Skip to content
BibleKenya

Biblica® Open Odia Contemporary Bible

ଲୂକ 22

ଯିହୁଦାର ବିଶ୍ୱାସଘାତକତା

ଖମିରଶୂନ୍ୟରୋଟୀର ପର୍ବ, ଯାହାକୁ ନିସ୍ତାର ପର୍ବ କୁହାଯାଉଥିଲା, ତାହା ପାଖେଇ ଆସୁଥିଲା, ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନେ ଯୀଶୁଙ୍କୁ ବଧ କରିବାକୁ ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକସମୂହଙ୍କୁ ଭୟ କରୁଥିଲେ। ତତ୍ପରେ ଦ୍ଵାଦଶ ଶିଷ୍ୟଙ୍କ ମଧ୍ୟରୁ ଗୋଟିଏ ଶିଷ୍ୟ ଯିହୁଦା, ଯିଏ ଇଷ୍କାରିୟୋଥ ତା ମଧ୍ୟରେ ଶୟତାନ ପ୍ରବେଶ କଲା। ଯିହୁଦା ପ୍ରଧାନଯାଜକ ଓ ମନ୍ଦିର ପ୍ରହରୀଦଳର ଅଧ୍ୟକ୍ଷମାନଙ୍କ ନିକଟକୁ ଗଲା ଏବଂ କେଉଁ ଉପାୟରେ ଯୀଶୁଙ୍କୁ ଧରାଇଦେବ ସେହିବିଷୟ ସେମାନଙ୍କ ସଙ୍ଗେ ଆଲୋଚନା କଲା। ସେମାନେ ଆନନ୍ଦିତ ହୋଇ ତାକୁ ଅର୍ଥ ଦେବାକୁ ସମ୍ମତ ହେଲେ। ସେ ରାଜି ହୋଇ, ଜନତା ଉପସ୍ଥିତ ନ ଥିଲାବେଳେ ଯୀଶୁଙ୍କୁ ଧରାଇ ଦେବାର ସୁଯୋଗ ଖୋଜିବାକୁ ଲାଗିଲା।

ଶିଷ୍ୟମାନଙ୍କ ସହ ଯୀଶୁଙ୍କର ଶେଷ ରାତ୍ରଭୋଜ

ଯେଉଁଦିନ ନିସ୍ତାର ପର୍ବର ମେଷଶାବକ ବଳି ଦିଆଯାଏ ସେହି ଖମିରଶୂନ୍ୟରୋଟୀର ପର୍ବ ଦିନ ଉପସ୍ଥିତ ହେଲା। ଯୀଶୁ ପିତର ଓ ଯୋହନଙ୍କୁ, ଏହି କଥା କହି ପଠାଇଲେ, “ଯାଅ ଆମେ ଭୋଜନ କରିବା ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”

ସେମାନେ ପଚାରିଲେ, “ଆମେ କେଉଁଠାରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?”

ସେ ଉତ୍ତର ଦେଲେ, “ତୁମେମାନେ ନଗର ମଧ୍ୟରେ ଗଲା ବେଳକୁ, କଳସୀଏ ପାଣି ଧରି ଯାଉଥିବା ଜଣେ ପୁରୁଷ ଲୋକ ତୁମକୁ ଭେଟିବ। ସେ ଯେଉଁ ଘରେ ପ୍ରବେଶ କରିବ ତାର ପଛେ ପଛେ ସେହି ଘରକୁ ଯିବ, ଏବଂ ଗୃହକର୍ତ୍ତାଙ୍କୁ କହିବ, ‘ଗୁରୁ ପଚାରିଛନ୍ତି: ମୁଁ ମୋର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥି କୋଠରି କାହିଁ?’ ସେ ତୁମ୍ଭମାନଙ୍କୁ ଗୋଟିଏ ବଡ଼, ଓ ସୁସଜ୍ଜିତ ଉପର କୋଠରି ଦେଖାଇ ଦେବେ, ସେହିଠାରେ ଆୟୋଜନ କର।”

ଯୀଶୁ ସେମାନଙ୍କୁ ଯେପରି କହିଥିଲେ ସେମାନେ ଯାଇ ସବୁକିଛି ଠିକ ସେହିପରି ଦେଖିଲେ। ଓ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।

