Biblica® Open Odia Contemporary Bible
ଲୂକ 14
ଫାରୂଶୀଙ୍କ ଗୃହରେ ଯୀଶୁ
ଥରେ ଶାବତବାରରେ, ଯୀଶୁ ଜଣେ ଖ୍ୟାତନାମା ଫାରୂଶୀଙ୍କ ଘରକୁ ଭୋଜନ କରିବାକୁଗଲେ, ସେଠାରେ ସେମାନେ ତାଙ୍କୁ ବିଶେଷଭାବେ ଲକ୍ଷ୍ୟ କରୁଥିଲେ। ତାହାଙ୍କ ସମ୍ମୁଖରେ ଜଳୋଦର ରୋଗରେ ପୀଡ଼ିତ ଜଣେ ଲୋକ ଥିଲା। ଯୀଶୁ ଫାରୂଶୀ ଓ ଶସ୍ତ୍ରବିଶାରଦମାନଙ୍କୁ ପଚାରିଲେ, “ଶାବତବାରରେ ରୋଗ ସୁସ୍ଥକରିବା ବିଧିସଙ୍ଗତ କି ନୁହେଁ?” କିନ୍ତୁ ସେମାନେ ନୀରବ ରହିଲେ। ତେଣୁ ସେ ଲୋକଟିକୁ ଧରି, ସୁସ୍ଥ କରି ବିଦାୟ କଲେ।
ତା ପରେ ସେ ସେମାନଙ୍କୁ ପଚାରିଲେ, “ତୁମ ମଧ୍ୟରୁ କାହାରି ପୁଅ ବା ବଳଦ ଯଦି ଶାବତବାରରେ କୂଅରେ ପଡ଼ିଯାଏ, ତୁମେ କଣ ସଙ୍ଗେସଙ୍ଗେ ତାକୁ ଉଠାଇ ଆଣିବ ନାହିଁ?” ସେମାନେ ଏହାର କୌଣସି ଉତ୍ତର ଦେଇପାରିଲେ ନାହିଁ।
ସେ ଲକ୍ଷ୍ୟ କଲେ ଯେ ନିମନ୍ତ୍ରିତ ଲୋକମାନେ ବାଛି ବାଛି ପ୍ରଧାନ ଆସନ ଗ୍ରହଣ କରୁଛନ୍ତି, ତେଣୁ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ: “କେହି ଯଦି ତୁମକୁ ବିବାହ ଭୋଜିକୁ ନିମନ୍ତ୍ରଣ କରେ, ପ୍ରଧାନ ଆସନ ଗ୍ରହଣ କର ନାହିଁ, କାରଣ ତୁମ ଅପେକ୍ଷା ଅଧିକ ଗଣ୍ୟମାନ୍ୟ ବ୍ୟକ୍ତି ନିମନ୍ତ୍ରିତ ହୋଇଥାଇ ପାରନ୍ତି। ଯଦି ତାହା ହୁଏ, ତୁମ ଦୁହିଁଙ୍କର ନିମନ୍ତ୍ରିଣକାରୀ ଆସି ତୁମକୁ କହିବେ, ‘ଏହି ବ୍ୟକ୍ତିଙ୍କୁ ଆପଣଙ୍କ ଆସନ ଛାଡ଼ି ଦିଅନ୍ତୁ।’ ସେତେବେଳେ, ତୁମେ ଅପମାନିତ ହୋଇ, ତୁମକୁ ସବୁଠାରୁ ନଗଣ୍ୟ ଆସନ ଗ୍ରହଣ କରିବାକୁ ହେବ। ବରଞ୍ଚ ତୁମେ ନିମନ୍ତ୍ରିତ ହେଲାବେଳେ, ସବୁଠାରୁ ନୀଚ ଆସନ ଗ୍ରହଣ କର, ତା ହେଲେ ତୁମର ନିମନ୍ତ୍ରିଣକାରୀ ଆସିଲେ, ତୁମକୁ କହିବେ, ‘ବନ୍ଧୁ, ଆହୁରି ଭଲ ଜାଗାକୁ ଯାଇ ବସ।’ ସେତେବେଳେ ଅନ୍ୟ ଅତିଥିମାନଙ୍କ ସାକ୍ଷାତରେ ତୁମେ ସମ୍ମାନ ଲାଭ କରିବ। କାରଣ ଯେକେହି ନିଜକୁ ଉନ୍ନତ କରେ ତାକୁ ନତ କରାଯିବ, ଏବଂ ଯେକେହି ନିଜକୁ ନତ କରେ ତାକୁ ଉନ୍ନତ କରାଯିବ।”
