Skip to content
BibleKenya

Biblica® Open Odia Contemporary Bible

ଗାଲାତୀୟ 3

ବିଶ୍ୱାସ କିମ୍ବା ବିଧିବ୍ୟବସ୍ଥା ପାଳନ

ହେ ନିର୍ବୋଧ ଗାଲାତୀୟମାନେ! କିଏ ତୁମ୍ଭମାନଙ୍କୁ ମୋହିତ କଲା? ତୁମ୍ଭମାନଙ୍କର ଚକ୍ଷୁ ସମ୍ମୁଖରେ କ୍ରୁଶବିଦ୍ଧ ଯୀଶୁଖ୍ରୀଷ୍ଟଙ୍କୁ ସ୍ପଷ୍ଟଭାବେ ଚିତ୍ରଣ କରାଯାଇଥିଲା। ମୁଁ ତୁମ୍ଭମାନଙ୍କ ନିକଟରୁ କେବଳ ଗୋଟିଏ ବିଷୟ ଜାଣିବାକୁ ଇଚ୍ଛା କରେ: ତୁମ୍ଭେମାନେ ବିଧିବ୍ୟବସ୍ଥା ପାଳନ କରିବା ହେତୁ, ନା ଯାହା ଶୁଣିଲ ତାହା ବିଶ୍ୱାସ କରିବା ହେତୁ ପବିତ୍ରଆତ୍ମାଙ୍କୁ ପାଇଥିଲ? ତୁମ୍ଭେମାନେ କଅଣ ଏଡ଼େ ନିର୍ବୋଧ? ଆତ୍ମାଙ୍କ ସହିତ ଜୀବନ ଆରମ୍ଭ କରିବାପରେ, ମାନବୀୟ ପ୍ରଚେଷ୍ଟା ଦ୍ଵାରା ତୁମର ଲକ୍ଷ୍ୟ ହାସଲ କରିବାକୁ କଅଣ ଏବେ ଉଦ୍ୟମ କରୁଅଛ? ଯଦି ପ୍ରକୃତରେ ତାହା ବୃଥା ଥିଲା ତେବେ ତୁମ୍ଭେମାନେ କଅଣ ଅକାରଣେ ଏତେ ଦୁଃଖଭୋଗ କରିଅଛ? ଈଶ୍ୱର ଯେ କି ତୁମ୍ଭମାନଙ୍କୁ ଆପଣାର ଆତ୍ମା ଦାନ କରନ୍ତି ଓ ତୁମ୍ଭମାନଙ୍କମଧ୍ୟରେ ଅଲୌକିକ କର୍ମ ସାଧନ କରନ୍ତି, ସେ କଅଣ ତୁମର ବିଧିବ୍ୟବସ୍ଥା ପାଳନ କରିବା ହେତୁ ତାହା କରନ୍ତି, ନା ଯାହା ଶୁଣିଲ ତାହା ବିଶ୍ୱାସ କରିବା ହେତୁ ତାହା କରନ୍ତି? ଅବ୍ରହାମଙ୍କ କଥା ବିବେଚନା କର: “ସେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ତାହା ତାଙ୍କ ପକ୍ଷେ ଧାର୍ମିକତା ବୋଲି ବିବେଚିତ ହେଲା।”

ଅତଏବ, ଏଥିରୁ ବୁଝ ଯେ, ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଅବ୍ରହାମଙ୍କ ସନ୍ତାନ। ଧର୍ମଶାସ୍ତ୍ର ଦ୍ଵାରା ବହୁ ପୂର୍ବରୁ ଏହା ପରିଦୃଷ୍ଟ ହୋଇଥିଲା ଯେ ବିଶ୍ୱାସ ଦ୍ଵାରା ଈଶ୍ୱର ଅଣଯିହୁଦୀମାନଙ୍କୁ ଧାର୍ମିକ ଗଣ୍ୟ କରିବେ ଓ ଏହି ସୁସମାଚାର ଅବ୍ରହାମଙ୍କ ନିକଟରେ ପୂର୍ବରୁ ଘୋଷିତ ହୋଇଥିଲା: “ସବୁ ଜାତି ତୁମ ଦ୍ଵାରା ଆଶୀର୍ବାଦ ଲାଭ କରିବେ।” ତେଣୁ ଯେଉଁମାନଙ୍କର ବିଶ୍ୱାସ ଅଛି, ସେମାନେ ବିଶ୍ୱାସୀ ପୁରୁଷ ଅବ୍ରହାମଙ୍କ ସହିତ ଆଶୀର୍ବାଦ ଲାଭ କରନ୍ତି।