ସମୟ ଆସିବାରୁ, ଯୀଶୁ ଓ ତାହାଙ୍କ ପ୍ରେରିତ ଶିଷ୍ୟମାନେ ଭୋଜନ କରିବାକୁ ବସିଲେ। ସେ ସେମାନଙ୍କୁ କହିଲେ, “ମୋର ଦୁଃଖଭୋଗ ପୂର୍ବରୁ ତୁମମାନଙ୍କ ସହିତ ଏହି ନିସ୍ତାର ପର୍ବର ଭୋଜ ପାଳନ କରିବାକୁ ମୁଁ ଆଗ୍ରହରେ ଇଚ୍ଛା କରିଥିଲି। କାରଣ ମୁଁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ଏହାର ସଫଳତା ନ ଆସିବା ପର୍ଯ୍ୟନ୍ତ ମୁଁ ଆଉ ଏହା ଭୋଜନ କରିବି ନାହିଁ।”

ସେ ପାନପାତ୍ର ଧରି, ଧନ୍ୟବାଦ ଦେଲେ ଓ କହିଲେ, “ଏହାକୁ ନେଇ ନିଜ ମଧ୍ୟରେ ବାଣ୍ଟି ନିଅ। କାରଣ ମୁଁ ତୁମ୍ଭମାନଙ୍କୁ କହୁଛି ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଅଙ୍ଗୁର ଫଳର ରସ ଆଉ ପାନ କରିବି ନାହିଁ।”

ଆହୁରି ମଧ୍ୟ ସେ ରୋଟୀ ନେଇ, ଧନ୍ୟବାଦ ଦେଲେ, ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ, କହିଲେ, “ତୁମମାନଙ୍କ ନିମନ୍ତେ ଦତ୍ତ ଏହା ମୋର ଶରୀର: ମୋର ସ୍ମରଣାର୍ଥେ ଏହା କର।”

ସେହିରୂପେ, ସେ ଭୋଜନ ପରେ ପାନପାତ୍ର ଧରି, କହିଲେ, “ଏହି ପାନପାତ୍ର ମୋର ରକ୍ତରେ ସ୍ଥାପିତ ନୂତନ ନିୟମ, ଏହି ରକ୍ତ ତୁମ୍ଭମାନଙ୍କନିମନ୍ତେ ଢଳା ଯାଉଛି। କିନ୍ତୁ ଯେ ମୋ ପ୍ରତି ବିଶ୍ୱାସଘାତକତା କରିବ ତାହାର ହାତ ମୋ ହାତ ସହିତ ମେଜ ଉପରେ ରହିଛି। ଯେଉଁ ପ୍ରକାରେ ନିରୂପିତ ହୋଇଛି ମନୁଷ୍ୟପୁତ୍ର ସେହିପ୍ରକାରେ ଯାଉଛନ୍ତି। କିନ୍ତୁ ଯିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଛି ତାକୁ ଧିକ୍! ଅଟେ” ସେମାନଙ୍କ ମଧ୍ୟରୁ କିଏ ତାହା କରିବାକୁ ଯାଉଛି ସେ ବିଷୟ ସେମାନେ ପରସ୍ପରକୁ ପଚାରିବାକୁ ଲାଗିଲେ।

