକ୍ଷା କରିନାହାନ୍ତି, ତୁମ୍ଭମାନଙ୍କ ଉପରେ ଅନ୍ୟ କୌଣସି ଭାର ନ ଦେଇ ‘ମୁଁ କହୁଅଛି, ତୁମ୍ଭମାନଙ୍କର ଯାହା ଅଛି ମୁଁ ଆସିବା ପର୍ଯ୍ୟନ୍ତ ତାହା ଦୃଢ଼ ରୂପେ ଧରି ରଖ।’
ଯେ ବିଜୟୀ ହେବ ଓ ଶେଷ ପର୍ଯ୍ୟନ୍ତ ମୋର ଇଚ୍ଛା ସାଧନ କରିବ ମୁଁ ଯେପରି ମୋର ପିତାଙ୍କଠାରୁ କର୍ତ୍ତୃତ୍ଵ ପାଇଅଛି, ସେହିପରି ‘ତାହାକୁ ଜାତିବର୍ଗ ଉପରେ କର୍ତ୍ତୃତ୍ଵ ଲାଭ କରିବାକୁ ଦେବି ସେ ସେମାନଙ୍କୁ ଲୌହ ରାଜଦଣ୍ଡରେ ଶାସନ କରିବ’ ଏବଂ ମାଟି ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ। ମୁଁ ମଧ୍ୟ ତାହାକୁ ପ୍ରଭାତୀତାରା ଦେବି। ମଣ୍ଡଳୀଗୁଡ଼ିକୁ ଆତ୍ମା କଅଣ କହୁଅଛନ୍ତି, ଯାହାର କାନ ଅଛି ସେ ଶୁଣୁ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.