Biblica® Open Odia Contemporary Bible
ଲୂକ 24
ମୃତ୍ୟୁଞ୍ଜୟୀ ଯୀଶୁ ଖ୍ରୀଷ୍ଟ
ସପ୍ତାହର ପ୍ରଥମ ଦିବସର, ଅତି ପ୍ରତ୍ୟୁଷରେ, ସ୍ତ୍ରୀଲୋକମାନେ ପ୍ରସ୍ତୁତ କରିଥିବା ସୁଗନ୍ଧିଦ୍ରବ୍ୟ ନେଇ ସମାଧି ନିକଟକୁ ଗଲେ। ସେମାନେ ଦେଖିଲେ ଯେ ସମାଧି ଦ୍ଵାରରୁ ପଥରଟା ଗଡ଼ାଇ ଦିଆଯାଇଛି, କିନ୍ତୁ ସେମାନେ ଭିତରେ ପ୍ରବେଶ କରି, ପ୍ରଭୁ ଯୀଶୁଙ୍କର ଶରୀର ପାଇଲେ ନାହିଁ। ସେହି ବିଷୟରେ ସେମାନେ ଆଶ୍ଚର୍ଯ୍ୟବୋଧ କରୁଥିବା ସମୟରେ, ହଠାତ୍ ଆଲୋକୋଜ୍ଜ୍ୱଳ ବସ୍ତ୍ର ପରିହିତ ଦୁଇଜଣ ବ୍ୟକ୍ତି ସେମାନଙ୍କ ପାଖରେ ଠିଆ ହେଲେ। ଭୟରେ ସ୍ତ୍ରୀଲୋକମାନେ ଅଧୋମୁଖ ହେଲେ, କିନ୍ତୁ ସେହି ବ୍ୟକ୍ତିମାନେ ସେମାନଙ୍କୁ କହିଲେ, “ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବିତଙ୍କୁ କାହିଁକି ଖୋଜୁଛ? ସେ ଏଠାରେ ନାହାନ୍ତି: ସେ ମୃତ୍ୟୁରୁ ଉଠିଅଛନ୍ତି! ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ଯେଉଁ କଥା କହିଥିଲେ, ତାହା ସ୍ମରଣ କର: ‘ପାପୀମାନଙ୍କ ହସ୍ତରେ ମନୁଷ୍ୟପୁତ୍ରଙ୍କୁ ସମର୍ପିତ ହେବାକୁ ହେବ, କ୍ରୁଶବିଦ୍ଧ ହେବାକୁ ହେବ ଏବଂ ତୃତୀୟ ଦିବସରେ ମୃତ୍ୟୁରୁ ପୁନରୁତ୍ଥିତ ହେବାକୁ ହେବ।’ ” ସେତେବେଳେ ତାହାଙ୍କର କଥାସବୁ ସେମାନଙ୍କର ମନେ ପଡ଼ିଲା।
ସମାଧିରୁ ଫେରିଯାଇ, ସେମାନେ ଏକାଦଶ ଶିଷ୍ୟଙ୍କୁ ଓ ଅନ୍ୟ ସମସ୍ତଙ୍କୁ ଏହିସବୁ କହିଲେ। ଏମାନେ ଥିଲେ, ମଗ୍ଦଲିନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ସେମାନଙ୍କ ସଙ୍ଗରେ ଥିବା ଅନ୍ୟମାନେ ସେମାନେ ଯାଇ ପ୍ରେରିତଶିଷ୍ୟମାନଙ୍କୁ ଏହା କହିଲେ। ମାତ୍ର ସେମାନେ ସ୍ତ୍ରୀମାନଙ୍କୁ ବିଶ୍ୱାସ କଲେ ନାହିଁ, କାରଣ ସେମାନଙ୍କ କଥାଗୁଡ଼ିକ ମନଗଢ଼ା କାହାଣୀ ପରି ମନେ ହେଲା। କିନ୍ତୁ ପିତର, ଉଠି, ସମାଧି ନିକଟକୁ ଦୌଡ଼ିଗଲେ। ନଇଁପଡ଼ି, ସେ କେବଳ ସୂତୀଲୁଗାଗୁଡ଼ାକ ପଡ଼ିଥିବାର ଦେଖିଲେ, ଏବଂ ସେହି ଘଟନାରେ ବିସ୍ମୟାନ୍ୱିତ ହୋଇ ଫେରିଗଲେ।
ଇମ୍ମାୟୁ ପଥରେ
ସେହିଦିନ ସେମାନଙ୍କ ମଧ୍ୟରୁ ଦୁଇଜଣ ଯିରୂଶାଲମରୁ ପ୍ରାୟ ସାତ ମାଇଲ ଦୂରବର୍ତ୍ତୀ, ଇମ୍ମାୟୁ ବୋଲି ଏକ ଗ୍ରାମକୁ ଯାଉଥିଲେ। ଯାହାସବୁ ଘଟି ଯାଇଥିଲା ସେହି ସମସ୍ତ ବିଷୟରେ ସେମାନେ ପରସ୍ପର କଥାବାର୍ତ୍ତା କରୁଥିଲେ। ସେମାନେ କଥାବାର୍ତ୍ତା ଓ ଆଲୋଚନା କରୁଥିବା ସମୟରେ, ସ୍ଵୟଂ ଯୀଶୁ ନିକଟକୁ ଆସି ସେମାନଙ୍କ ସହିତ ଚାଲିବାକୁ ଲାଗିଲେ। କିନ୍ତୁ ସେମାନଙ୍କର ଚକ୍ଷୁ ରୁଦ୍ଧ କରାଯାଇଥିବାରୁ ତାହାଙ୍କୁ ଚିହ୍ନିଲେ ନାହିଁ।
ସେ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ ଚାଲୁ ଚାଲୁ କେଉଁ ବିଷୟ ଆଲୋଚନା କରୁଛ?”