ଆହୁରି ମଧ୍ୟ, ସେମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିବେଚିତ ସେହିବିଷୟ ନେଇ ସେମାନଙ୍କ ମଧ୍ୟରେ ବିତର୍କ ଲାଗିଲା। ଯୀଶୁ ସେମାନଙ୍କୁ କହିଲେ, “ଅଣଯିହୁଦୀ ଲୋକମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି; ଓ ଯେଉଁମାନେ ସେମାନଙ୍କ ଉପରେ ଆଧିପତ୍ୟ ଜାହିର କରନ୍ତି ସେମାନେ ନିଜକୁ ଜନହିତୈଷୀ ବୋଲାଇଥାଆନ୍ତି। କିନ୍ତୁ ତୁମେମାନେ ସେପରି ହେବା ଉଚିତ ନୁହେଁ। ବରଂ, ତୁମ ମଧ୍ୟରେ ଯେ ସବୁଠାରୁ ବଡ଼ ସେ ସବୁଠାରୁ ସାନ ପରି ହେଉ, ଓ ଯେ ମୁଖ୍ୟ ସେ ସେବକ ପରି ହେଉ। କାରଣ କିଏ ବଡ଼, ଯିଏ ଭୋଜନରେ ଉପବିଷ୍ଟ ବା ଯିଏ ପରିଚାରକ? ଯିଏ ଭୋଜନରେ ଉପବିଷ୍ଟ ସେ କଅଣ ବଡ଼ ନୁହେଁ? କିନ୍ତୁ ମୁଁ ତୁମମାନଙ୍କ ମଧ୍ୟରେ ଜଣେ ସେବକ ପରି ରହିଛି। ପୁଣି ତୁମେମାନେ ମୋର ସମସ୍ତ କ୍ଲେଶରେ ମୋ ସହିତ ରହିଛ। ମୋର ପିତା ମୋତେ ଯେପରି ଏକ ରାଜ୍ୟ ପ୍ରଦାନ କରିଛନ୍ତି, ମୁଁ ସେହିପରି ତୁମ୍ଭମାନଙ୍କୁ ପ୍ରଦାନ କରୁଛି, ଯେପରିକି ତୁମେମାନେ ମୋ ରାଜ୍ୟରେ ମୋର ସହିତ ଭୋଜନପାନ କରିବ, ଓ ସିଂହାସନରେ ବସି ଇସ୍ରାଏଲର ବାରଗୋଷ୍ଟୀକୁ ଶାସନ କରିବ।

ପିତରଙ୍କ ଅସ୍ୱୀକାର ବିଷୟରେ ଯୀଶୁଙ୍କର ପୂର୍ବେ ସୂଚନା

“ଶିମୋନ, ଶିମୋନ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ମାଗିଛି। କିନ୍ତୁ ଶିମୋନ ତୁମର ବିଶ୍ୱାସ ଯେପରି ଲୋପ ନ ପାଏ, ସେଥିପାଇଁ ମୁଁ ତୁମ ସକାଶେ ପ୍ରାର୍ଥନା କରିଛି। ତୁମେ ଅନୁତାପ କରି ଫେରି ଆସିବା ପରେ, ତୁମର ଭାଇମାନଙ୍କୁ ବିଶ୍ୱାସରେ ସବଳ କରିବ।”

କିନ୍ତୁ ପିତର ଉତ୍ତର ଦେଲେ, “ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମରିବାକୁ ପ୍ରସ୍ତୁତ ଅଛି।”

ଯୀଶୁ କହିଲେ, “ପିତର, ମୁଁ ତୁମକୁ କହୁଛି, ଆଜି କୁକୁଡ଼ା ଡାକିବା ପୂର୍ବରୁ, ତୁମେ ମୋତେ ଜାଣ ବୋଲି ତିନିଥର ଅସ୍ୱୀକାର କରିବ।”

ତା ପରେ ଯୀଶୁ ସେମାନଙ୍କୁ ପଚାରିଲେ, “ମୁଁ ଯେତେବେଳେ ତୁମ୍ଭମାନଙ୍କୁ ଥଳି, ମୁଣା କି ପାଦୁକା ବିନା ପଠାଇଥିଲି, ତୁମମାନଙ୍କର କଅଣ କିଛି ଅଭାବ ହୋଇଥିଲା?”

ସେମାନେ ଉତ୍ତର କଲେ, “କିଛି ନାହିଁ।”

ସେ ସେମାନଙ୍କୁ କହିଲେ, “କିନ୍ତୁ ବର୍ତ୍ତମାନ ତୁମମାନଙ୍କ ପାଖେ ଯଦି ଥଳି ଅଛି, ତାହା ନିଅ, ଓ ମୁଣା ମଧ୍ୟ ନିଅ; ଯଦି ଖଣ୍ଡା ନାହିଁ, ପୋଷାକ ବିକ୍ରୀ କରି ଖଣ୍ଡାଟିଏ କିଣ। ପୁଣି ଏହି ଯେଉଁ କଥା ଲେଖାଅଛି: ‘ସେ ଅଧାର୍ମିକ ଲୋକଙ୍କ ସହିତ ଗଣ୍ୟ ହେଲେ’; ମୁଁ କହୁଛି ତାହା ମୋ ଠାରେ ଅବଶ୍ୟ ସଫଳ ହେବ। ପ୍ରକୃତରେ, ମୋ ସମ୍ବନ୍ଧରେ ଲିଖିତ ବିଷୟ ସଫଳ ହେବାକୁ ଯାଉଛି।”