ଏଉତ୍ତାରେ ଯୀଶୁ ତାଙ୍କର ନିମନ୍ତ୍ରଣକାରୀଙ୍କୁ କହିଲେ, “ତୁମେ ଯେତେବେଳେ ମଧ୍ୟାହ୍ନ ବା ରାତ୍ରି ଭୋଜିର ବ୍ୟବସ୍ଥା କର, ସେତେବେଳେ ନିଜର ବନ୍ଧୁ, ବା ଭାଇ, ବା ଆତ୍ମୀୟ, କିମ୍ବା ଧନୀ ପଡ଼ୋଶୀମାନଙ୍କୁ; ନିମନ୍ତ୍ରଣ କର ନାହିଁ। ତା କଲେ, ସେମାନେ ମଧ୍ୟ ତୁମକୁ ନିମନ୍ତ୍ରଣ କରିବେ ଓ ଏହିରୂପେ ତୁମକୁ ପ୍ରତିଦାନ ଦେଇ ଦେବେ। ମାତ୍ର ଭୋଜି ଦେଲା ବେଳେ, ଦୀନହୀନ, ବିକଳାଙ୍ଗ, ପଙ୍ଗୁ ଓ ଅନ୍ଧ, ଲୋକମାନଙ୍କୁ ନିମନ୍ତ୍ରଣ କର, ତା ହେଲେ ତୁମେ ଆଶୀର୍ବାଦ ପାଇବ। ସେମାନେ ତୁମକୁ ପ୍ରତିଦାନ ଦେଇ ନ ପାରିଲେ ମଧ୍ୟ ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ତୁମେ ପ୍ରତିଦାନ ପାଇବ।”
ମହାଭୋଜର ଦୃଷ୍ଟାନ୍ତ ଗଳ୍ପ
ଯୀଶୁଙ୍କ ସହିତ ଭୋଜନରେ ବସିଥିବା ଜଣେବ୍ୟକ୍ତି ଏହା ଶୁଣି, ତାହାଙ୍କୁ କହିଲେ, “ଯେଉଁ ମନୁଷ୍ୟ ଈଶ୍ୱରଙ୍କ ରାଜ୍ୟରେ ଭୋଜନୋତ୍ସବରେ ଯୋଗ ଦେବ ସେ ଧନ୍ୟ।”
ଯୀଶୁ ଉତ୍ତର ଦେଲେ: “ଜଣେବ୍ୟକ୍ତି ଏକ ମହାଭୋଜିର ଆୟୋଜନ କଲେ ଓ ଅନେକଙ୍କୁ ନିମନ୍ତ୍ରଣ କଲେ। ଭୋଜିର ସମୟ ଉପସ୍ଥିତ ହେବାରୁ ସେ ନିମନ୍ତ୍ରିତ ଲୋକମାନଙ୍କୁ ଏହି କଥା କହିବାକୁ ନିଜର ଦାସକୁ ପଠାଇଲେ, ‘ଆସନ୍ତୁ, ସବୁକିଛି ପ୍ରସ୍ତୁତ ହେଲାଣି।’
“କିନ୍ତୁ ସେମାନେ ସମସ୍ତେ ନିଜର ଆପତ୍ତି କରିବାକୁ ଲାଗିଲେ। ପ୍ରଥମ ଜଣକ କହିଲା, ‘ମୁଁ ଗୋଟିଏ କ୍ଷେତଟିଏ କିଣିଛି, ତାହା ଦେଖିବା ପାଇଁ ମୋତେ ଯିବାକୁ ହେବ। ଦୟାକରି ମୋତେ କ୍ଷମା କର।’
“ଆଉ ଜଣେ କହିଲା, ‘ମୁଁ ଏବେ ପାଞ୍ଚ ହଳ ବଳଦ କିଣିଛି, ସେମାନଙ୍କୁ ପରଖ କରିବାକୁ ଯାଉଛି। ଦୟାକରି ମୋତେ କ୍ଷମା କର।’
“ଆଉ ଅନ୍ୟ ଜଣେ କହିଲା, ‘ମୁଁ ଏବେ ବିବାହ କରିଛି, ତେଣୁ ଯାଇ ପାରିବି ନାହିଁ।’
“ଦାସଟି ଫେରି ଆସିଲା ଓ ତାହାର କର୍ତ୍ତାଙ୍କୁ ତାହା ଜଣାଇଲା। ତତ୍ପରେ ଗୃହକର୍ତ୍ତା ରାଗିଯାଇ ଆପଣା ଦାସକୁ ଆଦେଶ ଦେଲେ, ‘ଶୀଘ୍ର ଯାଇ ସହରର ଦାଣ୍ଡ ଓ ଗଳିକନ୍ଦିରୁ ଦରିଦ୍ର, ବିକଳାଙ୍ଗ, ଅନ୍ଧ ଓ ଖଞ୍ଜ, ଲୋକମାନଙ୍କୁ ନେଇଆସ।’
“ଦାସ କହିଲା, ଆଜ୍ଞା, ଆପଣଙ୍କ ଆଦେଶ ଅନୁସାରେ କରାଗଲା, ତଥାପି ଆହୁରି ଜାଗା ବଳିଛି।
“ଏଉତ୍ତାରେ କର୍ତ୍ତା ତାଙ୍କର ଦାସକୁ କହିଲେ, ‘ରାସ୍ତାଗୁଡ଼ିକୁ ଓ ଗଛମୂଳକୁ ଯାଅ ଓ ମୋର ଗୃହ ଯେପରି ପୂର୍ଣ୍ଣ ହେବ, ସେଥିପାଇଁ ସେମାନଙ୍କୁ ଡାକି ଆଣ। ମୁଁ ତୁମକୁ କହୁଛି, ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ ଜଣେ ହେଲେ ମୋର ଭୋଜି ଆସ୍ୱାଦନ କରିବ ନାହିଁ।’ ”
