Skip to content
BibleKenya

Biblica® Open Odia Contemporary Bible

ଲୂକ 15

ହଜିଯାଇଥିବା ମେଣ୍ଢାର ଦୃଷ୍ଟାନ୍ତ ଗଳ୍ପ

ଏହି ସମୟରେ କରଆଦାୟକାରୀ ଓ ପାପୀ ଲୋକମାନେ ଯୀଶୁଙ୍କ କଥା ଶୁଣିବାକୁ ଚାରିପଟେ ସମବେତ ହେଉଥିଲେ। କିନ୍ତୁ ଫାରୂଶୀ ଓ ଶାସ୍ତ୍ରଜ୍ଞମାନେ ଅଭିଯୋଗ କରି କହୁଥିଲେ, “ଏ ଲୋକ ପାପୀ ଲୋକମାନଙ୍କୁ ସ୍ୱାଗତ କରେ ଓ ସେମାନଙ୍କ ସହିତ ଭୋଜନ ମଧ୍ୟ କରେ।”

ସେତେବେଳେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଗଳ୍ପ କହିଲେ: “ମନେକର ତୁମ ମଧ୍ୟରୁ ଜଣକର ଶହେ ମେଣ୍ଢା ଅଛି ଓ ସେଥିରୁ ଗୋଟିଏ ହଜିଯାଏ। ତେବେ ସେ କଣ ଅନେଶ୍ୱତ ମେଣ୍ଢାଟିକୁ ପଦାରେ ଛାଡ଼ି ହଜିଯାଇଥିବା ମେଣ୍ଢାଟିକୁ ନ ପାଇବା ପର୍ଯ୍ୟନ୍ତ ଖୋଜିବାକୁ ଯାଏ ନାହିଁ? ପୁଣି ତାକୁ ପାଇଲେ, ସେ ଆନନ୍ଦରେ କାନ୍ଧରେ ବସାଇ ନେଇ ଆସେ ସେ ଘରକୁ ଯାଇ ତାହାର ବନ୍ଧୁ ଓ ପଡ଼ୋଶୀମାନଙ୍କୁ ଏକତ୍ର ଡାକି କହେ, ‘ମୋ ସଙ୍ଗେ ଆନନ୍ଦୋଲ୍ଲାସ କର; ମୁଁ ମୋର ହଜିଲା ମେଣ୍ଢାଟିକୁ ପାଇଲି।’ ମୁଁ ତୁମ୍ଭମାନଙ୍କୁ କହୁଛି, ଠିକ ସେହିପରି ଯେଉଁମାନଙ୍କର ଅନୁତାପ କରିବା ଆବଶ୍ୟକ ନାହିଁ ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଜଣେ ଅନୁତପ୍ତ ପାପୀ ପାଇଁ ସ୍ଵର୍ଗରେ ଅଧିକ ଆନନ୍ଦ ହୁଏ।

ହଜିଯାଇଥିବା ମୁଦ୍ରାର ଦୃଷ୍ଟାନ୍ତ ଗଳ୍ପ

“କିମ୍ବା ମନେକର ଜଣେ ଲୋକର ଦଶଟି ରୂପା ମୁଦ୍ରା ଅଛି ଓ ସେଥିରୁ ଗୋଟିଏ ହଜିଯାଏ। ତେବେ ସେ କଅଣ ଦୀପ ଜାଳି, ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ତନ୍ନ ତନ୍ନ କରି ଖୋଜେ ନାହିଁ? ପୁଣି ତାହା ପାଇଲେ, ତାହାର ବନ୍ଧୁ ଓ ପଡ଼ୋଶୀମାନଙ୍କୁ ଏକତ୍ର ଡାକି କହେ, ‘ମୋ ସଙ୍ଗେ ଆନନ୍ଦୋଲ୍ଲାସ କର; ହଜିଯାଇଥିବା ମୋର ମୁଦ୍ରା ଟିକୁ ମୁଁ ପାଇଲି।’ ମୁଁ ତୁମ୍ଭମାନଙ୍କୁ କହୁଛି, ଠିକ ସେହିପରି, ଜଣେ ପାପୀ ଅନୁତାପ କଲେ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ଆନନ୍ଦ ହୁଏ।”

