Biblica® Open Odia Contemporary Bible
ଲୂକ 18
ବିଧବାର ଦୃଷ୍ଟାନ୍ତ ଗଳ୍ପ
ନିରୁତ୍ସାହିତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ ଏ ବିଷୟ ଦର୍ଶାଇବାକୁ ଯୀଶୁ ନିଜର ଶିଷ୍ୟମାନଙ୍କୁ ଏକ ଦୃଷ୍ଟାନ୍ତ ଗଳ୍ପ କହିଲେ। ସେ କହିଲେ: “କୌଣସି ଏକ ସହରରେ ଜଣେ ବିଚାରପତି ଥିଲେ ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟମାନଙ୍କୁ ଖାତିରି କରୁ ନ ଥିଲେ। ସେହି ସହରରେ ଜଣେ ବିଧବା ଥିଲା ସେ ବାରମ୍ୱାର ତାଙ୍କ ନିକଟକୁ ଯାଇ ଏହିପରି ଆବେଦନ କରୁଥିଲା, ‘ମୋର ପ୍ରତିବାଦୀର ଅନ୍ୟାୟ ବିରୁଦ୍ଧରେ ମୋତେ ନ୍ୟାୟ ମିଳୁ।’
“କିଛିକାଳ ପର୍ଯ୍ୟନ୍ତ ସେ ସମ୍ମତ ହେଲେ ନାହିଁ। କିନ୍ତୁ ଅବଶେଷରେ ସେ ମନେ ମନେ କହିଲେ, ‘ଯଦିବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କି ମନୁଷ୍ୟମାନଙ୍କୁ ଖାତିରି କରେ ନାହିଁ, ତଥାପି ଏହି ବିଧବା ମୋତେ ଥରକୁ ଥର ବିରକ୍ତ କରୁଥିବାରୁ, ମୁଁ ଦେଖିବି ଯେପରି ତାକୁ ନ୍ୟାୟ ମିଳିବ, ତା ହେଲେ ସେ ବାରମ୍ୱାର ଆସି ମୋତେ କ୍ଳାନ୍ତ କରିବ ନାହି!’ ”
ତହୁଁ ପ୍ରଭୁ କହିଲେ, “ସେହି ଅସାଧୁ ବିଚାରପତି କଣ କହିଲେ ଶୁଣ। ତେବେ ଈଶ୍ୱରଙ୍କ ଯେଉଁ ମନୋନୀତ, ଲୋକମାନେ ଦିବାନିଶି ତାହାଙ୍କ ନିକଟରେ ଗୁହାରି କରୁଛନ୍ତି ସେ କଅଣ ସେମାନଙ୍କ ପାଇଁ ନ୍ୟାୟବିଚାର କରିବେ ନାହିଁ? ସେ କଣ ବିଳମ୍ବ କରୁଥିବେ? ମୁଁ ତୁମ୍ଭମାନଙ୍କୁ କହୁଛି, ସେମାନଙ୍କୁ ଯେପରି ନ୍ୟାୟ ମିଳିବ, ଓ ଅବିଳମ୍ୱେ ମିଳିବ। ସେଥିପ୍ରତି, ସେ ଦୃଷ୍ଟି ଦେବେ କିନ୍ତୁ ମନୁଷ୍ୟପୁତ୍ର ଯେତେବେଳେ ଆସିବେ, ସେ କଣ ପୃଥିବୀରେ ବିଶ୍ୱାସ ଦେଖିବେ?”
