Skip to content
BibleKenya

Biblica® Open Odia Contemporary Bible

ପ୍ରଥମ ପିତର 1

ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ, ପିତରଙ୍କ ନିକଟରୁ ଈଶ୍ୱରଙ୍କ ମନୋନୀତ ଲୋକ,

ଅର୍ଥାତ୍ ଯେଉଁମାନେ ପନ୍ତସ୍, ଗାଲାତିଆ, କାପାଦୋସିଆ, ଏସିଆ, ଓ ବିଥିନିଆରେ ବିକ୍ଷିପ୍ତ ହୋଇ ପ୍ରବାସୀ ରୂପେ ବାସ କରୁଅଛନ୍ତି, ଯେଉଁମାନେ ପିତା ଈଶ୍ୱରଙ୍କ ପୂର୍ବଜ୍ଞାନ ଅନୁସାରେ, ଆତ୍ମାଙ୍କ ଦ୍ଵାରା ପବିତ୍ରୀକୃତ ହୋଇ ଆଜ୍ଞାବହ ହେବାକୁ ଓ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ ସିଞ୍ଚିତ ହେବାକୁ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ଅଭିବାଦନ ଜଣାଉଅଛୁ:

ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବରେ ତୁମ୍ଭମାନଙ୍କ ପ୍ରତି ବିରାଜୁ।

ଜୀବନଦାୟକ ଭରସା

ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ଈଶ୍ୱରଙ୍କ ପ୍ରଶଂସା ହେଉ! ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଦ୍ଵାରା ମହା କୃପାରେ ଆମକୁ ନୂତନ ଜନ୍ମ ଦେବା ହେତୁ ଆମେ ଏକ ଜୀବନଦାୟକ ଭରସା ପାଇଅଛୁ, ପୁଣି ଏପରି ଏକ ଉତ୍ତରାଧିକାର ପାଇଅଛୁ ଯାହା କେବେ ଧ୍ୱଂସ, କି ନଷ୍ଟ କି ମ୍ଳାନ ହେବ ନାହିଁ। ତାହା ସ୍ଵର୍ଗରେ ତୁମ୍ଭମାନଙ୍କନିମନ୍ତେ ରଖାଯାଇଅଛି। ଶେଷକାଳରେ ଯେଉଁ ପରିତ୍ରାଣ ପ୍ରକାଶିତ ହେବାକୁ ଯାଉଅଛି ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ୱାସ ଦ୍ଵାରା ଈଶ୍ୱରଙ୍କ ଶକ୍ତିରେ ସୁରକ୍ଷିତ ଅଛ। ଯଦିବା ଏବେ ତୁମ୍ଭମାନଙ୍କୁ କିଛିକାଳ ପାଇଁ ନାନାଦି ପରୀକ୍ଷା ଦ୍ଵାରା ଦୁଃଖଭୋଗ କରିବାକୁ ପଡ଼ୁଅଛି, ତଥାପି ଏଥିରେ ତୁମ୍ଭେମାନେ ବିଶେଷ ଆନନ୍ଦ ଲାଭ କରୁଅଛ। ଅଗ୍ନି ଦ୍ଵାରା ବିଶୋଧିତ ହେଲେ ସୁଦ୍ଧା ଯେଉଁ ସୁବର୍ଣ୍ଣ କ୍ଷୟଶୀଳ, ତାହା ଅପେକ୍ଷା ତୁମର ବିଶ୍ୱାସ ଅଧିକ ମୂଲ୍ୟବାନ ସେହି ବିଶ୍ୱାସ ଯେପରି ବିଶୁଦ୍ଧ ବୋଲି ପ୍ରମାଣିତ ହେବ ଏବଂ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶିତ ହେବା ସମୟରେ ଫଳ ସ୍ଵରୂପେ ପ୍ରଶଂସା, ଗୌରବ ଓ ସମ୍ଭ୍ରମ ଆଣିଦେବ ଏଥିପାଇଁ ଏହିସବୁ ଦୁଃଖକ୍ଳେଶ ଆସିଅଛି। ତୁମ୍ଭେମାନେ ତାହାଙ୍କୁ ନ ଦେଖିଲେ ହେଁ, ପ୍ରେମ କରୁଅଛ; ଏବେ ତାହାଙ୍କୁ ନ ଦେଖି ସୁଦ୍ଧା, ତାହାଙ୍କଠାରେ ବିଶ୍ୱାସ କରୁଅଛ ଏବଂ ଏକ ଅବର୍ଣ୍ଣନୀୟ ଓ ଅପୂର୍ବ ଆନନ୍ଦ ଅନୁଭବ କରୁଅଛ, କାରଣ ତୁମ୍ଭମାନଙ୍କର ବିଶ୍ୱାସର ଲକ୍ଷ୍ୟ, ଯାହାକି ତୁମ ଆତ୍ମାର ପରିତ୍ରାଣ ତାହା ତୁମ୍ଭେମାନେ ଲାଭ କରୁଅଛ।

