Biblica® Open Odia Contemporary Bible
ଯୋହନ 1
ବାକ୍ୟ ଶରୀରଧାରଣ କଲେ
ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ଏବଂ ସେହି ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। ତାହାଙ୍କ ଦ୍ଵାରା ସମସ୍ତ ବିଷୟ ସୃଷ୍ଟ ହେଲା ଯାହାକିଛି ସୃଷ୍ଟ ହୋଇଛି; ସେଥିରୁ କିଛି ହିଁ ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ତାହାଙ୍କଠାରେ ଜୀବନ ଥିଲା, ଓ ସେହି ଜୀବନ ଥିଲା ମନୁଷ୍ୟମାନଙ୍କର ଜ୍ୟୋତି। ସେହି ଜ୍ୟୋତି ଅନ୍ଧକାରରେ ଉଦ୍ଭାସିତ, କିନ୍ତୁ ଅନ୍ଧକାର ତାହା ହୃଦୟଙ୍ଗମ କରି ନାହିଁ।
ଈଶ୍ୱରଙ୍କ ନିକଟରୁ ପ୍ରେରିତ ହୋଇ ଜଣେବ୍ୟକ୍ତି ଆସିଲେ ତାଙ୍କ ନାମ ଥିଲା ଯୋହନ। ସମସ୍ତେ ଯେପରି ତାଙ୍କ ଦ୍ଵାରା ବିଶ୍ୱାସ କରିପାରନ୍ତି, ଏଥିପାଇଁ ସେହି ଜ୍ୟୋତି ସମ୍ବନ୍ଧରେ ସାକ୍ଷ୍ୟ ଦେବାକୁ ଯୋହନ ସାକ୍ଷୀ ସ୍ଵରୂପେ ଆସିଲେ। ସେ ନିଜେ ସେହି ଜ୍ୟୋତି ନ ଥିଲେ; ସେହି ଜ୍ୟୋତିର କେବଳ ସାକ୍ଷୀ ସ୍ଵରୂପ ହୋଇ ସେ ଆସିଥିଲେ।
ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି ସେ ଜଗତକୁ ଆସୁଥିଲେ। ସେ ଜଗତରେ ଥିଲେ, ଏବଂ ଜଗତ ତାହାଙ୍କ ଦ୍ଵାରା ସୃଷ୍ଟ ହେଲେ ମଧ୍ୟ, ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ନିଜ ରାଜ୍ୟକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ତଥାପି ଯେଉଁମାନେ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସେମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ; ସ୍ୱାଭାବିକଭାବେ ମନୁଷ୍ୟର ଇଚ୍ଛାରୁ, ଅବା ପୁରୁଷର ଅଭିଳାଷରୁ ଜାତ ନ ହୋଇ, ଏମାନେ ଈଶ୍ୱରଙ୍କଠାରୁ ଜାତ।
ସେହି ବାକ୍ୟ ଶରୀରଧାରଣ କଲେ ଏବଂ ଆମ ସଙ୍ଗରେ ବାସ କଲେ। ସେ ଅନୁଗ୍ରହ ଓ ସତ୍ୟରେ ପୂର୍ଣ୍ଣ ହୋଇ, ପିତାଙ୍କ ନିକଟରୁ ଆସିଲେ, ଓ ଆମେ ତାହାଙ୍କର ମହିମା ଦେଖିଲୁ, ତାହା ଥିଲା ଏକମାତ୍ର ପୁତ୍ରଙ୍କ ମହିମା।