ଯେତେଜଣ ବିଧିବ୍ୟବସ୍ଥା ପାଳନ କରିବା ଉପରେ ନିର୍ଭର କରନ୍ତି ସେମାନେ ସମସ୍ତେ ଅଭୀଶପ୍ତ, କାରଣ ଲେଖାଅଛି: “ବିଧିବ୍ୟବସ୍ଥା ପୁସ୍ତକରେ ଯାହାସବୁ ଲିଖିତ ଅଛି ତହିଁରୁ ପ୍ରତ୍ୟେକଟି ଯେକେହି ପାଳନ କରିବାକୁ ପ୍ରବୃତ୍ତି ନ ହୁଏ ସେ ଅଭୀଶପ୍ତ।” ଏହା ସୁସ୍ପଷ୍ଟ ଯେ ବିଧିବ୍ୟବସ୍ଥା ଦ୍ଵାରା କେହି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣ୍ୟ ହୋଇପାରେ ନାହିଁ, କାରଣ “ଧାର୍ମିକ ଲୋକ ବିଶ୍ୱାସ ଦ୍ଵାରା ବଞ୍ଚବ।” ବିଧିବ୍ୟବସ୍ଥା ବିଶ୍ୱାସ ଉପରେ ଆଧାରିତ ନୁହେଁ; ଅପର ପକ୍ଷରେ, “ଯେଉଁ ମନୁଷ୍ୟ ଏହିସମସ୍ତ ପାଳନ କରେ ସେ ତଦ୍ଦ୍ୱାରା ବଞ୍ଚିବ।” ଖ୍ରୀଷ୍ଟ ଆମ ପାଇଁ ଅଭୀଶାପ ସ୍ଵରୂପ ହେବା ଦ୍ଵାରା ଆମକୁ ବିଧିବ୍ୟବସ୍ଥାର ଅଭୀଶାପରୁ ମୂଲ୍ୟ ଦେଇ ମୁକ୍ତ କରିଅଛନ୍ତି, କାରଣ ଏହା ଲେଖାଅଛି: “ଯେକେହି ଗଛରେ ଟଙ୍ଗା ହୁଏ ସେ ଅଭୀଶପ୍ତ।” ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ଅଣଯିହୁଦୀମାନେ ଯେପରି ଅବ୍ରହାମଙ୍କ ଦତ୍ତ ଆଶୀର୍ବାଦ ଲାଭ କରନ୍ତି, ଏଥିପାଇଁ ସେ ଆମକୁ ମୁକ୍ତ କଲେ ଯେପରି ଆମେ ବିଶ୍ୱାସ ଦ୍ଵାରା ପ୍ରତିଶ୍ରୁତ ପବିତ୍ରଆତ୍ମାଙ୍କୁ ଲାଭ କରିବୁ।

ବିଧିବ୍ୟବସ୍ଥା ଓ ପ୍ରତିଜ୍ଞା

ଭାଇମାନେ, ଦୈନନ୍ଦିନ ଜୀବନରୁ ମୁଁ ଗୋଟିଏ ଉଦାହରଣ ଦେଉଛି। ମନୁଷ୍ୟମାନଙ୍କ ମଧ୍ୟରେ ବିଧିବଦ୍ଧଭାବେ ସ୍ଥିରୀକୃତ ଚୁକ୍ତିକୁ କେହି ରଦ୍ କରିପାରେ ନାହିଁ କିମ୍ବା ସେଥିରେ କିଛି ଯୋଗ କରିପାରେ ନାହିଁ, ଏ କ୍ଷେତ୍ରରେ ଠିକ ସେହିପରି। ଅବ୍ରହାମଙ୍କ ଓ ତାଙ୍କ ସନ୍ତାନଙ୍କୁ ପ୍ରତିଜ୍ଞାସମୂହ ଦିଆଯାଇଥିଲା। ଶାସ୍ତ୍ର କହେ ନାହିଁ, “ସନ୍ତାନମାନଙ୍କୁ,” ଅର୍ଥାତ୍ ଅନେକ ଜଣଙ୍କୁ, ମାତ୍ର କହେ, “ତୁମର ସନ୍ତାନଙ୍କୁ,” ଅର୍ଥାତ୍ ଏକ ଜଣଙ୍କୁ, ଯେ କି ଖ୍ରୀଷ୍ଟ ଅଟନ୍ତି। ମୋର କହିବାର ଅର୍ଥ ଏହି ଯେ: ଯେଉଁ ବିଧିବ୍ୟବସ୍ଥା, ଚାରିଶହ ତିରିଶ ବର୍ଷ ପରେ ପ୍ରଦତ୍ତ ହେଲା, ତାହା ଈଶ୍ୱରଙ୍କ ଦ୍ଵାରା ପୂର୍ବରୁ ସ୍ଥିରୀକୃତ ଚୁକ୍ତିକୁ ରଦ୍ କରି ପ୍ରତିଜ୍ଞାକୁ ବ୍ୟର୍ଥ କରେ ନାହିଁ। କାରଣ ଉତ୍ତରାଧିକାର ଲାଭ ଯଦି ବିଧିବ୍ୟବସ୍ଥା ଉପରେ ନିର୍ଭର କରେ, ତେବେ ତାହା ଆଉ ପ୍ରତିଜ୍ଞା ଉପରେ ନିର୍ଭର କରେ ନାହିଁ; କିନ୍ତୁ ଈଶ୍ୱର ଅନୁଗ୍ରହ କରି ଏକ ପ୍ରତିଜ୍ଞା ଦ୍ଵାରା ଅବ୍ରହାମଙ୍କୁ ତାହା ଦେଲେ।