ସେମାନେ ବିଷଣ୍ଣ ମୁଖରେ ଠିଆ ହୋଇଗଲେ। ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ, ତାହାଙ୍କୁ ପଚାରିଲେ, “ଯିରୂଶାଲମବାସୀଙ୍କ ମଧ୍ୟରେ ଆପଣ କଅଣ ଏକମାତ୍ର ବ୍ୟକ୍ତି, ଯେ କି ଏହି କିଛିଦିନ ଭିତରେ ଯାହାସବୁ ସେଠାରେ ଘଟିଯାଇଛି ସେହିବିଷୟ କିଛି ଜାଣନ୍ତି ନାହିଁ?”
ସେ ପ୍ରଶ୍ନ କଲେ, “କେଉଁସବୁ ବିଷୟ?”
ସେମାନେ ଉତ୍ତର କଲେ। “ନାଜରିତର ଯୀଶୁଙ୍କ ବିଷୟ,” ସେ ଥିଲେ ଜଣେ ଭାବବାଦୀ, ଏବଂ ଈଶ୍ୱର ତଥା ସବୁ ମନୁଷ୍ୟଙ୍କ ସାକ୍ଷାତରେ ବାକ୍ୟ ଓ କାର୍ଯ୍ୟରେ ଶକ୍ତିଶାଳୀ ଥିଲେ। ପ୍ରଧାନଯାଜକ ଓ ଆମର ଅଧ୍ୟକ୍ଷମାନେ ତାହାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ରୋମୀୟମାନଙ୍କ ହାତରେ ସମର୍ପଣ କରିଦେଲେ, ଓ ସେମାନେ ତାଙ୍କୁ କ୍ରୁଶବିଦ୍ଧ କଲେ; କିନ୍ତୁ ସେହି ବ୍ୟକ୍ତି ହିଁ ଇସ୍ରାଏଲକୁ ମୁକ୍ତ କରିବେ ବୋଲି ଆମେ ଆଶା କରିଥିଲୁ। ଏହାଛଡ଼ା, ଏସମସ୍ତ ଘଟିବାର ଆଜି ହେଉଛି ତୃତୀୟ ଦିବସ। ଆହୁରି ମଧ୍ୟ, ଆମର କେତେଜଣ ସ୍ତ୍ରୀଲୋକ ଆମକୁ ଆଚମ୍ବିତ କରିଦେଇଛନ୍ତି। ସେମାନେ ଆଜି ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ କିନ୍ତୁ ତାହାଙ୍କର ଶରୀର ପାଇଲେ ନାହିଁ ଓ ଫେରିଆସି ଆମକୁ କହିଲେ ଯେ ସେମାନେ ସ୍ଵର୍ଗଦୂତମାନଙ୍କର ଦର୍ଶନ ପାଇଛନ୍ତି, ଓ ଯୀଶୁ ଯେ ଜୀବିତ ଏହା ଦୂତମାନେ କହିଛନ୍ତି। ତା ପରେ ଆମର ସଙ୍ଗୀମାନଙ୍କ ମଧ୍ୟରୁ କେତେଜଣ ସମାଧି ନିକଟକୁ ଗଲେ ଓ ସ୍ତ୍ରୀଲୋକମାନେ ଯେପରି କହିଥିଲେ, ଠିକ ସେହିପରି ଦେଖିଲେ ମାତ୍ର ଯୀଶୁଙ୍କୁ ଦେଖିଲେ ନାହିଁ।
ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କେଡ଼େ ନିର୍ବୋଧ, ଭାବବାଦୀମାନେ ଯାହାସବୁ କହିଛନ୍ତି ସେସବୁ ବିଶ୍ୱାସ କରିବାରେ ତୁମ୍ଭମାନଙ୍କର ହୃଦୟ କେଡ଼େ ଶିଥିଳ! ଏହିସମସ୍ତ ଦୁଃଖଭୋଗ କରି ନିଜ ଗୌରବରେ ପ୍ରବେଶ କରିବା କଅଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନ ଥିଲା?” ତହୁଁ ସେ ମୋଶାଙ୍କଠାରୁ ଆରମ୍ଭ କରି ସବୁ ଭାବବାଦୀଙ୍କ ପର୍ଯ୍ୟନ୍ତ ସମୁଦାୟ ଧର୍ମଶାସ୍ତ୍ରରେ ନିଜ ସମ୍ବନ୍ଧରେ ଯାହା କଥିତ ଅଛି, ତାହା ସେମାନଙ୍କୁ ବୁଝାଇଲେ।