ତୁମ୍ଭେମାନେ ଅନୁଗ୍ରହ ଲାଭ କରିବ ବୋଲି, ଭାବବାଦୀମାନେ, କହିଲା ବେଳେ ସେମାନେ ଏହି ପରିତ୍ରାଣ ସମ୍ବନ୍ଧରେ ମନୋଯୋଗ ପୂର୍ବକ, ଓ ଅତିଯତ୍ନ ସହକାରେ ଅନୁସନ୍ଧନ କରିଥିଲେ, ସେମାନଙ୍କ ଅନ୍ତରସ୍ଥ ଖ୍ରୀଷ୍ଟଙ୍କ ଆତ୍ମା ଯେତେବେଳେ ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ପରବର୍ତ୍ତୀ ଗୌରବକୁ ଲକ୍ଷ୍ୟ କରି ଭବିଷ୍ୟଦ୍‌ବାଣୀ କହିଲେ ତାହା କେଉଁ ସମୟରେ ଓ କେଉଁ ପରିସ୍ଥିତିରେ ଘଟିବ ଭାବବାଦୀମାନେ ଜାଣିବାକୁ ଚେଷ୍ଟା କରିଥିଲେ। ଯେଉଁସବୁ ବିଷୟ ସେମାନେ କହିଥିଲେ ସେମାନଙ୍କର ସେହି କାର୍ଯ୍ୟ ଯେ ନିଜ ନିମନ୍ତେ ନ ଥିଲା ମାତ୍ର ତୁମ୍ଭମାନଙ୍କନିମନ୍ତେ, ଏହା ସେମାନଙ୍କ ନିକଟରେ ପ୍ରକାଶ କରାଯାଇଥିଲା। ଏବେ ସେହି ସମସ୍ତ ବିଷୟ ସ୍ଵର୍ଗରୁ ପ୍ରେରିତ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ସୁସମାଚାର ପ୍ରଚାରକମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଅଛନ୍ତି। ଏହିସବୁ ବିଷୟ ସ୍ଵର୍ଗଦୂତମାନେ ସୁଦ୍ଧା ଦେଖିବାକୁ ଆକାଂକ୍ଷା କରନ୍ତି।

ପବିତ୍ର ଜୀବନ କାଟିବାକୁ ଆହ୍ଵାନ

ଅତଏବ, କାର୍ଯ୍ୟ ପାଇଁ ମନକୁ ପ୍ରସ୍ତୁତ କର ଆତ୍ମସଂଯମୀ ହୁଅ ଏବଂ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭେମାନେ ଲାଭ କରିବ, ସେଥିରେ ସଂପୂର୍ଣ୍ଣ ଭରସା ରଖ। ପୂର୍ବେ ଅଜ୍ଞାନତାବଶତଃ ତୁମ ଜୀବନରେ ଯେଉଁସବୁ କୁଅଭିଳାଷ ଥିଲା, ଏବେ ବାଧ୍ୟ ସନ୍ତାନ ରୂପେ ଆଉ ସେଗୁଡ଼ିକର ଅନୁଗତ ହୁଅ ନାହିଁ। କିନ୍ତୁ ତୁମ୍ଭମାନଙ୍କର ଆହ୍ଵାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ନିଜର ସମସ୍ତ କାର୍ଯ୍ୟକଳାପରେ ସେହିପରି ପବିତ୍ର ହୁଅ; କାରଣ ଲେଖାଅଛି: “ପବିତ୍ର ହୁଅ, କାରଣ ମୁଁ ପବିତ୍ର।”

