Skip to content
BibleKenya

Biblica® Open Odia Contemporary Bible

ମାଥିଉ 16

ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ।

ସେ ଉତ୍ତର ଦେଲେ, “ସନ୍ଧ୍ୟା ହେଲେ ତୁମେମାନେ କହିଥାଅ, ‘ଆକାଶ ଲାଲ ଦିଶୁଛି, ପାଗ ଭଲ ହେବ,’ ଏବଂ ସକାଳବେଳେ କହିଥାଅ, ‘ଆକାଶ ଲାଲ ଓ ମେଘୁଆ ହୋଇଛି ଆଜି ଝଡ଼ ହେବ।’ ଆକାଶର ଲକ୍ଷଣ ଦେଖି ତୁମ୍ଭେମାନେ ତାହାର ଅର୍ଥ ବେଶ୍ ନିରୂପଣ କରିପାର, ଅଥଚ ସମୟର ଚିହ୍ନସବୁ ତୁମ୍ଭେମାନେ ବୁଝିପାରୁ ନାହଁ। ଏକ ଅଧାର୍ମିକ ଓ ଭ୍ରଷ୍ଟାଚାର ବଂଶ ଅଲୌକିକ ଚିହ୍ନ ଦେଖିବାକୁ ଚାହେଁ। କିନ୍ତୁ ଯୂନସଙ୍କ ଚିହ୍ନଛଡ଼ା ତାକୁ ଅନ୍ୟ କୌଣସି ଚିହ୍ନ ଦିଆଯିବ ନାହିଁ।” ଏହାପରେ ଯୀଶୁ ସେମାନଙ୍କୁ ଛାଡ଼ି ଚାଲିଗଲେ।

ହ୍ରଦର ଅପର ପାରିରେ ପହଞ୍ଚି ଶିଷ୍ୟମାନେ ଦେଖିଲେ ଯେ, ସେମାନେ ରୋଟୀ ନେବାକୁ ଭୁଲି ଯାଇଛନ୍ତି। ଯୀଶୁ ସେମାନଙ୍କୁ କହିଲେ, “ସାବଧାନ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମିର ପ୍ରତି ସତର୍କ ଥାଅ।”

ସେମାନେ ଏ ବିଷୟରେ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଆମେ ରୋଟୀ ଆଣି ନ ଥିବାରୁ ସେ ଏପରି କହୁଛନ୍ତି।”

ସେମାନଙ୍କ କଥାବାର୍ତ୍ତା ବୁଝିପାରି ଯୀଶୁ ପଚାରିଲେ, “ହେ ଅଳ୍ପବିଶ୍ୱାସୀମାନେ, ତୁମ୍ଭମାନଙ୍କ ନିକଟରେ ରୋଟୀ ନାହିଁ ବୋଲି କାହିଁକି ଏତେ ଆଲୋଚନା କରୁଛ? ତୁମ୍ଭେମାନେ କଣ ଏପର୍ଯ୍ୟନ୍ତ ବୁଝୁନାହଁ? ପାଞ୍ଚୋଟି ରୋଟୀରେ ପାଞ୍ଚହଜାର ଲୋକ ଖାଇଲେ ଓ ବଳକା କେତେ ଟୋକେଇ ତୁମେମାନେ ଗୋଟାଇଲ, ତାହା କଅଣ ତୁମମାନଙ୍କର ମନେ ନାହିଁ? ପୁଣି, ସାତୋଟି ରୋଟୀରେ ଚାରିହଜାର ଲୋକ ଖାଇଲେ ଓ କେତେ ଟୋକେଇ ତୁମେମାନେ ଗୋଟାଇଲ, ତାହା କଅଣ ତୁମମାନଙ୍କର ମନେ ନାହିଁ? ତେବେ, ମୁଁ ଯେ ତୁମ୍ଭମାନଙ୍କୁ ରୋଟୀ ବିଷୟରେ କହୁ ନ ଥିଲି, ଏହା କେମିତି ତୁମେମାନେ ବୁଝିପାରୁ ନାହଁ? କିନ୍ତୁ, ତୁମ୍ଭେମାନେ ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଖମିର ପ୍ରତି ସାବଧାନ।” ସେତେବେଳେ ସେମାନେ ବୁଝିଲେ ଯେ, ସେ ରୋଟୀରେ ବ୍ୟବହୃତ ଖମିର ବିଷୟରେ କହୁ ନ ଥିଲେ, କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷା ପ୍ରତି ସାବଧାନ ରହିବାକୁ କହୁଥିଲେ।

ଖ୍ରୀଷ୍ଟଙ୍କ ବିଷୟରେ ପିତରଙ୍କ ସ୍ଵକାରୋକ୍ତି

ଯୀଶୁ କାଇସରିଆ ଫିଲିପି ଅଞ୍ଚଳରେ ପହଞ୍ଚିଲା ପରେ ଶିଷ୍ୟମାନଙ୍କୁ ପଚାରିଲେ, “ମନୁଷ୍ୟପୁତ୍ର କିଏ, ଲୋକେ ଏ ବିଷୟରେ କଅଣ କହନ୍ତି?”

ସେମାନେ ଉତ୍ତର ଦେଲେ, “କେହି କେହି ଡୁବକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଯିରିମିୟ କିମ୍ବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ ବୋଲି କହନ୍ତି।”

ସେ ପଚାରିଲେ, “କିନ୍ତୁ ମୁଁ କିଏ, ଏ ବିଷୟରେ ତୁମେମାନେ କଅଣ କହୁଛ?”

