Biblica® Open Odia Contemporary Bible
ଲୂକ 23
ତତ୍ପରେ ସମଗ୍ର ମହାସଭା ଉଠି ତାହାଙ୍କୁ ପୀଲାତଙ୍କ ନିକଟକୁ ନେଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି, କହିଲେ, “ଏହି ଲୋକ ଆମ ଜାତିକୁ ଧ୍ୱଂସମୁଖୀ କରାଉଛି। ସେ କାଇସରଙ୍କୁ କର ଦେବାକୁ ବିରୋଧ କରୁଛି ଏବଂ ନିଜକୁ ଖ୍ରୀଷ୍ଟ, ଅର୍ଥାତ୍, ଅଭିଷିକ୍ତ ରାଜା ବୋଲାଉଛି।”
ଅତଏବ ପୀଲାତ ଯୀଶୁଙ୍କୁ ପଚାରିଲେ, “ତୁମେ କଅଣ ଯିହୁଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ, “ଆପଣ କହୁଅଛନ୍ତି।”
ଅନନ୍ତର ପୀଲାତ ପ୍ରଧାନ ଯାଜକମାନଙ୍କୁ ଓ ଜନତାକୁ କହିଲେ, “ଏହି ଲୋକ ବିରୁଦ୍ଧରେ ମୁଁ କୌଣସି ଅଭିଯୋଗର କାରଣ ପାଉ ନାହିଁ।”
କିନ୍ତୁ ସେମାନେ ଦୃଢ଼ତା ସହ କହିବାକୁ ଲାଗିଲେ, “ସେ ତାହାର ଶିକ୍ଷା ଦ୍ଵାରା ସମଗ୍ର ଯିହୁଦା ପ୍ରଦେଶରେ ଲୋକଙ୍କୁ ମତାଉଛି। ସେ ଗାଲିଲୀରେ ତାହା ଆରମ୍ଭ କରି ଏ ସ୍ଥାନକୁ ସୁଦ୍ଧା ଆସିଲାଣି।”
ଏ କଥା ଶୁଣି, ସେହି ବ୍ୟକ୍ତି ଜଣେ ଗାଲିଲୀୟ କି ନୁହନ୍ତି ବୋଲି ପୀଲାତ ପଚାରିଲେ। ସେ ଯେତେବେଳେ ଶୁଣିଲେ ଯେ ଯୀଶୁ ହେରୋଦଙ୍କ ଶାସିତ ଅଞ୍ଚଳର ଲୋକ, ସେ ତାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ସେହି ସମୟରେ ହେରୋଦ ଯିରୂଶାଲମରେ ଥିଲେ।
ଯୀଶୁଙ୍କୁ ଦେଖି ହେରୋଦ, ଅତିଶୟ ଆନନ୍ଦିତ ହେଲେ, କାରଣ ସେ ତାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ। ସେ ତାହାଙ୍କ ବିଷୟରେ ଯାହାସବୁ ଶୁଣିଥିଲେ, ସେଥିପାଇଁ ତାଙ୍କ ଦ୍ଵାରା ସାଧିତ କୌଣସି ଅଲୌକିକ କର୍ମ ଦେଖିବାକୁ ଆଶା କରୁଥିଲେ। ସେ ଯୀଶୁଙ୍କୁ ଅନେକ ପ୍ରଶ୍ନ ପଚାରିଲେ, ମାତ୍ର ଯୀଶୁ କୌଣସି ଉତ୍ତର ଦେଲେ ନାହିଁ। ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନେ ସେଠାରେ ଠିଆ ହୋଇ, ତାହାଙ୍କ ବିରୁଦ୍ଧରେ ଘୋର ଅଭିଯୋଗ କରୁଥିଲେ। ତତ୍ପରେ ହେରୋଦ ଓ ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ଥଟ୍ଟା ପରିହାସ କଲେ, ସେମାନେ ତାହାଙ୍କୁ ଏକ ଚାକଚକ୍ୟ ପୋଷାକ ପିନ୍ଧାଇ, ପୀଲାତଙ୍କ ନିକଟକୁ ପୁଣି ପଠାଇଦେଲେ। ସେହିଦିନ ହେରୋଦ ଓ ପୀଲାତ ବନ୍ଧୁ ହେଲେ ଏହା ପୂର୍ବରୁ ସେମାନେ ଶତ୍ରୁ ଥିଲେ।
ପୀଲାତ ପ୍ରଧାନ ଯାଜକମାନଙ୍କୁ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଏକତ୍ର ଡାକିଲେ, ଏବଂ ସେ ସେମାନଙ୍କୁ କହିଲେ, “ଏହି ଲୋକ ବିଦ୍ରୋହ କରିବା ପାଇଁ ଲୋକଙ୍କୁ ମତାଉଛି ବୋଲି ତୁମ୍ଭେମାନେ ଏହାଙ୍କୁ ମୋ ନିକଟକୁ ଆଣିଥିଲ। ମୁଁ ତାଙ୍କୁ ତୁମ୍ଭମାନଙ୍କ ସାକ୍ଷାତରେ ପ୍ରଶ୍ନ କରି ତାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗର କୌଣସି କାରଣ ପାଇଲି ନାହିଁ। ହେରୋଦ ମଧ୍ୟ ପାଇଲେ ନାହିଁ, ତେଣୁ ସେ ତାଙ୍କୁ ଆମ ନିକଟକୁ ପୁଣି ପଠାଇଦେଲେ; ସେ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଦୋଷ କରିନାହାନ୍ତି ବୋଲି, ତୁମ୍ଭେମାନେ ନିଜେ ଦେଖିପାରୁଛ। ସେଥିପାଇଁ, ମୁଁ ଏହାଙ୍କୁ ଶାସ୍ତି ଦେଇ ମୁକ୍ତ କରିଦେବି।” ପର୍ବ ସମୟରେ ସେମାନଙ୍କ ନିମନ୍ତେ ପୀଲାତଙ୍କୁ ଜଣେ ବନ୍ଦିକୁ ମୁକ୍ତି ଦେବାକୁ ପଡ଼ୁଥିଲା।
ସେମାନେ ଏକ ସ୍ଵରରେ ଚିତ୍କାର କରି କହିଲେ, “ଏହି ଲୋକକୁ କ୍ରୁଶରେ ଚଢାଅ! ଆମ ପାଇଁ ବାରବ୍ବାକୁ ମୁକ୍ତ କର!” ନଗରରେ ବିଦ୍ରୋହ ଓ ନରହତ୍ୟା ହେତୁ, ବାରବ୍ବାକୁ କାରାଗାରରେ ରଖା ଯାଇଥିଲା।
ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି, ପୀଲାତ ପୁଣି ଥରେ ସେମାନଙ୍କୁ ବୁଝାଇଲେ। କିନ୍ତୁ ସେମାନେ ଚିତ୍କାର କରିବାକୁ ଲାଗିଲେ, “ତାକୁ କ୍ରୁଶରେ ଚଢାଅ! ତାକୁ କ୍ରୁଶରେ ଚଢାଅ!”
