Skip to content
BibleKenya

Biblica® Open Odia Contemporary Bible

ଏଫିସୀୟ 6

ପିତାମାତା ଓ ସନ୍ତାନମାନଙ୍କ ପ୍ରତି

ହେ ପିଲାମାନେ, ପ୍ରଭୁଙ୍କ ସକାଶେ ତୁମ୍ଭମାନଙ୍କର ପିତାମାତାଙ୍କର ବାଧ୍ୟ ହୁଅ, କାରଣ ଏହା ଉପଯୁକ୍ତ ଅଟେ। “ତୁମ ପିତା ଓ ମାତାଙ୍କୁ ସମ୍ମାନ କରିବ” ଏହା ପ୍ରଥମ ଆଜ୍ଞା ଯେଉଁଥିରେ ଏକ ପ୍ରତିଜ୍ଞା ଯୋଗ କରାଯାଇଅଛି “ତାହା କଲେ ତୁମର ମଙ୍ଗଳ ହେବ ଓ ତୁମେ ପୃଥିବୀରେ ଦୀର୍ଘଜୀବୀ ହେବ।”

ହେ ପିତାମାନେ, ତୁମର ସନ୍ତାନମାନଙ୍କୁ ଅତିଶୟ ବିରକ୍ତ କର ନାହିଁ; ତା ପରିବର୍ତ୍ତେ, ପ୍ରଭୁଙ୍କର ଶିକ୍ଷା ଓ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ପ୍ରତିପାଳନ କର।

ଦାସ ଓ ମୁନିବମାନଙ୍କ ପ୍ରତି

ହେ ଦାସମାନେ, ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଯେପରି ଆଜ୍ଞାବହ, ସେହିପରି ଭୟ ଓ ଭକ୍ତିରେ, ଆନ୍ତରିକ ଭାବରେ ନିଜ ନିଜର ଜାଗତିକ ମୁନିବମାନଙ୍କର ଆଜ୍ଞା ପାଳନ କର। ସେମାନଙ୍କର ଅନୁଗ୍ରହ ଲାଭ କରିବାକୁ କେବଳ ସେମାନେ ଦେଖୁଥିଲା ବେଳେ ଯେ ଆଜ୍ଞା ପାଳନ କରିବ ତା ନୁହେଁ, ମାତ୍ର ଖ୍ରୀଷ୍ଟଙ୍କର କ୍ରୀତଦାସ ଭଳି, ଆନ୍ତରିକ ଭାବରେ ଈଶ୍ୱରଙ୍କ ଇଚ୍ଛା ସାଧନ କର। ସର୍ବାନ୍ତଃକରଣରେ ସେବା କର, ସତେ ଯେପରି ତୁମେ ମନୁଷ୍ୟର ସେବା ନ କରି, ପ୍ରଭୁଙ୍କର ସେବା କରୁଅଛ, କାରଣ ତୁମ୍ଭେମାନେ ଜାଣିଅଛ ଯେ ଦାସ ହେଉ ବା ସ୍ୱାଧୀନ ହେଉ, ପ୍ରଭୁ ପ୍ରତ୍ୟେକ ଜଣକୁ ତାହାର କୃତ ଉତ୍ତମ କର୍ମ ପାଇଁ ପୁରସ୍କୃତ କରିବେ।

ହେ ମୁନିବମାନେ, ତୁମ୍ଭେମାନେ ନିଜର ଦାସମାନଙ୍କ ପ୍ରତି ସେହିପରି ଉତ୍ତମ ବ୍ୟବହାର କର। ସେମାନଙ୍କୁ ଧମକାଅ ନାହିଁ, କାରଣ ଯେ ସେମାନଙ୍କର ତଥା ତୁମ୍ଭମାନଙ୍କ କର୍ତ୍ତା ଅଟନ୍ତି ସେ ସ୍ଵର୍ଗରେ ଅଛନ୍ତି ଓ ସେ ପକ୍ଷପାତିତା କରନ୍ତି ନାହିଁ ଏହା ତୁମ୍ଭେମାନେ ଜାଣିଅଛ।

