Skip to content
BibleKenya

Biblica® Open Odia Contemporary Bible

ଏଫିସୀୟ 5

ଅତଏବ, ପ୍ରିୟ ସନ୍ତାନମାନଙ୍କ ପରି, ଈଶ୍ୱରଙ୍କ ଅନୁକରଣକାରୀ ହୁଅ ପୁଣି ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ନିଜ ଆଚରଣରେ ପ୍ରେମ ପ୍ରଦର୍ଶନ ପୂର୍ବକ ଜୀବନଯାପନ କର, ସେ ତ ଆମ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନିଜକୁ ସୁଗନ୍ଧିତ ନୈବେଦ୍ୟ ଓ ବଳି ରୂପେ ଉତ୍ସର୍ଗ କଲେ।

କିନ୍ତୁ ଯୌନ ଅସଦାଚରଣ, ବା କୌଣସି ପ୍ରକାର ଅଶୁଚିତା, ବା ଲୋଭର ନାମଗନ୍ଧ ସୁଦ୍ଧା ତୁମ୍ଭମାନଙ୍କମଧ୍ୟରେ ନ ରହୁ, କାରଣ ଏହିସବୁ ଈଶ୍ୱରଙ୍କ ପବିତ୍ର ଲୋକମାନଙ୍କ ପକ୍ଷରେ ଅସଙ୍ଗତ। ତୁମ୍ଭମାନଙ୍କମଧ୍ୟରେ ଅଶ୍ଳୀଳତା, କୁତ୍ସିତ କଥାବାର୍ତ୍ତା କିମ୍ବା ଅସଭ୍ୟ ଥଟ୍ଟାତାମସା ମଧ୍ୟ ନ ହେଉ, ଏହିସବୁ ଅସଙ୍ଗତ, ବରଞ୍ଚ ଧନ୍ୟବାଦ ସ୍ଥାନ ପାଉ। କାରଣ ଏହା ନିଶ୍ଚିତଭାବେ ଜାଣିଥାଅ ଯେକୌଣସି ଭ୍ରଷ୍ଟାଚାରୀ, ଅପବିତ୍ର କିମ୍ବା ଲୋଭୀ ମନୁଷ୍ୟର ଖ୍ରୀଷ୍ଟ ତଥା ଈଶ୍ୱରଙ୍କ ରାଜ୍ୟରେ କିଛି ହିଁ ଅଧିକାର ନାହିଁ ଲୋଭୀ ଲୋକ ତ ପ୍ରତିମାପୂଜକ। ଅସାର କଥାରେ କେହି ତୁମ୍ଭମାନଙ୍କୁ ପ୍ରତାରଣା ନ କରୁ, କାରଣ ଯେଉଁମାନେ ଅବାଧ୍ୟ ସେମାନଙ୍କ ଉପରେ ଏହିସବୁ ହେତୁ ଈଶ୍ୱରଙ୍କ କ୍ରୋଧ ଆସେ। ତେଣୁ ସେମାନଙ୍କ ସହିତ ସହଯୋଗ କର ନାହିଁ।

କାରଣ ଏକଦା ତୁମ୍ଭେମାନେ ଅନ୍ଧକାର ସ୍ଵରୂପ ଥିଲ, ମାତ୍ର ଏବେ ପ୍ରଭୁଙ୍କଠାରେ ରହି ଆଲୋକ ସ୍ଵରୂପ ହୋଇଅଛ। ଆଲୋକର ସନ୍ତାନମାନଙ୍କ ପରି ଜୀବନଯାପନ କର (କାରଣ ଆଲୋକର ଫଳ ହେଉଛି ସମସ୍ତ ଉତ୍ତମତା, ଧାର୍ମିକତା ଓ ସତ୍ୟ) ପୁଣି ପ୍ରଭୁଙ୍କର ସନ୍ତୋଷଜନକ କଅଣ ତାହା ଜାଣିବାକୁ ଚେଷ୍ଟା କର। ଅନ୍ଧକାରର ନିଷ୍ଫଳ କର୍ମସମୂହରେ ଅଂଶ ଗ୍ରହଣ କର ନାହିଁ, ବରଂ ସେଗୁଡ଼ିକୁ ପ୍ରକାଶ କରିଦିଅ। ସେମାନେ ଗୋପନରେ ଯାହାସବୁ କରନ୍ତି ସେହିସବୁ ଉଲ୍ଲେଖ ସୁଦ୍ଧା କରିବା ଲଜ୍ଜାର ବିଷୟ। କିନ୍ତୁ ଆଲୋକ ଦ୍ଵାରା ଯାହା ପ୍ରକାଶିତ ହୁଏ ତାହା ଦୃଶ୍ୟମାନ ହୁଏ, କାରଣ ଆଲୋକ ହିଁ ସବୁକୁ ଦୃଶ୍ୟମାନ କରାଏ। ସେଥିପାଇଁ ଏହା ଉକ୍ତ ଅଛି:

“ହେ ନିଦ୍ରିତ, ଜାଗ,

ମୃତମାନଙ୍କ ମଧ୍ୟରୁ ଉଠ,

ଏବଂ ଖ୍ରୀଷ୍ଟ ତୁମକୁ ଆଲୋକ ପ୍ରଦାନ କରିବେ।”

