Biblica® Open Odia Contemporary Bible
ଦ୍ୱିତୀୟ ପିତର 3
ପ୍ରଭୁଙ୍କର ମହାଦିବସ
ପ୍ରିୟ ବନ୍ଧୁଗଣ, ତୁମ୍ଭମାନଙ୍କ ନିକଟକୁ ଏହା ମୋର ଦ୍ୱିତୀୟ ପତ୍ର। ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇ ତୁମର ମଙ୍ଗଳଜନକ ଚିନ୍ତାଧାରାକୁ ଜାଗ୍ରତ କରାଇଅଛି। ଅତୀତ କାଳରେ ପବିତ୍ର ଭାବବାଦୀମାନଙ୍କର କଥିତ ବାଣୀ ଓ ତୁମ୍ଭମାନଙ୍କର ପ୍ରେରିତଶିଷ୍ୟମାନଙ୍କ ଦ୍ଵାରା ଆମର ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କର ପ୍ରଦତ୍ତ ଆଦେଶ ତୁମ୍ଭେମାନେ ସ୍ମରଣ କର ବୋଲି ମୁଁ ଇଚ୍ଛା କରେ।
ପ୍ରଥମତଃ, ଏହା ଜାଣିରଖ ଯେ ଅନ୍ତିମ ଦିନମାନଙ୍କରେ ନିଜର କୁଅଭିଳାଷରେ ଚାଳିତ ବିଦ୍ରୂପ କାରୀମାନେ ଆସିବେ ଓ ଉପହାସ କରିବେ। ସେମାନେ କହିବେ, “ସେ ‘ଆଗମନ’ କରିବେ ବୋଲି ଯେଉଁ ପ୍ରତିଜ୍ଞା କରିଥିଲେ ତାହା କାହିଁ? ଆମର ପିତୃପୁରୁଷମାନଙ୍କ ମୃତ୍ୟୁ ସମୟରୁ ଏ ଯାଏ ସୃଷ୍ଟି ଆରମ୍ଭରେ ଯେପରି ଥିଲା ସେହିପରି ସବୁ ଚଳି ଆସୁଛି।” କିନ୍ତୁ ସେମାନେ ଜାଣିଶୁଣି ଭୁଲି ଯାଆନ୍ତି ଯେ ପୁରାକାଳରେ ଈଶ୍ୱରଙ୍କ ଆଜ୍ଞା ବଳରେ ଆକାଶମଣ୍ଡଳ ଅସ୍ତିତ୍ଵ ଲାଭ କଲା ଏବଂ ପୃଥିବୀ ଜଳ ମଧ୍ୟରୁ ଓ ଜଳରେ ଗଠିତ ହେଲା। ଆହୁରି ମଧ୍ୟ ସେ କାଳର ଜଗତ ଜଳ ଦ୍ଵାରା ପ୍ଳାବିତ ହୋଇ ଧ୍ୱଂସ ପାଇଲା। କିନ୍ତୁ ବର୍ତ୍ତମାନର ଏହି ଆକାଶମଣ୍ଡଳ ଓ ପୃଥିବୀ ସେହି ଆଦେଶବାକ୍ୟ ଦ୍ଵାରା ଅଧାର୍ମିକ ଲୋକଙ୍କର ବିଚାର ଓ ବିନାଶ ନିମନ୍ତେ ଅଗ୍ନି ଦ୍ଵାରା ଧ୍ୱଂସ ପାଇବାକୁ ସଂରକ୍ଷିତ ଅଛି।
କିନ୍ତୁ ହେ ବନ୍ଧୁଗଣ, ଏହି ଗୋଟିଏ ବିଷୟ ଭୁଲି ଯାଅ ନାହିଁ ଯେ ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଦିନ ସହସ୍ର ବର୍ଷ ପରି ଓ ସହସ୍ର ବର୍ଷ ଗୋଟିଏ ଦିନ ପରି। କେହି କେହି ବିଳମ୍ବ କହିଲେ ଯାହା ବୁଝନ୍ତି ପ୍ରଭୁ ଆପଣା ପ୍ରତିଜ୍ଞା ରକ୍ଷା କରିବାକୁ ସେପରି ବିଳମ୍ବ କରୁନାହାନ୍ତି। କେହି ବିନଷ୍ଟ ନ ହେଉ, ମାତ୍ର ସମସ୍ତେ ଅନୁତାପ କରନ୍ତୁ ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଧୈର୍ଯ୍ୟଶୀଳ ଅଟନ୍ତି।