ସେମାନେ ଯେଉଁ ଗ୍ରାମକୁ ଯାଉଥିଲେ ତାହା ନିକଟ ହେବାରୁ ଯୀଶୁ ଏପରି ଭାବ ଦେଖାଇଲେ, ସତେ ଯେପରି ସେ ଆହୁରି ଆଗକୁ ଯିବେ। କିନ୍ତୁ ସେମାନେ ତାହାଙ୍କୁ ଅତିଶୟ ବଳାଇ କହିଲେ, “ସନ୍ଧ୍ୟା ହୋଇ ଆସୁଛି; ବେଳ ଗଡ଼ିଗଲାଣି, ଆମ ସହିତ ରହିଯାଆନ୍ତୁ।” ତେଣୁ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ।
ସେମାନେ ଭୋଜନ କରିବାକୁ ବସିଲା ପରେ, ସେ ରୋଟୀ ନେଇ, ଧନ୍ୟବାଦ ଦେଲେ, ଓ ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଆରମ୍ଭ କଲେ। ସେତେବେଳେ ସେମାନଙ୍କ ଆଖି ଖୋଲିଗଲା ସେମାନେ ତାହାଙ୍କୁ ଚିହ୍ନିପାରିଲେ, ଏବଂ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ସେମାନେ ପରସ୍ପରକୁ କହିଲେ, “ବାଟରେ ସେ ଆମ ସହିତ କଥାବାର୍ତ୍ତା କଲାବେଳେ ଓ ଆମକୁ ଧର୍ମଶାସ୍ତ୍ର ବୁଝାଇଲା ବେଳେ ଆମ ଅନ୍ତର କଅଣ ଉତ୍ତପ୍ତ ହେଉ ନ ଥିଲା?”
ସେମାନେ ଉଠି ସେହିକ୍ଷଣି ଯିରୂଶାଲମକୁ ଫେରିଗଲେ। ସେଠାରେ ସେମାନେ ଏକାଦଶ ଶିଷ୍ୟଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ, ଏକାଠି ସମବେତ ହୋଇଥିବା ଦେଖିଲେ। ଏବଂ ଏହି କଥା କହୁଥିବା ଶୁଣିଲେ, “ପ୍ରଭୁ ଅବଶ୍ୟ ଉଠିଛନ୍ତି! ଓ ଶିମୋନଙ୍କୁ ଦର୍ଶନ ଦେଇଛନ୍ତି।” ତା ପରେ ସେହି ଦୁଇଜଣ ବାଟରେ କଣ ଘଟିଲା, ଓ ଯୀଶୁ ରୋଟୀ ଭାଙ୍ଗିଲା ବେଳେ ସେମାନେ କିପରି ତାହାଙ୍କୁ ଚିହ୍ନିଲେ ଏସବୁ କଥା ବର୍ଣ୍ଣନା କଲେ।
ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ
ସେମାନେ ଏହି ବିଷୟ କଥାବାର୍ତ୍ତା ହେଉଥିବା ବେଳେ, ଯୀଶୁ ନିଜେ ସେମାନଙ୍କ ମଧ୍ୟରେ ଉଭା ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
ସେମାନେ ଚକିତ ଓ ଭୀତତ୍ରସ୍ତ ହୋଇ, ଭୂତ ଦେଖୁଛନ୍ତି ବୋଲି ଭାବିଲେ। ସେ ସେମାନଙ୍କୁ କହିଲେ, “କାହିଁକି ତୁମେମାନେ ଉଦ୍ବିଗ୍ନ, କାହିଁକି ତୁମମାନଙ୍କ ମନରେ ସନ୍ଦେହ ଉଠୁଛି? ମୋର ହାତ ଓ ପାଦ ଦେଖ। ଏ ତ ସ୍ଵୟଂ ମୁଁ! ମୋତେ ସ୍ପର୍ଶ କରି ଦେଖ; ମୋର ଯେପରି ମାଂସ ଓ ଅସ୍ଥି ଥିବାର ଦେଖୁଛ, ଭୂତର ସେପରି ନ ଥାଏ।”
