Biblica® Open Odia Contemporary Bible
କଲସୀୟ 3
ଖ୍ରୀଷ୍ଟଙ୍କ ସହ ନବଜୀବିତ ହେବା
ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଥିବାରୁ, ଯେଉଁ ସ୍ଥାନରେ ଖ୍ରୀଷ୍ଟ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ଉପବିଷ୍ଟ, ସେହି ଊର୍ଦ୍ଧ୍ୱସ୍ଥ ବିଷୟଗୁଡ଼ିକ ପ୍ରତି ମନୋଯୋଗ କର। ପାର୍ଥିବ ବିଷୟଗୁଡ଼ିକ ପ୍ରତି ମନୋନିବେଶ ନ କରି ଊର୍ଦ୍ଧ୍ୱସ୍ଥ ବିଷୟ ପ୍ରତି ମନୋନିବେଶ କର। କାରଣ ତୁମ୍ଭେମାନେ ମୃତ ଏବଂ ବର୍ତ୍ତମାନ ତୁମର ଜୀବନ ଖ୍ରୀଷ୍ଟଙ୍କ ସହିତ ଈଶ୍ୱରଙ୍କଠାରେ ଗୁପ୍ତ ରହିଅଛି। ଖ୍ରୀଷ୍ଟ ଯେ କି ତୁମର ଜୀବନସ୍ଵରୂପ, ସେ ଆବିର୍ଭୂତ ହେବା ସମୟରେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ଆବିର୍ଭୂତ ହେବ।
ଅତଏବ, ଜାଗତିକ ପ୍ରକୃତିସବୁକୁ ଯଥା: ଯୌନ ଅସଦାଚରଣ, ଅଶୁଚିତା, କାମୁକତା, କୁଅଭିଳାଷ ଓ ଲୋଭ, ଯାହାକି ପ୍ରତିମାପୂଜା ସଦୃଶ, ଏହିସବୁକୁ ବିନାଶ କର। ଏହିସବୁ ହେତୁ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେବାକୁ ଯାଉଅଛି। ବିଗତ ଜୀବନରେ ତୁମ୍ଭେମାନେ, ଏହିପ୍ରକାର ପଥ ଅବଲମ୍ବନ କରିଥିଲ। କିନ୍ତୁ ଏବେ ତୁମ୍ଭେମାନେ ଏହିସବୁ ଯଥା: କ୍ରୋଧ, ପ୍ରଚଣ୍ଡ କୋପ, ବିଦ୍ୱେଷ, କୁତ୍ସାରଟନା, ଏବଂ ମୁଖରୁ ଅଶ୍ଳୀଳ ଭାଷା ପରିହାର କର। ପରସ୍ପରକୁ ମିଥ୍ୟା କୁହ ନାହିଁ, ଯେହେତୁ ତୁମ୍ଭେମାନେ ନିଜର ପୁରାତନ ପ୍ରକୃତି ଓ ତହିଁର ଅଭ୍ୟାସସବୁ ଦୂର କରିଅଛ ଏବଂ ନୂତନ ପ୍ରକୃତିକୁ ପରିଧାନ କରିଅଛ, ଯେ ଏହି ନୂତନ ପ୍ରକୃତିର ସ୍ରଷ୍ଟା ଅଟନ୍ତି ତାହାଙ୍କ ଅନୁରୂପରେ ଏହା ଜ୍ଞାନରେ ନୂତନୀକୃତ ହେଉଅଛି। ଏ କ୍ଷେତ୍ରରେ ଗ୍ରୀକ କି ଯିହୁଦୀ, ସୁନ୍ନତ କି ଅସୁନ୍ନତ, ବର୍ବର କି ଅସଭ୍ୟ ଜାତି, କ୍ରୀତଦାସ କି ସ୍ୱାଧୀନ, ଏମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସର୍ବେସର୍ବା ଓ ସମସ୍ତଙ୍କ ମଧ୍ୟରେ ଅଛନ୍ତି।
ଅତଏବ, ଈଶ୍ୱରଙ୍କ ମନୋନୀତ, ପବିତ୍ର ଓ ଅତି ପ୍ରିୟ ଲୋକ ରୂପେ, ତୁମ୍ଭେମାନେ ଅନୁକମ୍ପା, ଦୟା, ନମ୍ରତା, ଭଦ୍ରତା ଓ ସହିଷ୍ଣୁତା ପରିଧାନ କର। ପରସ୍ପର ପ୍ରତି ସହନଶୀଳ ହୁଅ ଏବଂ କାହା ବିରୁଦ୍ଧରେ କାହାର କିଛି ଅଭିଯୋଗ ଥିଲେ ପରସ୍ପରକୁ କ୍ଷମା କର। ପ୍ରଭୁ ଯେପରି ତୁମକୁ କ୍ଷମା କରିଅଛନ୍ତି ସେହିପରି କ୍ଷମା କର। ପୁଣି ଏହିସମସ୍ତ ସଦ୍ଗୁଣ ସହିତ ପ୍ରେମରେ ଭୂଷିତ ହୁଅ, ପ୍ରେମ ଏହି ସମସ୍ତକୁ ସଂପୂର୍ଣ୍ଣ ଏକତାରେ ବାନ୍ଧି ରଖେ।
