Skip to content
BibleKenya

Biblica® Open Odia Contemporary Bible

ଲୂକ 17

ପାପ, ବିଶ୍ୱାସ ଓ କର୍ତ୍ତବ୍ୟ ସମ୍ବନ୍ଧରେ

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ: “ଯେଉଁସବୁ ବିଷୟ ମନୁଷ୍ୟମାନଙ୍କୁ ପାପରେ ପକାଏ ସେହିସବୁ ଅବଶ୍ୟ ଆସିବ, କିନ୍ତୁ ଯେଉଁ ମନୁଷ୍ୟ ଦ୍ଵାରା ଏସବୁ ଆସେ ତାକୁ ଧିକ୍। କେହି ଯଦି ଏହି ସାମାନ୍ୟ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣକୁ ପାପରେ ପକାଏ ତେବେ ତାହାର ଗଳାରେ ଏକ ଚକିପଥର ବାନ୍ଧି ତାକୁ ସମୁଦ୍ରରେ ପକାଇଦେବା ବରଂ ଭଲ। ତେଣୁ ନିଜ ବିଷୟରେ ସାବଧାନ ଥାଅ।

“ତୁମର ଭାଇ ଦୋଷ କଲେ, ତାକୁ ଭତ୍ସନା କର; ଏବଂ ସେ ଯଦି ଅନୁତାପ କରେ, ତାକୁ କ୍ଷମା ଦିଅ। ଦିନ ମଧ୍ୟରେ ସେ ଯଦି ତୁମ ବିରୁଦ୍ଧରେ ସାତ ଥର ଦୋଷ କରେ ଏବଂ ତୁମ ନିକଟକୁ ସାତ ଥର ଫେରିଆସି କହେ, ‘ମୁଁ ଅନୁତାପ କରୁଛି,’ ତେବେ ତାକୁ କ୍ଷମା ଦିଅ।”

ପ୍ରେରିତ ଶିଷ୍ୟମାନେ ପ୍ରଭୁଙ୍କୁ କହିଲେ, “ଆମର ବିଶ୍ୱାସ ବୃଦ୍ଧି କରନ୍ତୁ!”

ସେ ଉତ୍ତର ଦେଲେ, “ଗୋଟିଏ ସୋରିଷମଞ୍ଜି ପରି ତୁମର ଯଦି ସାମାନ୍ୟ ବିଶ୍ୱାସ ଥାଏ, ତେବେ ତୁମେ ଏହି ତୁତ୍‌କୋଳି ଗଛକୁ, ‘ସମୂଳେ ଉତ୍ପାଟିତ ହୋଇ ସମୁଦ୍ରରେ ରୋପିତ ହ,’ ଏହା କହିଲେ ତାହା ତୁମ ଆଦେଶ ପାଳନ କରିବ।

“ମନେକର ତୁମ ମଧ୍ୟରେ ଜଣକର ଦାସ ଅଛି ଯେ କି ହଳ ବୁଲାଏ ବା ମେଣ୍ଢା ଚରାଏ। ସେହି ଦାସ ଯେତେବେଳେ କ୍ଷେତରୁ ଫେରେ, ମୁନିବ କଣ ତାକୁ କହିବ, ‘ଆ ଖାଇବାକୁ ବସ୍’? ବରଞ୍ଚ ସେ କଣ କହିବ ନାହିଁ, ‘ମୋର ଖାଦ୍ୟ ପ୍ରସ୍ତୁତ କର, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ଭିଡ଼ି ମୋତେ ପରିବେଷଣ କର; ତା ପରେ ଖିଆପିଆ କରିବୁ’? ସେହି ଦାସକୁ କୁହାଯାଇଥିବା କାର୍ଯ୍ୟ କରିବାରୁ ମୁନିବ କଣ ତାକୁ ଧନ୍ୟବାଦ ଦେବ? ସେହିରୂପେ, ତୁମେମାନେ ମଧ୍ୟ ତୁମକୁ କୁହାଯାଇଥିବା ସମସ୍ତ କାର୍ଯ୍ୟ କଲାପରେ ତୁମର ଏହା କହିବା ଉଚିତ, ‘ଆମେ ଅଯୋଗ୍ୟ ଦାସ; ଆମେ ଆମର କର୍ତ୍ତବ୍ୟ କେବଳ କରିଛୁ।’ ”