ଯେ ପ୍ରତ୍ୟେକ ମନୁଷ୍ୟର କାର୍ଯ୍ୟ ନିରପେକ୍ଷ ଭାବରେ ବିଚାର କରନ୍ତି, ତାହାଙ୍କୁ ତୁମେ ପିତା ବୋଲି ସମ୍ବୋଧନ କରୁଥିବାରୁ ଭୟଭକ୍ତି ସହକାରେ ଏଠାରେ ପ୍ରବାସୀ ରୂପେ ଜୀବନଯାପନ କର। କାରଣ ତୁମ୍ଭେମାନେ ଜାଣ ଯେ ତୁମ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ଅସାର କ୍ରିୟାକର୍ମରୁ ତୁମ୍ଭେମାନେ ରୂପା କି ସୁନା ଭଳି କ୍ଷୟଶୀଳ ବସ୍ତୁ ଦ୍ଵାରା ମୁକ୍ତ ହୋଇ ନାହଁ, ମାତ୍ର ନିର୍ଦ୍ଦୋଷ ଓ ନିଖୁନ୍ତ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ଅମୂଲ୍ୟ ରକ୍ତ ଦ୍ଵାରା ମୁକ୍ତ ହୋଇଅଛ। ଜଗତର ସୃଷ୍ଟି ପୂର୍ବରୁ ସେ ମନୋନୀତ ହୋଇଥିଲେ, କିନ୍ତୁ ତୁମ୍ଭମାନଙ୍କ ସକାଶେ ଏହି ଶେଷକାଳରେ ପ୍ରକାଶିତ ହେଲେ। ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କଲେ, ତାହାଙ୍କଠାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ହେତୁ ବିଶ୍ୱାସ କରୁଅଛ, ତେଣୁ ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସା ଈଶ୍ୱରଙ୍କଠାରେ ନିହିତ ଅଛି।

ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଜକୁ ଶୁଚି କରିଥିବାରୁ ତୁମ୍ଭମାନଙ୍କମଧ୍ୟରେ ଅକପଟ ଭ୍ରାତୃପ୍ରେମ ଅଛି, ଏବେ ଆନ୍ତରିକତା ସହ ପରସ୍ପରକୁ ଗଭୀର ଭାବରେ ପ୍ରେମ କର। କାରଣ ତୁମ୍ଭେମାନେ ଯେଉଁ ନୂତନ ଜନ୍ମଲାଭ କରିଅଛ, କୌଣସି କ୍ଷୟଶୀଳ ବୀଜରୁ ନ ହୋଇ, ଅକ୍ଷୟ ବୀଜ, ଅର୍ଥାତ୍ ଈଶ୍ୱରଙ୍କ ଜୀବନଦାୟକ ଓ ଚିରସ୍ଥାୟୀ ବାକ୍ୟ ଦ୍ଵାରା ତାହା ହୋଇଅଛି। କାରଣ,

“ସବୁ ମନୁଷ୍ୟ ତୃଣ ପରି

ଏବଂ ସେମାନଙ୍କ ସମସ୍ତ ଶୋଭା ପ୍ରାନ୍ତରର ପୁଷ୍ପ ପରି;

ତୃଣ ଶୁଖିଯାଏ ଓ ଫୁଲ ଝଡ଼ି ପଡ଼େ,

କିନ୍ତୁ ପ୍ରଭୁଙ୍କର ବାକ୍ୟ ଚିରସ୍ଥାୟୀ।”

ଏହା ହେଉଛି ସେହି ବାକ୍ୟ ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.