ଯୋହନ ତାହାଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇ ଉଚ୍ଚସ୍ଵରରେ କହିଲେ, ଯାହାଙ୍କ ସମ୍ବନ୍ଧରେ ମୁଁ ଏହା କହିଥିଲି, ଯେ ମୋ ଉତ୍ତାରେ ଆସୁଛନ୍ତି ସେ ମୋର ଅଗ୍ରଣୀ ହୋଇଛନ୍ତି, କାରଣ ସେ ମୋ ପୂର୍ବରୁ ଥିଲେ ଏ ହେଉଛନ୍ତି ସେହି ବ୍ୟକ୍ତି। ତାହାଙ୍କ ଅନୁଗ୍ରହର ପୂର୍ଣ୍ଣତାରୁ ଆମେ ସମସ୍ତେ ଆଶୀର୍ବାଦ ପରେ ଆଶୀର୍ବାଦ ଲାଭ କରିଛୁ। କାରଣ ମୋଶାଙ୍କ ମାଧ୍ୟମରେ ବିଧିବ୍ୟବସ୍ଥା ପ୍ରଦତ୍ତ ହେଲା; କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁଗ୍ରହ ଓ ସତ୍ୟତା ଆସିଲା। କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, ମାତ୍ର ପିତାଙ୍କ କୋଳସ୍ଥିତ ଏକମାତ୍ର ପୁତ୍ର, ତାହାଙ୍କୁ ପ୍ରକାଶ କରିଅଛନ୍ତି।
ଡୁବକ ଯୋହନ ନିଜର ପରିଚୟ ଦେଲେ
ଯୋହନ କିଏ ବୋଲି ପଚାରିବା ପାଇଁ ଯିରୂଶାଲମର ଯିହୁଦୀମାନେ ଯେତେବେଳେ ଯାଜକ ଓ ଲେବୀୟମାନଙ୍କୁ ପଠାଇଲେ ସେତେବେଳେ ଯୋହନ ଏହି ସାକ୍ଷ୍ୟ ଦେଇଥିଲେ। ସେ ଅସ୍ୱୀକାର ନ କରି, ମୁକ୍ତକଣ୍ଠରେ ସ୍ୱୀକାର କରି କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”
ସେମାନେ ତାଙ୍କୁ ପଚାରିଲେ, “ତା ହେଲେ ଆପଣ କିଏ? ଆପଣ କଅଣ ଏଲିୟ?”
ସେ କହିଲେ, “ମୁଁ ନୁହେଁ।”
“ଆପଣ କଅଣ ସେହି ଭାବବାଦୀ?”
ସେ ଉତ୍ତର ଦେଇ କହିଲେ, “ନା।”
ଶେଷରେ ସେମାନେ କହିଲେ, “ଆପଣ କିଏ? ଆମକୁ ପଠାଇଥିବା ଲୋକମାନଙ୍କୁ, ଆମେ ଯେପରି ଉତ୍ତର ଦେଇପାରିବୁ ଏଥିପାଇଁ ଆପଣ ନିଜ ବିଷୟରେ କଅଣ କହୁଛନ୍ତି?”
ଭାବବାଦୀ ଯିଶାଇୟ ଯେପରି କହିଥିଲେ ସେହି ଉକ୍ତି କରି ସେ କହିଲେ, “ମୁଁ ହେଉଛି ମରୁପ୍ରାନ୍ତରରେ ଚିତ୍କାର କରି କହୁଥିବା ଜଣକର ସ୍ଵର, ‘ପ୍ରଭୁଙ୍କ ପାଇଁ ପଥ ସଳଖ କର।’ ”
ତା ପରେ ଫାରୂଶୀମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ପଠାଗଲା ସେମାନେ ତାଙ୍କୁ ପ୍ରଶ୍ନ କଲେ, “ଆପଣ ଯଦି ଖ୍ରୀଷ୍ଟ ଅବା ଏଲିୟ, ଅବା ସେହି ଭାବବାଦୀ ନୁହନ୍ତି, ତା ହେଲେ କାହିଁକି ଡୁବନ ଦେଉଅଛନ୍ତି?”
ଯୋହନ ଉତ୍ତର କଲେ, “ମୁଁ ଜଳରେ ଡୁବନ ଦେଉଅଛି,” କିନ୍ତୁ ତୁମ୍ଭମାନଙ୍କମଧ୍ୟରେ ଏପରି ଜଣେ ବିଦ୍ୟମାନ ଅଛନ୍ତି ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ। ସେ ହେଉଛନ୍ତି ସେହି ବ୍ୟକ୍ତି ଯେ ମୋ ପରେ ଆସୁଅଛନ୍ତି, ଓ ଯାହାଙ୍କ ପାଦୁକାର ଫିତା ଫିଟାଇବାକୁ ସୁଦ୍ଧା ମୁଁ ଯୋଗ୍ୟ ନୁହେଁ।