ଶିମୋନ ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ, ନିତ୍ୟଜୀବି ଈଶ୍ୱରଙ୍କ ପୁତ୍ର।”

ଯୀଶୁ କହିଲେ, “ହେ ଯୂନସ ପୁତ୍ର ଶିମୋନ, ତୁମେ ଧନ୍ୟ, କାରଣ ଏହା ମନୁଷ୍ୟ ଦ୍ଵାରା ପ୍ରକାଶିତ ହୋଇନାହିଁ, ମାତ୍ର ମୋର ସ୍ଵର୍ଗସ୍ଥପିତାଙ୍କ ଦ୍ଵାରା ତୁମ ନିକଟରେ ପ୍ରକାଶିତ ହୋଇଅଛି। ମୁଁ ତୁମକୁ କହୁଅଛି, ତୁମେ ପିତର, ଓ ଏହି ପ୍ରସ୍ତର ଉପରେ ମୁଁ ମୋହର ମଣ୍ଡଳୀ ଗଢ଼ିବି ଓ ନରକର ଶକ୍ତି ତାହାକୁ ପରାଜିତ କରିପାରିବ ନାହିଁ। ମୁଁ ତୁମକୁ ସ୍ଵର୍ଗରାଜ୍ୟର ଚାବି ଦେବି। ଏହି ପୃଥିବୀରେ ଯାହାକିଛି ତୁମେ ବନ୍ଦ କରିବ, ତାହା ସ୍ଵର୍ଗରେ ବନ୍ଦ ହୋଇ ରହିବ ଏବଂ ପୃଥିବୀରେ ଯାହାକିଛି ତୁମେ ଖୋଲିବ, ତାହା ସ୍ଵର୍ଗରେ ଖୋଲା ହେବ!” ଏହାପରେ ସେ ଯେ ଖ୍ରୀଷ୍ଟ, ଏହା ଅନ୍ୟମାନଙ୍କୁ ନ କହିବା ପାଇଁ ଶିଷ୍ୟମାନଙ୍କୁ ଦୃଢ଼ ଆଦେଶ ଦେଲେ।

ଆପଣା ମୃତ୍ୟୁ ବିଷୟରେ ଯୀଶୁଙ୍କର ଭବିଷ୍ୟଦ୍‌ବାଣୀ

ସେହି ସମୟରୁ ଯୀଶୁ ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ ତାଙ୍କୁ ଯିରୂଶାଲମକୁ ଯିବାକୁ ହେବ, ସେଠାରେ କୁଳବୃଦ୍ଧ, ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନଙ୍କ ହାତରେ ଅନେକ ଦୁଃଖଭୋଗ କରିବାକୁ ହେବ ଓ ନିହତ ହୋଇ ତୃତୀୟ ଦିବସରେ ପୁନରୁଜ୍ଜୀବିତ ହେବାକୁ ହେବ।

ପିତର ତାଙ୍କୁ ଅଲଗା ନେଇଯାଇ ଅନୁଯୋଗ କରି କହିଲେ, “ପ୍ରଭୁ, ଈଶ୍ୱର ଏହା ନ କରନ୍ତୁ। ଏହା ଆପଣଙ୍କ ପ୍ରତି କେବେ ନ ଘଟୁ।”

ଯୀଶୁ ପିତରଙ୍କ ଆଡ଼କୁ ବୁଲିପଡ଼ି କହିଲେ, “ମୋ ପାଖରୁ ଦୂର ହୁଅ, ଶୟତାନ! ତୁମେ ମୋ ପାଇଁ ବାଧାର କାରଣ ହେଉଅଛ। ତୁମର ଚିନ୍ତାଧାରା ଈଶ୍ୱରଙ୍କର ନୁହେଁ, ମାତ୍ର ମନୁଷ୍ୟର।”

ଶିଷ୍ୟତ୍ଵ ଓ ତ୍ୟାଗ ସ୍ଵକାର

ତତ୍ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ନିଜକୁ ତ୍ୟାଗ କରୁ ଓ ଆପଣାର କ୍ରୁଶ ବହନ କରି ମୋର ଅନୁଗମନ କରୁ। କାରଣ ଯେକେହି ନିଜର ଜୀବନକୁ ଧରି ରିଖିବାକୁ ଚାହେଁ, ସେ ନିଜ ଜୀବନ ହରାଇବ କିନ୍ତୁ ଯେକେହି ମୋ ସକାଶେ ନିଜର ଜୀବନ ହରାଇ ଦେବ, ସେ ଅନନ୍ତଜୀବନ ଲାଭ କରିବ। ମନୁଷ୍ୟ ଯଦି ସମଗ୍ର ଜଗତ ଲାଭକରି ନିଜ ଅନ୍ତରାତ୍ମାକୁ ହରାଏ, ତେବେ ସେଥିରେ କି ଲାଭ? କିମ୍ବା, ନିଜ ଅନ୍ତରାତ୍ମା ବଦଳରେ ମନୁଷ୍ୟ କଅଣ ଦେଇପାରେ? କାରଣ ମନୁଷ୍ୟପୁତ୍ର ଆପଣା ପିତାଙ୍କ ଗୌରବରେ ଗୌରବାନ୍ୱିତ ହୋଇ ସ୍ଵର୍ଗଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ପ୍ରତ୍ୟେକ ମନୁଷ୍ୟକୁ ସେ ତାହାର କର୍ମ ଅନୁସାରେ ପୁରସ୍କାର ଦେବେ।

“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ ମଧ୍ୟରୁ ଏଠାରେ ଠିଆ ହୋଇଥିବା କେତେଜଣ, ନିଜ ରାଜ୍ୟରେ ମନୁଷ୍ୟପୁତ୍ରଙ୍କର ଆଗମନ ନ ଦେଖିବା ପର୍ଯ୍ୟନ୍ତ ମୃତ୍ୟୁଭୋଗ କରିବେ ନାହିଁ।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.