ଶିଷ୍ୟମାନେ କହିଲେ, “ପ୍ରଭୁ, ଦେଖନ୍ତୁ, ଏଠାରେ ଦୁଇଟି ଖଣ୍ଡା ଅଛି।”

ସେ ଉତ୍ତର ଦେଲେ। “ଯଥେଷ୍ଟ!”

ଜୀତ ପର୍ବତରେ ଯୀଶୁଙ୍କର ପ୍ରାର୍ଥନା

ଯୀଶୁ ନିଜର ଅଭ୍ୟାସ ଅନୁସାରେ ଜୀତ ପର୍ବତକୁ ବାହାରିଗଲେ, ଓ ତାଙ୍କର ଶିଷ୍ୟମାନେ ତାଙ୍କ ପଛେ ପଛେ ଗଲେ। ସେହି ସ୍ଥାନରେ ପହଞ୍ଚି, ସେ ସେମାନଙ୍କୁ କହିଲେ, “ପ୍ରଲୋଭନରେ ଯେପରି ନ ପଡ଼ ଏଥିପାଇଁ ପ୍ରାର୍ଥନା କର।” ସେ ସେମାନଙ୍କଠାରୁ ଖଣ୍ଡେ ଦୂରକୁ ଯାଇ, ଆଣ୍ଠୁପାତି ପ୍ରାର୍ଥନା କଲେ, “ପିତା, ଯଦି ତୁମ୍ଭେ ଇଚ୍ଛା କର, ତେବେ ଏହି ପାନପାତ୍ର ମୋ ଠାରୁ ଦୂର କର; ତଥାପି ମୋର ଇଚ୍ଛା ନୁହେଁ, ତୁମ୍ଭର ଇଚ୍ଛା ସାଧିତ ହେଉ।” ସ୍ଵର୍ଗରୁ ଜଣେ ଦୂତ ଆବିର୍ଭୂତ ହୋଇ ତାହାଙ୍କୁ ସବଳ କଲେ। ସେ ମର୍ମବେଦନାରେ ବ୍ୟଥିତ ହୋଇ, ଆହୁରି ଆନ୍ତରିକ ଭାବରେ ପ୍ରାର୍ଥନା କଲେ, ଓ ତାହାଙ୍କର ଝାଳ ରକ୍ତ ଟୋପା ପରି ଭୂମିରେ ପଡ଼ିଲା।

ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଗଲେ, ଏବଂ ସେମାନେ ଶୋକାକୁଳ ହୋଇ, ଶୋଇ ପଡ଼ିଥିବାର ଦେଖିଲେ। ସେ ସେମାନଙ୍କୁ କହିଲେ, “କାହିଁକି ଶୋଇଛ? ପ୍ରଲୋଭନରେ ଯେପରି ନ ପଡ଼ ଏଥିପାଇଁ ଉଠି ପ୍ରାର୍ଥନା କର।”

ଯୀଶୁ ଗିରଫ ହେଲେ

ସେ କଥା କହୁଥିବା ସମୟରେ ବହୁସଂଖ୍ୟକ ଲୋକ ଆସି ପହଞ୍ଚିଲେ, ଏବଂ ଦ୍ଵାଦଶ ଶିଷ୍ୟଙ୍କ ମଧ୍ୟରେ, ଯାହାର ନାମ ଯିହୁଦା, ସେ ସେମାନଙ୍କୁ ବାଟ କଢ଼ାଇ ଆଣୁଥିଲା। ସେ ଯୀଶୁଙ୍କୁ ଚୁମ୍ୱନ କରିବା ପାଇଁ ତାଙ୍କ ପାଖକୁ ଆସିଲା, କିନ୍ତୁ ଯୀଶୁ ତାହାକୁ କହିଲେ, “ଯିହୁଦା, ତୁମେ କଅଣ ଚୁମ୍ୱନ ଦେଇ ମନୁଷ୍ୟପୁତ୍ରଙ୍କ ପ୍ରତି ବିଶ୍ୱାସଘାତକତା କରୁଛ?”