ଶିଷ୍ୟତ୍ଵର ମୂଲ୍ୟ
ଯୀଶୁଙ୍କ ସହିତ ବହୁସଂଖ୍ୟକ ଲୋକ ଯାତ୍ରା କରୁଥିଲେ, ସେମାନଙ୍କ ଆଡ଼କୁ ବୁଲି ସେ କହିଲେ: “କେହି ଯଦି ମୋ ନିକଟକୁ ଆସି ନିଜର ପିତା ଓ ମାତାକୁ, ନିଜର ସ୍ତ୍ରୀ ଓ ସନ୍ତାନମାନଙ୍କୁ, ନିଜର ଭାଇ ଓ ଭଉଣୀମାନଙ୍କୁ, ଏପରିକି ନିଜ ଜୀବନକୁ ସୁଦ୍ଧା ଅପ୍ରିୟ ନ ମଣେ ସେ ମୋର ଶିଷ୍ୟ ହୋଇପାରିବ ନାହିଁ। ଯିଏ ତାହାର କ୍ରୁଶ ବହନ କରି ମୋର ଅନୁଗମନ ନ କରେ ସେ ମୋର ଶିଷ୍ୟ ହୋଇପାରିବ ନାହିଁ।
“ମନେକର ତୁମ ମଧ୍ୟରୁ କେହି ଜଣେ ଗୋଟିଏ ପ୍ରହରୀ ଗୃହ ନିର୍ମାଣ କରିବାକୁ ଇଚ୍ଛା କରୁଛି। ସେ କଣ ପ୍ରଥମେ ବସି ତାହା ସଂପୂର୍ଣ୍ଣ କରିବାକୁ ଯଥେଷ୍ଟ ଅର୍ଥ ଅଛି କି ନାହିଁ ତାହାର ବ୍ୟୟ ଅଟକଳ କରିବ ନାହିଁ? କାରଣ ସେ ଯଦି ମୂଳଦୁଆ ପକାଇ ଘର ଶେଷ କରି ନ ପାରେ, ତେବେ ତାହା ଦେଖିବା ଲୋକେ ତାକୁ ପରିହାସ କରିବେ। ସେମାନେ କହିବେ, ‘ଲୋକଟା ନିର୍ମାଣ କରିବାକୁ ଆରମ୍ଭ କରି ଶେଷ କରିବାକୁ ସମର୍ଥ ହେଲା ନାହିଁ।’
“କିମ୍ବା ମନେକର ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେବେ। ତାଙ୍କ ବିରୁଦ୍ଧରେ କୋଡ଼ିଏ ହଜାର ସୈନ୍ୟ ଧରି ଆସୁଥିବା ରାଜା ସହିତ ନିଜର ଦଶ ହଜାର ସୈନ୍ୟ ଯୁଦ୍ଧ କରିବାକୁ ସକ୍ଷମ ହେବେ କି ନାହିଁ, ତାହା କଣ ସେ ପ୍ରଥମେ ବସି ବିବେଚନା କରିବେ ନାହିଁ? ସେ ଯଦି ସକ୍ଷମ ନୁହନ୍ତି, ତେବେ ଅନ୍ୟ ରାଜା ବହୁ ଦୂରରେ ଥାଉଁ ଥାଉଁ ସନ୍ଧି ପ୍ରସ୍ତାବ ସହିତ ଏକ ପ୍ରତିନିଧି ଦଳ ପଠାଇବେ। ସେହିପରି ଭାବରେ, ତୁମ ମଧ୍ୟରୁ କେହି ଯଦି ନିଜର ସର୍ବସ୍ଵ ତ୍ୟାଗ ନ କରେ ତେବେ ସେ ମୋର ଶିଷ୍ୟ ହୋଇପାରିବ ନାହିଁ।
“ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ତାର ଲବଣତ୍ଵ ହରାଏ, ତେବେ ତାକୁ ଆଉ କିପରି ଲବଣାକ୍ତ କରି ହେବ? ତାହା ଭୂମି ପାଇଁ କିମ୍ବା ଖତଗଦା ପାଇଁ ମଧ୍ୟ ଉପଯୁକ୍ତ ନୁହେଁ; ତାହା ବାହାରେ ପକାଇ ଦିଆଯାଏ।
“ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.