କିନ୍ତୁ ପ୍ରଭୁଙ୍କର ଦିନ ଚୋର ପରି ଅନପେକ୍ଷିତ ଭାବରେ ଆସିବ। ମହାଶଦ୍ଦରେ ଆକାଶମଣ୍ଡଳ ଲୋପ ପାଇବ; ମୈଳିକ ବସ୍ତୁସକଳ ପ୍ରଚଣ୍ଡ ଅଗ୍ନିତାପରେ ତରଳିଯିବ ଏବଂ ପୃଥିବୀ ଓ ତହିଁ ମଧ୍ୟରେ ଥିବା ସମସ୍ତ ବିଷୟ ଜଳି ଯିବ।
ଯଦି ସମସ୍ତ ବିଷୟ ଏହି ପ୍ରକାରେ ଲୋପ ପାଇବ, ତେବେ ତୁମ୍ଭେମାନେ କି ପ୍ରକାର ମନୁଷ୍ୟ ହେବା ଉଚିତ? ଈଶ୍ୱରଙ୍କ ଦିନର ଆଗମନ ଅପେକ୍ଷାରେ ରହି ତାହାକୁ ତ୍ଵରାନ୍ୱିତ କରିବାକୁ ତୁମ୍ଭେମାନେ ପବିତ୍ର ଓ ଧାର୍ମିକ ଜୀବନଯାପନ କରିବା ଉଚିତ। ସେହି ଦିନରେ ଆକାଶମଣ୍ଡଳ ଅଗ୍ନି ଦ୍ଵାରା ଲୋପ ପାଇବ ଓ ପ୍ରଚଣ୍ଡ ଅଗ୍ନିତାପରେ ମୈଳିକ ବସ୍ତୁସବୁ ତରଳିଯିବ। ମାତ୍ର ତାହାଙ୍କ ପ୍ରତିଜ୍ଞା ଅନୁସାରେ ଆମେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ରହିଅଛୁ, ତାହା ଧାର୍ମିକତାର ନିବାସ ହେବ।
ଅତଏବ, ପ୍ରିୟ ବନ୍ଧୁଗଣ, ଏହିସବୁର ଅପେକ୍ଷା କରୁଥିବାରୁ, ତୁମ୍ଭେମାନେ ଯେପରି ନିଷ୍କଳଙ୍କ ଓ ନିର୍ଦ୍ଦୋଷ ହୋଇ ତାହାଙ୍କ ସହିତ ଶାନ୍ତିରେ ଥିବ, ଏଥିପାଇଁ ସବୁପ୍ରକାର ଉଦ୍ୟମ କର। ଏ କଥା ମନେରଖ ଯେ ଆମର ପ୍ରଭୁଙ୍କର ସହିଷ୍ଣୁତା ପରିତ୍ରାଣ ପାଇଁ ଉଦ୍ଦିଷ୍ଟ, ଠିକ ଏହି ବିଷୟ ଆମର ପ୍ରିୟ ଭାଇ ପାଉଲ ମଧ୍ୟ ଈଶ୍ୱରପ୍ରଦତ୍ତ ଜ୍ଞାନରେ ତୁମ୍ଭମାନଙ୍କୁ ଲେଖିଅଛନ୍ତି। ସେ ତାଙ୍କର ସବୁ ପତ୍ରରେ ଏହିସମସ୍ତ ବିଷୟ ଉଲ୍ଲେଖ କରି ଏପ୍ରକାରେ ଲେଖିଥାଆନ୍ତି। ତାଙ୍କର ପତ୍ରଗୁଡ଼ିକରେ ଏପରି କେତେକ ବିଷୟ ଅଛି ଯାହା ବୁଝିବା କଷ୍ଟକର ଏବଂ ନିର୍ବୋଧ ଓ ଚଞ୍ଚଳମତି ଲୋକେ ଅନ୍ୟାନ୍ୟ ଧର୍ମଶାସ୍ତ୍ରକୁ ଯେପରି କରନ୍ତି ଏସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରି ନିଜର ବିନାଶ ସାଧନ କରନ୍ତି।
ଅତଏବ, ପ୍ରିୟ ବନ୍ଧୁଗଣ ତୁମ୍ଭେମାନେ ପୂର୍ବରୁ ଏହିସବୁ ଜାଣିଥିବାରୁ ସତର୍କ ଥାଅ, ଯେପରି ତୁମ୍ଭେମାନେ ଅଧାର୍ମିକ ଲୋକଙ୍କର ଭ୍ରାନ୍ତିରେ ଭାସି ଯିବ ନାହିଁ ଓ ନିଜର ଦୃଢ଼ତାରୁ ପତିତ ହେବ ନାହିଁ। କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ଲାଭ କର।
ବର୍ତ୍ତମାନ ଓ ଚିରକାଳ ତାହାଙ୍କର ଗୌରବ ହେଉ! ଆମେନ୍।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.