ଅତଏବ କିପରି ଜୀବନ କାଟୁଅଛ, ସେବିଷୟରେ ବିଶେଷ ସାବଧାନ ହୁଅ, ନିର୍ବୋଧ ପରି ନ ହୋଇ ବୁଦ୍ଧିମାନ ଲୋକ ପରି ହୁଅ, ସୁଯୋଗର ସଦ୍‌ବ୍ୟବହାର କର, କାରଣ ଦିନକାଳ ମନ୍ଦ ଅଟେ। ତେଣୁ ମୂର୍ଖ ଲୋକ ପରି ହୁଅ ନାହିଁ, ପ୍ରଭୁଙ୍କର ଇଚ୍ଛା କଅଣ ତାହା ବୁଝ। ସୁରା ପାନ କରି ମାତାଲ ହୁଅ ନାହିଁ, ଏହା ଭ୍ରଷ୍ଟାଚାରର କାରଣ ହୁଏ। ବରଂ, ଆତ୍ମାରେ ପରିପୂର୍ଣ୍ଣ ହୁଅ, ଭଜନ, ସ୍ତବଗାନ, ଓ ଗୀତ ଦ୍ଵାରା ପରସ୍ପରକୁ ଉତ୍ସାହ ଦିଅ ଏବଂ ପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜ ହୃଦୟରେ ସୁମଧୁର ତାନରେ ଗୀତ ଗାଅ। ସର୍ବଦା ସବୁ ବିଷୟରେ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ, ପିତା ଈଶ୍ୱରଙ୍କର ଧନ୍ୟବାଦ କର।

ଖ୍ରୀଷ୍ଟଙ୍କୁ ଭୟଭକ୍ତି କରି ପରସ୍ପରର ବଶୀଭୂତ ହୁଅ।

ସ୍ତ୍ରୀ ଓ ସ୍ୱାମୀମାନଙ୍କ ପ୍ରତି

ହେ ସ୍ତ୍ରୀମାନେ, ତୁମ୍ଭେମାନେ ପ୍ରଭୁଙ୍କର ଯେପରି ବଶୀଭୂତା ନିଜ ନିଜ ସ୍ୱାମୀମାନଙ୍କର ସେହିପରି ବଶୀଭୂତା ହୁଅ। କାରଣ ଖ୍ରୀଷ୍ଟ ଯେପରି ତାଙ୍କ ଶରୀରରୂପ ମଣ୍ଡଳୀର ମସ୍ତକ ସ୍ଵରୂପ, ଓ ତାହାର ତ୍ରାଣକର୍ତ୍ତା, ସ୍ୱାମୀ ସେହିପରି ସ୍ତ୍ରୀର ମସ୍ତକ ସ୍ଵରୂପ। ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ସ୍ୱାମୀମାନଙ୍କର ବଶୀଭୂତା ହୁଅନ୍ତୁ।

ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ ତୁମ୍ଭେମାନେ ସେହିପ୍ରକାରେ ନିଜ ସ୍ତ୍ରୀମାନଙ୍କୁ ପ୍ରେମ କର, ସେ ତ ମଣ୍ଡଳୀ ପାଇଁ ନିଜ ଜୀବନ ଉତ୍ସର୍ଗ କଲେ ସେ ମଣ୍ଡଳୀକୁ ବାକ୍ୟରୂପ ଜଳରେ ପ୍ରକ୍ଷାଳନ ଦ୍ଵାରା, ପରିସ୍କାର କରି ପବିତ୍ର କରିବା ପାଇଁ, ଏବଂ ତାହାକୁ ଏକାବେଳେ ନିଷ୍କଳଙ୍କ, ନିଖୁନ୍ତ ଓ ତ୍ରୁଟିଶୂନ୍ୟ କରି, ପବିତ୍ର ଓ ନିର୍ଦ୍ଦୋଷ ଭାବରେ ଏକ ଗୌରବମୟ ମଣ୍ଡଳୀକୁ ନିଜ ନିକଟରେ ଉପସ୍ଥାପନ କରିବାକୁ ଜୀବନ ଉତ୍ସର୍ଗ କଲେ। ସେହିପ୍ରକାରେ, ସ୍ୱାମୀମାନେ ନିଜ ନିଜ ସ୍ତ୍ରୀମାନଙ୍କୁ ନିଜ ଶରୀର ପରି ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ ସେ ତ ନିଜକୁ ପ୍ରେମ କରେ। କେହି ତ ନିଜ ଶରୀରକୁ ହତାଦର କରେ ନାହିଁ, ମାତ୍ର ତାହାର ଭରଣପୋଷଣ କରି ଯତ୍ନ ନିଏ, ଖ୍ରୀଷ୍ଟ ମଣ୍ଡଳୀ ପ୍ରତି ସେହିପରି କରନ୍ତି, କାରଣ ଆମେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସ୍ଵରୂପ। “ସେଥିପାଇଁ ପୁରୁଷ ପିତାମାତାକୁ ଛାଡ଼ି ତାହାର ସ୍ତ୍ରୀଠାରେ ଆସକ୍ତ ହେବ, ଏବଂ ସେ ଦୁହେଁ ଏକ ହେବେ।” ଏହା ଏକ ନିଗୂଢ଼ତତ୍ତ୍ୱ କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ପର୍କରେ ଏହା କହୁଛି। ତୁମେ ପ୍ରତ୍ୟେକେ ନିଜ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଏବଂ ସ୍ତ୍ରୀ ତାହାର ସ୍ୱାମୀକୁ ଭକ୍ତି କରୁ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.