Biblica® Open Odia Contemporary Bible
ଲୂକ 13
ଅନୁତାପ କର ନହେଲେ ବିନଷ୍ଟ ହେବ
ସେହି ସମୟରେ କେତେକ ଲୋକ ଆସି ପୀଲାତ କିପରି କେତେକ ଗାଲିଲୀୟମାନଙ୍କର ରକ୍ତ ସେମାନଙ୍କ ବଳି ସହିତ ମିଶାଇ ଥିଲେ ତାହା ଯୀଶୁଙ୍କୁ ଜଣାଇଲେ। ଯୀଶୁ ଉତ୍ତର ଦେଲେ, “ଏହିପ୍ରକାର ଦଶା ଭୋଗ କରିବାକୁ ଏହି ଗାଲିଲୀୟମାନେ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ ବୋଲି କଣ ତୁମେମାନେ ମନେ କରୁଛ? ମୁଁ ତୁମ୍ଭମାନଙ୍କୁ କହୁଛି, ତା ନୁହେଁ! କିନ୍ତୁ ଅନୁତାପ ନ କଲେ, ତୁମେ ସମସ୍ତେ ମଧ୍ୟ ବିନଷ୍ଟ ହେବ। କିମ୍ବା ଶିଲୋହର ପ୍ରହରୀଦୁର୍ଗ ଯେଉଁ ଅଠର ଜଣକ ଉପରେ ପଡ଼ି ସେମାନଙ୍କ ପ୍ରାଣ ନାଶ କଲା ସେମାନେ ଅନ୍ୟ ସବୁ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଦୋଷୀ ଥିଲେ ବୋଲି କଣ ତୁମେମାନେ ମନେ କରୁଛ? ମୁଁ ତୁମ୍ଭମାନଙ୍କୁ କହୁଛି, ତା ନୁହେଁ! କିନ୍ତୁ ଅନୁତାପ ନ କଲେ, ତୁମେ ସମସ୍ତେ ମଧ୍ୟ ବିନଷ୍ଟ ହେବ।”
ତତ୍ପରେ ସେ ଏହି ଦୃଷ୍ଟାନ୍ତ-ଗକ୍ପଟି କହିଲେ, ଜଣେ ବ୍ୟକ୍ତିଙ୍କର ଗୋଟିଏ ଡିମ୍ୱିରି ଗଛଥିଲା, ସେ ତାହା ନିଜ ଦ୍ରାକ୍ଷାକ୍ଷେତ୍ରରେ ରୋପଣ କରିଥିଲେ ସେ ଫଳ ଖୋଜିବାକୁ ଆସି କିଛି ପାଇଲେ ନାହିଁ। ତେଣୁ ସେ ଅଙ୍ଗୁର କ୍ଷେତର ମାଳୀକୁ କହିଲେ, ଦେଖ ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ୱିରି ଗଛରେ ଫଳ ଖୋଜୁଛି କିନ୍ତୁ ପାଉ ନାହିଁ। ଏହାକୁ କାଟି ପକାଅ! କାହିଁକି ଏଇଟା ଜାଗା ମାଡ଼ି ବସିବ?
ସେହି ଲୋକ ଉତ୍ତର ଦେଲା, ଆଜ୍ଞା, ଆଉ ଗୋଟିଏ ବର୍ଷ ପାଇଁ ଏହାକୁ ଛାଡ଼ି ଦିଅନ୍ତୁ, ମୁଁ ଏହାର ଚାରି ପାଖ ଖୋଳି ଖତ ଦେବି। ଆସନ୍ତା ବର୍ଷ ଯଦି ଏଥିରେ ଫଳ ଫଳେ, ତା ହେଲେ ତ ଭଲ! ତା ନହେଲେ, ସେତେବେଳେ ଏହାକୁ କାଟିଦେବେ।
ବିଶ୍ରାମବାରରେ କୁଜା ସ୍ତ୍ରୀ ସୁସ୍ଥ ହେଲା
