Skip to content
BibleKenya

Biblica® Open Odia Contemporary Bible

ଯାକୁବ 5

ଧନଶାଳୀ ଅତ୍ୟାଚାରୀମାନଙ୍କୁ ଚେତନାବାଣୀ

ହେ ଧନବାନ୍ ଲୋକେ, ଏବେ ଶୁଣ, ତୁମ୍ଭମାନଙ୍କ ଉପରେ ଯେଉଁ ଦୁର୍ଦ୍ଦଶା ଘନାଇ ଆସୁଅଛି, ସେଥିପାଇଁ କ୍ରନ୍ଦନ ଓ ବିଳାପ କର। ତୁମ୍ଭମାନଙ୍କର ଧନସମ୍ପଦ କ୍ଷୟ ପାଇଲାଣି ଓ ବସ୍ତ୍ରାଦି ପୋକ ଖାଇଲାଣି। ତୁମ୍ଭମାନଙ୍କ ସୁନା ଓ ରୂପାରେ କଳଙ୍କ ଲାଗିଲାଣି। ସେହି କଳଙ୍କ ତୁମ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମର ମାଂସ ଗ୍ରାସ କରିବ। ଶେଷ ଦିନଗୁଡ଼ିକ ପାଇଁ ତୁମ୍ଭେମାନେ ଧନସମ୍ପଦ ଜମା କରି ରଖିଅଛ। ଶୁଣ! ତୁମ କ୍ଷେତର କଟାଳିମାନଙ୍କୁ ପ୍ରତାରଣା କରି ସେମାନଙ୍କର ଯେଉଁ ମୂଲ ଦେଇ ନାହଁ ତାହା ତୁମ ବିରୁଦ୍ଧରେ ଚିତ୍କାର କରୁଅଛି। ଶସ୍ୟଛେଦନକାରୀମାନଙ୍କର କ୍ରନ୍ଦନ ସର୍ବଶକ୍ତିମାନ ପ୍ରଭୁଙ୍କର କର୍ଣ୍ଣଗୋଚର ହୋଇଅଛି। ତୁମ୍ଭେମାନେ ଏ ଜଗତରେ ବିଳାସମୟ ଓ ସୁଖରେ ଜୀବନ କାଟିଅଛ। ସଂହାର ଦିବସ ପାଇଁ ନିଜ ନିଜକୁ ମୋଟାସୋଟା କରିଅଛ। ଯେଉଁ ନିରୀହ ଲୋକେ ତୁମର ବିରୁଦ୍ଧାଚରଣ କରି ନ ଥିଲେ, ସେମାନଙ୍କୁ ତୁମେ ଦଣ୍ଡିତ ଓ ହତ୍ୟା କରିଅଛ।

ଦୁଃଖକ୍ଳେଶରେ ଧୈର୍ଯ୍ୟ ଧର

ତେଣୁ ହେ ଭାଇମାନେ, ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଦେଖ, କୃଷକ କିପରି କ୍ଷେତରୁ ବହୁମୂଲ୍ୟ ଫସଲ ନ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରେ, ଏବଂ ଶରତ ଓ ବସନ୍ତକାଳୀନ ବର୍ଷା ପାଇଁ ଧୈର୍ଯ୍ୟ ଧରି ରହେ। ତୁମ୍ଭେମାନେ ମଧ୍ୟ, ଧୈର୍ଯ୍ୟଶୀଳ ହୋଇ ଅଟଳ ରୁହ, କାରଣ ପ୍ରଭୁଙ୍କର ଆଗମନ ସନ୍ନିକଟ। ହେ ଭାଇମାନେ, ପରସ୍ପର ବିରୁଦ୍ଧରେ ଅଭିଯୋଗ କର ନାହିଁ, ତାହା କଲେ ତୁମ୍ଭେମାନେ ବିଚାରିତ ହେବ। ଦେଖ ମହା ବିଚାରକର୍ତ୍ତା ଦ୍ଵାରଦେଶରେ ଦଣ୍ଡାୟମାନ!