ତୃତୀୟ ଥର ପାଇଁ ସେ ସେମାନଙ୍କୁ କହିଲେ: “କାହିଁକି? ଏ ବ୍ୟକ୍ତି କି ଅପରାଧ କରିଛନ୍ତି? ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି କାରଣ ମୁଁ ଏହାଙ୍କଠାରେ ପାଇ ନାହିଁ। ସେଥିପାଇଁ ମୁଁ ଏହାଙ୍କୁ ଶାସ୍ତି ଦେଇ ମୁକ୍ତ କରିଦେବି।”
ମାତ୍ର ସେମାନେ ଉଚ୍ଚସ୍ଵରରେ ଚିତ୍କାର କରି ତାଙ୍କୁ କ୍ରୁଶାର୍ପିତ କରିବାକୁ ଜିଦ୍ ଧରି ବସିଲେ, ଓ ସେମାନଙ୍କ ଚିତ୍କାରର ଜୟ ହେଲା। ତେଣୁ ପୀଲାତ ସେମାନଙ୍କର ଦାବୀ ପୂରଣ କରିବାକୁ ସ୍ଥିର କଲେ। ବିଦ୍ରୋହ ଓ ନରହତ୍ୟା ହେତୁ କାରାଗାରରେ ନିକ୍ଷିପ୍ତ ହୋଇଥିବା ଯେଉଁ ଲୋକର ମୁକ୍ତି ସେମାନେ ଦାବୀ କରିଥିଲେ, ତାକୁ ସେ ଛାଡ଼ିଦେଲେ, ଓ ସେମାନଙ୍କର ଇଚ୍ଛା ପୂରଣ କରିବାକୁ ଯୀଶୁଙ୍କୁ ସମର୍ପି ଦେଲେ।
ଯୀଶୁ କ୍ରୁଶବିଦ୍ଧ ହେଲେ
ସେମାନେ ତାଙ୍କୁ ନେଇଯିବା ସମୟରେ, ଗ୍ରାମାଞ୍ଚଳରୁ ସେହିବାଟେ ଆସୁଥିବା ସାଇରିନିର ଶିମୋନ ନାମକ ଜଣେ ବ୍ୟକ୍ତିଙ୍କୁ ଧରି, ତାଙ୍କ ଉପରେ କ୍ରୁଶ ରଖିଲେ, ଏବଂ ତାହା ବହନ କରି ଯୀଶୁଙ୍କ ପଛେ ପଛେ ଯିବା ପାଇଁ ବାଧ୍ୟ କଲେ। ବହୁସଂଖ୍ୟକ ଲୋକ ଯୀଶୁଙ୍କ ପଛେ ପଛେ ଚାଲୁଥିଲେ, ସେମାନଙ୍କ ମଧ୍ୟରେ ତାହାଙ୍କ ପାଇଁ ବିଳାପ ଓ କ୍ରନ୍ଦନ କରୁଥିବା ସ୍ତ୍ରୀଲୋକମାନେ ମଧ୍ୟ ଥିଲେ। ଯୀଶୁ ବୁଲିପଡ଼ି ସେମାନଙ୍କୁ କହିଲେ, “ଆଗୋ ଯିରୂଶାଲମର କନ୍ୟାମାନେ, ମୋ ପାଇଁ କାନ୍ଦ ନାହିଁ; ବରଂ ତୁମେ ନିଜ ପାଇଁ ଓ ତୁମ ସନ୍ତାନମାନଙ୍କ ପାଇଁ କାନ୍ଦ। କାରଣ ସମୟ ଆସିବ ଯେତେବେଳେ ଲୋକେ କହିବେ, ‘ଯେଉଁମାନଙ୍କର ଗର୍ଭ କେବେ ସନ୍ତାନ ଧାରଣ କରି ନାହିଁ ଓ ଯେଉଁମାନଙ୍କର ସ୍ତନ କେବେ ଦୁଗ୍ଧପାନ କରାଇ ନାହିଁ, ଏପରି ବନ୍ଧ୍ୟା ନାରୀମାନେ ଧନ୍ୟ!’ ସେତେବେଳେ
“ ‘ସେମାନେ ପର୍ବତଗୁଡ଼ିକୁ କହିବେ, “ଆମ ଉପରେ ପଡ଼!”
ଓ ପାହାଡ଼ଗୁଡ଼ିକୁ କହିବେ, “ଆମକୁ ଘୋଡ଼ାଇ ଦିଅ!” ’
କାରଣ ବୃକ୍ଷ ସଜୀବ ଥିଲାବେଳେ ଲୋକେ ଯଦି ଏହା କରନ୍ତି, ତେବେ ବୃକ୍ଷ ଶୁଷ୍କ ହେଲେ କଣ ନ ହେବ?”
