Biblica® Open Odia Contemporary Bible
ଲୂକ 16
ଚତୁର ଗୁମାସ୍ତାର ଦୃଷ୍ଟାନ୍ତ ଗଳ୍ପ
ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ: “ଜଣେ ଧନବାନ୍ ବ୍ୟକ୍ତି ଥିଲେ ତାଙ୍କର ଗୁମାସ୍ତା ତାଙ୍କର ଧନସମ୍ପତ୍ତି ଅପଚୟ କରୁଥିବାର ଅଭିଯୋଗ ସେ ଶୁଣିବାକୁ ପାଇଲେ। ଅତଏବ ସେ ତାକୁ ଡାକି ପଚାରିଲେ, ‘ମୁଁ ତୁମ ବିଷୟରେ ଏସବୁ କଣ ଶୁଣୁଛି? ତୁମ ଆୟବ୍ୟୟର ହିସାବ ଦିଅ, କାରଣ ତୁମେ ଆଉ ଗୁମାସ୍ତା ହୋଇ ରହିପାରିବ ନାହିଁ।’
“ଗୁମାସ୍ତା ମନେ ମନେ କହିଲା, ‘ମୁଁ ଏବେ କଣ କରିବି? ମୋର ମୁନିବ ମୋତେ କାମରୁ କାଢ଼ି ଦେଉଛନ୍ତି। ମାଟି ଖୋଳିବାକୁ ତ ମୋର ସେତେ ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଛି ଏଠାରେ ମୋର ଚାକିରୀଟି ଚାଲିଗଲେ ଲୋକେ ଯେପରି ମୋତେ ସେମାନଙ୍କ ଘରେ ସ୍ୱାଗତ କରିବେ, ଏଥିପାଇଁ ମୋତେ କଣ କରିବାକୁ ହେବ, ତାହା ମୋତେ ଜଣା ପଡ଼ିଲାଣି।’
“ଅତଏବ ସେ ନିଜ ମୁନିବର ପ୍ରତ୍ୟେକ ଖାତକକୁ ଡକାଇ ଆଣିଲା। ସେ ପ୍ରଥମ ଜଣକୁ ପଚାରିଲା, ‘ତୁମେ ମୋର ମୁନିବଙ୍କ ପାଖରୁ କେତେ ଧାରିଛ?’
“ସେ ଉତ୍ତର ଦେଲା। ‘ଶଏ ମହଣ ଅଲିଭ ତେଲ।’
“ଗୁମାସ୍ତା ତାକୁ କହିଲା, ‘ଏଇ ନିଅ ତୁମର ରସିଦ, ଶୀଘ୍ର ବସି, ପଚାଶ ଲିଟର ବୋଲି ଲେଖିଦିଅ।’
“ତା ପରେ ସେ ଦ୍ୱିତୀୟ ଜଣକୁ ପଚାରିଲା, ‘ତୁମେ କେତେ ଧାରିଛ?’
“ସେ ଉତ୍ତର ଦେଲା, ‘ଶଏ କିଲୋ ଗହମ,’ ସେ ତାକୁ କହିଲା।
“ ‘ଏଇ ନିଅ ତୁମର ରସିଦ ଅଶୀ କିଲୋ ବୋଲି ଲେଖିଦିଅ।’
“ସେହି ଅସାଧୁ ଗୁମାସ୍ତା ଚତୁରତା ସହ କାର୍ଯ୍ୟ କରିଥିବାରୁ ମୁନିବ ତାହାର ତାରିଫ୍ କଲେ। କାରଣ ଏହି ଯୁଗର ସନ୍ତାନମାନେ ନିଜ ପୀଢ଼ିର ଲୋକମାନଙ୍କ ସହିତ ବ୍ୟବହାରରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ଚତୁର। ମୁଁ ତୁମ୍ଭମାନଙ୍କୁ କହୁଛି, ଜାଗତିକ ଧନରେ ନିଜ ପାଇଁ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହୋଇଗଲେ, ସେମାନେ ତୁମକୁ ନିତ୍ୟସ୍ଥାୟୀ ନିବାସରେ ସ୍ୱାଗତ କରିବେ।
“ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ। ଅତଏବ ତୁମେ ଯଦି ଜାଗତିକ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମକୁ ପ୍ରକୃତ ଧନ ଦେବାକୁ ବିଶ୍ୱାସ କରିବ? ପୁଣି ତୁମେ ଯଦି ଅନ୍ୟର ଧନ ସମ୍ପତ୍ତିରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମକୁ ତୁମ ନିଜ ପାଇଁ ଧନସମ୍ପତ୍ତି ଦେବ?
