Biblica® Open Odia Contemporary Bible
ଗାଲାତୀୟ 4
ମୋର କଥାର ଅର୍ଥ ଏହି ଯେ ଉତ୍ତରାଧିକାରୀ ସମସ୍ତ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ, ନାବାଳକଥିବା ଯାଏ, ଦାସଠାରୁ କୌଣସି ପ୍ରକାରେ ଭିନ୍ନ ନୁହେଁ। ତାହାର ପିତା ନିରୂପଣ କରିଥିବା ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ତତ୍ତ୍ୱାବଧାରକମାନଙ୍କ ଅଧୀନରେ ଥାଏ। ସେହିପରି, ଆମେ ମଧ୍ୟ ନାବାଳକ ଥିଲାବେଳେ, ଜଗତର ମୈଳିକ ଶିକ୍ଷାଗୁଡ଼ିକର ଦାସତ୍ଵ ବନ୍ଧନରେ ଥିଲୁ। କିନ୍ତୁ କାଳ ସଂପୂର୍ଣ୍ଣ ହେବାରୁ, ଈଶ୍ୱର ଆପଣା ପୁତ୍ରଙ୍କୁ ପଠାଇଲେ, ଯେ କି ନାରୀର ଗର୍ଦ୍ଭରୁ, ବିଧିବ୍ୟବସ୍ଥାର ଅଧୀନରେ ଜାତ ହେଲେ, ଯଦ୍ଦ୍ୱାରା ସେ ବିଧିବ୍ୟବସ୍ଥାର ଅଧୀନରେ ଥିବା ଲୋକମାନଙ୍କୁ ମୁକ୍ତ କରିପାରିବେ, ଓ ଆମେ ସନ୍ତାନତ୍ଵର ପୂର୍ଣ୍ଣ ଅଧିକାର ଲାଭ କରିପାରିବୁ। ତୁମ୍ଭେମାନେ ସନ୍ତାନ ହୋଇଥିବାରୁ, ଈଶ୍ୱର ତାହାଙ୍କ ପୁତ୍ରଙ୍କ ଆତ୍ମା ଆମର ହୃଦୟକୁ ପ୍ରେରଣ କଲେ, ସେହି ଆତ୍ମା, “ଆବ୍ବା, ପିତା” ବୋଲି ସମ୍ବୋଧନ କରନ୍ତି। ତେଣୁ ତୁମ୍ଭେମାନେ ଆଉ ଦାସ ନୁହଁ, ମାତ୍ର ସନ୍ତାନ; ଏବଂ ସନ୍ତାନ ହୋଇଥିବାରୁ, ଈଶ୍ୱର ତୁମ୍ଭମାନଙ୍କୁ ଉତ୍ତରାଧିକାରୀ ମଧ୍ୟ କରିଅଛନ୍ତି।
ପୂର୍ବେ, ତୁମ୍ଭେମାନେ ଯେତେବେଳେ ଈଶ୍ୱରଙ୍କୁ ଜାଣି ନ ଥିଲେ, ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହନ୍ତି ସେମାନଙ୍କର ଦାସ ଥିଲ। କିନ୍ତୁ ଏବେ ଈଶ୍ୱରଙ୍କୁ ଜାଣିଥିବାରୁ ବରଂ ଈଶ୍ୱର ତୁମ୍ଭମାନଙ୍କୁ ଜାଣିଥିବାରୁ ତୁମ୍ଭେମାନେ କିପରି ପୁନର୍ବାର ସେହି ଶକ୍ତିହୀନ, ଅସାର ନୀତିନିୟମଗୁଡ଼ିକୁ ଫେରିଯାଉଅଛ? ତୁମ୍ଭେମାନେ କଅଣ ଆଉ ଥରେ ସେଗୁଡ଼ିକ ଦ୍ଵାରା ଦାସତ୍ଵ ବନ୍ଧନରେ ରହିବାକୁ ଇଚ୍ଛା କରୁଅଛ? ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ଋତୁ ଓ ବର୍ଷ ପାଳନ କରୁଅଛ! ତୁମ୍ଭମାନଙ୍କ ପାଇଁ ମୋର ଭୟ ହେଉଛି, ଯେ ତୁମ୍ଭମାନଙ୍କଠାରେ ମୋର ପରିଶ୍ରମ ବୃଥା ହୋଇଛି।
ଭାଇମାନେ, ମୁଁ ବିନତି କରୁଛି, ତୁମ୍ଭେମାନେ ମୋ ପରି ହୁଅ, କାରଣ ତୁମ୍ଭେମାନେ ଯେପରି ମୁଁ ମଧ୍ୟ ସେହିପରି ହୋଇଅଛି। ତୁମ୍ଭେମାନେ ମୋ ପ୍ରତି କୌଣସି ଅନ୍ୟାୟ କରି ନାହଁ। ତୁମ୍ଭେମାନେ ଜାଣିଅଛ, ଯେ ମୁଁ ଅସୁସ୍ଥ ହୋଇ ପଡ଼ିବାରୁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି, ଯଦିବା ମୋର ଅସୁସ୍ଥତା ତୁମ୍ଭମାନଙ୍କ ପ୍ରତି କଷ୍ଟଦାୟକ ଥିଲା, ତଥାପି ତୁମ୍ଭେମାନେ ମୋତେ ତୁଚ୍ଛ କି ଅବଜ୍ଞା କରି ନ ଥିଲ। ତା ପରିବର୍ତ୍ତେ, ମୋତେ ଈଶ୍ୱରଙ୍କର ଜଣେ ଦୂତ ପରି, ସ୍ଵୟଂ ଖ୍ରୀଷ୍ଟ ଯୀଶୁଙ୍କ ପରି ସ୍ୱାଗତ କଲ। ତୁମ୍ଭମାନଙ୍କର ସବୁ ଆନନ୍ଦ ଏବେ, କୁଆଡ଼େ, ଗଲା? ମୁଁ ସାକ୍ଷ୍ୟ ଦେଇପାରେ ଯେ, ଯଦି ସମ୍ଭବ ହୋଇଥାଆନ୍ତା, ସେତେବେଳେ ତୁମ୍ଭେମାନେ ନିଜର ଆଖି ଓପାଡ଼ି ମୋତେ ଦେଇଥାଆନ୍ତ। ସତ୍ୟ କହିବାରୁ ମୁଁ କଅଣ ଏବେ ତୁମ୍ଭମାନଙ୍କର ଶତ୍ରୁ ହୋଇଛି?
ସେହି ଲୋକମାନେ ତୁମ୍ଭମାନଙ୍କୁ ସେମାନଙ୍କ ପକ୍ଷଭୁକ୍ତ କରିବାକୁ ଉଦ୍ଯୋଗୀ, କିନ୍ତୁ ଭଲ ଅଭିପ୍ରାୟରେ ନୁହେଁ। ସେମାନେ ତୁମ୍ଭମାନଙ୍କୁ ଅଲଗା କରିଦେଲେ, ତୁମ୍ଭେମାନେ ସେମାନଙ୍କ ପ୍ରତି ବିଶେଷ ଉଦ୍ଯୋଗୀ ହେବ ଏହା ହିଁ ସେମାନେ ଚାହାନ୍ତି। ଉଦ୍ଯୋଗୀ ହେବା ଅବଶ୍ୟ ଉତ୍ତମ, କିନ୍ତୁ ଉଦ୍ଯୋଗ ସତ୍ ଅଭିପ୍ରାୟରେ ହେଉ, ଓ କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିଲାବେଳେ ନ ହୋଇ ସର୍ବଦା ଥାଉ। ମୋର ପ୍ରିୟ ପିଲାମାନେ, ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ରୂପାୟିତ ନ ହେବା ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସକାଶେ ପୁନର୍ବାର ପ୍ରସବବେଦନା ପରି ବ୍ୟଥା ଅନୁଭବ କରୁଛି, ଆହା, ତୁମ୍ଭମାନଙ୍କ ପାଖକୁ ଏବେ ମୁଁ ଯାଇ ପାରନ୍ତି କି ତା ହେଲେ ମୁଁ ଭିନ୍ନ ସ୍ଵରରେ କଥା କହି ପାରନ୍ତି, କାରଣ ତୁମ୍ଭମାନଙ୍କ ବିଷୟରେ ମୁଁ ହତବୁଦ୍ଧି ହେଉଛି!