ହଜିଲା ପୁତ୍ରର ଦୃଷ୍ଟାନ୍ତ ଗଳ୍ପ

ଯୀଶୁ କହିବାକୁ ଲାଗିଲେ: ଜଣେ ବ୍ୟକ୍ତିଙ୍କର ଦୁଇ ପୁଅ ଥିଲେ। ସାନ ପୁଅ ତାର ପିତାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗଟା ମୋର ତାହା ମୋତେ ଦେଇଦିଅ। ତେଣୁ ସେହି ବ୍ୟକ୍ତି ନିଜର ସମ୍ପତ୍ତି ଦୁହିଁଙ୍କ ମଧ୍ୟରେ ବାଣ୍ଟି ଦେଲେ।

ଅଳ୍ପଦିନ ପରେ, ସାନ ପୁଅ ତାହାର ସର୍ବସ୍ଵ ଏକାଠି କରି, ଦୂର ଦେଶକୁ ଚାଲିଗଲା ଓ ସେଠାରେ ଭ୍ରଷ୍ଟାଚାରରେ ନିଜର ଧନ ଉଡ଼ାଇ ଦେଲା। ସବୁ ଟଙ୍କା ଅପବ୍ୟୟ କଲା ଉତ୍ତାରେ ସମଗ୍ର ଦେଶରେ ଘୋର ଦୁର୍ଭିକ୍ଷ ପଡ଼ିଲା, ଓ ସେ ଅଭାବ ଭୋଗିଲା। ତେଣୁ ସେ ଯାଇ ସେହି ଦେଶର ଜଣେ ନାଗରିକ ବା ବ୍ୟକ୍ତି ପାଖରେ ମୂଲ କାମ କଲା, ସେହି ବ୍ୟକ୍ତି ତାକୁ ଘୁଷୁରି ଚରାଇବାକୁ ନିଜ କ୍ଷେତକୁ ପଠାଇ ଦେଲା। ଘୁଷୁରିମାନେ ଖାଉଥିବା ଶିମ ଚୋପା ଖାଇ ସେ ପେଟ ପୂରାଇବାକୁ ଇଚ୍ଛା କଲା, କିନ୍ତୁ କେହି ତାକୁ କିଛି ଦେଲେ ନାହିଁ।

ଯେତେବେଳେ ତାହାର ଚେତନା ପଶିଲା, ସେ କହିଲା, ମୋର ବାପାଙ୍କର ମୂଲିଆମାନେ ଖାଇ ବଳି ପଡ଼ୁଛି, ଅଥଚ ମୁଁ ଏଠାରେ ଅନାହାରରେ ମରୁଛି! ମୁଁ ମୋର ବାପାଙ୍କ ପାଖକୁ ଫେରିଯିବି ଓ ତାଙ୍କୁ କହିବି ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ ବିରୁଦ୍ଧରେ ପାପ କରିଛି। ତୁମର ପୁଅ ରୂପେ ପରିଚିତ ହେବାକୁ ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମର ଗୋଟିଏ ମୂଲିଆ କରି ରଖ। ଅତଏବ ସେ ଉଠି ତାର ପିତା ନିକଟକୁ ଗଲା।

ଆହୁରି ଅନେକ ବାଟ ଥିଲା, କିନ୍ତୁ ତାହାର ବାପା ତାକୁ ଦେଖିପାରି ଦୟାରେ ବିଗଳିତ ହେଲେ; ସେ ପୁଅ ପାଖକୁ ଦୈଡ଼ିଗଲେ, ତାକୁ ଆଲିଙ୍ଗନ କରି ଚୁମ୍ୱନ କଲେ।

ପୁଅ ତାଙ୍କୁ କହିଲା, ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ ବିରୁଦ୍ଧରେ ପାପ କରିଛି। ତୁମର ପୁଅ ରୂପେ ପରିଚିତ ହେବାକୁ ମୁଁ ଆଉ ଯୋଗ୍ୟ ନୁହେଁ।

