Biblica® Open Odia Contemporary Bible
କଲସୀୟ 2
ତୁମ୍ଭମାନଙ୍କ ପାଇଁ, ଲାଓଦିକିଆରେ ଥିବା ଲୋକମାନଙ୍କ ପାଇଁ ଏବଂ ଯେଉଁମାନେ ବ୍ୟକ୍ତିଗତଭାବେ ମୋତେ କେବେ ଭେଟି ନାହାନ୍ତି ସେମାନଙ୍କ ପାଇଁ ମୁଁ ଯେ ମୋର ଯଥାସାଧ୍ୟ ପରିଶ୍ରମ କରୁଅଛି ଏହା ତୁମ୍ଭେମାନେ ଜାଣ ବୋଲି ମୁଁ ଚାହେଁ। ମୋର ଉଦ୍ଦେଶ୍ୟ ଏହି ଯେ ସେମାନେ ମନରେ ଉତ୍ସାହ ଲାଭ କରନ୍ତୁ ଓ ପ୍ରେମରେ ଏକତାବଦ୍ଧ ହୁଅନ୍ତୁ, ତା ହେଲେ ସେମାନେ ସଂପୂର୍ଣ୍ଣ ଜ୍ଞାନର ମହା ନିଧି ଲାଭକରି, ଈଶ୍ୱରଙ୍କ ନିଗୂଢ଼ତତ୍ତ୍ୱ, ଅର୍ଥାତ୍, ଖ୍ରୀଷ୍ଟଙ୍କୁ ଜାଣିବେ, ଖ୍ରୀଷ୍ଟଙ୍କଠାରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଧନଭଣ୍ଡାର ଗୁପ୍ତ ଅଛି। କେହି ଯେପରି ତୁମ୍ଭମାନଙ୍କୁ ବାକ୍ଚାତୁରୀ ଦ୍ଵାରା ପ୍ରତାରଣା ନ କରେ ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏହା କହୁଅଛି। ମୁଁ ଶାରୀରିକଭାବେ ଅନୁପସ୍ଥିତ ଥିଲେ ସୁଦ୍ଧା ଆତ୍ମିକଭାବେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ଅଛି ଏବଂ ତୁମ୍ଭେମାନେ କେଡ଼େ ଶୃଙ୍ଖଳିତ ଓ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ କେଡ଼େ ସୁଦୃଢ଼, ତାହା ଦେଖି ଆନନ୍ଦ ଲାଭ କରୁଅଛି।
ଅସାର ପ୍ରଥାପଦ୍ଧତିରୁ ମୁକ୍ତ ହୁଅ
ଅତଏବ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ବୋଲି ଯେପରି ଗ୍ରହଣ କଲ, ସେହିପରି ତାହାଙ୍କ ସହଭାଗିତାରେ ଜୀବନଯାପନ ମଧ୍ୟ କର, ତାହାଙ୍କଠାରେ ବଦ୍ଧମୂଳ ଓ କ୍ରମଶଃ ବୃଦ୍ଧିପ୍ରାପ୍ତ ହୁଅ, ଏବଂ ପାଇଥିବା ଶିକ୍ଷାନୁଯାୟୀ ବିଶ୍ୱାସରେ ବଳିଷ୍ଠ ହୁଅ, ପୁଣି ତୁମର ଧନ୍ୟବାଦ ଉଛୁଳି ଉଠୁ।
ସାବଧାନ କେହି ତୁମକୁ ଶୂନ୍ୟଗର୍ଭ ଓ ଭ୍ରାନ୍ତ ଦର୍ଶନିକତତ୍ତ୍ୱ ଦ୍ଵାରା ବନ୍ଦୀ ନ କରୁ, ଏହା ଖ୍ରୀଷ୍ଟଙ୍କ ଉପରେ ନିର୍ଭର ନ କରି ମନୁଷ୍ୟର ପରମ୍ପରାଗତ ପ୍ରଥା ଓ ଏହି ଜଗତର ମୈଳିକ ନୀତିଗୁଡ଼ିକ ଉପରେ ନିର୍ଭର କରେ।
କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ଵ ଦେହବନ୍ତ ହୋଇ ବାସ କରେ, ପୁଣି ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ। ସେ ହିଁ ସମସ୍ତ ଆଧିପତ୍ୟ ଓ କର୍ତ୍ତୁତ୍ଵର ମସ୍ତକ ସ୍ଵରୂପ। ଆହୁରି ମଧ୍ୟ ତାହାଙ୍କ ସହଭାଗିତାରେ ଆସି ତୁମ୍ଭେମାନେ ସୁନ୍ନତ ହୋଇଅଛ ମନୁଷ୍ୟମାନଙ୍କ ହସ୍ତ ଦ୍ଵାରା ଯେଉଁ ସୁନ୍ନତ କରାଯାଏ ତଦ୍ଦ୍ୱାରା ନୁହେଁ। ମାତ୍ର ପାପପ୍ରକୃତି ପରିହାର କରି ଖ୍ରୀଷ୍ଟଙ୍କ ଦ୍ଵାରା ସୁନ୍ନତ ହୋଇଅଛ, ଡୁବନ ନେବାବେଳେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେଲ, ଏବଂ ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଶକ୍ତିରେ ବିଶ୍ୱାସ କରିବା ଦ୍ଵାରା ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହେଲ।