ହାଗାର୍ ଓ ସାରାଙ୍କ ଦୃଷ୍ଟାନ୍ତ
ମୋତେ କୁହ ତ, ତୁମେ ଅର୍ଥାତ୍ ଯେଉଁମାନେ ବିଧିବ୍ୟବସ୍ଥାର ଅଧୀନରେ ରହିବାକୁ ଇଚ୍ଛା କରୁଅଛ, ବିଧିବ୍ୟବସ୍ଥା କଅଣ କହେ ସେବିଷୟରେ ତୁମ୍ଭେମାନେ କଅଣ ଅବଗତ ନୁହଁ? କାରଣ ଲେଖାଅଛି ଅବ୍ରହାମଙ୍କର ଦୁଇ ପୁତ୍ର ଥିଲେ, ଜଣେ ଦାସୀ ସ୍ତ୍ରୀଠାରୁ ଓ ଅନ୍ୟ ଜଣକ ସ୍ୱାଧୀନ ସ୍ତ୍ରୀଠାରୁ ଜାତ। ଅବ୍ରହାମଙ୍କ ଔରସରେ ଦାସୀ ଗର୍ଭରୁ ଜାତ ପୁତ୍ର ସାଧାରଣଭାବେ ଜନ୍ମ ହୋଇଥିଲା, ମାତ୍ର ସ୍ୱାଧୀନ ସ୍ତ୍ରୀର ଗର୍ଦ୍ଭରୁ ଜାତ ତାଙ୍କର ପୁତ୍ର ଏକ ପ୍ରତିଜ୍ଞାର ଫଳ ସ୍ଵରୂପେ ଜନ୍ମ ହୋଇଥିଲା।
ଏହିସବୁ ବିଷୟକୁ ରୂପକଭାବେ ଗ୍ରହଣ କରାଯାଇ ପାରେ: କାରଣ ଏହି ଦୁଇ ସ୍ତ୍ରୀ ଦୁଇଟି ଚୁକ୍ତିର ପ୍ରତୀକ ସ୍ଵରୂପ। ଗୋଟିଏ ଚୁକ୍ତିର ଉତ୍ପତ୍ତି ସିନାଇ ପର୍ବତରୁ ଓ ଦାସ ହେବା ନିମନ୍ତେ ସନ୍ତାନ ଧାରଣ କରେ: ଏ ହେଉଛି ହାଗାର। ଆରବରେ ଥିବା ସିନାଇ ପର୍ବତର ପ୍ରତୀକ ହାଗାର ବର୍ତ୍ତମାନ ଯିରୂଶାଲମର ନଗରୀ ସଦୃଶ, କାରଣ ସେ ତାହାର ସନ୍ତାନମାନଙ୍କ ସହିତ ଦାସତ୍ଵ ଅବସ୍ଥାରେ ଅଛି। କିନ୍ତୁ ଊର୍ଦ୍ଧ୍ୱରେ ଥିବା ଯିରୂଶାଲମ ସ୍ୱାଧୀନ ଓ ସେ ଆମର ଜନନୀ। କାରଣ ଏହିପରି ଲେଖାଅଛି:
“ଆଗୋ, ବନ୍ଧ୍ୟା ନାରୀ,
ଯେ କେବେହେଲେ ଗର୍ଭଧାରଣ କରି ନାହଁ;
ତୁମେ ଆନନ୍ଦିତ ହୁଅ,
ତୁମେ ଯେ କି କେବେ ପ୍ରସବବେଦନା ଅନୁଭବ କରି ନାହଁ;
ଉଲ୍ଲସିତ ହୋଇ ଉଚ୍ଚଧ୍ୱନି କର;
କାରଣ ପତି ସହିତ ଥିବା ସ୍ତ୍ରୀର ସନ୍ତାନମାନଙ୍କ ଅପେକ୍ଷା ପତିହୀନା ସ୍ତ୍ରୀର ସନ୍ତାନମାନଙ୍କ ସଂଖ୍ୟା ଅଧିକ।”
ହେ ଭାଇମାନେ, ତୁମ୍ଭେମାନେ ଏବେ, ଇସ୍ହାକ୍ଙ୍କ ପରି, ପ୍ରତିଜ୍ଞାର ସନ୍ତାନ। ସେତେବେଳେ ସାଧାରଣଭାବେ ଜାତ ପୁତ୍ର ଆତ୍ମାଙ୍କ ଶକ୍ତିରେ ଜାତ ପୁତ୍ରକୁ ନିର୍ଯ୍ୟାତନା କରିଥିଲା। ଏବେ ମଧ୍ୟ ଠିକ ସେହିପରି ହେଉଛି। କିନ୍ତୁ ଧର୍ମଶାସ୍ତ୍ର କଅଣ କହେ? “କ୍ରୀତଦାସୀ ଓ ତାହାର ପୁତ୍ରକୁ ବାହାର କରିଦିଅ, କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରରେ ଭାଗୀ ହେବ ନାହିଁ।” ସେଥିପାଇଁ, ହେ ଭାଇମାନେ, ଆମେ ଦାସୀର ସନ୍ତାନ ନୋହୁଁ, ମାତ୍ର ସ୍ୱାଧୀନ ସ୍ତ୍ରୀର ସନ୍ତାନ ଅଟୁ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.