Skip to content
BibleKenya

Biblica® Open Odia Contemporary Bible

ପ୍ରଥମ ଯୋହନ 1

ଜୀବନସ୍ଵରୂପ ବାକ୍ୟ

ଆଦ୍ୟରୁ ଯେ ବିଦ୍ୟମାନ, ଯାହାଙ୍କ ବାକ୍ୟ ଆମେ ଶୁଣିଅଛୁ, ଯାହାଙ୍କୁ ସ୍ଵଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ଵହସ୍ତରେ ସ୍ପର୍ଶ କରିଅଛୁ ସେହି ଜୀବନସ୍ଵରୂପ ବାକ୍ୟଙ୍କ ସମ୍ବନ୍ଧରେ ଆମେ ଘୋଷଣା କରୁଅଛୁ। ସେହି ଜୀବନ ଆବିର୍ଭୂତ ହେଲେ; ଆମେ ତାହା ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ, ଏବଂ ଯେଉଁ ଅନନ୍ତଜୀବନ ପିତାଙ୍କ ସହିତ ଥିଲେ ଓ ଆମ ନିକଟରେ ଆବିର୍ଭୂତ ହୋଇଥିଲେ, ତାହାଙ୍କୁ ଆମେ ତୁମ୍ଭମାନଙ୍କ ନିକଟରେ ଘୋଷଣା କରୁଅଛୁ। ଆମେ ଯାହା ଦେଖିଅଛୁ ଓ ଶୁଣିଅଛୁ ତାହା ତୁମ୍ଭମାନଙ୍କୁ ଜଣାଉଅଛୁ, ଯଦ୍ଦ୍ୱରା ତୁମ୍ଭେମାନେ ମଧ୍ୟ ଆମର ସହଭାଗିତା ଲାଭ କରିପାରିବ। ପୁଣି ଆମର ସହଭାଗିତା ପିତା ଓ ତାହାଙ୍କର ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କ ସହିତ ରହିଅଛି। ଆମର ଆନନ୍ଦ ଯେପରି ପୂର୍ଣ୍ଣତା ଲାଭ କରିବ ଏଥିପାଇଁ ଆମେ ଏହା ଲେଖୁଅଛୁ।

ଆଲୋକରେ ଜୀବନଯାପନ କର

ଆମେ ତାହାଙ୍କ ନିକଟରୁ ଯେଉଁ ବାର୍ତ୍ତା ଶୁଣିଅଛୁ ତାହା ଏହି ଈଶ୍ୱର ଜ୍ୟୋତିଃସ୍ଵରୂପ; ତାହାଙ୍କଠାରେ ତିଳେମାତ୍ର ଅନ୍ଧକାର ନାହିଁ। ତାହାଙ୍କ ସଙ୍ଗେ ଆମର ସହଭାଗିତା ଅଛି ବୋଲି ଯଦି କହୁ ଅଥଚ ଆମେ ଅନ୍ଧକାରରେ ଜୀବନଯାପନ କରୁ, ତେବେ ଆମେ ମିଥ୍ୟାବାଦୀ ଅଟୁ ଓ ସତ୍ୟ ଅନୁସାରେ ଜୀବନଯାପନ କରୁ ନାହୁଁ। କିନ୍ତୁ ସେ ଯେପରି ଆଲୋକନିବାସୀ, ଆମେ ଯଦି ସେହିପରି ଆଲୋକରେ ଜୀବନଯାପନ କରୁ, ତେବେ ପରସ୍ପର ସଙ୍ଗେ ଆମର ସହଭାଗିତା ଅଛି, ଏବଂ ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କର ରକ୍ତ ଆମକୁ ସମସ୍ତ ପାପରୁ ପରିଷ୍କୃତ କରେ।

ଆମଠାରେ ପାପ ନାହିଁ ବୋଲି ଯଦି କହୁ, ତେବେ ଆମେ ନିଜକୁ ପ୍ରତାରଣା କରୁ ଓ ଆମ ମଧ୍ୟରେ ସତ୍ୟତା ନାହିଁ। ଆମେ ଯଦି ନିଜର ପାପ ସ୍ୱୀକାର କରୁ, ତେବେ ଆମର ପାପକ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ପରିସ୍କାର କରିବାକୁ ସେ ବିଶ୍ୱାସଯୋଗ୍ୟ ଓ ନ୍ୟାୟବାନ୍ ଅଟନ୍ତି। ଆମେ ପାପ କରି ନାହୁଁ ବୋଲି ଯଦି କହୁ, ତେବେ ଆମେ ତାହାଙ୍କୁ ମିଥ୍ୟାବାଦୀ କରୁ ଓ ତାହାଙ୍କର ବାକ୍ୟ ଆମ ଜୀବନରେ ସ୍ଥାନ ପାଇ ନାହିଁ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.