ଯର୍ଦ୍ଦନର ଅପରପାର୍ଶ୍ୱସ୍ଥ ବେଥାନୀରେ ଯୋହନ ଡୁବନ ଦେଉଥିବା ସ୍ଥାନରେ, ଏହିସମସ୍ତ ଘଟିଥିଲା।
ଯୀଶୁ ଈଶ୍ୱରଙ୍କ ମେଷଶାବକ
ପରବର୍ତ୍ତୀ ଦିନ ଯୋହନ ନିଜ ନିକଟକୁ ଯୀଶୁଙ୍କୁ ଆସିବାର ଦେଖି କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି! ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ସମ୍ବନ୍ଧରେ ମୁଁ କହିଥିଲି, ‘ଜଣେବ୍ୟକ୍ତି ମୋ ଉତ୍ତାରେ ଆସି ମୋର ଅଗ୍ରଣୀ ହୋଇଛନ୍ତି କାରଣ ସେ ମୋ ପୂର୍ବରୁ ଥିଲେ।’ ମୁଁ ନିଜେ ତାହାଙ୍କୁ ଜାଣି ନ ଥିଲି, ମାତ୍ର ସେ ଇସ୍ରାଏଲରେ ଯେପରି ପରିଚିତ ହୁଅନ୍ତି ଏହି କାରଣରୁ ମୁଁ ଜଳରେ ଡୁବନ ଦେବାକୁ ଆସିଛି।”
ତତ୍ପରେ ଯୋହନ ଏହି ସାକ୍ଷ୍ୟ ଦେଇ କହିଲେ: “ମୁଁ ଆତ୍ମାଙ୍କୁ କପୋତ ରୂପେ ସ୍ଵର୍ଗରୁ ଅବତରଣ କରି ତାହାଙ୍କ ଉପରେ ଅବସ୍ଥାନ କରିବାର ଦେଖିଲି। ଯେ ମୋତେ ଜଳରେ ଡୁବନ ଦେବା ପାଇଁ ପଠାଇଲେ ସେ ମୋତେ କହିଲେ, ‘ଯାହାଙ୍କ ଉପରେ ଆତ୍ମା ଅବତରଣ କରି ଅବସ୍ଥାନ କରିବାର ଦେଖିବ, ସେ ହେଉଛନ୍ତି ସେହି ବ୍ୟକ୍ତି ଯେ ପବିତ୍ରଆତ୍ମାଙ୍କ ଦ୍ଵାରା ଡୁବନ ଦେବେ ସେ ଏ କଥା କହି ନ ଥିଲେ ମୁଁ ତାହାଙ୍କୁ ଚିହ୍ନ ନ ଥା ନ୍ତି।’ ମୁଁ ଦେଖିଅଛି ଓ ସାକ୍ଷ୍ୟ ଦେଉଅଛି ଯେ ଏ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର।”
ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ
ପରବର୍ତ୍ତୀ ଦିନ ଯୋହନ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସହ ପୁନର୍ବାର ସେଠାରେ ଥିଲେ। ଯେତେବେଳେ ସେ ଯୀଶୁଙ୍କୁ ସେହି ବାଟ ଦେଇ ଯିବାର ଦେଖିଲେ, ସେ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ!”
ଯେତେବେଳେ ଶିଷ୍ୟଦ୍ଵୟ ତାଙ୍କୁ ଏହି କଥା କହିବାର ଶୁଣିଲେ, ସେମାନେ ଯୀଶୁଙ୍କର ପଛେ ପଛେ ଗଲେ। ଯୀଶୁ ବୁଲିପଡ଼ି, ସେମାନଙ୍କୁ ପଛରେ ଆସୁଥିବାର ଦେଖି ପଚାରିଲେ, “ତୁମେମାନେ କଅଣ ଚାହଁ?”
ସେମାନେ କହିଲେ, “ରାବ୍ବୀ” ଅର୍ଥାତ୍ “ଗୁରୁ” ଆପଣ କେଉଁଠାରେ ରହୁଛନ୍ତି?
