Skip to content
BibleKenya

Biblica® Open Odia Contemporary Bible

ମାଥିଉ 17

ଯୀଶୁଙ୍କର ରୂପାନ୍ତର

ଛଅଦିନ ଉତ୍ତାରେ ଯୀଶୁ କେବଳ ପିତର, ଯାକୁବ ଓ ତାଙ୍କ ଭାଇ ଯୋହନଙ୍କୁ ସଙ୍ଗରେ ନେଇ ଏକ ଉଚ୍ଚ ପର୍ବତ ଉପରକୁ ଗଲେ ସେହିଠାରେ ସେମାନଙ୍କ ସାକ୍ଷାତରେ ସେ ରୂପାନ୍ତରିତ ହେଲେ ତାହାଙ୍କ ମୁଖମଣ୍ଡଳ ସୂର୍ଯ୍ୟ ପରି ତେଜୋମୟ ଓ ତାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା। ସେତିକିବେଳେ ସେମାନଙ୍କ ପାଖରେ ମୋଶା ଓ ଏଲିୟ ଆବିର୍ଭୂତ ହୋଇ ଯୀଶୁଙ୍କ ସଙ୍ଗେ କଥାବାର୍ତ୍ତା କଲେ।

ପିତର ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମେ ଯେ ଏଠାରେ ଅଛୁ, ଏହା ଆମ ପାଇଁ ଭଲ ହେଲା। ଆପଣ ଯଦି ଇଚ୍ଛା କରନ୍ତି, ତେବେ ମୁଁ ଏଇଠି ତିନୋଟି କୁଡ଼ିଆ ତିଆରି କରିଦେବି, ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଗୋଟିଏ ଏଲିୟଙ୍କ ପାଇଁ।”

ସେ ଏହା କହୁ କହୁ ଖଣ୍ଡେ ଉଜ୍ଜ୍ୱଳ ମେଘ ଆସି ସେମାନଙ୍କୁ ଆଚ୍ଛନ୍ନ କଲା ଏବଂ ମେଘ ମଧ୍ୟରୁ ଏକ ବାଣୀ ହେଲା, “ଏ ମୋର ପ୍ରିୟ ପୁତ୍ର, ଏହାଙ୍କଠାରେ ମୁଁ ପରମପ୍ରୀତ। ଏହାଙ୍କର କଥା ଶୁଣ!”

ଶିଷ୍ୟମାନେ ତାହା ଶୁଣି ଅତ୍ୟନ୍ତ ଭିତ ହୋଇ ମୁହଁମାଡ଼ି ଭୂମିରେ ପଡ଼ିଗଲେ କିନ୍ତୁ ଯୀଶୁ ଯାଇ ସେମାନଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୟ କର ନାହିଁ।” ସେମାନେ ଉଠି ଚାହିଁଲାବେଳକୁ ଯୀଶୁଙ୍କ ଛଡ଼ା ଆଉ କାହାକୁ ଦେଖିଲେ ନାହିଁ।

ସେମାନେ ପର୍ବତରୁ ଓହ୍ଲାଇବା ବେଳେ ଯୀଶୁ ସେମାନଙ୍କୁ ଆଦେଶ ଦେଇ କହିଲେ, “ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁତ୍ଥିତ ନ ହେବା ପର୍ଯ୍ୟନ୍ତ ତୁମେମାନେ ଯାହା ଦେଖିଲ, ସେହିବିଷୟ କାହାକୁ କୁହ ନାହିଁ।”

ଶିଷ୍ୟମାନେ ତାହାଙ୍କୁ ପଚାରିଲେ, “ଏଲିୟ ପ୍ରଥମେ ଆସିବେ ବୋଲି ଶାସ୍ତ୍ରଜ୍ଞମାନେ କାହିଁକି କହନ୍ତି?”

ଯୀଶୁ ଉତ୍ତର ଦେଲେ, “ଏ କଥା ସତ ଯେ, ଏଲିୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବେ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ଏଲିୟ ଆସିଗଲେଣି ଓ ସେମାନେ ତାଙ୍କୁ ଚିହ୍ନିଲେ ନାହିଁ ଓ ତାଙ୍କ ପ୍ରତି ଯାହା ଇଚ୍ଛା, ତାହା କଲେ, ସେହିପରି ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କ ହସ୍ତରେ କ୍ଲେଶଭୋଗ କରିବେ।” ଶିଷ୍ୟମାନେ ସେତେବେଳେ ବୁଝୀପାରିଲେ ଯେ ସେ ଡୁବକ ଯୋହନଙ୍କ ସମ୍ବନ୍ଧରେ ଏହା କହୁଥିଲେ।

ମୂର୍ଚ୍ଛାରୋଗଗ୍ରସ୍ତ ବାଳକ ସୁସ୍ଥ ହେଲା

ସେମାନେ ଲୋକମାନଙ୍କ ନିକଟକୁ ଆସିଲା ପରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଖରେ ଆଣ୍ଠୋଇ ପଡ଼ି କହିଲା “ପ୍ରଭୁ, ମୋର ପୁଅଟିକୁ ଦୟା କରନ୍ତୁ, କାରଣ ସେ ମୂର୍ଚ୍ଛା ରୋଗରେ ଅତ୍ୟନ୍ତ କଷ୍ଟ ପାଉଛି। ସେ କେତେବେଳେ ନିଆଁରେ ଅବା କେତେବେଳେ ପାଣିରେ ପଡ଼ି ଯାଉଛି। ମୁଁ ତାକୁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ଆଣିଥିଲି, କିନ୍ତୁ ସେମାନେ ତାକୁ ଆରୋଗ୍ୟ କରିପାରିଲେ ନାହିଁ।”