ତୁମ୍ଭେମାନେ ଯେତେବେଳେ ପାପରେ ମୃତ ଓ ପାପ ପ୍ରକୃତିରୂପ ଅସୁନ୍ନତ ଅବସ୍ଥାରେ ଥିଲ, ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କଲେ। ସେ ଆମର ସମସ୍ତ ପାପକ୍ଷମା କଲେ, ନିୟମାବଳୀ ସହିତ ଯେଉଁ ଲିଖିତ ବିଧିବିଧାନ ଆମ ବିରୁଦ୍ଧରେ ଥିଲା ଓ ଆମର ବିରୋଧ କରୁଥିଲା; ତାହାକୁ ସେ ରଦ୍ କରି ନେଇଗଲେ, ଓ କ୍ରୁଶରେ କଣ୍ଟାବିଦ୍ଧ କଲେ। ସେସମସ୍ତ ଆଧିପତ୍ୟ ଓ କର୍ତ୍ତାପଣକୁ ନିରସ୍ତ୍ର କରି, ସର୍ବସାଧାରଣରେ ପ୍ରଦର୍ଶନ କଲେ, ଏବଂ କ୍ରୁଶ ଦ୍ଵାରା ସେମାନଙ୍କ ଉପରେ ବିଜୟ ଲାଭ କଲେ।
ସେଥିପାଇଁ ତୁମ୍ଭମାନଙ୍କର ଭୋଜନପାନ ବିଷୟରେ, ପର୍ବପର୍ବାଣି ବିଷୟରେ, କିମ୍ବା ଅମାବାସ୍ୟା ତିଥି କି ଶାବତବାର1 ପାଳନ ବିଷୟରେ କେହି ତୁମର ବିଚାର ନ କରୁ। ଏହିସମସ୍ତ ଆଗାମୀ ବିଷୟର ଛାୟାମାତ୍ର; ବାସ୍ତବ ବିଷୟ ଖ୍ରୀଷ୍ଟଙ୍କଠାରେ ମିଳେ। ଯିଏ ନମ୍ରତାର ଛଳନା କରିବାରେ ଓ ସ୍ଵର୍ଗଦୂତମାନଙ୍କ ପୂଜା କରିବାରେ ଆନନ୍ଦ ଲାଭ କରେ ସେ ତୁମକୁ ପୁରସ୍କାରରୁ ବଞ୍ଚିତ ନ କରୁ। ସେପ୍ରକାର ଲୋକ ନିଜର ଦର୍ଶନ ବିଷୟରେ ସବିଶେଷ ବର୍ଣ୍ଣନା କରେ; ଏବଂ ତାହାର ଭୋଗପିପାସୁ ମନ ଅସାର ଧାରଣାଗୁଡ଼ିକ ଦ୍ଵାରା ବୃଥାଗର୍ବ କରେ। ଯେଉଁ ମସ୍ତକରୁ ସମଗ୍ର ଶରୀର ପରିପୁଷ୍ଟ ହୁଏ, ଓ ସନ୍ଧି ଶିରାପ୍ରଶିରା ଦ୍ଵାରା ସୁସଂଯୁକ୍ତ ହୋଇ ଈଶ୍ୱରଙ୍କ ଦ୍ଵାରା ବୃଦ୍ଧିପ୍ରାପ୍ତ ହୁଏ, ସେହି ମସ୍ତକ ଠାରୁ ସେହି ଲୋକ ବିଚ୍ଛିନ୍ନ ହୁଏ।
ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ମୈଳିକ ନୀତିନିୟମ ପ୍ରତି ମୃତ ହୋଇଅଛ, ତେବେ କାହିଁକି ଏ ଜଗତର ଲୋକ ପରି ଏହାର ନୀତିନିୟମର ବଶରେ ଆହୁରି ରହିଅଛ ଯଥା “ଏଇଟା ଧର ନାହିଁ! ସେଇଟା ଖାଅ ନାହିଁ! ଏଇଟା ଛୁଅଁ ନାହିଁ!” ଏହିସବୁ ବିଷୟ, ବ୍ୟବହାର କରିବାପରେ ଲୋପ ପାଏ, କାରଣ ଏହିସବୁ ମନୁଷ୍ୟରଚିତ ଆଜ୍ଞା ଓ ଶିକ୍ଷା ଉପରେ ପ୍ରତିଷ୍ଠିତ। ସ୍ଵଇଚ୍ଛା ମତ ଆରାଧନା, ନମ୍ରତାର ଛଳନା ଓ ନିଜ ଶରୀରକୁ କ୍ଲେଶଦାନ, ଏହିପ୍ରକାର ରୀତିନୀତିଗୁଡ଼ିକ ଜ୍ଞାନଭିତ୍ତିକ ବୋଲି ମନେ ହୋଇପାରେ, କିନ୍ତୁ ଭୋଗଲାଳସା ଦମନ କରିବାକୁ ଏହିସବୁ ମୂଲ୍ୟହୀନ।
Source notes (1)
- Footnote କିଛି ଲୋକ ଏହାକୁ ବିଶ୍ରାମବାର କହନ୍ତି
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.