ସେ ଉତ୍ତର ଦେଲେ, ଆସ, ଦେଖିବ।
ତେଣୁ ସେମାନେ ଯାଇ ତାଙ୍କର ରହିବା ସ୍ଥାନ ଦେଖିଲେ, ଓ ସେହି ଦିନଟି ତାହାଙ୍କ ସହିତ ଅତିବାହିତ କଲେ। ସେତେବେଳକୁ ପ୍ରାୟ ଦଶ ଘଣ୍ଟା ହୋଇଥିଲା।
ଯୋହନଙ୍କ କଥା ଶୁଣି ଯେଉଁ ଦୁଇଜଣ ଯୀଶୁଙ୍କର ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଶିମୋନ, ପିତରଙ୍କ ଭାଇ ଆନ୍ଦ୍ରିୟ। ଆନ୍ଦ୍ରିୟ ପ୍ରଥମେ ନିଜ ଭାଇ ଶିମୋନଙ୍କୁ ଖୋଜିଲେ ଓ ତାଙ୍କ ଦେଖା ପାଇ କହିଲେ, ଆମେ ମସୀହଙ୍କର ଅର୍ଥାତ୍, ଖ୍ରୀଷ୍ଟଙ୍କର ସନ୍ଧାନ ପାଇଛୁ। ତତ୍ପରେ ସେ ଶିମୋନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ।
ଓ ଯୀଶୁ ତାଙ୍କୁ ଅନାଇ କହିଲେ, “ତୁମେ ଯୋହନଙ୍କ ପୁତ୍ର ଶିମୋନ। ତୁମେ କେଫା ଅର୍ଥାତ୍ ପିତର ବୋଲି ପରିଚିତ ହେବ।”
ଫିଲିପ ଓ ନିଥନିଏଲଙ୍କ ଆହ୍ଵାନ
ପରବର୍ତ୍ତୀ ଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲିପଙ୍କ ଦେଖା ପାଇ, ତାଙ୍କୁ କହିଲେ, “ମୋର ଅନୁଗମନ କର।”
ଆନ୍ଦ୍ରିୟ, ଓ ପିତରଙ୍କ ପରି, ଫିଲିପ ବେଥ୍ସାଇଦାର ଅଧିବାସୀ ଥିଲେ। ଫିଲିପ ନିଥନିଏଲଙ୍କ ଦେଖା ପାଇ ତାଙ୍କୁ କହିଲେ, “ଯାହାଙ୍କ ବିଷୟରେ ମୋଶା ବିଧିବ୍ୟବସ୍ଥାରେ ଲେଖିଥିଲେ, ପୁଣି ଭାବବାଦୀମାନେ ମଧ୍ୟ ଲେଖିଥିଲେ ଆମେ ତାହାଙ୍କର ସନ୍ଧାନ ପାଇଛୁ, ସେ ଯୋସେଫଙ୍କ ପୁତ୍ର ନାଜରିତୀୟ ଯୀଶୁ।”
ନିଥନିଏଲ ପ୍ରଶ୍ନ କଲେ, “ନାଜରିତ! ସେଠାରୁ କୌଣସି ଉତ୍ତମ ବିଷୟର କଅଣ ଉତ୍ପତ୍ତି ହୋଇପାରେ?”
ଫିଲିପ କହିଲେ। “ଆସି ଦେଖ।”
ଯୀଶୁ ନିଥନିଏଲଙ୍କୁ ନିଜ ନିକଟକୁ ଆସିବାର ଦେଖି, ତାଙ୍କ ବିଷୟରେ କହିଲେ, “ହେଇ ଦେଖ ଜଣେ ପ୍ରକୃତ ଇସ୍ରାଏଲୀୟ ଏହାଙ୍କଠାରେ ଲେଶମାତ୍ର ଛଳନା ନାହିଁ।”
ନିଥନିଏଲ ପଚାରିଲେ, “ଆପଣ ମୋତେ ଜାଣିଲେ କିପରି?”
ଯୀଶୁ ଉତ୍ତର ଦେଲେ, “ଫିଲିପ ତୁମକୁ ଡାକିବା ପୂର୍ବରୁ ତୁମେ ଯେଉଁ ସମୟରେ ଡିମ୍ବିରି ଗଛ ତଳେ ଥିଲେ ମୁଁ ତୁମକୁ ଦେଖିଲି।”
ତତ୍ପରେ ନିଥନିଏଲ କହିଲେ, “ଗୁରୁ, ଆପଣ ହିଁ ଈଶ୍ୱରଙ୍କ ପୁତ୍ର; ଆପଣ ହିଁ ଇସ୍ରାଏଲର ରାଜା।”
ଯୀଶୁ କହିଲେ, “ମୁଁ ତୁମକୁ ଡିମ୍ବିରି ଗଛ ତଳେ ଦେଖିଲି ବୋଲି କହିବାରୁ ତୁମେ ବିଶ୍ୱାସ କରୁଛ। ତୁମେ ଏହାଠାରୁ ଆହୁରି ଅଧିକ ମହତ୍ ବିଷୟସବୁ ଦେଖିବ।” ସେ ଆହୁରି ମଧ୍ୟ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମେମାନେ ‘ସ୍ଵର୍ଗକୁ ଉନ୍ମୁକ୍ତ ହେବାର, ଓ ମନୁଷ୍ୟପୁତ୍ରଙ୍କ ଉପର ଦେଇ ଈଶ୍ୱରଙ୍କ ଦୂତମାନଙ୍କୁ ଆରୋହଣ’ ଓ ଅବତରଣ କରିବାର ଦେଖିବ।”
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.