ଫାରୂଶୀ ଓ କରଆଦାୟକାରୀ ର ଦୃଷ୍ଟାନ୍ତ ଗଳ୍ପ
ନିଜକୁ ଧାର୍ମିକ ମନେ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛଜ୍ଞାନ କରୁଥିବା କେତେକ ଆତ୍ମଭିମାନୀ ଲୋକଙ୍କୁ, ଯୀଶୁ ଏହି ଦୃଷ୍ଟାନ୍ତ-ଗକ୍ପଟି କହିଥିଲେ: “ଦୁଇଜଣ ଲୋକ ପ୍ରାର୍ଥନା କରିବା ପାଇଁ ମନ୍ଦିରକୁ ଗଲେ, ଜଣେ ଥିଲା ଫାରୂଶୀ ଓ ଅନ୍ୟ ଜଣକ କରଆଦାୟକାରୀ। ଫାରୂଶୀ ଜଣକ ଠିଆ ହୋଇ ନିଜ ବିଷୟରେ ପ୍ରାର୍ଥନା କଲା: ‘ହେ ଈଶ୍ୱର, ମୁଁ ଯେ ଅନ୍ୟାନ୍ୟ ଲୋକଙ୍କପରି ଦସ୍ୟୁ, ଦୁଷ୍କର୍ମକାରୀ, ବ୍ୟଭିଚାରୀ ନୁହେଁ, ଏପରିକି ଏହି କରଆଦାୟକାରୀ ପରି ସୁଦ୍ଧା ନୁହେଁ। ସେଥିପାଇଁ ମୁଁ ତୁମ୍ଭର ଧନ୍ୟବାଦ କରୁଛି। ମୁଁ ସପ୍ତାହରେ ଦୁଇଥର ଉପବାସ କରେ ଓ ମୋର ସମସ୍ତ ଆୟର ଦଶମାଂଶ ଦାନ କରିଥାଏ।’
“କିନ୍ତୁ କରଆଦାୟକାରୀ ଜଣକ ଦୂରରେ ଠିଆ ହୋଇଥିଲା। ଏପରିକି ସେ ସ୍ଵର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରିବାକୁ ସାହସ କଲା ନାହିଁ, କିନ୍ତୁ ବକ୍ଷରେ କରାଘାତ କରି କହିଲା, ‘ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟା କର।’
“ମୁଁ ତୁମ୍ଭମାନଙ୍କୁ କହୁଛି ସେହି ଲୋକ ନୁହେଁ, ବରଂ ଏହି ଲୋକଟି, ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣ୍ୟ ହୋଇ ଘରକୁ ଚାଲିଗଲା। କାରଣ ଯେକେହି ନିଜକୁ ଉନ୍ନତ କରେ ତାକୁ ନତ କରାଯିବ, ଏବଂ ଯେକେହି ନିଜକୁ ନତ କରେ ତାକୁ ଉନ୍ନତ କରାଯିବ।”
ଯୀଶୁଙ୍କ ସହିତ ଶିଶୁମାନେ
ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରିବେ ଏଥିପାଇଁ ଲୋକେ ସେମାନଙ୍କୁ ମଧ୍ୟ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ। ତାହା ଦେଖି, ଶିଷ୍ୟମାନେ ଲୋକମାନଙ୍କୁ ଭତ୍ସନା କଲେ। ମାତ୍ର ଯୀଶୁ ପିଲାମାନଙ୍କୁ ନିଜ ପାଖକୁ ଡାକି କହିଲେ, “ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ବାଧା ଦିଅ ନାହିଁ, କାରଣ ଈଶ୍ୱରଙ୍କ ରାଜ୍ୟ ଏହି ଶିଶୁମାନଙ୍କ ପରି। ମୁଁ ତୁମକୁ ସତ୍ୟ କହୁଅଛି, ଶିଶୁ ପରି ଯିଏ ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ ସେ କଦାପି ତହିଁରେ ପ୍ରବେଶ କରିବ ନାହିଁ।”
ଜଣେ ଧନବାନ୍ ଅଧ୍ୟକ୍ଷ
ଜଣେ ଅଧ୍ୟକ୍ଷ ତାଙ୍କୁ ପଚାରିଲେ, “ସଦ୍ଗୁରୁ, ଅନନ୍ତଜୀବନର ଅଧିକାରୀ ହେବାକୁ ମୋତେ କଅଣ କରିବାକୁ ହେବ?”