ଖ୍ରୀଷ୍ଟଙ୍କ ପ୍ରଦତ୍ତ ଶାନ୍ତି ତୁମ୍ଭମାନଙ୍କ ହୃଦୟରେ ରାଜତ୍ଵ କରୁ, କାରଣ ଗୋଟିଏ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭାବରେ ତୁମ୍ଭେମାନେ ଶାନ୍ତି ଉପଭୋଗ କରିବାକୁ ଆହୂତ ହୋଇଅଛ। ଆହୁରି ମଧ୍ୟ ଧନ୍ୟବାଦୀ ହୁଅ। ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ ହୃଦୟରେ ରହିଥାଉ, ଏତଦ୍ଦ୍ୱାରା ତୁମ୍ଭେମାନେ ସମସ୍ତ ଜ୍ଞାନ ସହ ପରସ୍ପରକୁ ଶିକ୍ଷା ଓ ଚେତନା ଦିଅ, ଏବଂ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୃତଜ୍ଞ ହୃଦୟରେ ଭଜନ, ସ୍ତବ ଓ ଆତ୍ମିକସଙ୍ଗୀତ ଗାନ କର। ପୁଣି ବାକ୍ୟରେ କି କର୍ମରେ, ଯାହାକିଛି କର ନା କାହିଁକି, ସେହିସବୁ ପ୍ରଭୁ ଯୀଶୁଙ୍କ ନାମରେ କରି, ତାହାଙ୍କ ଦ୍ଵାରା ପିତା ଈଶ୍ୱରଙ୍କ ଧନ୍ୟବାଦ କର।
ଖ୍ରୀଷ୍ଟୀୟ ପରିବାର ପାଇଁ ନୀତିନିୟମ
ହେ ସ୍ତ୍ରୀମାନେ, ପ୍ରଭୁଙ୍କ ସହଭାଗିତାରେ ରହି ଯାହା ଉପଯୁକ୍ତ, ତଦନୁଯାୟୀ ସ୍ୱାମୀମାନଙ୍କର ବଶୀଭୂତ ହୁଅ।
ହେ ସ୍ୱାମୀମାନେ, ନିଜ ନିଜ ସ୍ତ୍ରୀମାନଙ୍କୁ ପ୍ରେମ କର ଏବଂ ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।
ହେ ପିଲାମାନେ, ତୁମ୍ଭେମାନେ ସବୁ ବିଷୟରେ ପିତାମାତାଙ୍କର ବାଧ୍ୟ ହୁଅ, କାରଣ ଏହା ପ୍ରଭୁଙ୍କର ସନ୍ତୋଷଜନକ ଅଟେ।
ହେ ପିତାମାନେ, ତୁମର ପିଲାମାନଙ୍କୁ ବିରକ୍ତ କର ନାହିଁ, ତାହା କଲେ ସେମାନେ ନିରୁତ୍ସାହିତ ହେବେ।
ହେ ଦାସମାନେ, ସବୁ ବିଷୟରେ ତୁମର ଜାଗତିକ ମୁନିବମାନଙ୍କର ଆଜ୍ଞା ପାଳନ କର, କେବଳ ଦେଖୁଥିଲା ବେଳେ ସେମାନଙ୍କର ଅନୁଗ୍ରହ ଲାଭ କରିବାକୁ ନୁହେଁ, ମାତ୍ର ଆନ୍ତରିକ ଭାବରେ ଏବଂ ପ୍ରଭୁଙ୍କ ପ୍ରତି ଭୟଭକ୍ତି ସହକାରେ ତାହା କର। ତୁମ୍ଭେମାନେ ଯାହାକିଛି କର, ମନୁଷ୍ୟ ପାଇଁ ନ କରି, ପ୍ରଭୁଙ୍କ ପାଇଁ କଲା ପରି ଆନ୍ତରିକଭାବେ କାର୍ଯ୍ୟ କର। କାରଣ ତୁମ୍ଭେମାନେ ଜାଣିଅଛ ଯେ ପ୍ରଭୁଙ୍କଠାରୁ ପୁରସ୍କାର ସ୍ଵରୂପେ ଏକ ଉତ୍ତରାଧିକାର ପାଇବ। ତୁମ୍ଭେମାନେ ତ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କରୁଅଛ। ଯେ ଅନ୍ୟାୟ କରେ ସେ ତାହାର ଅନ୍ୟାୟର ପ୍ରତିଫଳ ପାଇବ ଓ ଏ ବିଷୟରେ କୌଣସି ପକ୍ଷପାତିତା ନାହିଁ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.