ପ୍ରାଣଦଣ୍ଡ ପାଇବାକୁ, ତାହାଙ୍କ ସଙ୍ଗେ, ଦୁଇଜଣ ଅପରାଧୀ ମଧ୍ୟ ନିଆଗଲେ। ସେମାନେ ଖପୁରି ନାମକ ସ୍ଥାନରେ ଉପସ୍ଥିତ ହୋଇ, ତାହାଙ୍କୁ ଅପରାଧୀମାନଙ୍କ ସହିତ ସେଠାରେ କ୍ରୁଶବିଦ୍ଧ କଲେ, ଜଣକୁ ତାହାଙ୍କ ଦକ୍ଷିଣପାର୍ଶ୍ୱରେ, ଓ ଅନ୍ୟଜଣକୁ ବାମ ପାର୍ଶ୍ୱରେ। ଯୀଶୁ କହିଲେ, “ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଛନ୍ତି ତାହା ଜାଣୁ ନାହାନ୍ତି।” ପୁଣି ସେମାନେ ଗୁଳା ପକାଇ ତାହାଙ୍କର ବସ୍ତ୍ରସବୁ ଭାଗ କରିନେଲେ।
ଲୋକମାନେ ଠିଆ ହୋଇ ଚାହିଁ ରହିଥିଲେ, ଅଧ୍ୟକ୍ଷମାନେ ତାହାଙ୍କୁ ବିଦ୍ରୂପ କରି କହୁଥିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ୱରଙ୍କ ଖ୍ରୀଷ୍ଟ, ତାହାଙ୍କର ମନୋନୀତ, ତେବେ ନିଜକୁ ରକ୍ଷା କରୁ।”
ସୈନିକମାନେ ମଧ୍ୟ ପାଖକୁ ଆସି ପରିହାସ କଲେ। ସେମାନେ ତାହାଙ୍କୁ ଅମ୍ଳସୁରା ଯାଚିଲେ ଏବଂ କହିଲେ, “ତୁମେ ଯଦି ଯିହୁଦୀମାନଙ୍କର ରାଜା, ନିଜକୁ ରକ୍ଷା କର।”
ତାହାଙ୍କ ଉପରେ କ୍ରୁଶ କାଠରେ ଏକ ଲିଖିତ ବିଜ୍ଞାପନ ଲଗା ଯାଇଥିଲା, ସେଥିରେ ଲେଖାଥିଲା:
ଏ ଯିହୁଦୀମାନଙ୍କର ରାଜା।
କ୍ରୁଶରେ ଟଙ୍ଗା ଯାଇଥିବା ଅପରାଧୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିଲା: “ତୁ କଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଓ ଆମକୁ ରକ୍ଷା କର!”
କିନ୍ତୁ ଅନ୍ୟ ଅପରାଧୀ ଜଣକ ତାକୁ ଭତ୍ସନା କରି କହିଲା, “ତୁ କଣ ଈଶ୍ୱରଙ୍କୁ ଭୟ କରୁ ନାହୁଁ,” କାରଣ ତୁ ତ ସମାନ ଦଣ୍ଡ ପାଉଛୁ? ଆମେ ସମୁଚିତ ଦଣ୍ଡ ପାଉଛୁ, କାରଣ ଆମେ ନିଜର କାର୍ଯ୍ୟ ଅନୁସାରେ ଯଥୋଚିତ ଫଳ ପାଉଛୁ। କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି।
ତତ୍ପରେ ସେ କହିଲା, “ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ।”
ଯୀଶୁ ତାକୁ ଉତ୍ତର ଦେଲେ, “ମୁଁ ତୁମକୁ ସତ୍ୟ କହୁଛି, ତୁମେ ଆଜି ମୋ ସହିତ ପାରଦୀଶକୁ ଯିବ।”
ଯୀଶୁ ମୃତ୍ୟୁବରଣ କଲେ