ସେ ଏହା କହିବା ପରେ, ସେମାନଙ୍କୁ ନିଜର ହାତ ଓ ପାଦ ଦେଖାଇଲେ। ତଥାପି ସେମାନେ ଆନନ୍ଦ ଓ ବିସ୍ମୟ ହେତୁ ଆହୁରି ଅବିଶ୍ୱାସ କରିବାରୁ, ସେ ସେମାନଙ୍କୁ ପଚାରିଲେ, “ଏଠାରେ ତୁମମାନଙ୍କ ପାଖେ କିଛି ଖାଦ୍ୟ ଅଛି କି?” ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ, ସେ ତାହା ନେଇ ସେମାନଙ୍କ ସାକ୍ଷାତରେ ଖାଇଲେ।
ସେ ସେମାନଙ୍କୁ କହିଲେ, “ମୁଁ ତୁମମାନଙ୍କ ସଙ୍ଗରେ ଥିଲାବେଳେ ଏହି କଥା ହିଁ ତୁମ୍ଭମାନଙ୍କୁ କହିଥିଲି: ମୋଶାଙ୍କ ବିଧିବ୍ୟବସ୍ଥାରେ ଭାବବାଦୀମାନଙ୍କ ଶାସ୍ତ୍ରରେ ଓ ଗୀତସଂହିତାରେ ମୋ ସମ୍ବନ୍ଧରେ ଯାହାସବୁ ଲେଖାଅଛି, ସେ ପ୍ରତ୍ୟେକଟି ଅବଶ୍ୟ ସଫଳ ହେବ।”
ଏଉତ୍ତାରେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝିପାରିବେ ଏଥିପାଇଁ ସେ ସେମାନଙ୍କର ଚିତ୍ତ ଦ୍ଵାର ଉନ୍ମୁକ୍ତ କଲେ। ସେ ସେମାନଙ୍କୁ କହିଲେ, “ଏହି କଥା ହିଁ ଲେଖାଅଛି ଯେ: ଖ୍ରୀଷ୍ଟ ଦୁଃଖଭୋଗ କରି ମୃତମାନଙ୍କ ମଧ୍ୟରୁ ତୃତୀୟ ଦିନରେ ଉତ୍ଥିତ ହେବେ। ପୁଣି ଯିରୂଶାଲମରୁ ଆରମ୍ଭ କରି, ସବୁ ଜାତିଙ୍କ ନିକଟରେ ତାହାଙ୍କ ନାମରେ ଅନୁତାପ ଓ ପାପକ୍ଷମାର ବାର୍ତ୍ତା ପ୍ରଚାର କରାଯିବ। ତୁମେମାନେ ଏସମସ୍ତ ବିଷୟର ସାକ୍ଷୀ। ମୋର ପିତା ଯାହା ପ୍ରତିଜ୍ଞା କରିଛନ୍ତି ତାହା ମୁଁ ତୁମମାନଙ୍କ ନିକଟକୁ ପଠାଇବି; କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତିରେ ଭୂଷିତ ନ ହେବା ପର୍ଯ୍ୟନ୍ତ ତୁମେମାନେ ଏହି ନଗରରେ ରହିଥାଅ।”
ଯୀଶୁଙ୍କର ସ୍ଵର୍ଗାରୋହଣ
ତତ୍ପରେ ସେ ସେମାନଙ୍କୁ ବେଥାନୀର ଉପକଣ୍ଠ ବା ବାଟ ପର୍ଯ୍ୟନ୍ତ ନେଇଗଲେ, ଏବଂ ଉପରକୁ ହାତ ଟେକି ସେମାନଙ୍କୁ ଆଶୀର୍ବାଦ କଲେ। ଆଶୀର୍ବାଦ କରୁ କରୁ, ସେମାନଙ୍କଠାରୁ ଅନ୍ତର ହୋଇ ସେ ସ୍ଵର୍ଗକୁ ନୀତ ହେଲେ। ତତ୍ପରେ ସେମାନେ ତାହାଙ୍କର ଆରାଧନା କଲେ ଓ ମହା ଆନନ୍ଦରେ ଯିରୂଶାଲମକୁ ଫେରିଗଲେ। ସେମାନେ ନିରନ୍ତର ମନ୍ଦିରରେ ରହି ଈଶ୍ୱରଙ୍କର ସ୍ତୁତି କଲେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.