“କୌଣସି ଦାସ ଦୁଇ ମୁନିବର ସେବା କରିପାରେ ନାହିଁ। କାରଣ ସେ ଜଣକୁ ଘୃଣା କରି ଅନ୍ୟଜଣକୁ ଭଲ ପାଇବ, କିମ୍ବା ଜଣକ ପ୍ରତି ଅନୁରକ୍ତ ରହି ଅନ୍ୟଜଣକୁ ଅବଜ୍ଞା କରିବ। ତୁମେ ଈଶ୍ୱର ଓ ଧନ ଉଭୟର ସେବା କରିପାରିବ ନାହିଁ।”
ଯେଉଁ ଫାରୂଶୀମାନେ, ଧନଲୋଭୀ ଥିଲେ, ସେମାନେ ଏସବୁ ଶୁଣି ଯୀଶୁଙ୍କୁ ବିଦ୍ରୂପ କରିବାକୁ ଲାଗିଲେ। ସେ ସେମାନଙ୍କୁ କହିଲେ, “ଯେଉଁମାନେ ମନୁଷ୍ୟମାନଙ୍କ ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ଦେଖାଇ ହୁଅନ୍ତି ତୁମେମାନେ ସେହିପ୍ରକାର ଲୋକ, କିନ୍ତୁ ଈଶ୍ୱର ତୁମମାନଙ୍କର ହୃଦୟ ଜାଣନ୍ତି। ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଅତି ମୂଲ୍ୟବାନ୍ ବୋଲି ବିବେଚିତ ତାହା ଈଶ୍ୱରଙ୍କ ଦୃଷ୍ଟିରେ ଘୃଣିତ।
“ବିଧିବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ସେହି ସମୟଠାରୁ, ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାରିତ ହେଉଛି, ଏବଂ ସମସ୍ତେ ବଳପୂର୍ବକ ତହିଁରେ ପ୍ରବେଶ କରୁଛନ୍ତି। ବିଧିବ୍ୟବସ୍ଥାର ଏକ ବିନ୍ଦୁଟିଏ ଲୋପ ପାଇବା ଅପେକ୍ଷା ଆକାଶ ଓ ପୃଥିବୀ ଲୋପ ପାଇବା ସହଜ।
“ଯେକେହି ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟ ସ୍ତ୍ରୀକୁ ବିବାହ କରେ ସେ ବ୍ୟଭିଚାର କରେ, ଏବଂ ଯେ ସେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ ସେ ବ୍ୟଭିଚାର କରେ।
ଧନୀଲୋକ ଓ ଲାଜାର
“ଜଣେ ଧନୀଲୋକ ଥିଲା ସେ ବାଇଗଣି ରଙ୍ଗର ରେଶମ ପୋଷାକ ପିନ୍ଧୁଥିଲା ଓ ପ୍ରତିଦିନ ବିଳାସରେ ଜୀବନ କାଟୁଥିଲା। ତାହାର ଫାଟକ ପାଖେ ଲାଜାର ନାମକ ଜଣେ ଭିକ୍ଷୁକ ପଡ଼ି ରହୁଥିଲା, ତାହାର ସାରାଦେହ ଘାଆରେ ପୂର୍ଣ୍ଣ ଥିଲା ସେହି ଧନୀଲୋକର ଖାଇବା ମେଜରୁ ପଡ଼ୁଥିବା ଅଇଁଠା ଖାଇ ପେଟ ପୂରାଇବାକୁ ସେ ଅପେକ୍ଷାରେ ରହୁଥିଲା। ଏପରିକି କୁକୁରଗୁଡ଼ାକ ଆସି ତା ଘାଆସବୁ ଚାଟୁଥିଲେ।