ଈଶ୍ୱରପ୍ରଦତ୍ତ ଯୁଦ୍ଧସଜ୍ଜା

ପରିଶେଷରେ, ପ୍ରଭୁଙ୍କ ସହଭାଗିତାରେ ରୁହ ଏବଂ ତାହାଙ୍କ ପରାକ୍ରମରେ ଶକ୍ତିମନ୍ତ ହୁଅ। ଶୟତାନର ଦୂରଭିସନ୍ଧି ବିରୁଦ୍ଧରେ ତୁମ୍ଭେମାନେ ଯେପରି ଅଟଳଭାବେ ଠିଆ ହୋଇପାରିବ, ଏଥିନିମନ୍ତେ ଈଶ୍ୱରଦତ୍ତ ସମସ୍ତ ଯୁଦ୍ଧସଜ୍ଜା ପରିଧାନ କର। ଆମର ଯୁଦ୍ଧ ମର୍ତ୍ତ୍ୟବାସୀଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ଅଧିପତିମାନଙ୍କ ବିରୁଦ୍ଧରେ, କର୍ତ୍ତାମାନଙ୍କ ବିରୁଦ୍ଧରେ, ଏହି ଅନ୍ଧକାର ଜଗତର ଶକ୍ତିସମୂହ ବିରୁଦ୍ଧରେ ଏବଂ ଆକାଶସ୍ଥ ପାପାତ୍ମମାନଙ୍କର ଦୁଷ୍ଟତା ବିରୁଦ୍ଧରେ। ତେଣୁ, ଦୁର୍ଦ୍ଦିନ ଆସିଲେ ତୁମ୍ଭେମାନେ ଯେପରି ପ୍ରତିରୋଧ କରି ଦୃଢ଼ଭାବେ ଠିଆ ହୋଇପାରିବ ଓ ସବୁକିଛି କଲାପରେ ଅଟଳ ରହିପାରିବ, ଏଥିପାଇଁ ଈଶ୍ୱରପ୍ରଦତ୍ତ ସମସ୍ତ ଯୁଦ୍ଧସଜ୍ଜା ପରିଧାନ କର। ଅତଏବ, ସତ୍ୟରୂପ କଟିବନ୍ଧ ଅଣ୍ଟାରେ ବାନ୍ଧି ଧାର୍ମିକତାର ବକ୍ଷସ୍ତ୍ରାଣ ଯଥାସ୍ଥାନରେ ପିନ୍ଧ, ଏବଂ ଶାନ୍ତିର ସୁସମାଚାରରୁ ପ୍ରାପ୍ତ ପାଦୁକା ପାଦରେ ପିନ୍ଧି ପ୍ରସ୍ତୁତ ଥାଅ। ଏସବୁ ସହିତ, ବିଶ୍ୱାସର ଢାଲ ଧର, ଏହା ଦ୍ଵାରା ତୁମେ ପାପାତ୍ମାର ସମସ୍ତ ଅଗ୍ନିବାଣ ନିର୍ବାପିତ କରିପାରିବ। ପରିତ୍ରାଣ ରୂପ ଶିରସ୍ତ୍ରାଣ ପିନ୍ଧି ଆତ୍ମାଙ୍କ ଖଡ଼୍‌ଗ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର।

ସବୁ ପରିସ୍ଥିତିରେ ସବୁପ୍ରକାର ପ୍ରାର୍ଥନା ଓ ନିବେଦନ କଲାବେଳେ ପବିତ୍ରଆତ୍ମାଙ୍କ ସହାୟତାରେ ପ୍ରାର୍ଥନା କର। ଏହା ମନେରଖି ସତର୍କ ଥାଅ ଏବଂ ସର୍ବଦା ସବୁ ସାଧୁମାନଙ୍କ ପାଇଁ ପ୍ରାର୍ଥନାରେ ଲାଗି ରୁହ। ମୋ ପାଇଁ ମଧ୍ୟ ପ୍ରାର୍ଥନା କର, ଯେପରି ମୁଁ ପ୍ରଚାର କଲାବେଳେ ମୋତେ ବାକ୍ୟ ଦତ୍ତ ହେବ, ତା ହେଲେ ମୁଁ ନିର୍ଭୀକ ଭାବରେ ସୁସମାଚାରର ନିଗୂଢ଼ତତ୍ତ୍ୱ ଜଣାଇ ପାରିବି, ଏଥିସକାଶେ ତ ମୁଁ ଶୃଙ୍ଖଳରେ ଆବଦ୍ଧ ଜଣେ ରାଜଦୂତ। ତାହା ଯେପରି ଭାବରେ କରିବା ଉଚିତ, ମୁଁ ସେହିପରି ସାହସପୂର୍ବକ ଘୋଷଣା କରିପାରିବି ବୋଲି ପ୍ରାର୍ଥନା କର।

ଶେଷ ଅଭିବାଦନ

ମୁଁ କିପରି ଅଛି ଓ କଅଣ କରୁଅଛି, ଏସମସ୍ତ ବିଷୟ ପ୍ରିୟ ଭାଇ ଓ ପ୍ରଭୁଙ୍କର ବିଶ୍ୱସ୍ତ ଦାସ, ତୁଖିକସ୍ ତୁମ୍ଭମାନଙ୍କୁ ଜଣାଇବେ। ଅମେ କିପରି ଅଛୁ, ତାହା ତୁମ୍ଭେମାନେ ଯେପରି ଜାଣିବ ଓ ସେ ଯେପରି ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବେ, ଏହି ଉଦ୍ଦେଶ୍ୟରେ ମୁଁ ତାଙ୍କୁ ତୁମ ନିକଟକୁ ପଠାଉଅଛି।

ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ବିଶ୍ୱାସୀ ଭାଇମାନଙ୍କ ପ୍ରତି ଶାନ୍ତି ଏବଂ ବିଶ୍ୱାସ ସହ ପ୍ରେମ ରହିଥାଉ।

ଯେଉଁମାନେ ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି ସେସମସ୍ତଙ୍କ ପ୍ରତି ଅନୁଗ୍ରହ ପ୍ରଦତ୍ତ ହେଉ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.