Biblica® Open Odia Contemporary Bible
ଦ୍ୱିତୀୟ ପିତର 2
ଭଣ୍ଡ ଶିକ୍ଷକ ଓ ସେମାନଙ୍କର ଶେଷଦଶା
କିନ୍ତୁ ଲୋକମାନଙ୍କ ମଧ୍ୟରେ ଯେପରି ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ବାହାରିଥିଲେ, ତୁମ୍ଭମାନଙ୍କମଧ୍ୟରେ ସେହିପରି ଭଣ୍ଡ ଶିକ୍ଷକମାନେ ମଧ୍ୟ ବାହାରିବେ। ସେମାନେ ଗୋପନରେ ବିନାଶକାରୀ ଭ୍ରାନ୍ତ ମତବାଦ ପ୍ରଚଳନ କରିବେ, ଏପରିକି ଯେଉଁ ପରାତ୍ପର ପ୍ରଭୁ ସେମାନଙ୍କୁ କିଣିଥିଲେ ତାଙ୍କୁ ଅସ୍ୱୀକାର କରିବେ ତଦ୍ଦ୍ୱାରା ନିଜ ଉପରେ ଆକସ୍ମିକ ବିନାଶ ଆଣିବେ। ଅନେକେ ସେମାନଙ୍କର ଲଜ୍ଜାଜନକ ମାର୍ଗର ଅନୁଗାମୀ ହେବେ ଏବଂ ଏମାନଙ୍କ ଯୋଗୁଁ ସତ୍ୟ ମାର୍ଗ ନିନ୍ଦିତ ହେବ। ଧନଲାଳସା ହେତୁ ଏହି ଶିକ୍ଷକମାନେ ମନଗଢ଼ା କଥାସବୁ କହି ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇବେ। ସେମାନଙ୍କର ଦଣ୍ଡବିଧାନ ବହୁକାଳରୁ ସେମାନଙ୍କ ଉପରେ ଝୁଲୁଛି, ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।
କାରଣ ଈଶ୍ୱର ଯଦି ପାପରେ ପତିତ ଦୂତମାନଙ୍କୁ ନିଷ୍କୃତି ନ ଦେଇ, ନରକରେ ନିକ୍ଷେପ କଲେ, ଏବଂ ମହାବିଚାର ପର୍ଯ୍ୟନ୍ତ ସେମାନଙ୍କୁ ଅନ୍ଧକାରମୟ ଗହ୍ଵର ମଧ୍ୟରେ ବନ୍ଧନରେ ରଖିଲେ; ସେ ଯଦି ପୁରାତନ ଜଗତକୁ ନିଷ୍କୃତି ନ ଦେଇ ଅଧାର୍ମିକ ଜଗତବାସୀଙ୍କ ଉପରେ ଜଳପ୍ଳାବନ ଘଟାଇଲେ, କିନ୍ତୁ ଧର୍ମପ୍ରଚାରକ ନୋହ ଓ ଆଉ ସାତ ଜଣଙ୍କୁ ରକ୍ଷା କଲେ; ସେ ଯଦି ସଦୋମ ଓ ଗମୋରା ନଗରଦ୍ଵୟକୁ ଭସ୍ମୀଭୂତ ଓ ନିଶ୍ଚିହ୍ନ କରି ଦଣ୍ଡ ଦେଲେ ଏବଂ ଅଧାର୍ମିକ ଲୋକଙ୍କ ପ୍ରତି ଯାହା ଘଟିବ, ତାହାର ଦୃଷ୍ଟାନ୍ତସ୍ଵରୂପ କଲେ; କିନ୍ତୁ ଧାର୍ମିକ ଲୋଟଙ୍କୁ ରକ୍ଷା କଲେ, କାରଣ ଦୂରାଚାରିଲୋକଙ୍କ ଲମ୍ପଟ ଆଚରଣରେ ସେ ବ୍ୟଥିତ ହେଉଥିଲେ; ଯେହେତୁ ସେହି ଧାର୍ମିକ ବ୍ୟକ୍ତି, ଦିନ ପରେ ଦିନ, ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ବିଧିବ୍ୟବସ୍ଥା ବହିର୍ଭୂତ କାର୍ଯ୍ୟ ଦେଖି ଓ ଶୁଣି ନିଜର ଧର୍ମନିଷ୍ଠ ମନ ମଧ୍ୟରେ ଘୋର ବ୍ୟଥା ଅନୁଭବ କରୁଥିଲେ, ଯଦି ଏହା ହୁଏ, ତେବେ ଧାର୍ମିକ ଲୋକଙ୍କୁ ପରୀକ୍ଷାରୁ କିପରି ରକ୍ଷା କରିବାକୁ ହେବ ଏବଂ ଅଧାର୍ମିକ ଲୋକଙ୍କୁ କିପରି ବିଚାର ଦିବସ ପର୍ଯ୍ୟନ୍ତ ଦଣ୍ଡାଧୀନରେ ରଖିବାକୁ ହେବ ତାହା ପ୍ରଭୁ ଜାଣନ୍ତି। ବିଶେଷତଃ ଯେଉଁମାନେ ନିଜ ନିଜର ପାପପ୍ରକୃତିର କୁଅଭିଳାଷ ଦ୍ଵାରା ଚାଳିତ ହୁଅନ୍ତି ଏବଂ ପ୍ରଭୁତ୍ଵ ଅବଜ୍ଞା କରନ୍ତି ସେମାନଙ୍କ ପ୍ରତି ଏ କଥା ପ୍ରଯୁଜ୍ୟ।
ଏହି ଦୁଃସାହସୀ ଓ ଉଦ୍ଧତ ଲୋକମାନେ ସ୍ଵର୍ଗୀୟ ପ୍ରାଣୀମାନଙ୍କର ବିଦ୍ରୂପ କରିବାକୁ ଭୟ କରନ୍ତି ନାହିଁ; ଅଥଚ ଏମାନଙ୍କଠାରୁ ଅଧିକ ପରାକ୍ରାନ୍ତ ଓ ଶକ୍ତିଶାଳୀ ସ୍ଵର୍ଗଦୂତମାନେ ସୁଦ୍ଧା ପ୍ରଭୁଙ୍କ ସାକ୍ଷାତରେ ସେମାନଙ୍କ ବିରୁଦ୍ଧରେ ଅପବାଦଜନକ ଅଭିଯୋଗ ଆଣନ୍ତି ନାହିଁ। କିନ୍ତୁ ଏହି ଲୋକମାନେ ଯେଉଁସବୁ ବିଷୟ ବୁଝନ୍ତି ନାହିଁ ସେହିସବୁର ନିନ୍ଦା କରନ୍ତି। ଯେଉଁ ପଶୁମାନେ ପ୍ରବୃତ୍ତି ଦ୍ଵାରା ଚାଳିତ ଓ କେବଳ ଧରା ଯାଇ ନିହତ ହେବାକୁ ଯେଉଁମାନଙ୍କର ଜନ୍ମ ଏହି ଲୋକମାନେ ସେହି ନିର୍ବୋଧ ପଶୁମାନଙ୍କ ସଦୃଶ, ଏମାନେ ମଧ୍ୟ ପଶୁମାନଙ୍କର ପରି ବିନଷ୍ଟ ହେବେ।
ସେମାନେ କରିଥିବା ଅନିଷ୍ଟ ବଦଳରେ ନିଜେ ହିଁ ଅନିଷ୍ଟ ପାଇବେ। ସେମାନେ ଦିବାଲୋକରେ ତୁମୁଳ ଆମୋଦପ୍ରମୋଦରେ ମାତିବାକୁ ସୁଖ ମଣନ୍ତି। ସେମାନେ କଳଙ୍କ ଓ ଦୁର୍ନାମ ସ୍ଵରୂପ, ତୁମ୍ଭମାନଙ୍କ ସହିତ ଭୋଜନପାନ କରୁ କରୁ ମଦ୍ୟପାନରେ ମାତି ଉଠନ୍ତି। ସେମାନଙ୍କର ଚକ୍ଷୁ ବ୍ୟଭିଚାର କାମନାରେ ପୂର୍ଣ୍ଣ, ସେମାନେ କେବେ ପାପ କାର୍ଯ୍ୟରୁ ବିରତ ନୁହନ୍ତି; ଆହୁରି ମଧ୍ୟ ଯେଉଁମାନେ ଅସ୍ଥିରମତି ସେମାନଙ୍କୁ ପ୍ରଲୋଭିତ କରି ସେମାନେ ଭ୍ରଷ୍ଟ କରନ୍ତି; ଏମାନେ ଏକ ଅଭୀଶପ୍ତ ବଂଶ! ଏମାନେ ସରଳ ପଥ ପରିତ୍ୟାଗ କରି ବିପଥଗାମୀ ହୋଇଅଛନ୍ତି ଓ ବିୟୋରପୁତ୍ର ବାଲାମର ପଥ ଅନୁସରଣ କରିଅଛନ୍ତି, ଏହି ବାଲାମ ଅଧର୍ମର ବେତନକୁ ପ୍ରିୟ ମଣିଥିଲା। କିନ୍ତୁ ସେ ତାହାର ଅନ୍ୟାୟ କାର୍ଯ୍ୟ ପାଇଁ ଏକ ମୂକ ପଶୁ ର୍ଗଭ ଦ୍ଵାରା ତିରସ୍କୃତ ହୋଇଥିଲା ସେହି ର୍ଗଭ ମନୁଷ୍ୟ ସ୍ଵରରେ କଥା କହି ଭାବବାଦୀକୁ ବାତୁଳପଣରୁ କ୍ଷାନ୍ତ କରିଥିଲା।
ଏହି ଲୋକମାନେ ଜଳଶୂନ୍ୟ ନିର୍ଝର ଓ ଝଡ଼ ପବନରେ ଚାଳିତ ମେଘ ତୁଲ୍ୟ। ଏମାନଙ୍କ ପାଇଁ ଘୋର ଅନ୍ଧକାର ସଂରକ୍ଷିତ ହୋଇଛି। ଏମାନେ ଅସାର ଗର୍ବର କଥା କହନ୍ତି, ଭ୍ରାନ୍ତିରେ ଜୀବନ କାଟୁଥିବା ଲୋକଙ୍କ ମଧ୍ୟରୁ ସଦ୍ୟ ରକ୍ଷା ପାଇଥିବା ଲୋକଙ୍କୁ ମାନବୀୟ ପାପପ୍ରକୃତିଜନିତ କୁଅଭିଳାଷ ଗୁଡ଼ିକର ମୋହ ଦେଖାଇ ବିପଥରେ ନେଇଯାଆନ୍ତି। ସେମାନେ ଏହି ଲୋକମାନଙ୍କୁ ସ୍ୱାଧୀନତାର ପ୍ରତିଶ୍ରୁତି ଦିଅନ୍ତି, ଅଥଚ ସେମାନେ ନିଜେ ଭ୍ରଷ୍ଟାଚରଣର କ୍ରୀତଦାସ, କାରଣ “ଯାହାକିଛି ମନୁଷ୍ୟକୁ ବଶୀଭୂତ କରେ ସେ ତାହାରି କ୍ରୀତଦାସ ହୁଏ।” ଆମର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ଦ୍ଵାରା ସେମାନେ ଯଦି ଜଗତର ଭ୍ରଷ୍ଟାଚାରରୁ ରକ୍ଷା ପାଇ ପୁନର୍ବାର ତଦ୍ଦ୍ୱାରା ଆବଦ୍ଧ ଓ ବଶୀଭୂତ ହୁଅନ୍ତି, ତେବେ ସେମାନଙ୍କର ପ୍ରଥମ ଦଶା ଅପେକ୍ଷା ଶେଷଦଶା ଅଧିକ ମନ୍ଦ ହୁଏ। ସେମାନେ ଧର୍ମପଥ ଜାଣିବା ପରେ ପାଇଥିବା ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା, ସେହି ଧର୍ମ ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷେ ଭଲ ହୋଇଥାଆନ୍ତା। ସେମାନଙ୍କ ବିଷୟରେ ଏହି ପ୍ରବାଦବାକ୍ୟଗୁଡ଼ିକ ସତ୍ୟ: “କୁକୁର ବାନ୍ତି କରି ପୁନର୍ବାର ତା ନିକଟକୁ ଫେରିଯାଏ,” ଏବଂ, “ଧୌତ ହୋଇଥିବା ଘୁଷୁରି ପୁଣି ଥରେ କାଦୁଅରେ ଲୋଟିବାକୁ ଫେରିଯାଏ।”
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.