ଯୀଶୁ ଉତ୍ତର ଦେଲେ। “ମୋତେ କାହିଁକି ସତ୍ ବୋଲି କହୁଅଛ? ଈଶ୍ୱରଙ୍କ ବ୍ୟତୀତ ଆଉ କେହି ସତ୍ ନୁହେଁ। ତୁମେ ତ ଆଜ୍ଞାସବୁ ଜାଣ: ‘ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ତୁମର ପିତାମାତାଙ୍କୁ ମାନ୍ୟ କର।’ ”
“ସେ କହିଲେ, ମୁଁ ବାଲ୍ୟକାଳରୁ ଏସମସ୍ତ ପାଳନ କରିଅଛି।”
ଯୀଶୁ ଏହା ଶୁଣି, ତାହାଙ୍କୁ କହିଲେ, “ତୁମର ଆଉ ଗୋଟିଏ ବିଷୟ ଊଣା ଅଛି। ତୁମର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ତା ହେଲେ ତୁମେ ସ୍ଵର୍ଗରେ ଧନଲାଭ କରିବ। ତା ପରେ ଆସ, ମୋର ଅନୁଗମନ କର।”
ସେହି ବ୍ୟକ୍ତି ତାହା ଶୁଣି, ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ବିପୁଳ ସମ୍ପତ୍ତିର ଅଧିକାରୀ ଥିଲେ। ଯୀଶୁ ତାଙ୍କୁ ଚାହିଁ କହିଲେ, “ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଧନୀ ଲୋକମାନଙ୍କ ପକ୍ଷରେ କେଡ଼େ କଷ୍ଟକର! ବାସ୍ତବିକ୍, ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକର ପ୍ରବେଶ ଅପେକ୍ଷା ଛୁଞ୍ଚିର ଛିଦ୍ର ବାଟେ ଓଟର ପ୍ରବେଶ ବରଂ ସହଜ।”
ଯେଉଁମାନେ ତାହା ଶୁଣିଲେ ସେମାନେ ପଚାରିଲେ, “ତା ହେଲେ କିଏ ପରିତ୍ରାଣ ପାଇପାରେ?”
ଯୀଶୁ ଉତ୍ତର କଲେ, “ଯାହା ମନୁଷ୍ୟର ଅସାଧ୍ୟ ତାହା ଈଶ୍ୱରଙ୍କ ସାଧ୍ୟ।”
ପିତର ତାହାଙ୍କୁ କହିଲେ, “ଦେଖନ୍ତୁ ଆମେ ଆପଣଙ୍କର ଅନୁଗାମୀ ହେବାକୁ ସର୍ବସ୍ଵ ତ୍ୟାଗ କରିଛୁ!”
ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେକେହି ଈଶ୍ୱରଙ୍କ ରାଜ୍ୟ ସକାଶେ ଗୃହ ବା ସ୍ତ୍ରୀ ବା ଭାଇ ବା ପିତାମାତା ବା ସନ୍ତାନସନ୍ତତି ତ୍ୟାଗ କରିଛି ସେ ଇହକାଳରେ ଏସମସ୍ତ ବହୁଗୁଣ ପାଇବ, ଓ ପରକାଳରେ ଅନନ୍ତଜୀବନ ଲାଭରୁ ବଞ୍ଚିତ ହେବ ନାହିଁ।”
ଯୀଶୁ ନିଜ ମୃତ୍ୟୁ ବିଷୟରେ ପୁନର୍ବାର ସୂଚନା ଦେଲେ