ଥରେ ଶାବତବାରରେ ଯୀଶୁ ଗୋଟିଏ ଉପାସନାଗୃହରେ ଶିକ୍ଷା ଦେଉଥିଲେ, ସେଠାରେ ଜଣେ ସ୍ତ୍ରୀଲୋକ ଥିଲା ଯେ କି ଅଠର ବର୍ଷ ଯାଏ ଗୋଟିଏ ଆତ୍ମା ଦ୍ଵାରା ବିକଳାଙ୍ଗ ହୋଇ ଯାଇଥିଲା। ସେ ନଇଁ ପଡ଼ିଥିଲା ଓ ନିଜକୁ କୌଣସି ପ୍ରକାରେ ସିଧା କରିପାରୁ ନ ଥିଲା। ଯୀଶୁ ତାକୁ ଦେଖି, ପାଖକୁ ଡାକିଲେ ଓ ତାକୁ କହିଲେ, “ଗୋ ନାରୀ, ତୁମେ ନିଜର ଦୁର୍ବଳତାରୁ ମୁକ୍ତ ହେଲ।” ତତ୍ପରେ ସେ ତା ଉପରେ ହାତ ରଖିଲେ, ଏବଂ ତତ୍କ୍ଷଣାତ୍ ସେ ସଳଖ ହୋଇ ଈଶ୍ୱରଙ୍କ ସ୍ତୁତି କଲା।
ଯୀଶୁ ଶାବତବାରରେ ସୁସ୍ଥ କରିବାରୁ, ଉପାସନାଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକମାନଙ୍କୁ କହିଲେ, “କାମ କରିବା ପାଇଁ ଛଅଦିନ ଅଛି। ଅତଏବ ସେହି ଦିନମାନଙ୍କରେ ଆସି ସୁସ୍ଥ ହୁଅ, ଶାବତବାରରେ ଆସ ନାହିଁ।”
ପ୍ରଭୁ ତାଙ୍କୁ ଉତ୍ତର ଦେଲେ, “ହେ କପଟାଚାରୀମାନେ! ତୁମେ ପ୍ରତ୍ୟେକେ ଶାବତବାରରେ କଣ ନିଜ ନିଜର ବଳଦ ବା ଗଧକୁ ଗୁହାଳରୁ ଫିଟାଇ ପାଣି ପିଆଇବାକୁ ବାହାରକୁ ନିଅ ନାହିଁ? ତା ହେଲେ ଦୀର୍ଘ ଅଠର ବର୍ଷ ଧରି, ଶୟତାନଦ୍ଵାରା ଆବଦ୍ଧ ଅବ୍ରହାମଙ୍କ କନ୍ୟା, ଏହି ସ୍ତ୍ରୀଲୋକଟି, ନିଜ ବନ୍ଧନରୁ ଶାବତବାରରେ ମୁକ୍ତ ହେବା କଣ ଉଚିତ ନୁହେଁ?”
ସେ ଯେତେବେଳେ ଏହା କହିଲେ, ତାହାଙ୍କର ବିପକ୍ଷମାନେ ଅପମାନିତ ହେଲେ, ମାତ୍ର ଲୋକମାନେ ତାହାଙ୍କର କୃତ ସମସ୍ତ ଆଶ୍ଚର୍ଯ୍ୟ କର୍ମ ସକାଶେ ଆନନ୍ଦିତ ହେଲେ।
ସୋରିଷମଞ୍ଜି ଓ ଖମିରର ଦୃଷ୍ଟାନ୍ତ
ଏଉତ୍ତାରେ ଯୀଶୁ ପଚାରିଲେ, “ଈଶ୍ୱରଙ୍କ ରାଜ୍ୟ କି ପ୍ରକାର? ମୁଁ ଏହାକୁ କାହା ସଙ୍ଗେ ତୁଳନା କରିବି? ତାହା ଜଣେ ଲୋକ ନିଜ ବଗିଚାରେ ଲଗାଇଥିବା, ଗୋଟିଏ ସୋରିଷମଞ୍ଜି ସଦୃଶ। ତାହା ବଢ଼ିଲା ଏକ ଗଛରେ ପରିଣତ ହେଲା, ଏବଂ ଆକାଶର ପକ୍ଷୀମାନେ ତାହାର ଡାଳରେ ବସିଲେ।”
ସେ ପୁନର୍ବାର ପଚାରିଲେ, “ମୁଁ ଈଶ୍ୱରଙ୍କ ରାଜ୍ୟକୁ କାହା ସଙ୍ଗରେ ତୁଳନା କରିବି? ତାହା ଖମିର ସଦୃଶ ଯାହାକୁ ଜଣେ ସ୍ତ୍ରୀଲୋକ ନେଇ ବହୁତ ମଇଦାରେ ମିଶାଇଲା ଓ ଶେଷରେ ସବୁ ମଇଦା ଖମିରମୟ ହେଲା।”
ସଂକୀର୍ଣ୍ଣ ଦ୍ଵାର
ତତ୍ପରେ ଯୀଶୁ ଯିରୂଶାଲମକୁ ଯିବା ପଥରେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ, ଶିକ୍ଷାଦେବାକୁ ଲାଗିଲେ। କେହି ଜଣେ ତାଙ୍କୁ ପ୍ରଶ୍ନ କଲା, “ପ୍ରଭୁ, ଅତି ଅଳ୍ପ ଲୋକ କଣ ପରିତ୍ରାଣ ପାଇବେ?”