କଅଣ ଘଟିବାକୁ ଯାଉଛି ତାହା ଯୀଶୁଙ୍କର ଅନୁଗାମୀମାନେ ଦେଖି, କହିଲେ, “ପ୍ରଭୁ, ଆମେ ଖଣ୍ଡାରେ ଆଘାତ କରିବା କି?” ତହୁଁ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଆଘାତ କରି, ତାହାର ଡାହାଣ କାନ କାଟି ପକାଇଲା।

ମାତ୍ର ଯୀଶୁ ଉତ୍ତର ଦେଲେ, “ଆଉ ଏପରି ନ ହେଉ!” ସେ ସେହି ଲୋକର କାନକୁ ସ୍ପର୍ଶ କରି ତାକୁ ସୁସ୍ଥ କଲେ।

ତତ୍ପରେ ଯୀଶୁଙ୍କୁ ଧରିବାକୁ ଆସିଥିବା ପ୍ରଧାନ ଯାଜକମାନଙ୍କୁ, ମନ୍ଦିର ପ୍ରହରୀଦଳର ଅଧ୍ୟକ୍ଷମାନଙ୍କୁ, ଓ କୁଳବୃଦ୍ଧମାନଙ୍କୁ, ସେ କହିଲେ, “ମୁଁ କଅଣ ଜଣେ ଡକାଇତ, ଯେ ତୁମେମାନେ ଖଣ୍ଡା ଓ ଲାଠି ଧରି ଆସିଛ? ମୁଁ ପ୍ରତିଦିନ ତୁମମାନଙ୍କ ସହିତ ମନ୍ଦିରପ୍ରାଙ୍ଗଣରେ, ଥିବା ବେଳେ ମୋ ବିରୁଦ୍ଧରେ ହାତ ଉଠାଇଲ ନାହିଁ। କିନ୍ତୁ ଏହା ତୁମମାନଙ୍କର ସମୟ ଯେଉଁ ସମୟରେ ଅନ୍ଧକାର ରାଜତ୍ଵ କରୁଛି।”

ପିତର ଯୀଶୁଙ୍କୁ ଅସ୍ୱୀକାର କଲେ

ଏଉତ୍ତାରେ ସେମାନେ ଯୀଶୁଙ୍କୁଧରି, ମହାଯାଜକଙ୍କ ଗୃହକୁ ନେଇଗଲେ। ପିତର ଖଣ୍ଡେ ଦୂରରେ ରହି ପଛେ ପଛେ ଗଲେ। ସେମାନେ ଯେତେବେଳେ ପ୍ରାଙ୍ଗଣ ମଝିରେ ନିଆଁ ଜାଳି ଏକାଠି ବସିଲେ, ପିତର ସେମାନଙ୍କ ସଙ୍ଗେ ବସିଲେ। ଜଣେ ଦାସୀ ତାଙ୍କୁ ନିଆଁ ପାଖେ ବସିଥିବାର ଦେଖିଲା। ସେ ପିତରଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, “ଏହି ଲୋକ ତାଙ୍କ ସଙ୍ଗରେ ଥିଲା।”

କିନ୍ତୁ ସେ ତାହା ଅସ୍ୱୀକାର କରି କହିଲେ। “ଆଗୋ ନାରୀ, ମୁଁ ତାଙ୍କୁ ଜାଣେ ନାହିଁ।”

କିଛି ସମୟପରେ ଆଉ ଜଣେ ତାଙ୍କୁ ଦେଖି କହିଲା, “ତୁମେ ମଧ୍ୟ ସେମାନଙ୍କ ଭିତରୁ ଜଣେ।”

ପିତର ଉତ୍ତର ଦେଲେ। “ଭାଇ, ମୁଁ ନୁହେଁ!”

ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ଭାବେ କହିଲା, “ଏ ଲୋକଟା ନିଶ୍ଚୟ ତାଙ୍କ ସଙ୍ଗରେ ଥିଲା, କାରଣ ଏ ଜଣେ ଗାଲିଲୀୟ ଲୋକ।”

ପିତର ଉତ୍ତର କଲେ, “ଭାଇ, ତୁମେ କଅଣ କହୁଛ ମୁଁ ଜାଣେ ନାହିଁ!” ସେ କଥା କହୁ କହୁ, କୁକୁଡ଼ା ଡାକିଲା। ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ। ସେତେବେଳେ ପ୍ରଭୁ ପିତରଙ୍କୁ ଏହି କଥା କହିଥିବା ତାଙ୍କର ମନେ ପଡ଼ିଲା: “ଆଜି କୁକୁଡ଼ା ଡାକିବା ପୂର୍ବରୁ, ତୁମେ ମୋତେ ତିନିଥର ଅସ୍ୱୀକାର କରିବ।” ସେ ବାହାରକୁ ଚାଲିଯାଇ ବଡ଼ ବିକଳଭାବେ କାନ୍ଦିବାକୁ ଲାଗିଲେ।

ଯୀଶୁଙ୍କୁ ପରିହାସ ଓ ପ୍ରହାର

ଯୀଶୁଙ୍କୁ ଜଗି ରହିଥିବା ଲୋକମାନେ ତାହାଙ୍କୁ ଥଟ୍ଟା ପରିହାସ କରି ମାଡ଼ ମାରିବାକୁ ଲାଗିଲେ। ସେମାନେ ତାଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି, ପଚାରିଲେ, “କିଏ ତୁମକୁ ମାରିଲା?” ଗଣନା କରି କୁହ ତ! ସେମାନେ ଏହିପରି ତାଙ୍କୁ ଆହୁରି ଅନେକ ଅପମାନସୂଚକ କଥା କହିଲେ।

ପୀଲାତଙ୍କ ମହାସଭା ସମ୍ମୁଖରେ ଯୀଶୁଙ୍କ ବିଚାର

ପ୍ରଭାତ ହୁଅନ୍ତେ ଲୋକମାନଙ୍କର କୁଳବୃଦ୍ଧମାନେ, ଏବଂ ପ୍ରଧାନଯାଜକ ତଥା ଶାସ୍ତ୍ରଜ୍ଞମାନେ, ଏକାଠି ହୋଇ, ଯୀଶୁଙ୍କୁ ସେମାନଙ୍କର ମହାସଭାକୁ ଅଣାଇଲେ। ସେମାନେ କହିଲେ, “ତୁମେ ଯଦି ଖ୍ରୀଷ୍ଟ ହୋଇଥାଅ,” ତେବେ “ଆମକୁ ତାହା କୁହ।”

ଯୀଶୁ ଉତ୍ତର ଦେଲେ, “ମୁଁ ଯଦି ତୁମ୍ଭମାନଙ୍କୁ ତାହା କହେ, ତେବେ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ, ପୁଣି ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ କରେ, ତୁମେମାନେ ଉତ୍ତର ଦେବ ନାହିଁ। କିନ୍ତୁ ବର୍ତ୍ତମାନଠାରୁ, ମନୁଷ୍ୟପୁତ୍ର ପରାକ୍ରାନ୍ତ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ଉପବିଷ୍ଟ ହେବେ।”

ସେମାନେ ପ୍ରଶ୍ନ କଲେ, “ତା ହେଲେ ତୁମେ କଅଣ ଈଶ୍ୱରଙ୍କ ପୁତ୍ର?”

ସେ ଉତ୍ତର ଦେଲେ, “ମୁଁ ସେହି ବୋଲି ତୁମ୍ଭେମାନେ ଠିକ କହିଛ।”

ତା ପରେ ସେମାନେ କହିଲେ, “ଆଉ ଅଧିକ ସାକ୍ଷ୍ୟରେ ଆମର କି ପ୍ରୟୋଜନ? ଆମେ ତ ତା ନିଜ ମୁଖରୁ ତାହା ଶୁଣିଲୁ।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.