ତା, ହେଲେ, ବିଧିବ୍ୟବସ୍ଥାର ଉଦ୍ଦେଶ୍ୟ କଅଣ ଥିଲା? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା ଦିଆଯାଇଥିଲା ତାହାଙ୍କର ଆଗମନ ନ ହେବା ପର୍ଯ୍ୟନ୍ତ ଆଜ୍ଞାଲଘଂନ ସକାଶେ ବିଧିବ୍ୟବସ୍ଥା ଯୋଗ କରାଗଲା। ଜଣେ ମଧ୍ୟସ୍ଥଙ୍କ ଦ୍ଵାରା ଦୂତମାନଙ୍କ ମାଧ୍ୟମରେ ବିଧିବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା। ଯିଏ ମଧ୍ୟସ୍ଥ, ସେ କେବଳ, ଗୋଟିଏ ପକ୍ଷର ପ୍ରତିନିଧିତ୍ଵ କରେ ନାହିଁ; କିନ୍ତୁ ଈଶ୍ୱର ତ ଏକ।

ତାହାହେଲେ, ବିଧିବ୍ୟବସ୍ଥା କଅଣ, ଈଶ୍ୱରଙ୍କ ପ୍ରତିଜ୍ଞାସମୂହର ବିରୋଧୀ? ଆଦୌ ନୁହେଁ! କାରଣ ଜୀବନ ଦେବାକୁ ଯଦି ଏପରି ଗୋଟିଏ ବିଧିବ୍ୟବସ୍ଥା ଦତ୍ତ ହୋଇଥାଆନ୍ତା, ତେବେ ନିଶ୍ଚୟ ବିଧିବ୍ୟବସ୍ଥା ଦ୍ଵାରା ଧାର୍ମିକତା ପ୍ରାପ୍ତି ସମ୍ଭବ ହୋଇଥାଆନ୍ତା। କିନ୍ତୁ ଧର୍ମଶାସ୍ତ୍ର ଘୋଷଣା କରେ ଯେ ସମଗ୍ର ଜଗତ ପାପର ବନ୍ଧନରେ ବନ୍ଦୀ ଅଟେ, ଅତଏବ ଯାହା ପ୍ରତିଜ୍ଞା କରାଯାଇଛି, ତାହା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ଵାରା ମିଳୁଥିବାରୁ ଯେ ବିଶ୍ୱାସ କରେ, ସେ ତାହା ପାଇପାରିବ।

ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଆସିବା ପୂର୍ବରୁ, ଆମେ ବିଧିବ୍ୟବସ୍ଥା ଦ୍ଵାରା ବନ୍ଦୀ ଥିଲୁ, ଏହି ବିଶ୍ୱାସ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ଆମେ ରୁଦ୍ଧ ଅବସ୍ଥାରେ ଥିଲୁ। ଆମେ ଯେପରି ବିଶ୍ୱାସ ଦ୍ଵାରା ଧାର୍ମିକ ଗଣ୍ୟ ହେବୁ ଏଥିପାଇଁ ଖ୍ରୀଷ୍ଟଙ୍କ ନିକଟକୁ ଆମକୁ କଢ଼ାଇ ନେବା ପାଇଁ ବିଧିବ୍ୟବସ୍ଥାକୁ ଆମର ତତ୍ତ୍ୱାବଧାରକ ରୂପେ ରଖାଗଲା। ଏବେ ବିଶ୍ୱାସ ଆସିବାରୁ, ଆମେ ଆଉ ବିଧିବ୍ୟବସ୍ଥାର ତତ୍ତ୍ୱାବଧାନରେ ନାହୁଁ।

ଈଶ୍ୱରଙ୍କ ସନ୍ତାନଗଣ

ତୁମେ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିବା ହେତୁ ଈଶ୍ୱରଙ୍କ ସନ୍ତାନ ହୋଇଅଛ, କାରଣ ତୁମେ ଯେତେଜଣ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଡୁବିତ ହୋଇଅଛ ସେସମସ୍ତେ ଖ୍ରୀଷ୍ଟଙ୍କୁ ବସ୍ତ୍ର ରୂପେ ପରିଧାନ କରିଅଛ। ତୁମ ମଧ୍ୟରେ ଆଉ କେହି ଯିହୁଦୀ କି ଗ୍ରୀକ, କ୍ରୀତଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ ନୁହନ୍ତି, କାରଣ ତୁମେ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏକ ହୋଇଅଛ। ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କର, ତେବେ ତ ଅବ୍ରହାମଙ୍କର ବଂଶଧର ଓ ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.