ଦଶ କୁଷ୍ଠରୋଗୀ ସୁସ୍ଥ ହେଲେ

ଯୀଶୁ ଯିରୂଶାଲମକୁ ଯାତ୍ରା କରୁଥିବା ବେଳେ, ଶମରିଆ ଓ ଗାଲିଲୀର ସୀମାରେ ଥିବା ବାଟ ଦେଇ ଯାଉଥିଲେ। ସେ ଗୋଟିଏ ଗ୍ରାମରେ ପ୍ରବେଶ କଲା ବେଳକୁ, ଦଶ ଜଣ କୁଷ୍ଠରୋଗୀ ତାହାଙ୍କୁ ଭେଟିଲେ। ସେମାନେ ଖଣ୍ଡେ ଦୂରରେ ଠିଆ ହୋଇ ରହିଲେ। ସେମାନେ ଉଚ୍ଚସ୍ଵରରେ ଡାକି କହିଲେ, “ହେ ଯୀଶୁ, ଗୁରୁ, ଆମ ପ୍ରତି ଦୟା କରନ୍ତୁ!”

ସେ ସେମାନଙ୍କୁ ଦେଖି, କହିଲେ, “ଯାଜକମାନଙ୍କ ନିକଟକୁ ଯାଇ, ନିଜକୁ ଦେଖାଅ।” ସେମାନେ ଯାଉଁ ଯାଉଁ, ଶୁଚି ହେଲେ।

ସେମାନଙ୍କ ମଧ୍ୟରୁ, ଜଣେ ନିଜକୁ ସୁସ୍ଥ ହେବାର ଦେଖି, ଉଚ୍ଚସ୍ଵରରେ ଈଶ୍ୱରଙ୍କ ସ୍ତୁତି କରୁ କରୁ, ଫେରି ଆସିଲା। ସେ ଯୀଶୁଙ୍କ ପାଦତଳେ ପଡ଼ି ତାହାଙ୍କୁ ଧନ୍ୟବାଦ ଅର୍ପଣ କଲା ସେ ଜଣେ ଶମରୀୟ ଲୋକ ଥିଲା।

ଯୀଶୁ ପଚାରିଲେ, “ଦଶ ଜଣଯାକ କଅଣ ଶୁଚି ହେଲେ ନାହିଁ? ଅନ୍ୟ ନଅ ଜଣ କାହାନ୍ତି? ଏହି ବିଦେଶୀ ଜଣକ ଛଡ଼ା ଈଶ୍ୱରଙ୍କ ସ୍ତୁତିବାଦ କରିବାକୁ ଆଉ କେହି କଅଣ ଫେରି ଆସିଲେ ନାହିଁ?” ତା ପରେ ସେ ତାକୁ କହିଲେ, “ଉଠ ଯାଅ; ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଛି।”

ଈଶ୍ୱରଙ୍କ ରାଜ୍ୟ ସ୍ଥାପନ

ଈଶ୍ୱରଙ୍କ ରାଜ୍ୟ କେବେ ଆସିବ, ଏ କଥା ଥରେ ଫାରୂଶୀମାନେ ଯୀଶୁଙ୍କୁ ପଚାରିବାରୁ ସେ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟ ଦୃଶ୍ୟମାନ ଭାବରେ ଆସେ ନାହିଁ, ‘କିମ୍ବା ତାହା ଏଠାରେ, ବା ତାହା ସେଠାରେ,’ ଏ କଥା ଲୋକେ କହିବେ ନାହିଁ, କାରଣ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ଅନ୍ତରରେ ଅଛି।”

ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, “ସମୟ ଆସୁଛି ଯେତେବେଳେ ତୁମେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଆକାଂକ୍ଷିତ ହେବ, ମାତ୍ର ଦେଖିବ ନାହିଁ। ଲୋକେ ତୁମକୁ କହିବେ, ସେ ସେଠାରେ! କିମ୍ବା ‘ସେ ଏଠାରେ!’ କିନ୍ତୁ ସେମାନଙ୍କ ପଛରେ ଧାଁଅ ନାହିଁ। କାରଣ ବିଜୁଳି ଯେପରି ଝଲସି ଉଠି ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଆକାଶକୁ ଆଲୋକିତ କରେ, ମନୁଷ୍ୟପୁତ୍ର ଆପଣାର ଦିନରେ ସେହିପରି ହେବେ। କିନ୍ତୁ ପ୍ରଥମେ ତାହାଙ୍କୁ ବହୁ ଦୁଃଖକଷ୍ଟ ଭୋଗ କରିବାକୁ ହେବ ଏବଂ ଏହି ପୀଢ଼ିର ଲୋକମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିବେ।

“ନୋହଙ୍କ ସମୟରେ ଯେପରି ହୋଇଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହିପରି ହେବ। ନୋହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନପାନ କରିବା, ବିବାହ କରିବା ଏବଂ ବିବାହ ଦେବାରେ ଲାଗିଥିଲେ। ତା ପରେ ଜଳପ୍ଳାବନ ଆସି ସମସ୍ତଙ୍କୁ ବିନାଶ କଲା।

“ଲୋଟଙ୍କ ସମୟରେ ତଦ୍ରୂପ ଘଟିଥିଲା। ଲୋକେ ଭୋଜନପାନ, କିଣାବିକା, ବୃକ୍ଷରୋପଣ ଓ ଗୃହ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ। କିନ୍ତୁ ଯେଉଁଦିନ ଲୋଟ ସଦୋମ ଛାଡ଼ି ଚାଲିଗଲେ, ସେହିଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା।

“ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ଠିକ ସେହିପରି ହେବ। ସେହିଦିନ ଯିଏ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ନିଜର ଜିନିଷପତ୍ର, ନେବାକୁ ଓହ୍ଲାଇ ନ ଆସୁ। ସେହିପରି, ଯିଏ କ୍ଷେତରେ ଥିବ ସେ କିଛି ନେବାକୁ ଫେରି ନ ଯାଉ। ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର! ଯେକେହି ନିଜ ଜୀବନ ଧରି ରଖିବାକୁ ଚେଷ୍ଟା କରେ ସେ ତାହା ହରାଇବ, ଏବଂ ଯେକେହି ନିଜ ଜୀବନ ହରାଇ ଦେବ ସେ ତାହା ରକ୍ଷା କରିବ। ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ରାତ୍ରିରେ ଦୁଇଜଣ ଗୋଟିଏ ଶଯ୍ୟାରେ ଶୋଇଥିବେ; ଜଣକୁ ଗ୍ରହଣ କରାଯିବ ଓ ଅନ୍ୟଜଣକୁ ପରିତ୍ୟାଗ କରାଯିବ। ଦୁଇଜଣ ସ୍ତ୍ରୀଲୋକ ଏକାଠି ଚକି ପେଷୁଥିବେ; ଜଣକୁ ଗ୍ରହଣ କରାଯିବ ଓ ଅନ୍ୟଜଣକୁ ପରିତ୍ୟାଗ କରାଯିବ।” “ଦୁଇଜଣ ଲୋକ କ୍ଷେତରେ ଥିବେ ଜଣକୁ ଗ୍ରହଣ କରାଯିବ, ଓ ଅନ୍ୟଜଣକୁ ପରିତ୍ୟାଗ କରାଯିବ।”

ସେମାନେ ପଚାରିଲେ, “ପ୍ରଭୁ, କେଉଁଠାରେ?”

ସେ ଉତ୍ତର ଦେଲେ, “ଯେଉଁଠାରେ ଶବ ଥାଏ, ସେହିଠାରେ ଶାଗୁଣାମାନେ ରୁଣ୍ଢ ହେବେ।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.