ଯୀଶୁ ଦ୍ଵାଦଶ ଶିଷ୍ୟଙ୍କୁ ଅଲଗା ଡାକି ନେଇ କହିଲେ, “ଆମେ ଯିରୂଶାଲମକୁ ଯାଉଛୁ, ଓ ଭାବବାଦୀମାନଙ୍କ ଦ୍ଵାରା ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହାକିଛି ଲେଖାଅଛି ସେସମସ୍ତେ ସଫଳ ହେବ। ସେ ଅଣଯିହୁଦୀ ଲୋକଙ୍କ ହସ୍ତରେ ସମର୍ପିତ ହେବେ। ସେମାନେ ତାହାଙ୍କୁ ବିଦ୍ରୂପ କରିବେ, ଅପମାନ କରିବେ ତାଙ୍କ ଉପରେ ଛେପ ପକାଇବେ; ବେତ୍ରାଘାତ କରି ତାହାଙ୍କୁ ବଧ କରିବେ। ପୁଣି ତୃତୀୟ ଦିନରେ ସେ ପୁନର୍ବାର ଉଠିବେ।”
ଶିଷ୍ୟମାନେ ସେହିସବୁ କଥା କିଛି ବୁଝୀପାରିଲେ ନାହିଁ। ତାହାର ଅର୍ଥ ସେମାନଙ୍କ ପ୍ରତି ଗୁପ୍ତ ଥିଲା, ଏବଂ ସେ କଅଣ କହୁଥିଲେ ସେମାନେ ବୁଝୀପାରିଲେ ନାହିଁ।
ଅନ୍ଧ ଭିକ୍ଷୁକ ଦୃଷ୍ଟି ପାଇଲା
ଯୀଶୁ ଯିରିଖୋର ନିକଟବର୍ତ୍ତୀ ହେଲା ବେଳକୁ, ଜଣେ ଅନ୍ଧ ବାଟ କଡ଼ରେ ବସି ଭିକ ମାଗୁଥିଲା। ବହୁଲୋକ ଯାଉଥିବା ଶଦ୍ଦ ଶୁଣି, ଘଟନା କଅଣ ବୋଲି ସେ ପଚାରିଲା। ସେମାନେ ତାହାକୁ କହିଲେ, “ନାଜରିତର ଯୀଶୁ ଏହି ବାଟେ ଯାଉଛନ୍ତି।”
ସେ ଡାକ ପକାଇଲା, ହେ ଦାଉଦସନ୍ତାନ, “ଯୀଶୁ, ମୋତେ ଦୟା କରନ୍ତୁ!”
ଆଗରେ ଯାଉଥିବା ଲୋକମାନେ ତାକୁ ଧମକ ଦେଇ ଚୁପ୍ ରହିବାକୁ କହିଲେ, କିନ୍ତୁ ସେ ଆହୁରି ଉଚ୍ଚସ୍ଵରରେ ଚିତ୍କାର କରିବାକୁ ଲାଗିଲା, “ହେ ଦାଉଦସନ୍ତାନ, ମୋତେ ଦୟା କରନ୍ତୁ!”
ଯୀଶୁ ଅଟକିଗଲେ ଏବଂ ଲୋକଟିକୁ ତାହାଙ୍କ ପାଖକୁ ଆଣିବାକୁ ଆଦେଶ ଦେଲେ। ସେ ପାଖକୁ ଆସିଲା ପରେ, ଯୀଶୁ ତାକୁ ପଚାରିଲେ, “ତୁମ ପାଇଁ ମୁଁ କଅଣ କରିବି ବୋଲି ଇଚ୍ଛା କରୁଛ?”
ସେ ଉତ୍ତର ଦେଲା, “ପ୍ରଭୁ, ମୁଁ ଯେପରି ଦେଖିପାରିବି।”
ଯୀଶୁ ତାହାକୁ କହିଲେ, “ଦୃଷ୍ଟିଶକ୍ତି ଲାଭ କର; ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଛି।” ତତ୍କ୍ଷଣାତ୍ ସେ ଦୃଷ୍ଟିଶକ୍ତି ଲାଭ କଲା ଏବଂ ଈଶ୍ୱରଙ୍କ ସ୍ତୁତି କରୁ କରୁ, ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲା। ତାହା ଦେଖି, ଲୋକମାନେ ମଧ୍ୟ ଈଶ୍ୱରଙ୍କ ସ୍ତୁତି କରିବାକୁ ଲାଗିଲେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.