କିନ୍ତୁ ପିତା ତାଙ୍କର ଦାସମାନଙ୍କୁ କହିଲେ, ଶୀଘ୍ର ଯାଇ ସବୁଠାରୁ ଭଲ ପୋଷାକ ନେଇଆସ ଓ ଏହାକୁ ପିନ୍ଧାଅ। ଏହାର ଅଙ୍ଗୁଳିରେ ମୁଦି ଓ ପାଦରେ ପାଦୁକା ପିନ୍ଧାଇ ଦିଅ। ମୋଟା ବାଛୁରୀଟିଏ ଆଣି ମାର। ଆସ ଆମେ ଭୋଜି କରି ଆନନ୍ଦୋତ୍ସବ କରିବା। କାରଣ ମୋର ଏହି ପୁଅ ମରିଯାଇଥିଲା ପୁଣି ବଞ୍ଚିଲା; ସେ ହଜି ଯାଇଥିଲା ପୁଣି ମିଳିଲା। ତେଣୁ ସେମାନେ ଆନନ୍ଦୋତ୍ସବ କରିବାକୁ ଲାଗିଲେ।

ଏହି ସମୟରେ, ବଡ଼ ପୁଅ କ୍ଷେତରେ ଥିଲା। ସେ ଘର ପାଖ ହେଲା ବେଳକୁ, ବାଦ୍ୟ ଓ ନୃତ୍ୟର ଧ୍ୱନି ଶୁଣିବାକୁ ପାଇଲା। ତେଣୁ ସେ ଜଣେ ଦାସକୁ ଡାକି କଣସବୁ ହେଉଛି ବୋଲି ପଚାରିଲା। ସେ ଉତ୍ତର ଦେଲା, ତୁମର ଭାଇ ଆସିଛନ୍ତି, ଓ ତୁମର ବାପା ତାଙ୍କୁ ନିରାପଦରେ ଫେରି ପାଇଥିବାରୁ ମୋଟା ବାଛୁରୀଟିଏ ମାରିଛନ୍ତି ଏବଂ ଭୋଜି କରୁଛନ୍ତି।

ବଡ଼ ଭାଇ ରାଗିଯାଇ ଭିତରକୁ ଯିବା ପାଇଁ ରାଜି ହେଲା ନାହିଁ। ତେଣୁ ବାପା ବାହାରକୁ ଯାଇ ତାକୁ ବହୁତ ବୁଝାଇଲେ। କିନ୍ତୁ ସେ ତାହାର ପିତାକୁ ଉତ୍ତର ଦେଲା, ଦେଖ! ଏତେ ବର୍ଷ ଧରି ମୁଁ ତୁମର ଗୋଲାମ ପରି ଖଟି ଆସିଛି ଓ କେବେ ତୁମର ଆଦେଶ ଅମାନ୍ୟ କରି ନାହିଁ। ଅଥଚ ମୋର ସାଙ୍ଗସାଥୀମାନଙ୍କ ସହିତ ଆନନ୍ଦୋତ୍ସବ କରିବାକୁ ତୁମେ କେବେହେଲେ ମୋତେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ। କିନ୍ତୁ ତୁମର ଏହି ପୁଅ ତୁମର ସମ୍ପତ୍ତିକୁ ବେଶ୍ୟାମାନଙ୍କ ପଛରେ ଉଡ଼ାଇ ଦେଇ ଯେତେବେଳେ ଘରକୁ ଆସିଛି, ତୁମେ ତା ପାଇଁ ମୋଟା ବାଛୁରୀଟିଏ ମାରିଛ ଓ ଭୋଜି କରୁଛ!

ପିତା କହିଲେ, ପୁଅରେ, ତୁ ତ ମୋ ପାଖେ ସବୁବେଳେ ରହିଛୁ, ଓ ଯାହାକିଛି ମୋର ସେସବୁ ତୋର। ମାତ୍ର ତୋର ଏହି ଯେଉଁ ଭାଇ ମରିଯାଇଥିଲା ଓ ପୁଣି ବଞ୍ଚିଲା; ହଜି ଯାଇଥିଲା ଓ ପୁଣି ମିଳିଲା ସେଥିପାଇଁ ଆମର ଆନନ୍ଦଉତ୍ସବ କରିବା ଉଚିତ ଥିଲା।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.