ହେ ଭାଇମାନେ, ଯେଉଁ ଭାବବାଦୀଗଣ ପ୍ରଭୁଙ୍କ ନାମରେ କଥା କହିଲେ, ଦୁଃଖକ୍ଳେଶରେ ଧୈର୍ଯ୍ୟ ଧରିବା ବିଷୟରେ ସେମାନଙ୍କୁ ଦୃଷ୍ଟାନ୍ତ ସ୍ଵରୂପେ ଗ୍ରହଣ କର। ଯେଉଁମାନେ ଧୈର୍ଯ୍ୟ ସହକାରେ ରହିଅଛନ୍ତି, ଆମେ ସେମାନଙ୍କୁ ଧନ୍ୟ କହୁ ବୋଲି ତୁମ୍ଭେମାନେ ଜାଣିଅଛ। ଆୟୁବଙ୍କ ସହିଷ୍ଣୁତା ବିଷୟ ତୁମ୍ଭେମାନେ ଶୁଣିଅଛ। ଏବଂ ପରିଶେଷରେ ପ୍ରଭୁ କି ମଙ୍ଗଳ କାର୍ଯ୍ୟ କଲେ ତାହା ଦେଖି ପ୍ରଭୁ ଯେ କରୁଣାମୟ ଓ ଦୟାରେ ପୂର୍ଣ୍ଣ ତାହା ଜାଣିଅଛ।

ହେ ମୋହର ଭାଇମାନେ, ବିଶେଷତଃ, ଶପଥ ନିଅ ନାହିଁ ସ୍ଵର୍ଗର କି ପୃଥିବୀର କିମ୍ବା ଅନ୍ୟ କୌଣସି ବିଷୟର ଶପଥ ପକାଅ ନାହିଁ। ତୁମର “ହିଁ” କଥା “ହିଁ” ହେଉ ଏବଂ ତୁମର “ନା” କଥା “ନା” ହେଉ ନଚେତ୍ ତୁମେ ଦଣ୍ଡିତ ହେବ।

ବିଶ୍ୱାସପୂର୍ଣ୍ଣ ପ୍ରାର୍ଥନା

ତୁମ ମଧ୍ୟରେ କେହି କଅଣ ଦୁର୍ଦ୍ଦଶାପନ୍ନ? ସେ ପ୍ରାର୍ଥନା କରୁ। କେହି କଅଣ ଆନନ୍ଦିତ? ସେ ସ୍ତୁତିଗାନ କରୁ। ତୁମ ମଧ୍ୟରେ କେହି କଅଣ ପୀଡ଼ିତ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ପାଇଁ ପ୍ରାର୍ଥନା କରନ୍ତୁ। ପୁଣି ବିଶ୍ୱାସରେ ଉତ୍ସର୍ଗିତ ପ୍ରାର୍ଥନା ପୀଡ଼ିତ ବ୍ୟକ୍ତିକୁ ସୁସ୍ଥ କରିବ; ପ୍ରଭୁ ତାହାକୁ ଉଠାଇବେ। ଯଦି ପାପ କରିଥାଏ, ସେ କ୍ଷମା ଲାଭ କରିବ। ତେଣୁ ପରସ୍ପର ନିକଟରେ ତୁମର ପାପ ସ୍ୱୀକାର କର ଏବଂ ଆରୋଗ୍ୟତା ପାଇଁ ପରସ୍ପର ନିମନ୍ତେ ପ୍ରାର୍ଥନା କର। ଧାର୍ମିକ ମନୁଷ୍ୟର ପ୍ରାର୍ଥନା ଶକ୍ତିପୂର୍ଣ୍ଣ ଓ କାର୍ଯ୍ୟସାଧକ।

ଏଲିୟ ଆମ ପରି ଜଣେ ମନୁଷ୍ୟ ଥିଲେ। ବର୍ଷା ନ ହେବା ପାଇଁ ସେ ଆନ୍ତରିକଭାବେ ପ୍ରାର୍ଥନା କଲେ ଏବଂ ସାଢ଼େ ତିନି ବର୍ଷ ଯାଏ ଦେଶରେ ବର୍ଷା ହେଲା ନାହିଁ। ସେ ପୁନର୍ବାର ପ୍ରାର୍ଥନା କରିବାରୁ, ଆକାଶ ବୃଷ୍ଟିଜଳ ଦେଲା ଓ ପୃଥିବୀ ଶସ୍ୟରାଶି ଉତ୍ପନ୍ନ କଲା।

ହେ ମୋହର ଭାଇମାନେ, ତୁମ ମଧ୍ୟରୁ କେହି ଯଦି ସତ୍ୟଭ୍ରଷ୍ଟ ହୁଏ ଓ ତାହାକୁ କେହି ଜଣେ ବାଟକୁ ଫେରାଇ ଆଣେ, ତେବେ ଏହା ମନେରଖ ଯେ ଜଣେ ପାପୀକୁ ଯେକେହି ତାହାର ଭ୍ରାନ୍ତିରୁ ଫେରାଇ ଆଣେ ସେ ତାହାକୁ ମୃତ୍ୟରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.