Biblica® Open Odia Contemporary Bible
ଯାକୁବ 4
ଈଶ୍ୱରଙ୍କର ବଶୀଭୂତ ହୁଅ
ତୁମ୍ଭମାନଙ୍କମଧ୍ୟରେ କଅଣ ପାଇଁ ସଂଘର୍ଷ ଓ କଳହ ଘଟେ? ତୁମ ଅନ୍ତରରେ ଅଭିଳାଷଗୁଡ଼ିକର ଯେଉଁ ଯୁଦ୍ଧ ଲାଗିଅଛି ଏହା କଅଣ ତହିଁରୁ ଜାତ ହୁଏ ନାହିଁ? ତୁମେ ପାଇବାକୁ ଇଚ୍ଛା କରିଥାଅ କିନ୍ତୁ ପାଇ ନ ଥାଅ, ତୁମେ ହତ୍ୟା ଓ ଲୋଭ କରିଥାଅ, କିନ୍ତୁ ଯାହା ଇଚ୍ଛା କରିଥାଅ ତାହା ପାଇବାକୁ ସମର୍ଥ ହୋଇ ନ ଥାଅ ତୁମ୍ଭେମାନେ କଳହ ଓ ଲଢ଼େଇ କରିଥାଅ। ତୁମ୍ଭେମାନେ ପାଇ ନ ଥାଅ କାରଣ ଈଶ୍ୱରଙ୍କୁ ମାଗି ନ ଥାଅ। ତୁମ୍ଭେମାନେ ଯେତେବେଳେ ମାଗିଥାଅ, ସେତେବେଳେ ପାଇ ନ ଥାଅ, କାରଣ ଭୋଗବାସନା ଚରିତାର୍ଥ କରିବାକୁ ଅସତ୍ ଅଭିପ୍ରାୟରେ ମାଗିଥାଅ।
ହେ ଭ୍ରଷ୍ଟାଚାରୀ ଲୋକମାନେ, ଜଗତ ସହିତ ମିତ୍ରତା ଯେ ଈଶ୍ୱରଙ୍କ ପ୍ରତି ଶତ୍ରୁତା ଏହା କଅଣ ତୁମ୍ଭେମାନେ ଜାଣି ନାହଁ? ଯେକେହି ଜଗତର ମିତ୍ର ହେବାକୁ ପସନ୍ଦ କରେ, ସେ ଈଶ୍ୱରଙ୍କ ଶତ୍ରୁ ହୁଏ। ଅଥବା ତୁମ୍ଭେମାନେ କଅଣ ମନେକର ଯେ ଧର୍ମଶାସ୍ତ୍ର ଅକାରଣେ ଏହି କଥା କହେ ଈଶ୍ୱର ଆମ ମଧ୍ୟରେ ବାସ କରିବାକୁ ଯେଉଁ ଆତ୍ମା ଦେଇଅଛନ୍ତି ତାହାକୁ ସେ ସମ୍ପୁର୍ଣ୍ଣ ରୂପେ ଅଧିକାର କରିବାକୁ ଏକାନ୍ତ ଆକାଂକ୍ଷା କରନ୍ତି? କିନ୍ତୁ ସେ ଆମକୁ ଅଧିକ ଅନୁଗ୍ରହ ଦିଅନ୍ତି, ସେଥିପାଇଁ ଶାସ୍ତ୍ର ଏହା କହେ:
“ଈଶ୍ୱର ଅହଂକାରୀ ଲୋକଙ୍କର ବିରୋଧ କରନ୍ତି
କିନ୍ତୁ ନମ୍ରଚିତ୍ତ ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।”
ଅତଏବ, ତୁମ୍ଭେମାନେ ଈଶ୍ୱରଙ୍କ ବଶୀଭୂତ ହୁଅ। ଶୟତାନର ପ୍ରତିରୋଧ କର, ଏବଂ ସେ ତୁମ ନିକଟରୁ ପଳାୟନ କରିବ। ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ ଏବଂ ସେ ତୁମର ନିକଟବର୍ତ୍ତୀ ହେବେ। ହେ ପାପୀ ଲୋକେ, ତୁମ୍ଭମାନଙ୍କର ହସ୍ତ ପ୍ରକ୍ଷାଳନ କର, ହେ ସନ୍ଦିଗ୍ଧମନା ଲୋକେ, ତୁମ୍ଭମାନଙ୍କର ହୃଦୟ ପରିଶୁଦ୍ଧ କର। ନିଜର ପାପ ପାଇଁ ଶୋକ କର ଓ ମନୋବେଦନା ଅନୁଭବ କର ପୁଣି ବିଳାପ କର। ତୁମ୍ଭମାନଙ୍କର ହର୍ଷଧ୍ୱନି ବିଳାପ ଧ୍ୱନିରେ ଏବଂ ଆନନ୍ଦ ବିଷାଦରେ ପରିଣତ ହେଉ। ପ୍ରଭୁଙ୍କ ସାକ୍ଷାତରେ ନିଜକୁ ନମ୍ର କର, ଓ ସେ ତୁମକୁ ଉନ୍ନତ କରିବେ।
ହେ ଭାଇମାନେ, ପରସ୍ପରର ନିନ୍ଦା ରଟନା କର ନାହିଁ। ଯେକେହି ତାହାର ଭାଇ ବିରୁଦ୍ଧରେ କଥା କହେ କିମ୍ବା ତାହାର ବିଚାର କରେ ସେ ବିଧିବ୍ୟବସ୍ଥା ବିରୁଦ୍ଧରେ କଥା କହେ ଓ ବିଚାର କରେ। ତୁମେ ଯେତେବେଳେ ବିଧିବ୍ୟବସ୍ଥାର ବିଚାର କରୁଅଛ, ତାହା ତୁମେ ପାଳନ କରୁ ନାହଁ, ମାତ୍ର ତାହାର ବିଚାର କରିବାକୁ ବସୁଅଛ। କେବଳ ଜଣେ ବିଧିବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଅଛନ୍ତି, ସେ ରକ୍ଷା କରିବାକୁ ଓ ବିନାଶ କରିବାକୁ ସମର୍ଥ ଅଟନ୍ତି। ପୁଣି ତୁମ ପ୍ରତିବାଶୀର ବିଚାର କରିବାକୁ ତୁମେ କିଏ?
ଭବିଷ୍ୟତ୍ ବିଷୟରେ ଦର୍ପ କର ନାହିଁ
ତୁମ ମଧ୍ୟରୁ ଯେଉଁମାନେ କହୁଅଛ, “ଆମେ ଆଜି କି କାଲି ଅମୁକ ଅମୁକ ନଗରକୁ ଯାଇ, ସେଠାରେ ବର୍ଷଟିଏ ରହିବା ଓ ବ୍ୟବସାୟ କରି ବେଶ୍ ଲାଭବାନ ହେବା।” ସେମାନେ ଶୁଣନ୍ତୁ କାଲି କଅଣ ଘଟିବ, ତାହା ତ ତୁମ୍ଭେମାନେ ଜାଣି ନାହଁ। ତୁମର ଜୀବନ ଅବା କଅଣ? ତୁମ୍ଭେମାନେ କୁହୁଡ଼ି ପରି ତାହା ତ କ୍ଷଣକାଳ ପାଇଁ ଦେଖାଯାଇ ଉଭେଇ ଯାଏ। ବରଂ, ତୁମ୍ଭମାନଙ୍କର ଏହିପରି କହିବା ଉଚିତ, “ପ୍ରଭୁଙ୍କର ଇଚ୍ଛା ହେଲେ, ଆମେ ବଞ୍ଚିରହି ଏହା କରିବା ବା ତାହା କରିବା।” କିନ୍ତୁ ଏବେ ତୁମ୍ଭେମାନେ ଦର୍ପ ଓ ବୃଥାଗର୍ବ କରୁଅଛ। ଏପ୍ରକାର ଦର୍ପ ସବୁ ମନ୍ଦ ଅଟେ। ସତ୍କର୍ମ ଜାଣି ସୁଦ୍ଧା, ଯିଏ ତାହା କରେ ନାହିଁ, ସେ ପାପ କରେ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.