ସେତେବେଳେ ଦିନ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଏବଂ ଅପରାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ଦେଶ ଉପରେ ଅନ୍ଧକାର ଘୋଟିଗଲା, କାରଣ ସୂର୍ଯ୍ୟ ତେଜରହିତ ହେଲା। ପୁଣି ମନ୍ଦିରର ବିଚ୍ଛେଦ ପର୍ଦ୍ଦା ଚିରି ଦୁଇଖଣ୍ଡ ହେଲା। ଯୀଶୁ ଉଚ୍ଚସ୍ଵରରେ ଡାକି କହିଲେ, “ପିତା, ତୁମ୍ଭ ହସ୍ତରେ ମୁଁ ମୋର ଆତ୍ମା ସମର୍ପଣ କରୁଛି।” ଏହା କହି, ସେ ଶେଷ ନିଃଶ୍ବାସ ତ୍ୟାଗ କଲେ।
ଯାହା ଘଟିଗଲା, ତାହା ଦେଖି, ଶତସେନାପତି ଈଶ୍ୱରଙ୍କର ସ୍ତୁତି କରି କହିଲେ, “ନିଶ୍ଚୟ ଏ ଜଣେ ଧାର୍ମିକ ବ୍ୟକ୍ତି ଥିଲେ।” ଏହି ଦୃଶ୍ୟ ଦେଖିବା ପାଇଁ ଯେତେ ଲୋକ ସମବେତ ହୋଇଥିଲେ, ଏହିସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ଘରକୁ ଫେରିଗଲେ। କିନ୍ତୁ ଯେଉଁମାନେ ତାଙ୍କୁ ଜାଣିଥିଲେ, ଏବଂ ଗାଲିଲୀରୁ ତାଙ୍କ ପଛେ ପଛେ ଯେଉଁ ସ୍ତ୍ରୀଲୋକମାନେ ଆସିଥିଲେ, ସେମାନେ ଖଣ୍ଡେ ଦୂରରେ ଠିଆ ହୋଇ, ଏହିସବୁ ଦେଖୁଥିଲେ।
ଯୀଶୁ କବରସ୍ଥ ହେଲେ
ଯୋସେଫ ନାମକ ଜଣେ ଉତ୍ତମ ଓ ସଦାଚାରୀ ବ୍ୟକ୍ତି ଥିଲେ, ସେ ମହାସଭାର ସଦସ୍ୟ ଥିଲେ, ସେ ଅନ୍ୟମାନଙ୍କର ନିଷ୍ପତ୍ତି ରେ ଓ କାର୍ଯ୍ୟନୁଷ୍ଠାନରେ ସମ୍ମତି ପ୍ରଦାନ କରି ନ ଥିଲେ। ସେ ଯିହୁଦାର ଆରାମାଥିୟା ନାମକ ନଗରର ଲୋକ ଥିଲେ, ଏବଂ ଈଶ୍ୱରଙ୍କ ରାଜ୍ୟର ପ୍ରତୀକ୍ଷାରେ ରହିଥିଲେ। ପୀଲାତଙ୍କ ନିକଟକୁ ଯାଇ, ସେ ଯୀଶୁଙ୍କର ମୃତଦେହ ମାଗିଲେ। ତତ୍ପରେ ସେ ମୃତଦେହକୁ ଓହ୍ଲାଇ ଆଣି, ସୂତୀ ଲୁଗାରେ ଗୁଡ଼ାଇ ଦେଲେ ଏବଂ ତାହା ନେଇ ପାହାଡ଼ରେ ଖୋଦିତ ଏକ କବରରେ ରଖିଲେ, ଯେଉଁଥିରେ କେହି କେବେ କବର ପାଇ ନ ଥିଲା। ସେଦିନ ଥିଲା ପ୍ରସ୍ତୁତି ଦିବସ, ଏବଂ ଶାବତବାର ଆରମ୍ଭ ହେବାକୁ ଯାଉଥିଲା।
ଯେଉଁ ସ୍ତ୍ରୀଲୋକମାନେ ଗାଲିଲୀରୁ ଯୀଶୁଙ୍କ ସହିତ ଆସିଥିଲେ ସେମାନେ ଯୋସେଫଙ୍କ ପଛେ ପଛେ ଯାଇ କବରକୁ ଏବଂ ତା ମଧ୍ୟରେ ତାହାଙ୍କ ଶରୀର କିପରି ରଖାଗଲା ତାହା ଦେଖିଲେ। ତତ୍ପରେ ସେମାନେ ଘରକୁ ଯାଇ ସୁଗନ୍ଧିଦ୍ରବ୍ୟ ଓ ସୁବାସିତ ତୈଳ ପ୍ରସ୍ତୁତ କଲେ। କିନ୍ତୁ ବିଶ୍ରାମବାର ଦିନ ବିଧି ପାଳନାର୍ଥେ ସେମାନେ ବିଶ୍ରାମ କଲେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.