ସେ ସେମାନଙ୍କୁ କହିଲେ, “ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କରିବାକୁ ପ୍ରାଣପଣେ ଚେଷ୍ଟା କର, କାରଣ ମୁଁ କହୁଛି, ଅନେକେ ପ୍ରବେଶ କରିବାକୁ ଚେଷ୍ଟା କରିବେ, ମାତ୍ର ସମର୍ଥ ହେବେ ନାହିଁ। ଗୃହକର୍ତ୍ତା ଉଠି ଦ୍ଵାରକୁ ଥରେ ବନ୍ଦ କରିଦେଲା ପରେ, ତୁମେମାନେ ବାହାରେ ଠିଆ ହୋଇ ଦ୍ଵାରରେ ମାରିବ ଓ ବିନତି କରି କହିବ, ‘ପ୍ରଭୁ, ଆମ ପାଇଁ ଦ୍ଵାର ଫିଟାନ୍ତୁ।’
“କିନ୍ତୁ ସେ ଉତ୍ତର ଦେବେ, ‘ତୁମେମାନେ କିଏ ବା କେଉଁଠାରୁ ଆସିଛ ମୁଁ ଜାଣେ ନାହିଁ।’
“ତା ପରେ ତୁମେମାନେ କହିବ, ‘ଆମେ ଆପଣଙ୍କ ସଙ୍ଗେ ଭୋଜନପାନ କରିଥିଲୁ, ଓ ଆପଣ ଆମ ଗାଁ ଦାଣ୍ଡ ମାନଙ୍କରେ ଶିକ୍ଷା ଦେଇଥିଲେ।’
“କିନ୍ତୁ ସେ ଉତ୍ତର ଦେବେ, ‘ତୁମେମାନେ କିଏ ବା କେଉଁଠାରୁ ଆସିଛ ମୁଁ ଜାଣେ ନାହିଁ। ହେ ଦୁରାଚାରୀମାନେ, ମୋ ନିକଟରୁ ଦୂର ହୁଅ!’
“ଯେତେବେଳେ ତୁମେମାନେ ଅବ୍ରହାମ, ଇସ୍ହାକ୍ ଓ ଯାକୁବଙ୍କୁ ଓ ସବୁ ଭାବବାଦୀଙ୍କୁ ଈଶ୍ୱରଙ୍କ ରାଜ୍ୟରେ ଦେଖିବ, କିନ୍ତୁ ନିଜେ ବାହାରେ ବିତାଡ଼ିତ ହୋଇଥିବା ଦେଖିବ, ସେତେବେଳେ ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। ପୂର୍ବେ ଓ ପଶ୍ଚିମରୁ, ପୁଣି ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି, ଈଶ୍ୱରଙ୍କ ରାଜ୍ୟରେ ଭୋଜନ ଉତ୍ସବରେ ଆସନ ଗ୍ରହଣ କରିବେ। ପ୍ରକୃତରେ ଯେଉଁମାନେ ଶେଷରେ ଅଛନ୍ତି ଏପରି କେତେକେ ପ୍ରଥମରେ ରହିବେ, ଓ ପ୍ରଥମରେ ଥିବା କେତେକେ ଶେଷରେ ପଡ଼ିବେ।”
ଯିରୂଶାଲମର ପାଇଁ ଯୀଶୁଙ୍କର ଶୋକ
ସେହି ସମୟରେ କେତେକ ଫାରୂଶୀ ଆସି ଯୀଶୁଙ୍କୁ କହିଲେ, “ଏହି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲି ଯାଆନ୍ତୁ। ହେରୋଦ ଆପଣଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁଛନ୍ତି।”
ସେ ଉତ୍ତର ଦେଲେ, “ଯାଅ ସେହି କୋକିଶିଆଳିକୁ କୁହ, ‘ମୁ ଆଜି ଓ କାଲି ଭୂତ ଛଡ଼ାଇବି ଓ ଲୋକଙ୍କୁ ସୁସ୍ଥ କରିବି, ପୁଣି ତୃତୀୟ ଦିନରେ ମୁଁ ମୋର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବି।’ ଯାହାକିଛି ହେଉ ନା କାହିଁକି, ମୋତେ ଆଜି କାଲି ଓ ପଅର ଦିନ ମୋର ଯାତ୍ରା ପଥରେ ଯିବାକୁ ହେବ କାରଣ ଏହା ନିଶ୍ଚିତ ଯେ ଯିରୂଶାଲମର ବାହାରେ କୌଣସି ଭାବବାଦୀ ନିହତ ହୋଇପାରିବ ନାହିଁ!
“ଗୋ ଯିରୂଶାଲମ, ଯିରୂଶାଲମ, ତୁ ଭାବବାଦୀମାନଙ୍କୁ ହତ୍ୟା କରୁ ଓ ତୋ ନିକଟକୁ ପ୍ରେରିତ ବ୍ୟକ୍ତିମାନଙ୍କୁ ପ୍ରସ୍ତରାଘାତ କରୁ, କୁକୁଡ଼ା ଯେପରି ଆପଣା ପକ୍ଷ ତଳେ ତାହାର ଛୁଆମାନଙ୍କୁ ଏକତ୍ର କରେ, ମୁଁ ସେହିପରି କେତେ ଥର ତୋର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଆକାଂକ୍ଷା କଲି, କିନ୍ତୁ ତୁ ସମ୍ମତ ହେଲୁ ନାହିଁ। ଦେଖ୍, ଏବେ ତୋର ଗୃହ ପରିତ୍ୟକ୍ତ ହେଲା। ମୁଁ କହୁଛି, ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି ସେ ‘ଧନ୍ୟ, ଏହା ନ କହିବା ପର୍ଯ୍ୟନ୍ତ ତୁ ମୋତେ ଆଉ ଦେଖିବୁ ନାହିଁ।’ ”
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.