ଯୀଶୁ ଉତ୍ତର ଦେଲେ, “ହେ ଅବିଶ୍ୱାସୀ ଓ ଭ୍ରଷ୍ଟାଚାରୀ ବଂଶ, ଆଉ କେତେ କାଳ ମୁଁ ତୁମମାନଙ୍କ ସହିତ ରହିଥିବି? ଆଉ କେତେ କାଳ ତୁମ୍ଭମାନଙ୍କୁ ସମ୍ଭାଳିବି? ପିଲାଟିକୁ ମୋ ପାଖକୁ ନେଇଆସ।” ଯୀଶୁ ସେହି ଭୂତାତ୍ମାକୁ ଧମକ ଦେଲେ ଓ ସେ ବାଳକ ମଧ୍ୟରୁ ବାହାରିଗଲା ଏବଂ ସେହି ମୁହୂର୍ତ୍ତରୁ ବାଳକ ସୁସ୍ଥ ହେଲା।

ପରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, “ଆମେ କାହିଁକି ଛଡ଼ାଇ ପାରିଲୁ ନାହିଁ?”

ଯୀଶୁ ଉତ୍ତର ଦେଲେ, “କାରଣ ତୁମମାନଙ୍କ ବିଶ୍ୱାସ ଅତି ଅଳ୍ପ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ସୋରିଷମଞ୍ଜି ଭଳି ତୁମମାନଙ୍କର ବିଶ୍ୱାସ ଟିକକ ଥାଏ, ତେବେ ଏହି ପର୍ବତକୁ ‘ଏଠାରୁ ସେଠାକୁ ଘୁଞ୍ଚିଯା,’ କହିଲେ, ତାହା ଘୁଞ୍ଚିଯିବ। ତୁମମାନଙ୍କ ପକ୍ଷେ କୌଣସି ବିଷୟ ଅସମ୍ଭବ ନୁହେଁ। ମାତ୍ର ଏପ୍ରକାର ଭୂତାତ୍ମା ପ୍ରାର୍ଥନା ଓ ଉପବାସ ବିନା ବାହାରିଯାଏ ନାହିଁ।”

ସେମାନେ ଗାଲିଲରେ ଏକାଠି ହେବା ପରେ ଯୀଶୁ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ଲୋକମାନଙ୍କ ହାତରେ ବିଶ୍ୱାସଘାତକତାପୂର୍ବକ ଧରାଇ ଦିଆଯିବ। ସେମାନେ ତାଙ୍କୁ ବଧ କରିବେ ଓ ତୃତୀୟ ଦିନରେ ସେ ପୁନରୁଜ୍ଜୀବିତ ହେବେ।” ଏଥିରେ ଶିଷ୍ୟମାନେ ଅତ୍ୟନ୍ତ ଦୁଃଖିତ ହେଲେ।

ଯୀଶୁ ମନ୍ଦିରର କର ଦେଲେ

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୁମରେ ପହଞ୍ଚିଲା ପରେ ମନ୍ଦିରର କରଆଦାୟକାରୀମାନେ ପିତରଙ୍କ ନିକଟକୁ ଆସି ପଚାରିଲେ, “ତୁମର ଗୁରୁ କଅଣ ମନ୍ଦିରର କର ଦିଅନ୍ତି ନାହିଁ?”

ପିତର ଉତ୍ତର ଦେଲେ, “ହଁ ଦିଅନ୍ତି।”

ସେ ଘର ଭିତରକୁ ଯିବା ପରେ ଯୀଶୁ ତାଙ୍କୁ ଆଗେ ପଚାରିଲେ, “ଶିମୋନ, ଏ ବିଷୟରେ ତୁମେ କଅଣ ମନେକର? ପୃଥିବୀର ରାଜାମାନେ କାହାଠାରୁ କର ଓ ଶୁଳ୍‌କ ଆଦାୟ କରନ୍ତି, ନିଜ ପୁତ୍ରମାନଙ୍କଠାରୁ ନା ଅନ୍ୟମାନଙ୍କଠାରୁ?”

ପିତର ଉତ୍ତର ଦେଲେ, “ଅନ୍ୟମାନଙ୍କଠାରୁ।”

ଯୀଶୁ ତାଙ୍କୁ କହିଲେ, “ତାହାହେଲେ, ପୁତ୍ରମାନେ ତ କରମୁକ୍ତ। ତଥାପି ଆମେ ଯେପରି ସେମାନଙ୍କୁ ଅସନ୍ତୁଷ୍ଟ ନ କରୁ, ଏଥିପାଇଁ ହ୍ରଦକୂଳକୁ ଯାଇ ବନ୍‌ଶି ପକାଅ। ଯେଉଁ ମାଛ ପ୍ରଥମେ ପଡ଼ିବ, ତାହାର ମୁଖକୁ ଖୋଲ। ତୁମେ ତାହାର ମୁଖ ମଧ୍ୟରେ ଚାରି ଡ୍ରାକ୍‌ମା ବିଶିଷ୍ଟ ଏକ ମୁଦ୍ରା ପାଇବ। ଆମ ଦୁଇଜଣଙ୍କର କର ପାଇଁ ତାହା ନେଇ ସେମାନଙ୍କୁ ଦିଅ।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.