“କାଳକ୍ରମେ ଭିକାରୀଟି ମରିଗଲା ଓ ସ୍ଵର୍ଗଦୂତମାନେ ତାକୁ ଅବ୍ରହାମଙ୍କ ପାଖକୁ ନେଇଗଲେ। ପରେ ସେହି ଧନୀଲୋକ ମଧ୍ୟ ମରିଗଲା ଓ କବର ପାଇଲା। ନରକଯନ୍ତ୍ରଣାରେ, କଲବଲ ହେଲାବେଳେ, ସେ ଉପରକୁ ଚାହିଁ ଦୂରରେ ଅବ୍ରହାମଙ୍କୁ, ଓ ତାଙ୍କ ପାଖେ ଲାଜାରକୁ ଦେଖିଲା। ତେଣୁ ସେ ତାଙ୍କୁ ଡାକି କହିଲା, ‘ପିତା ଅବ୍ରହାମ, ମୋ ପ୍ରତି ଦୟାକରି ଲାଜାରକୁ ପଠାନ୍ତୁ ଯେପରି ସେ ତାହାର ଅଙ୍ଗୁଳି ଟିପ ପାଣିରେ ବୁଡ଼ାଇ ମୋ ଜିଭକୁ ଶୀତଳ କରିବ, କାରଣ ମୁଁ ଏହି ଅଗ୍ନି ମଧ୍ୟରେ କଲବଲ ହେଉଛି।’
“ମାତ୍ର ଅବ୍ରହାମ ଉତ୍ତର ଦେଲେ, ‘ପୁଅ, ଯାହାସବୁ ଭଲ ସେହିସବୁ ତ ତୋର ଜୀବଦ୍ଦଶାରେ ପାଇଲୁ, ଅଥଚ ଯାହା ଖରାପ ସେହିସବୁ ଲାଜାର ପାଇଲା, ଏ କଥା ସ୍ମରଣ କର କିନ୍ତୁ ଏବେ ସେ ଏଠାରେ ସାନ୍ତ୍ଵନା ଲାଭ କରିଛି ଓ ତୁ ଯନ୍ତ୍ରଣା ଭୋଗ କରୁଛୁ। ଏହା ବ୍ୟତୀତ, ତୁମ ଆମ ମଧ୍ୟରେ ଏକ ମହାଶୂନ୍ୟର ବ୍ୟବଧାନ ରହିଛି, ଯଦ୍ଦ୍ୱାରା ତୋ ନିକଟକୁ ଯିବାକୁ ଇଚ୍ଛା କଲେ ମଧ୍ୟ କେହି ଯାଇପାରିବ ନାହିଁ, କିମ୍ବା ସେଠାରୁ କେହି ପାରି ହୋଇ ଆମ ପାଖକୁ ଆସି ପାରିବ ନାହିଁ।’
“ଲୋକଟି କହିଲା, ‘ପିତା, ତା ହେଲେ ମୁଁ ଅନୁରୋଧ କରୁଛି, ଲାଜାରକୁ ମୋର ପିତୃଗୃହକୁ ପଠାନ୍ତୁ। କାରଣ ମୋର ପାଞ୍ଚ ଭାଇ ଅଛନ୍ତି। ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସନ୍ତି, ଏଥିପାଇଁ ସେ ଯାଇ ସେମାନଙ୍କୁ ସତର୍କ କରାଉ।’
“ଅବ୍ରହାମ ଉତ୍ତର ଦେଲେ, ‘ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କର ଶାସ୍ତ୍ର ଅଛି; ସେମାନେ ସେଥିରେ କର୍ଣ୍ଣପାତ କରନ୍ତୁ।’
“ସେ କହିଲା, ‘ନା, ପିତା ଅବ୍ରହାମ, କିନ୍ତୁ ମୃତ୍ୟୁ ଲୋକଙ୍କ ମଧ୍ୟରୁ କେହି ଯଦିସେମାନଙ୍କ ପାଖକୁ ଯାଏ, ସେମାନେ ଅନୁତାପ କରିବେ।’
“ସେ ତାକୁ କହିଲେ, ‘ସେମାନେ ଯଦି ମୋଶା ଓ ଭାବବାଦୀମାନଙ୍କ ବାଣୀ ନ ଶୁଣନ୍ତି, ତେବେ କେହି ମୃତ୍ୟୁରୁ ଉତ୍ଥିତ ହେଲେ ମଧ୍ୟ ସେମାନେ ବିଶ୍ୱାସ କରିବେ ନାହିଁ।’ ”
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.